ବରଗଡ଼ରେ ‘ଗରିବ କଲ୍ୟାଣ ଓ ବିକାଶ ସମାବେଶ’ : ୧୬ ପ୍ରକଳ୍ପର ଭିତ୍ତିପ୍ରସ୍ତର କଲେ ଧର୍ମେନ୍ଦ୍ର

 ବରଗଡ଼  : ଓଡ଼ିଶାରେ ଥିବା ଗରିବ ଶ୍ରେଣୀରୁ ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକମାନଙ୍କ ଜୀବନରେ ଅଭୁତପୂର୍ବ ପରିବର୍ତ୍ତନ ଆଣିବା ଆମର ଡବଲ ଇଞ୍ଜିନ ସରକାରର ମୂଳ ଉଦେ୍ଦଶ୍ୟ । କୃଷିପ୍ରଧାନ ଅଞ୍ଚଳ ବରଗଡ଼ରେ ଆୟୋଜିତ ‘ଗରିବ କଲ୍ୟାଣ ଓ ବିକାଶ ସମାବେଶ’ରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏ ଶ୍ରୀ ପ୍ରଧାନ ପାଖାପାଖି ୨୨ କୋଟିରୁ ଅଧିକ ମୂଲ୍ୟର ୧୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର କରିଛନ୍ତି । ଆଜି ଶିଳାନ୍ୟାସ ହୋଇଥିବା ପ୍ରକଳ୍ପ ଗୁଡ଼ିକ ଆଗାମୀ ଦିନରେ ବରଗଡ଼କୁ ଅଗ୍ରଣୀ ଅଞ୍ଚଳ କରାଇବାରେ ବିଶେଷ ସହାୟକ ହେବ ବୋଲି କହିଛନ୍ତି ।
ଏହାର ବିସ୍ତୃତ ସୂଚନା ଉପରେ ଆଲୋକପାତ କରି ସେ କହିଛନ୍ତି ଚଳିତ ବର୍ଷ ବରଗଡ଼ ଜିଲ୍ଲାରେ ରବି ଏବଂ ଖରିଫ ଋତୁକୁ ମିଶାଇଲେ ପ୍ରାୟ ୧୩୭ ଲକ୍ଷ କ୍ୱିଣ୍ଟାଲ ଧାନ ସରକାରଙ୍କ ପକ୍ଷରୁ କିଣାଯାଇଛି । ଡବଲ ଇଞ୍ଜିନ ସରକାର ଏଥିପାଇଁ ପାଖାପାଖି ୪୦୦୦ କୋଟିରୁ ଅଧିକ ଟଙ୍କା ଜିଲ୍ଲାର ଚାଷୀମାନଙ୍କୁ ଦେଇଛନ୍ତି । ଜିଲ୍ଲାରେ ୩ ଲକ୍ଷ ୫୬ ହଜାର ଭଉଣୀମାନଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ଅର୍ଥାତ୍ ୩୫ କୋଟି ଟଙ୍କାର ସୁଭଦ୍ରା ସହାୟତା ଦିଆଯାଇଛି । ସେହିପରି ଶହୀଦ ମାଧୋ ସିଂହଙ୍କ ନାଁରେ ୪,୬୧୯ ଜଣ ପିଲାଙ୍କୁ ଛାତ୍ରବୃତ୍ତି ଆକାରରେ ବାର୍ଷିକ ୧୦ ହଜାର ଟଙ୍କା ଦିଆଯିବା ସମେତ ଅନ୍ୟାନ୍ୟ ଯୋଜନାରେ ବହୁ ଅର୍ଥ ପ୍ରଦାନ ସମ୍ପର୍କରେ ସୂଚନା ଦେଇଥିଲେ । ଏ ଅବସରରେ ବରଗଡ଼ ଜିଲ୍ଲାର ସଫଳ କୃଷକ, ସଫଳ ସୁଭଦ୍ରା, ଲକ୍ଷପତି ଦିଦିଙ୍କୁ ସମ୍ମାନିତ କରିବା ସହ ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସରକାରୀ ସୁବିଧା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ରାଜ୍ୟ ଉଚ୍ଚ ଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବରଗଡ଼ ସାଂସଦ ଓ ବରଗଡ଼ ଜିଲ୍ଲାର ବିଧାୟକମାନେ ପ୍ରମୁଖ ଉପସ୍ଥିତ ଥିଲେ ।