କାଳଜୟୀ ପ୍ୟାରୀମୋହନ


୧୮୭୫ ପର୍ଯ୍ୟନ୍ତ ଓଡ଼ିଆ ଭାଷାରେ ଓଡ଼ିଶାର ଇତିହାସ ଲେଖାଯାଇ ନଥିଲା । ତାହା ପୂର୍ବରୁ ଯାହାସବୁ ଲେଖାଯାଇଥିଲା, ସବୁ ଇଂରାଜୀରେ ଏବଂ ଅଣ-ଓଡ଼ିଆଙ୍କ ଦ୍ୱାରା । ହଣ୍ଟର, ଷ୍ଟର୍ଲିଂ ଓ ଟଏନ୍ବି ସାହେବ ଆଦି ଯେଉଁ ସବୁ ଓଡ଼ିଶା ଇତିହାସ ଲେଖିଥିଲେ, ସେସବୁ ଅସଂପୂର୍ଣ୍ଣ ଥିଲା । ଓଡ଼ିଆ ଜାତି ସଂପର୍କରେ ବହୁ କଥା ସେ ସବୁରେ ନଥିଲା । ମାତୃଭାଷାରେ ଜାତିର ଇତିହାସ ରଚନା ବିନା, ଲୋକଙ୍କ ଭିତରେ ଜାତୀୟତାଭାବ ଉଦ୍ରେକ ହୋଇପାରେନାହିଁ । ଏହା ବୁଝିଥିଲେ ପ୍ୟାରୀମୋହନ ଆଚାର୍ଯ୍ୟ ଏବଂ ଓଡ଼ିଆ ଭାଷାରେ ଆମ ଜାତିର ଇତିହାସ ଲେଖା ଆରମ୍ଭ କରିଥିଲେ । ଏଥିପାଇଁ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା । ଅତୀତର ସମସ୍ତ ଘଟନା ପ୍ରବାହକୁ ସେ ନିଜ ପୁସ୍ତକରେ ସ୍ଥାନ ଦେବାରେ ସଫଳ ହୋଇଥିଲେ । ବିଭିନ୍ନ ସୂତ୍ରରୁ ତଥ୍ୟ ସଂଗ୍ରହ କରି ରଚନା କରିଥିଲେ ଓଡ଼ିଶା ଇତିହାସ, ଯେଉଁଟି ଉକ୍ରଳୀୟଙ୍କ ମଧ୍ୟରେ ଉକ୍ରଳୀୟ ଭାବ ଜାଗ୍ରତ କରିବାରେ ସକ୍ଷମ ହୋଇଥିଲା । ନିଜେ ବଙ୍ଗୀୟ ଥିଲେ ହେଁ ଓଡ଼ିଶା ଏବଂ ଓଡ଼ିଆ ଭାଷା, ତାଙ୍କ ପାଇଁ ଥିଲା ସବୁକିଛି । ପ୍ୟାରୀମୋହନ ଥିଲେ ସ୍ୱାଧୀନଚେତା ଓ ମାନବବାଦୀ । ସଦାସର୍ବଦା ମାନବ ସମାଜର ଉନ୍ନତି କାମନା କରୁଥିଲେ । ଅନ୍ୟାୟ, ଅନୀତି, କୁସଂସ୍କାର, ଅନ୍ଧବିଶ୍ୱାସ ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲେ । ସାଧାରଣ ଲୋକଙ୍କ ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ୧୮୭୧ରେ ଉକ୍ରଳ ପୁତ୍ର ନାମକ ସମ୍ବାଦପତ୍ରର ପ୍ରକାଶନ ଆରମ୍ଭ କରିଥିଲେ । ଶିକ୍ଷାର ବିକାଶ ପାଇଁ ସେ ଖୋଲିଥିବା ବିଦ୍ୟାଳୟ, ୧୮୭୯ରେ କଟକ ଏକାଡ଼େମୀ ନାମକ ଉଚ୍ଚ ବିଦ୍ୟାଳୟରେ ପରିଣତ ହୋଇଥିଲା, ଯେଉଁଟି ଆଜି ସଗର୍ବେ ପ୍ୟାରୀମୋହନ ଏକାଡ଼େମୀ ଭାବେ ଛିଡ଼ା ହୋଇ ତାଙ୍କ ସ୍ମୃତିଚାରଣ କରୁଛି । ବିଦ୍ୟାର୍ଥୀଙ୍କ ଅର୍ଥରେ ବିଦ୍ୟାଳୟ ଚଳାଇବା ସଂଭବ ନହେବାରୁ, ତାଙ୍କୁୁ ପୁଣି ଥରେ ଚାକିରି କରିବାକୁ ପଡ଼ିଥିଲା । ଡମପଡ଼ା ରାଜ୍ୟର ମ୍ୟାନେଜର ଭାବେ ସେ ନିଯୁକ୍ତି ପାଇଥିଲେ । ତତ୍କାଳୀନ ରାଜକୁମାରଙ୍କ ଗୃହ ଶିକ୍ଷା ଭାର ଗ୍ରହଣ କରିଥିଲେ । ଯାହା ବେତନ ପାଉଥିଲେ ସବୁ ନିଜ ବିଦ୍ୟାଳୟର ପରିଚାଳନାରେ ବ୍ୟୟ ହେଉଥିଲା । ୧୮୫୧ ଅଗଷ୍ଟ ୫ ତାରିଖରେ କୁଅାଁପାଳ ଅନ୍ତର୍ଗତ ପଶୁଲୁଣ୍ଡା ଗ୍ରାମରେ ସେ ଜନ୍ମ ହୋଇଥିଲେ । 
ଡ.ତପନ କୁମାର ପାଳ,ମୋ: ୯୯୩୭୬୫୮୩୬୨