ଜୀବନ ସାଧନା : ଧ୍ୟାନ

ସାଧାରଣତଃ ଧ୍ୟାନ ଶବ୍ଦଟି ମନ ଭିତରେ ଉଙ୍କି ମାରିଲା ବେଳକୁ ଆମ୍ଭ ମାନଙ୍କ ଭିତରେ ଶାନ୍ତ ମୁଦ୍ରାରେ ନିରବ ପରିବେଶରେ ଜଣେ ସ୍ଥିତପ୍ରଜ୍ଞ ଭାବନା ସହ ବସିବାର ମୂର୍ତ୍ତିଟି ଭାସି ଆସେ । ଧ୍ୟାନ ଏପରି ଏକ ଅବସ୍ଥା ଯାହାକି ବ୍ୟସ୍ତପୂର୍ଣ୍ଣ ଜୀବନ ବା କର୍ମମୟ ଜଞ୍ଜାଳ ଭିତରେ ଏତେଟା ସହଜ ହୋଇନଥାଏ । ଧ୍ୟାନ ଆମ ସମସ୍ତଙ୍କ ପାଇଁ ଏକ ଅପରିହାର୍ଯ୍ୟ ଚେତନା । ଯୋଗ, ପ୍ରାଣାୟମ, ଆସନ ବା ବିଭିନ୍ନ ଆଧ୍ୟାତ୍ମିକ ଚେତନାର ଅନ୍ୟତମ ଶ୍ରେଷ୍ଠ ଅବସ୍ଥା ହେଉଛି ଧ୍ୟାନ । ଏ କଥା ସହଜରେ ବୁଝାଯାଏ ଯେ, ସମସ୍ତଙ୍କୁ ଧ୍ୟାନ କରିବାର ଆବଶ୍ୟକତା ନଥାଏ । ପ୍ରତ୍ୟେକଙ୍କର ନିଜସ୍ୱ ଧାରା ରହିଥାଏ - କେହି କେହି ଭକ୍ତି ଦ୍ୱାରା, କେହି କେହି ସଙ୍ଗୀତ ମାଧ୍ୟମରେ, ଅନ୍ୟ କେହି ଶାସ୍ତ୍ର ଅଧ୍ୟୟନ ଦ୍ୱାରା ଅନ୍ୟ କେହି ନିଷ୍କାମ କର୍ମ ଦ୍ୱାରା ପଥଗୁଡ଼ିକ ଅନେକ । ଯେଉଁମାନଙ୍କର ପାଇଁ ଭଗବତ ଅନ୍ୱେଷଣ ପାଇଁ ଧ୍ୟାନ ସହାୟକ ହୋଇଥାଏ ସେମାନେ ଏହି କଥାଟି ନିଶ୍ଚିନ୍ତ ରୂପେ ଜାଣି ରଖିବା ଉଚିତ ଯେ, ଧ୍ୟାନ ନିଜ ଲକ୍ଷ୍ୟ ନୁହେଁ, ତେଣୁ ଘଣ୍ଟା ଘଣ୍ଟା କାଳ ବସିବା ଏହି ଉଦେ୍ଦଶ୍ୟ ପାଇଁ ଯଥାର୍ଥ ନୁହେଁ ଧ୍ୟାନର ଗୁଣବତ୍ତା ବାସ୍ତିବକ ଗୁରୁତ୍ୱପୂର୍ଣ୍ଣ କଥା ଅଟେ । ଯେଉଁମାନଙ୍କର ପଥ ଧ୍ୟାନ ମାଧ୍ୟମ ଦେଇଯିବାକୁ ହୋଇଥାଏ ଅଥବା ଅତିକମ୍ରେ ଏହା ତାଙ୍କ ସାଧନାର ଏକ ମୁଖ୍ୟ ଅଙ୍ଗ ହୋଇଥାଏ, ଏହା ଗୁରୁତ୍ୱପୂର୍ଣ୍ଣ ଅଟେ ଯେ ସେମାନେ ନିୟମିତ ଭାବେ ଧ୍ୟାନରେ ବସିବା ଉଚିତ । ଏକଥା କହିଲେ ଚଳିବ ନାହିଁ କି ଯେତେବେଳେ ପରିସ୍ଥିତି ଅନୁକୂଳ ଥିବ ଆମେ ସେତେବେଳେ ଧ୍ୟାନ କରିବା । ଗୋଟିଏ ଅନ୍ତରମୁଖି ଭାବର ଗତିବୃତ୍ତି କିମ୍ବା ଶାନ୍ତିର ଅବତରଣ କିମ୍ବା ଏକ ଊଦ୍ଧ୍ୱର୍ମୁଖୀ ଆକର୍ଷଣ । ସ୍ୱାଭାବିକ ଭାବେ ଯେତେବେଳେ ସେହି ମୁହୂର୍ତ୍ତ ଗୁଡ଼ିକ ଆସିଥାଏ, ଜଣେ ତା'ପ୍ରତି ଧ୍ୟାନ ଦେଇଥାଏ, ଯଦି ସମ୍ଭବପର ହୁଏ ତେବେ ଅନ୍ୟ ସବୁ କର୍ମକୁ ପଛରେ ପକାଇ ତାକୁ ଆଗ କରିଥାଏ । ଯାହା ଗୁରୁତ୍ୱପୂର୍ଣ୍ଣ ତାହା ହେଉଛି ଜଣଙ୍କର ନିୟମିତ ଭାବେ ଧ୍ୟାନ କରିବାର ସମୟ ରଖାଯାଇଥିବା ଆବଶ୍ୟକ । ଜଣଙ୍କର ମନର ଅବସ୍ଥା ଭଲ ଅଛି କି ନାହିଁ, ସେ କଥା ଉପରେ ଆଦୌ ଗୁରୁତ୍ୱ ନଦେଇ, ଜଣେ ପ୍ରତ୍ୟେହ ନିର୍ଦ୍ଧାରିତ ସମୟରେ ଧ୍ୟାନରେ ବସିବା ଉଚିତ । ଏହି ନିୟମିତତା ଜଣକ ପ୍ରକୃତି ମଧ୍ୟରେ ଗ୍ରହଣଶୀଳତାର ଗୋଟିଏ ଅଭ୍ୟାସ ସେହି ନିର୍ଦ୍ଦିଷ୍ଟ ସମୟରେ ହିଁ ସୃଷ୍ଟି କରିଥାଏ ଏବଂ ଚେତନା ମଧ୍ୟରେ ଗୋଟିଏ ସ୍ୱତଃ ସ୍ଫୂର୍ତ୍ତ ଭାବେ ଏକାଗ୍ରତା ଭାବ ସୃଷ୍ଟି କରିଥାଏ । ଏହା କେବଳ ଜଣକ ପ୍ରକୃତି ମଧ୍ୟରେ ଆସିଥାଏ ତାହା ନୁହେଁ ପାରିପାଶ୍ୱିର୍କ ବାତାବରଣରେ ମଧ୍ୟ ତାହା ସୃଷ୍ଟି ହୋଇଥାଏ । ସେଠାରେ ଗୋଟିଏ ଅଭ୍ୟାସ ସୃଷ୍ଟି ହୋଇଥାଏ, ଏହି ଆସ୍ପୃହାର ପ୍ରତି ଉତ୍ତର ଦେବା ନିମନ୍ତେ । ଏ କଥା ଦେଖାଯିବ ଯେ ସେହି ନିର୍ଦ୍ଦିଷ୍ଟ ସମୟରେ ଊଦ୍ଧ୍ୱର୍ସ୍ଥ କିଛି ଅବତରଣ ପାଇଁ ଅପେକ୍ଷା କରିଥାଏ, ସାଧକର ଗ୍ରହଣ ନିମନ୍ତେ । ଯଦିଓ ଏହା ପ୍ରତ୍ୟେକ ବ୍ୟକ୍ତିକୁ ତାହାର ନିଜର ସୁବିଧା ସମୟ ଉପରେ ଧ୍ୟାନ କରିବା ପାଇଁ ଛାଡ଼ି ଦିଆଯାଇଥାଏ, ଯେତେବେଳେ ସେ ବାହ୍ୟ ପରିସ୍ଥିତି ଦ୍ୱାରା ବହୁତ କମ୍ ବିଚଳିତ ହେଉଥାଏ, ତଥାପି ମଧ୍ୟ ଦିବସର କିଛି ସମୟ ଥଏ ଯାହା ଧ୍ୟାନ କରିବା ନିମନ୍ତେ ଅନ୍ୟ ମୁହୂର୍ତ୍ତ ଅପେକ୍ଷା ଅଧିକ ଉପଯୋଗୀ ହୋଇଥାଏ । ଏହା ସର୍ବଜନବିଦିତ ଯେ ପ୍ରାତଃ ସମୟର ମୁହୂର୍ତ୍ତ ସୂର୍ଯେ୍ୟାଦୟ ପୂର୍ବରୁ ଧ୍ୟାନ ପାଇଁ ବିଶେଷ ଫଳପ୍ରଦ ହୋଇଥାଏ । ତାହାର କାରଣ, ପ୍ରକୃତିର ସକ୍ରିୟ ଶକ୍ତି ରାଜି ଜାଗୃତ ହୋଇନଥାନ୍ତି ଏବଂ ପରିବେଶରେ ଗୋଟିଏ ବିଶେଷ ଶାନ୍ତି ଅବସ୍ଥା ବିଦ୍ୟମାନ ଥାଏ । ସେହିପରି ଭାବେ ପ୍ରଦୋଷ ସମୟ, ଯେତେବେଳେ ସୂର୍ଯ୍ୟ ଅସ୍ତ ହେଉଥାନ୍ତି, ଯେଉଁ ସମୟରେ କି ପ୍ରକୃତିର କ୍ରିୟାଶୀଳ ଶକ୍ତିରାଜି ନିଶ୍ଚଳତା ମଧ୍ୟକୁ ଅପସରି ଯାଉଥାନ୍ତି । ଏ କଥା ମଧ୍ୟ ସତ୍ୟ ଯେ, ଦିବସ ଓ ରାତ୍ରିର ମିଳନ ସମୟ, ମଧ୍ୟରାତ୍ରିର ମୁହୂର୍ତ୍ତ, ଧ୍ୟାନ ନିମନ୍ତେ ଅତ୍ୟନ୍ତ ଶକ୍ତିଶାଳୀ ମୁହୂର୍ତ୍ତ ଅଟେ ।
ଧ୍ୟାନ ପାଇଁ ସର୍ବପ୍ରଥମେ ଅପରିହାର୍ଯ୍ୟ ଆବଶ୍ୟକତା ହେଉଛି ମନକୁ ବିକ୍ଷିପ୍ତ ନକରି ସଂପୂର୍ଣ୍ଣ ରୂପେ ଏକ ନିର୍ଦ୍ଦିଷ୍ଟ କେନ୍ଦ୍ର ଉପରେ ଧାରଣ ରଖିବା । ଧ୍ୟାନ ପାଇଁ ସର୍ବ ଶ୍ରେଷ୍ଠ ସମୟ ହେଉଛି ବ୍ରାହ୍ମ ମୁହୂର୍ତ୍ତ ବା ପ୍ରତୁ୍ୟଷ । ଅନେକ ସମୟରେ ଜଣେ ଜଣେ ଧ୍ୟାନକୁ ନେଇ ଅନେକ ଜ୍ଞାନଗର୍ଭକ ଉପଦେଶ ଦେଇଥାନ୍ତି । ତେବେ ମୂଳ ଆଉ ବାସ୍ତବ କଥା ହେଉଛି ଧ୍ୟାନଟା ଏତେ ସହଜ ନୁହେଁ ଯାହାକୁ ଅନେକ ସହଜ ବୋଲି ଭାବିଥାନ୍ତି । କାରଣ ଧ୍ୟାନରେ ବସିବା ପରେ ବା ଜଣେ ନିୟମିତ ଧ୍ୟାନ କରୁଥିବା ବ୍ୟକ୍ତି ସାଧାରଣ ଜୀବନ ଯାପନର ମଣିଷ ହୋଇପାରିନଥାନ୍ତି । ସେମାନଙ୍କ ବ୍ୟକ୍ତିତ୍ୱ ଆଧ୍ୟାତ୍ମିକ ସାଧନା ଅସାଧାରଣ ହୋଇଥାଏ । ଧ୍ୟାନ କରିବା ପାଇଁ ନିଶ୍ଚିନ୍ତ ଭାବେ ଜଣେ ମାର୍ଗଦର୍ଶକ ଆବଶ୍ୟକ ପଡ଼ିଥାନ୍ତି ଯାହାଙ୍କ ତତ୍ତ୍ୱାବଧାନ ଏବଂ ଆଧ୍ୟାତ୍ମିକ ଦିଗଦର୍ଶନ ହିଁ ଧ୍ୟାନର ମୂଳ ଓ ମୁଖ୍ୟ ମାର୍ଗରେ ପହଞ୍ଚାଇ ପାରିବ । ଧ୍ୟାନର ପ୍ରଥମ ଓ ମୁଖ୍ୟ ଅବଲମ୍ବନ ହେଉଛି ମନକୁ ବିକ୍ଷିପ୍ତରୁ ବା ବିଚଳିତରୁ ମୁକ୍ତ ରଖି ଏକ ଦୃଢ଼ ଚିତ୍ତର ସହ ଏକ କେନ୍ଦ୍ର ଉପରେ ନିମଗ୍ନ ରଖିବା । ବିଚଳିତ ମନ, ଶାରୀରିକ ଅକ୍ଷମତା, ଆଳସ୍ୟ, ନିଶାଗ୍ରସ୍ତତା ବା କୋଳାହଳପୂର୍ଣ୍ଣ ପରିବେଶ ଏସବୁ ହେଉଛି ଧ୍ୟାନ ପାଇଁ ସଂପୂର୍ଣ୍ଣ ପ୍ରତିକୂଳତା । ଜଣେ କ୍ଷୁଧାତ୍ତୁର ଅବସ୍ଥାରେ ଧ୍ୟାନ କରିପାରିବ ନାହିଁ କିମ୍ବା ଜଣେ ଅତ୍ୟାଧିକ ଭୋଜନ କରି ଧ୍ୟାନ ମଧ୍ୟ କରିପାରିବ ନାହିଁ । ଅନେକ କୁହନ୍ତି ଯେ ଧ୍ୟାନ ପାଇଁ ପାହାଡ଼, ପର୍ବତ, ନଦୀକୂଳ, ଘୋର ଅରଣ୍ୟ ଏସବୁ ସ୍ଥାନ ଆବଶ୍ୟକ । ଉତ୍ତର ହେଉଛି ଏହା ଆବଶ୍ୟକତା ହୋଇପାରେ କିନ୍ତୁ ଧ୍ୟାନ ପାଇଁ ଶ୍ରେଷ୍ଠ ସମୟ ହେଉଛି ବ୍ରାହ୍ମ ମୁହୂର୍ତ୍ତ । ଯେତେବେଳେ ସମ୍ପୂର୍ଣ୍ଣ ପରିବେଶ ଅତ୍ୟନ୍ତ ନିର୍ମଳ ଓ କୋଳାହଳ ଠାରୁ ଦୂରେଇବା ସହ ପ୍ରକୃତିର ଏକ ନୈସର୍ଗିିକ ମୁହୂର୍ତ୍ତ ସୃଷ୍ଟି ହୋଇଥାଏ । ଜଣେ ରୁଗଣ ହୋଇଥିଲେ ବା ବିଚଳିତ ଅବସ୍ଥାରେ ଥିଲେ ସେ ଧ୍ୟାନର ଅ ଅକ୍ଷରକୁ ମଧ୍ୟ ବୁଝିବା ପାଇଁ ଅସମର୍ଥ ହୋଇଥାଏ । ଧ୍ୟାନ ପାଇଁ କୌଣସି ଅର୍ଥ ଆବଶ୍ୟକ ପଡ଼ିନଥାଏ । ଏହା ଏପରି ଏକ ସାଧନ ଜଣେ ବିନା ମୂଲ୍ୟରେ କେବଳ ନିଜ ଜୀବନକୁ ନୁହେଁ ନିଜ ପରିବାର ଓ ଆଖପାଖର ପରିଚିତ ଲୋକ ମାନଙ୍କୁ ଈଶ୍ୱରାଭିମୁଖୀ ଆନନ୍ଦ ପ୍ରାପ୍ତ ହେବା ପାଇଁ ପରିବେଶ ସୃଷ୍ଟି କରିଥାଏ ।
ଧ୍ୟାନ ପାଇଁ କୌଣସି ବଡ଼ ବଡ଼ ଶିକ୍ଷାକେନ୍ଦ୍ର ବା କୌଣସି ଆଡ଼ମ୍ବର ପଦାର୍ଥର ଆବଶ୍ୟକ ପଡ଼ିନଥାଏ । କେବଳ ଦୃଢ଼ ମାନସିକ ଇଚ୍ଛାଶକ୍ତି ଦ୍ୱାରା ଜଣେ ଏହାକୁ ସାଧନ କରିପାରେ । ଯାହାକି ଜଣଙ୍କ ବ୍ୟକ୍ତିତ୍ୱକୁ ଏପରି ସ୍ତରରେ ପହଞ୍ଚାଇଥାଏ ତାହା ଦିବ୍ୟାନନ୍ଦ ସଦୃଶ । ସବୁରି ମୂଳରେ ରହିଛି ଦୃଢ଼ ଇଛାଶକ୍ତି । ଜଣେ ଯେ କୌଣସି ମୁହୂର୍ତ୍ତଟିଏ ବାଛିଲେ ମଧ୍ୟ ସେ ସମୟରେ ଧ୍ୟାନ କରିପାରୁଥିବା ଉଚିତ । କିନ୍ତୁ ସେହିପରି କରିବା ନିମନ୍ତେ ସକ୍ଷମ ହେବାକୁ ହେଲେ ଜଣେ ଧ୍ୟାନର ଶୃଙ୍ଖଳାଟିକୁ ନିର୍ଦ୍ଦିଷ୍ଟ ସମୟରେ ପ୍ରତ୍ୟହ ଅନୁସରଣ କରୁଥିବା ଦରକାର । ଏହି ଅଭ୍ୟାସଟି କୌଣସି, କୌଣସି କ୍ଷେତ୍ରରେ ଜଣକ ମଧ୍ୟରେ ନିରନ୍ତର ଏକ ଧ୍ୟାନର ଅବସ୍ଥାକୁ ବହନ କରି ଚାଲିଥାଏ । ସେହି ସମୟରେ ନିୟମିତ ଧ୍ୟାନ ଆସନର ଆବଶ୍ୟକତା ପଡ଼ିନଥାଏ, ଯଦିଓ ଜଣେ ଏକାଗ୍ରତାର ମୁହୂର୍ତ୍ତ ପାଇଁ ସମୟ କାଢ଼ିବା ଆବଶ୍ୟକ, ନିଜର ସାଧନା ନିମନ୍ତେ ଅଥବା ଅନ୍ୟମାନଙ୍କର ପ୍ରଗତି ନିମନ୍ତେ ।
ଇ-ମେଲ : ହବଗ୍ଦବଗ୍ଦଙ୍ଗସଦ୍ଭସକ୍ଟ୍ରବଗ୍ଧଗ୍ଧବଦ୍ଭବସଳ୭୮ଅଶଜ୍ଞବସକ୍ଷ.ମକ୍ଟଜ୍ଞ