ମହାବିପତ୍ତି ! ସାବଧାନ ଶଙ୍ଖପଦ୍ମପତି 


ମାୟାଧର ନାୟକ : ଆମେ ଓଡିଆ । ଓଡିଶା ଆମ ମାତୃଭୂମି । ଚାରିକୋଟି ଅଶୀଲକ୍ଷ ମଧ୍ୟରେ ଅନ୍ୟରାଜ୍ୟରୁ କିଛିକିଛିଲୋକ ବାସକରୁଛନ୍ତି । ସମସ୍ତେ ଓଡିଶାବାସୀ । ଏ ଓଡିଶା ଧନୀରାଜ୍ୟ - କିନ୍ତୁ ଓଡିଶାବାସୀ ଗରିବ । ଓଡିଶାକୁ ଲୁଟିଚାଲୁଛନ୍ତି କୋଟି, କୋଟି, କୋଟିପତି । ଗୋଟି ଗୋଟି କୋଟିପତିଙ୍କ ଶୀକାରଭୂମି ଏ ଓଡିଶା । ଓଡିଶାର ଏ ମହାବିପତ୍ତି ପାଇଁ କୁଳାଙ୍ଗାର ଶଙ୍ଖପଦ୍ମପତିମାନେ ଦାୟୀ ।  ଏବେ ସତ କହିବି ନା ମିଛ କହିବି - ନା ମଝିମଝିକିଆ ଅର୍ଦ୍ଧସତ୍ୟ କହିବି । ପିଲାଦିନେ ସ୍କୁଲରେ ପ୍ରତିଦିନ ପ୍ରାର୍ଥନାରେ ବୋଲୁଥିଲି – “ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି” । ଯଦି ଓଡିଶାରେ କେବେ କେହି ସତକଥା କହୁନାହାଁନ୍ତି, କି ସତକଥା ଲେଖୁନାହାଁନ୍ତି - ନ ଲେଖନ୍ତୁ - ନ କୁହନ୍ତୁ – ହେଲେ ମୁଁ ଯାହା ଲେଖିବି ସବୁ ସତ । ଲେଖିବା ଆଗରୁ କହୁଛି – ଏ ପୁସ୍ତକରେ ଗୋଟିଏ ମାତ୍ର ମାତ୍ରା – ମିଥ୍ୟା ସାବ୍ୟସ୍ତ ହେଲେ ମୁଁ ଜନଅଦାଲତ ଆଗରେ ମୋର ମୃତୁ୍ୟଦଣ୍ଡ ପାଇଁ ତୟାର୍ । ଓଡିଶା ମାଟିରେ ଫସଲ, ଘରଦ୍ୱାର, ମାଟିତଳେ ଖଣିଜପଦାର୍ଥ, ନଈନାଳ ଜଳାଶୟ ପୋଖରୀ, ଜଙ୍ଗଲ ଚର୍ତୁଦିଗରେ ଅଛି । ପୁଣି ବଙ୍ଗୋପସାଗର କୁଳେକୁଳେ ସମୁଦ୍ରବେଳା । ଖଣି, ପାଣି, ଜମି, ଜଙ୍ଗଲ, କଳା, ସଂସ୍କୃତି, ଭାଷା, ସାହିତ୍ୟ, ଶିକ୍ଷା, ସଂସ୍କାରରେ ଆମ ଓଡିଶା କେତେ ସମୃଦ୍ଧ । ଗୁଡାଏ ତଥ୍ୟଦେଇ ଆପଣମାନଙ୍କ ମୁଣ୍ଡକୁ ଭାରାକ୍ରାନ୍ତ କରିବାକୁ ଚାହୁଁନି । ତଥ୍ୟ ସବୁଠି ମିଳିବ – କିନ୍ତୁ ତର୍ଜମା ସବୁଠି ମିଳିବନି । ବେଶି ତର୍ଜମା ଉପରେ ଜୋର୍ ଦେଉଛି । 
ଏହି ସତ୍ୟ ଲୋକଲୋଚନକୁ ଆଣିବାପାଇଁ ରାତି ଦଶଟାରେ କଲମ ଧରିଲି – ଲେଖିଚାଲିଲି – ସଂଗିନ୍ସତ୍ୟ... ଏ ମହାବିପତ୍ତି ! ସାବଧାନ୍ ଶଙ୍ଖପଦ୍ମପତି !! । ଲେଖୁ ଲେଖୁ ରାତି ପାହିଗଲା । ସୁଡଙ୍ଗ ଶେଷରୁ ଅନ୍ଧକାରର ବକ୍ଷ ବିଦାରି ବାହାରିଆସିଲା ନୂଆ ସକାଳ - ନୂତନ ସୂର୍ଯ୍ୟ - ସଂଗିନ୍ସତ୍ୟ ।  ରଜାରାଜୁଡା ଅମଳରେ ଚାଟୁକାରମାନେ ଥିଲେ । ସେମାନେ କିଛି ଅର୍ଥ ଓ ଜମି ମଧ୍ୟ ହାତେଇଥିଲେ । ଏବେ ଓଡିଶାରେ ଚାଟୁକାରମାନଙ୍କ ସଂଖ୍ୟା ଦ୍ରୁତଗତିରେ ବଢିଚାଲୁଛି । ଏ ଚାଟୁକାରମାନେ ଶାସକଙ୍କୁ ଟେକାଟେକିକରି ଓଡିଶାର ଖଣି, ଜଳ, ଜଙ୍ଗଲ ଜମିକୁ ହାତେଇ ନେଇଛନ୍ତି । ଏହି କୁଳାଙ୍ଗାରମାନେ କୋଟିକୋଟି ଟଙ୍କା ସଂପତ୍ତିର ମାଲିକ ବୋଲାଇ କେବଳ ଚାଟୁକାର ସୃଷ୍ଟି କରିବାରେ ଲାଗିଛନ୍ତି । ଏମାନେ ଦେଶଦ୍ରୋହୀ । ସେଇ ଦେଶଦ୍ରୋହୀମାନଙ୍କୁ ଆମେ ଦେଶପ୍ରେମୀ ବୋଲି ପୂଜା କରୁଛେ, ସମ୍ମାନ ଜଣାଇଛେ ।  ଆଜି ଚାଟୁକାର ସାଜି ମାଗଣାଖିଆ ପାଲଟିଗଲେଣି । ଅଳସୁଆ, ଖୋଡିଆ ହୋଇଗଲେଣି । ଅଭାବ-ଅନାଟନ-ଅସନ୍ତୋଷ-ଅଶାନ୍ତିର ପାରାବାରରେ ଭାସୁଛନ୍ତି । ଘରେଘରେ ରୋଗ-ଭୋକରେ ଷଢୁଛନ୍ତି । କାଙ୍ଗାଳ ହୋଇ ହାତ ପତାଉଛନ୍ତି । ହାତ ଉଠାଇବା ଅଭ୍ୟାସ ଛାଡିଗଲାଣି । ତା’ହେଲେ ଏ ଜାତି ଅତୀତରେ ଅର୍ଜିଥିବା ସମ୍ମାନ ବୀରଜାତିରୁ ଦୁର୍ବଳ - ଅସହାୟ – କାଙ୍ଗାଳ ମାଗିଖିଆ ଜାତିରେ ପରିଣତ ହୋଇଯାଇଛି । ଆଉ କିଛି କୁଳାଙ୍ଗାର, ଚାଟୁକାର, ଦେଶଦ୍ରୋହୀମାନଙ୍କ ପାଖରେ ଆଜିକାଲି ଲକ୍ଷ-କୋଟି କିଛି ନୁହେଁ – ଶଙ୍ଖ, ପଦ୍ମ ଟଙ୍କା ରଖିଛନ୍ତି – ତାଙ୍କ ସଂଗରେ ମିତ ବସିଛନ୍ତି ହଜାରହଜାର-ଲକ୍ଷଲକ୍ଷ ମଣିଷ । ସମସ୍ତେ ଗୋଡାଉଛନ୍ତି - ହାତ ପତାଉଛନ୍ତି । ଏ ଦୁନିଆରେ କେହି ନୁହେଁ କାହାର । ମଲାବେଳକୁ ସେ ଧନସଂପତ୍ତି ନେଇ ଶ୍ମଶାନକୁ ଯିବନାହିଁ । ଏ ପ୍ରକାର ଶତ ପ୍ରବଚନ କାଳକାଳରୁ ଶ୍ରୁତ ହୋଇ ଆସୁଥିଲେ ହେଁ କୁଳାଙ୍ଗାର କୋଟିପତିରୁ ଆରମ୍ଭ କରି ଶୋଷକ ଶିରୋମଣି ଶଙ୍ଖପଦ୍ମପତି କତିପୟ ମାଆମାଟି ଓଡିଶାର ସର୍ବନାଶ କରି ଆପେ ଆପଣାର ପୁଷମାସ ପାଳିବାରେ ମସ୍ତ !
ଆମ ଗଣିତଶାସ୍ତ୍ରରେ ଏକ, ଦଶ, ଶତ, ହଜାର, ଅୟୁତ, ଲକ୍ଷ ଠାରୁ ଆରମ୍ଭ କରି ନିୟୁତ, କୋଟି, ଅର୍ବୁଦ, ବୃନ୍ଦ,ଖର୍ବ,ନିଖର୍ବ, ଶଙ୍ଖ, ପଦ୍ମ,  ସାଗର , ଅନ୍ତ୍ୟ , ମଧ୍ୟ, ପରାର୍ଦ୍ଧ ପର୍ଯ୍ୟନ୍ତ ଗଣନା ରହିଛି । ଆମର ଓଡିଶାରେ ନିରକ୍ଷର, ଅଧାପାଠୁଆମାନେ ଆଗେ ଲକ୍ଷେଟଙ୍କା ଜାଣୁଥିଲେ – ଏବେ କୋଟିଟଙ୍କା ଜାଣିଛନ୍ତି । ପାଠୁଆମାନେ, ଶିଳ୍ପପତିମାନେ ଶଙ୍ଖ,ପଦ୍ମ,ସାଗର ପର୍ଯ୍ୟନ୍ତ ପହଂଚିଗଲେଣି । ଏମାନଙ୍କ ଟଙ୍କା ଉଭା ଯେତିକି ପୋତା ସେତିକି । ଖୋଲା ଅର୍ଥ ତାଙ୍କର ବ୍ୟାଙ୍କ-ବାଲାନ୍ସ, କୋଠାବାଡି, ବ୍ୟବସାୟ, କଳକାରଖାନା ହିସାବ ଖୋଲା - ଆଉ ପୋତାଧନ ହେଲା – ସୁଡଙ୍ଗ ଭିତରେ ଘର – ଘର ଭିତରେ ଟଙ୍କା, ସୁନା, ହୀରା, ମୋତି, ମାଣିକ ସବୁ ଲୁଚେଇ ରଖିଛନ୍ତି । ବାସଭବନ, ପାଇଖାନା, ଶୋଇବାଘରେ କାନ୍ଥ ଆଲମିରା କରି ଟଙ୍କା ଲୁଚେଇଛନ୍ତି । କାନ୍ଥ ଆଲମିରା ବାହାରକୁ ଦେଖାଯାଏନି – କାନ୍ଥ ସହ ଯୋଡି ହୋଇଥାଏ । ସ୍ଥଳବିଶେଷରେ ଶୋଇବା ଗଦିତଳେ ମଧ୍ୟ ବିଡାବିଡା ଟଙ୍କା ଥାଏ । 
ଏସବୁ ଟଙ୍କା ସଂପତ୍ତି ସେମାନେ ଆଣିଲେ କେଉଁଠୁ ? ଏ ତାଙ୍କ ବାପଅଜାଙ୍କ ସଂପତ୍ତି ନୁହେଁ । କୁଳାଙ୍ଗାରମାନଙ୍କ ସଂପତ୍ତି – ଲୋକଙ୍କ ବିପତ୍ତିରେ ପରିଣତ ହୋଇଛି । ମଝିରେ ମଝିରେ ଦି’ଚାରି ଜଣଙ୍କ ଘର ଖାନ୍ତଲାସ୍ କରି କିଛିକୋଟି ଟଙ୍କା ଜବତ କରୁଛନ୍ତି । ଏ ଖବର ଟିଭି, ଖବରକାଗଜରେ ଘନଘନ ପ୍ରଚାର କରୁଛନ୍ତି । ଏସବୁ ଟଙ୍କା ନଈପାଣିର ସୁଡୁକାଏ । ଦେଶ ଓ ରାଜ୍ୟରୁ କିଛି ରାଜକୋଷଲୁଟେରା ଏଇ ଓଡିଶାରେ ସବୁ ଦଖଲ କରିଯାଇଛନ୍ତି । ସେମାନେ ରାଜକୋଷ ଲୁଟୁଛନ୍ତି – ସେମାନେ ଦେଶଦ୍ରୋହୀ । ସେମାନଙ୍କ ଚାରିପାଖରେ ଚାଟୁକାରମାନଙ୍କର ଆତଯାତ ।
ଆଜି ଆମ ଏ ବିପତ୍ତି ପାଇଁ ସେହି ଓଡିଶା ଜନବିରୋଧୀ ଦେଶଦ୍ରୋହୀମାନେ ଦାୟୀ । ଏ ମହାବିପତ୍ତି ! ସାବଧାନ ଶଙ୍ଖପଦ୍ମପତି !! ଏହାହିଁ ହେଉଛି – ସଂଗୀନ୍ ସତ୍ୟ ।  ଏକଦା ‘ଓଡ଼ିଶାଭୂଇଁ’ ପାକ୍ଷିକ ପତିକ୍ରା ସଂପାଦନା କରୁଥିବାବେଳେ ମୁଁ ଓଡ଼ିଶାର ‘ଅସ୍ମିତା’ ବା ଅସଲ ଆତ୍ମପରିଚିତିର ଉତ୍ସ ସଂଧାନ ଦିଗରେ ପଦକ୍ଷେପ ନେବାକୁ ଆମର ବୁଦ୍ଧିଜୀବୀବର୍ଗଙ୍କୁ ଆହ୍ୱାନ କରିଥିଲି । ଏଥିନିମନ୍ତେ ଏକ ପ୍ରଶ୍ନାବଳୀ ପ୍ରସ୍ତୁତ କରିବାର ପ୍ରୟାସ କରି ଭିନ୍ନଭିନ୍ନ କ୍ଷେତ୍ରର ବିଭିନ୍ନ ବ୍ୟକ୍ତିଙ୍କ ସହିତ ପରାମର୍ଶ କଲି । ଜଣେ ଇତିହାସବିଦ୍ ଚିନ୍ତକ ମତେ ଏ ସଂପର୍କରେ ଗୋଟିଏ ସାଧାରଣ ଖସଡ଼ା ପଠାଇଦେଲେ । ଲକ୍ଷ୍ୟ କଲି, ଏଥିରେ ସେ କାଳାନୁକ୍ରମିକ ପଦ୍ଧତି ଅନୁଯାୟୀ ଓଡ଼ିଶା ଆଡ଼କୁ ଗୋଟିଏ ଗବାକ୍ଷଦ୍ୱାର ଫିଟାଇବାର ପ୍ରଚେଷ୍ଟା କରିଛନ୍ତି । ତାଙ୍କୁ ଧନ୍ୟବାଦ ଦେଲି । ମାତ୍ର ପଚାରିଥିଲି, ଓଡ଼ିଶାର ଅସ୍ମିତା କ’ଣ ଏତିକିରେ ପରିସୀମିତ? ମୋ ସହିତ ଦୀର୍ଘ ଆଲୋଚନା ପରେ ସେ ଉତ୍ତର ଦେଲେ - ଆପଣ ଠିକ୍ କହୁଛନ୍ତି । ପ୍ରକୃତରେ ରାଜାରାଜୁଡ଼ା ଶାସନଠାରୁ ଆରମ୍ଭ କରି ରାଜନୀତିକ କି୍ରୟାକର୍ମ ପର୍ଯ୍ୟନ୍ତ ଯେଉଁ ଶଗଡ଼ଗୁଳାରେ ଆମର ଇତିହାସର ରଥଚକ୍ର ଗଡ଼ିଆସିଛି - ତା’ ବାହାରେ ରହିଯାଇଛି ଅସଲ ଓଡ଼ିଶାଭୂଇଁର ଅସ୍ତିତ୍ୱ । ମାତ୍ର ତାହା ଭବିଷ୍ୟତର ବିଶ୍ୱଦୃଷ୍ଟିସଂପନ୍ନ ଗବେଷକ ପିଢ଼ିର କର୍ତ୍ତବ୍ୟ । ସେମାନେ ମଂଚପ୍ରବେଶ ନ କରିବାଯାଏଁ ଓଡ଼ିଶାର ପ୍ରକୃତ ପରିଚିତି ଉପରୁ ପରଦା ଉଠିବ ନାହିଁ । ମୋ ମନରେ ପ୍ରଶ୍ନ ଉଠିଥିଲା - ରାଜବଂଶ ଓ ରାଜ୍ୟସ୍ଥାପୟିତା ବିଜୟୀ ଶାସକମାନଙ୍କ ବରାଦୀ ପଞ୍ଜିକା, ସ୍ତୁତିସଂବଳିତ ଶିଳାଲେଖ, ସନତାରିଖ ତଥ୍ୟ ସୂଚକ ସନନ୍ଦ, ତାମ୍ରଲେଖାଦିରେ ଅତୀତ ଓଡ଼ିଶାର ଅସ୍ଥିପଂଜରା ଦିଶିପାରେ ସିନା ତାର ଅସଲ ଆତ୍ମାର ଉପସ୍ଥିତି କାହିଁ? ସତ କହିବାକୁ ଗଲେ ପରାଜିତ, ପରାଧୀନ ପ୍ରଜାପୁଂଜ ତଥା ଆଦିବାସୀ ଓ ଅଧିବାସୀର ଅନ୍ଧାରୀ ମୁଲକ ମଧ୍ୟରେ ଗୋପରେ କୃଷ୍ଣ ରହିଲା ପରି ଗୋପ୍ୟ ଅବସ୍ଥାରେ ଅଛି ଆତ୍ମିକ ଓଡ଼ିଶା । ଲିପିହୀନ ପରାଜିତର ଜନବାହିନୀ ତାର ଇତିହାସ ଲେଖିନାହିଁ - ଭାଷାଶୂନ୍ୟ ପରାଧୀନର ସମୁଦାୟ ତାର ଇସ୍ତାହାର ଘୋଷଣା କରିନାହିଁ - ନିରକ୍ଷର କୃଷିକାର ଓ ନିରବ କୁଟୀରଶିଳ୍ପୀ ମଧ୍ୟ ନିଜର ସତ୍ୟ ଶୁଣାଇ ନାହିଁ । ବିଜୟୀ ବୀରବର୍ଗର ବୃତ୍ତାନ୍ତ ପଢୁଛୁ - ବିଳାସୀ ରାଜାରାଣୀ ରହସ୍ୟ ଶୁଣୁଛୁ - ସୁନାର ଚାନ୍ଦ ଗଢ଼ୁଥିବା ସାଧବପୁଅ ସାଧବ ଝିଅ କାହାଣୀ କହୁଛୁ - ମାତ୍ର ଅରଣ୍ୟର ଅନ୍ତଃସ୍ୱର, ଅନ୍ଧାରୀମୁଲକର ଆତ୍ମକଥା, ନାଆଁ ନଜଣା ଗାଆଁ ଗଡ଼ଜାତର ଅକୁହା ବ୍ୟଥା ପଥର ତଳେ ଚାପା ପଡ଼ିଯାଇଛି କେଉଁଠି? ଏଇ ହେଉଚି ଇତିହାସ ବାହାରେ ଅଜସ୍ର ଅମାବାସ୍ୟା ଅଙ୍ଗେ ନିଭାଇଥିବା ଅପନ୍ତରାର ଓଡ଼ିଶା - ଯେଉଁଠି ପ୍ରବଂଚିତ, ପଦଦଳିତ ପ୍ରଜାଶକ୍ତିର ସୁପ୍ତ ଆଗ୍ନେୟଗିରି ପରିବର୍ତନର ପ୍ରତୀକ୍ଷା କରେ । ଲୋକବିଶ୍ୱାସ ଓ ଲୋକଜୀବନଶୈଳୀର ନକ୍ସାଙ୍କନ ଏଇଠି ହିଁ ଅନାଗତ ଭବିଷ୍ୟତର ଅନୁସନ୍ଧାନୀ ଗବେଷକ ପିଢ଼ିର ଆଗମନ ନିମନ୍ତେ ଦିନ ଗଣେ ।
ଓଡ଼ିଶାର ଅସ୍ମିତା ଅନ୍ୱେଷଣ କ୍ଷେତ୍ରରେ ଏକ ଆଭାସଚିତ୍ର ଆଙ୍କିଲି ମନେ ମନେ । ପ୍ରକୃତ କାର୍ଯ୍ୟ ପାଇଁ ଏକନିଷ୍ଠତା ପ୍ରୟୋଜନ । ସେଦିନର ଚିନ୍ତନକୁ ନେଇ ନିମ୍ନସୂଚିତ ଚିତ୍ରଣଟି ଦାଖଲ କରୁଛି । ଅନୁରୋଧ, ଏଥି ସହିତ ଅନ୍ୟ ଅନ୍ତରଙ୍ଗ ଚିନ୍ତକମାନଙ୍କ ମହଲରୁ ଆହୁରି ଅନେକ ସୂତ୍ର ଯୋଡ଼ାଯିବାର ଆଶାରେ ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩