ରାଜଧାନୀରେ ଅଳିଆ ଚିନ୍ତା
ରାଜଧାନୀ ଭୁବନେଶ୍ୱରକୁ ଏକ ବିଶ୍ୱସ୍ତରୀୟ ସହରରେ ପରିଣତ କରିବା ପାଇଁ ବିଭିନ୍ନ ପ୍ରକାରର ଉନ୍ନୟନମୂଳକ କାର୍ଯ୍ୟକ୍ରମ କେନ୍ଦ୍ର ଓ ରାଜ୍ୟ ସରକାର ହାତକୁ ନେଇଛନ୍ତି । ଅନାବଶ୍ୟକ ଭାବରେ ରାସ୍ତାକୁ ଚଉଡ଼ା କରାଯିବା ଠାରୁ ଆରମ୍ଭ କରି ଅନାବଶ୍ୟକ ଭାବରେ ଗଛ କାଟିବା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ପରିବେଶ ପ୍ରତି ସମସ୍ୟା ଥିବା କାର୍ଯ୍ୟକ୍ରମ ରାଜଧାନୀ କ୍ଷେତ୍ରର ପରିବେଶଗତ ସ୍ଥିତିକୁ ଜଟିଳ କରିପକାଇଲାଣି । ସବୁଠାରୁ ବେଶୀ ସମସ୍ୟା ସୃଷ୍ଟି ହୋଇଛି ରାଜଧାନୀରୁ ପ୍ରତିଦିନ ବାହାରୁଥିବା ଘରୋଇ ଅଳିଆକୁ ନେଇ । ଦୀର୍ଘ ବର୍ଷ ଧରି ଚନ୍ଦକା ଜଙ୍ଗଲ ଭିତରେ ଏକ ଗ୍ରାମ ନିକଟରେ ଅଳିଆର ପାହାଡ଼ ସୃଷ୍ଟି କରାଗଲା । ସ୍ଥାନୀୟ ଗ୍ରାମବାସୀମାନେ ଏହାର ପ୍ରତିବାଦ କରିବା ପରେ ସେଠାରେ ଅଳିଆ ପକାଇବା ବନ୍ଦ୍ କରାଗଲା । ହେଲେ କିଛି କିଲୋମିଟର ଧରି ଲମ୍ବିଥିବା ଅଳିଆର ପାହାଡ଼ ଏବେ ବି ସମସ୍ୟା ସୃଷ୍ଟି କରୁଛି । କିଛି ସପ୍ତାହ ହେଲାଣି ରାଜଧାନୀର ମଧ୍ୟଭାଗରେ ସୈନିକ ସ୍କୁଲ୍ ପଛପଟେ ଘରୋଇ ବର୍ଜ୍ୟର ପାହାଡ଼ ସୃଷ୍ଟି କରାଯାଇଛି । ବିଏମ୍ସି ଅଧୀନରେ ଏହି ସ୍ଥାନଟିକୁ ଅଳିଆଗଦା ଭାବରେ ବ୍ୟବହାର କରାଯିବା ଲକ୍ଷ୍ୟ ନେଇ ସୈନିକ ସ୍କୁଲ୍କୁ ଏଠାରୁ ଉଠେଇ ନେବା କଥା ସରକାର ଚିନ୍ତା କରୁଥିବା ଜଣାପଡ଼ିବା ପରେ ବର୍ତ୍ତମାନ ଏହି ଯୋଜନାର ତୀବ୍ର ବିରୋଧ ହେଲାଣି । ଅଳ୍ପ କେତେଦିନ ତଳେ ପଳାଶୁଣୀ ଅଞ୍ଚଳରେ ଏକ ଅଳିଆ ପରିଚାଳନା କାରଖାନା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ବର୍ଷାଧିକ କାଳ ଧରି ଏହା ପଡ଼ି ରହିବା ଏବଂ କାର୍ଯ୍ୟକ୍ଷମ ନହେବା କାରଣରୁ ସ୍ଥାନୀୟ ଲୋକମାନେ ସାମୂହିକ ଭାବରେ ଏହାକୁ ଉଦ୍ଘାଟନ କରି ଦେଲେ । ଏହାକୁ ନେଇ ଏକ ବିବାଦୀୟ ପରିସ୍ଥିତି ମଧ୍ୟ ସୃଷ୍ଟି ହେଲା । ଏ ପର୍ଯ୍ୟନ୍ତ ଏହି ଅଳିଆ ପ୍ରକି୍ରୟାକରଣ ବିନା କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ ।
ବର୍ତ୍ତମାନ ସମଗ୍ର ମହାନଗର ଅଞ୍ଚଳରେ ଅଳିଆ ସଂଗ୍ରହ କରିବା ପାଇଁ ମହାନଗର ନିଗମ ଡ଼ଷ୍ଟବିନ୍ ଯୋଗାଇ ପାରୁନାହିଁ । ମହାନଗର ନିଗମ ଅଞ୍ଚଳ ଭିତରେ ବିଭିନ୍ନ ସ୍ଥାନରେ ସଂଗୃହିତ ଅଳିଆକୁ ଯନ୍ତ୍ର ଶକ୍ତି ମାଧ୍ୟମରେ ପରିଚାଳନା କରି ନଷ୍ଟ କରାଯାଉଥିବା ବ୍ୟବସ୍ଥାକୁ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ କରାଯାଇପାରିଲା ନାହିଁ । ଯେଉଁଠି ବି ଏହି ଅଳିଆ ପରିଚାଳନା କାରଖାନା ରହିଛି ସେଠାରେ ଆଖପାଖ ଅଞ୍ଚଳ ଦୁର୍ଗନ୍ଧମୟ ହୋଇପଡୁଛି । ତେବେ ମୁ୍ୟନିସିପାଲିଟି ପକ୍ଷରୁ ରାସ୍ତାକଡ଼ର ଅଳିଆକୁ ସଂଗ୍ରହ କରାଯିବାର ବ୍ୟବସ୍ଥା ସୂଚାରୁ ରୂପେ ହୋଇପାରୁନାହିଁ । କିଛି ଦିନ ହେଲାଣି ବିଭିନ୍ନ ଜନବସତି ଅଞ୍ଚଳରୁ ଅଳିଆ ସଂଗ୍ରହ କରୁଥିବା ଛୋଟ ଛୋଟ ଗାଡ଼ିଗୁଡ଼ିକ ମଧ୍ୟରୁ କିଛି ଗାଡ଼ି ଆଉ ଆସୁନାହାନ୍ତି । ହାଟ ବଜାର ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ନିକଟରେ ଡ଼ଷ୍ଟବିନ୍ ନଥିବାରୁ ଲୋକେ ଏଣେତେଣେ ଅଳିଆ ଫୋପାଡ଼ିବାକୁ ବାଧ୍ୟ ହେଉଛନ୍ତି । ନିର୍ଦ୍ଦିଷ୍ଟ ସ୍ଥାନରେ ରାସ୍ତାକଡ଼ରେ ଅଳିଆ ଜମା ହେଉଛି । ଦ୍ରୁତ ସହରୀକରଣ ପ୍ରଭାବରେ ଏ ପ୍ରକାରର ସମସ୍ୟା ସୃଷ୍ଟି ହେବା ସ୍ୱାଭାବିକ, କିନ୍ତୁ ଏଥିପାଇଁ ନିର୍ଦ୍ଦିଷ୍ଟ ଯୋଜନା ରହିବା ନିହାତି ଆବଶ୍ୟକ । ଅଳିଆ ସଂଗ୍ରହ ପାଇଁ ଡଷ୍ଟବିନ୍ ଭଳି ସର୍ବସାଧାରଣ ପାଇଖାନା ମଧ୍ୟ ଆଉ ଏକ ଜରୁରୀ ଆବଶ୍ୟକତା । ତାହା ମଧ୍ୟ ଅଧିକାଂଶ ସ୍ଥାନରେ ନାହିଁ । ତେଣୁ ଲୋକମାନେ ରାସ୍ତାକଡ଼ରେ ପରିସ୍ରା କରିବା ଠାରୁ ଆରମ୍ଭ କରି ଶୌଚ ହେବା ଭଳି ସମସ୍ତ କାର୍ଯ୍ୟ କରୁଛନ୍ତି । ରାଜଧାନୀକୁ ଗୋଟିଏ ପକ୍ଷରେ ବିଶ୍ୱସ୍ତରୀୟ କରିବାର ଯୋଜନା ରହିଥିବା ବେଳେ ଏଥିରେ ପ୍ରତିବନ୍ଧକ ସାଜିଛି ସରକାରୀ ଜାଗାରେ ଅବୈଧ ବସ୍ତି । ଅବୈଧ ବସ୍ତିଗୁଡ଼ିକୁ ନିୟନ୍ତ୍ରଣ କରିବାରେ ଏ ପର୍ଯ୍ୟନ୍ତ କୌଣସି ସଫଳ ଯୋଜନା ହୋଇପାରିଲା ନାହିଁ । ବସ୍ତିଗୁଡ଼ିକୁ ପାନୀୟ ଜଳ ଏବଂ ବିଦୁ୍ୟତ୍ ସରକାରଙ୍କର ବିଭାଗଗୁଡ଼ିକ ଯୋଗାଇ ଦେଉଥିବା ବେଳେ ମହାନଗର ନିଗମ ପାଇଁ ବସ୍ତିଗୁଡ଼ିକ ହିଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ପରିମଳଗତ ବ୍ୟବସ୍ଥାକୁ ନିୟନ୍ତ୍ରଣ କରାନଗଲେ ରାଜଧାନୀ ଭୁବନେଶ୍ୱର କେବେ ହେଲେ ବିଶ୍ୱସ୍ତରୀୟ ହୋଇପାରିବ ନାହିଁ ।