ଶିକ୍ଷା ବନାମ ଗୁଣାତ୍ମକ ଶିକ୍ଷା
ହିମାଂଶୁ ଶେଖର :ଏକ ସଭ୍ୟ ସମାଜ ଗଠନରେ ଶିକ୍ଷାର ବଡ ଯୋଗଦାନ ରହିଛି । ଶିକ୍ଷିତ ହେବା କାରଣରୁ ମଣିଷ ପୃଥିବୀର ଅନ୍ୟ ସମସ୍ତ ପ୍ରାଣୀଙ୍କ ଠାରୁ ଭିନ୍ନ ।ଶିକ୍ଷା ପୂର୍ବରୁ ସାମ୍ବିଧାନିକ ଅଧିକାର ଥିଲା । ପରେ ଏହାକୁ ମୈାଳିକ ଅଧିକାର କରି ଦିଆଗଲା ।ଶିଶୁ ମାନଙ୍କୁ ଦେଶର ସର୍ବୋଚ୍ଚ ସମ୍ପତ୍ତି କୁହାଯାଏ । ପାଠପଢାରୁ ବଞ୍ଚିତ ଶିଶୁଟିଏ ସମାଜ କିମ୍ବା ଦେଶର ବିକାଶରେ ସହାୟକ ହୋଇନଥାଏ । କାରଣ ଶିକ୍ଷା ହେଉଛି ମାନବ ସମ୍ବଳ ବିକାଶର ପ୍ରମୁଖ ଆୟୁଧ । ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବାପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି । ସ୍କୁଲରେ ବାନ୍ଧି ହୋଇ ରହିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ମାଗଣା ପାଠ୍ୟ ପୁସ୍ତକ ବଣ୍ଟନ କରୁଛନ୍ତି । ଦେଶର ଭବିଷ୍ୟତ ଗଢିବାକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ କିଛି ଭିନ୍ନ କଥା କହୁଛି । ନିକଟରେ ବିଦ୍ୟାଳୟ ଶିକ୍ଷାକୁ ବିକାଶ କରିବାକୁ ବିଶେଷକରି ସରକାରୀ ବିଦ୍ୟାଳୟ ଗୁଡିକରେ ଗୁଣାତ୍ମକ ଶିକ୍ଷାକୁ ଆହୁରି ଅଧିକ ବଢାଇବାକୁ ପଡିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି । ନିକଟରେ ଆରାଇଜ୍ ସ୍କୁଲଶିକ୍ଷା ସମ୍ମିଳନୀ-୨୦୨୪ର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ ଘରୋଇ ବିଦ୍ୟାଳୟ ଓ କୋଚିଙ୍ଗ୍ ଅପେକ୍ଷା ସରକାରୀ ବିଦ୍ୟାଳୟ ଶିକ୍ଷା ଉପରେ ପିଲା ଓ ଅଭିଭାବକଙ୍କର ଅଧିକ ବିଶ୍ୱାସ ରହିବା ଉଚିତ୍ । ଏହା ସତ୍ତ୍ୱେ ଛାତ୍ରଛାତ୍ରୀ ମାନେ ଅଧାରୁ ପାଠ ପଢା ଛାଡୁଛନ୍ତି । ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟରେ ଡ୍ରପ୍ଆଉଟ୍ ହାର ୫.୪୨ ପ୍ରତିଶତ ଥିବାବେଳେ ରାୟଗଡାରେ ସର୍ବାଧିକ ୧୧.୬୭ ପ୍ରତିଶତ ପିଲା ଅଧାରୁ ପାଠ ଛାଡୁଛନ୍ତି । କେନ୍ଦ୍ରାପଡାରେ ଏହି ହାର ୮.୯ ପ୍ରତିଶତ ଥିବା ବେଳେ , କଳାହାଣ୍ଡିରେ ୮.୪୬ ପ୍ରତିଶତ ରହିଛି । ଉଚ୍ଚ ପ୍ରାଥମିକରେ ରାୟଗଡାରେ ସର୍ବାଧିକ ୧୭.୧୦ ପ୍ରତିଶତ ପିଲା ଅଧାରୁ ପାଠ ଛାଡୁଥିବା ବେଳେ, ମାଲକାନଗିରିରେ ୧୩.୭୮ ଓ ଯାଜପୁରରେ ୧୨.୬୩ ପ୍ରତିଶତ ପିଲା ପାଠ ଛାଡୁଛନ୍ତି । ସେହପରି ମାଧ୍ୟମିକ ସ୍ତରରେ ୧୮.୨% ପିଲା ଅଧାରୁ ପାଠ ଛାଡୁଛନ୍ତି । ପୁରୀରେ ସର୍ବାଧିକ ୧୦.୦୫ ପ୍ରତିଶତ ପିଲା ଅଧାରୁ ପାଠ ଛାଡୁଥିବା ବେଳେ ବାଲେଶ୍ୱରରେ ୮.୭୩ ଓ ସମ୍ବଲପୁରରେ ୮.୧୬ ପ୍ରତିଶତ ପିଲା ପାଠ ଛାଡୁଛନ୍ତି । ଏପରିକି ଶିକ୍ଷା ଅଧିକାର ଆଇନ୍ କାର୍ଯ୍ୟକାରୀ ହେବାର ଦଶ ବର୍ଷ ପରେ ବି ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିପାରି ନାହିଁ ।
ସୂଚନା ଯୋଗ୍ୟ ଯେ, ରାଜ୍ୟରେ ଥିବା ସମସ୍ତ ୫୧,୪୩୪ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଗୁଡିକରେ ପିଇବା ପାଣି ବ୍ୟବସ୍ଥା ଥିବା ବେଳେ ୩୪,୩୯୪ ସ୍କୁଲରେ ପାଣି ସହ ଶୈାଚାଳୟ ବ୍ୟବସ୍ଥା ନାହିଁ । ସେହିପରି ୩୫,୬୭୯ ବିଦ୍ୟାଳୟରେ ବିଜୁଳି ବ୍ୟବସ୍ଥା ନଥିବା ବେଳେ ୩୭,୬୪୫ ସ୍କୁଲରେ ଖେଳ ପଡିଆ ନାହିଁ । ୧୬,୩୬୮ ବିଦ୍ୟାଳୟରେ ପାଚେରି ନଥିବା ବେଳେ ୨୪୫୧ ସ୍କୁଲରେ ପାଠାଗାର ନାହିିିିିିିିିିିିିିିିିିି । ଏଥି ସହିତ ୩୭,୬୩୫ରେ ଖେଳ ପଡିଆ ନଥିବା ବେଳେ ୧୨,୨୮୦ ବିଦ୍ୟାଳୟର ରୋଷେଇ ଘର ଏବଂ ୧୭,୭୬୩ ସ୍କୁଲରେ ପାଚେରି ନାହିଁ । ସବୁଠୁ ପରିତାପର ବିଷୟ ୩୬୮ ବିଦ୍ୟାଳୟର ନିଜସ୍ୱ ଘର ମଧ୍ୟ ନାହିଁ । ଆହୁରି ମଧ୍ୟ ରାଜ୍ୟର ୯୦ ଟି ବିଦ୍ୟାଳୟରେ କଳାପଟ୍ଟା ବ୍ୟବସ୍ଥା ନାହିଁ । ଏଥିରୁ ରାଜ୍ୟରେ ଥିବା ସ୍କୁଲ ମାନଙ୍କର ଭିତ୍ତିଭୂମି କେଉଁ ଅବସ୍ଥାରେ ଅଛି ଓ ସେଠାରେ କିପରି ପାଠ ପଢା ଚାଲିଛି ତାହା ସ୍ପଷ୍ଟ ଭାବେ ଅନୁଭବ କରିହେଉଛି । ୩୪,୨୩୮ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ୩୨,୫୫୩ଟିରେ ପ୍ରତି ଶ୍ରେଣୀରେ ପାଠ ପଢାଇବା ଲାଗି ଜଣେ କରି ଶିକ୍ଷକ ନାହାଁନ୍ତି । ସେହିପରି ୧୭,୭୨୬ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ୧୨,୪୬୬ଟିରେ ପ୍ରତି ଶ୍ରେଣୀ ପାଇଁ ଜଣେ କରି ଶିକ୍ଷକ ନାହାଁନ୍ତି । ୨୯,୯୪୪ଟି ପ୍ରାଥମିକ ବିଦ୍ୟାଳୟରେ ପ୍ରତି ଶ୍ରେଣୀ ପାଇଁ ବଖରାଏ କରି ଶ୍ରେଣୀଗୃହ ନ ଥିବା ବେଳେ ୧୧,୭୪୪ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢିବା ପାଇଁ ପ୍ରତି ଶ୍ରେଣୀ ପାଇଁ ବଖରାଏ କରି ଘର ନାହିଁ । କେବଳ ୧୬୮୫ ପ୍ରାଥମିକ ଓ ୫୨୬୦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ଜଣେ ଲେଖାଏଁ ଶିକ୍ଷକ ଅଛନ୍ତି । ରାଜ୍ୟରେ ଥିବା ଉଚ୍ଚ ବିଦ୍ୟାଳୟ ଗୁଡିକରେ ୨,୫୮୫ଟି ସ୍କୁଲରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ରହିଛି । ଏଥି ସହିତ ଆବଶ୍ୟକ ଶିକ୍ଷକ ଓ ଭିତ୍ତିଭୂମିର ଅଭାବ ଶିକ୍ଷାର ବିକାଶରେ ଏକ ପ୍ରମୁଖ ସମସ୍ୟା ରୂପେ ଉଭାହୋଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ଥିବା ସମସ୍ତ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ପାନୀୟଜଳ, ପରିମଳ ବ୍ୟବସ୍ଥା, ବିଜୁଳି ଆଲୋକ, ସୁସ୍ଥ ଶିକ୍ଷଣୀୟ ପରିବେଶ ଭଳି ଆବଶ୍ୟକତାକୁ ପୂରଣ କରାଯାଇପାରିନାହିଁ । ଫଳ ସ୍ୱରୂପ, ଛାତ୍ରଛାତ୍ରୀ ମାନଙ୍କର ଶୈକ୍ଷିକ ଦକ୍ଷତା ହ୍ରାସ ପାଇବାରେ ଲାଗିଛି । ନିକଟରେ ଘରୋଇ ସଂସ୍ଥା “ଆସର” ପକ୍ଷରୁ ଗ୍ରାମାଞ୍ଚଳ ବିଦ୍ୟାଳୟ ଓ ଶିକ୍ଷାସ୍ତର ସ୍ଥିତି ଉପରେ କରାଯାଇଥିବା ସର୍ଭେ ତଥ୍ୟ ଅନୁଯାୟୀ ଆହୁରି ଉଦ୍ବେଗର ବିଷୟ ହେଲା ପ୍ରଥମ ଶ୍ରେଣୀରେ ପଢୁଥିବା ୩୮ % ପିଲା ଓଡିଆ ଅକ୍ଷର ପଢିପାରୁ ନାହାଁନ୍ତି । ୨୯.୩ % ପିଲା ଅକ୍ଷର ପଢୁଥିଲେ ମଧ୍ୟ ଚିହ୍ନିପାରୁ ନାହାଁନ୍ତି । ସେହିପରି ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ର ଛାତ୍ରୀଙ୍କ ସ୍ଥିତି ଅତ୍ୟନ୍ତ ଦୟନୀୟ । ସ୍କୁଲମାନଙ୍କରେ ଅଧିକ ଉପସ୍ଥାନ ପାଇଁ ସର୍ବଶିକ୍ଷା ଯୋଜନା ମାଧ୍ୟମରେ ସରକାର ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ସହ ଅଣ୍ଡା, କଦଳୀ, ବାଳିକାଙ୍କୁ ପୋଷାକ, ପାଠ୍ୟପୁସ୍ତକ ଇତ୍ୟାଦି ଦେବାର ବ୍ୟବସ୍ଥା ଥିଲେ ବି ଉପସ୍ଥାନ ସଂଖ୍ୟା ସନ୍ତୋଷଜନକ ହୋଇପାରିନାହିଁ ।
ଆମ ଶିକ୍ଷା ବ୍ୟବସ୍ଥା କଥା ଆଲୋଚନା କଲେ ଜଣାପଡେ ଯେ, ସ୍ୱାଧୀନତା ପରେ ଅନେକ କମିଶନ ଶିକ୍ଷା କ୍ଷେତ୍ରରେ ବସିଛି । ମାତ୍ର ଶିକ୍ଷା ବ୍ୟବସ୍ଥାରେ ସେପରି ଆଖିଦୃଶିଆ ପରିବର୍ତ୍ତନ ଘଟିନାହିଁ । ଶିକ୍ଷାର ବିକାଶ ପାଇଁ ଆବଶ୍ୟକ ହେଉଥିବା ଅର୍ଥର ଅଭାବ ହିଁ ଏହାର ପ୍ରମୁଖ କାରଣ । ବିଭିନ୍ନ ସମୟରେ ଗଠନ କରାଯାଇଥିବା ଶିକ୍ଷା କମିଶନ ଓ ଶିକ୍ଷା କମିଟି ସୁପାରିସ ହେଉଛି ଶିକ୍ଷା ବାବଦରେ ରାଷ୍ଟ୍ର ବ୍ୟୟବରାଦ ବୃଦ୍ଧି କରିବା ପାଇଁ । ଏସବୁ କମିଶନ ଓ କମିଟିର ସୁପାରିସ ଶୀତଳ ଭଣ୍ଡାରରେ ପଡିରହିଛି । ୧୯୬୪ ମସିହାରେ ଗଠିତ କୋଠାରି କମିଶନ କେନ୍ଦ୍ର ବଜେଟର ୧୦ ଭାଗ ଓ ରାଜ୍ୟ ବଜେଟର ୩୦ ଭାଗ ଶିକ୍ଷା କ୍ଷେତ୍ରରେ ବ୍ୟୟ କରିବାକୁ ସରକାରଙ୍କୁ ସୁପାରିସ କରିଥିଲେ । କିନ୍ତୁ ଏଯାବତ୍ କୌଣସି ଯୋଜନାରେ ଶିକ୍ଷା ପାଇଁ କେନ୍ଦ୍ର ବଜେଟର ୪ ଭାଗ ଓ ରାଜ୍ୟ ବଜେଟର ୨୪ ଭାଗ ଅତିକ୍ରମ କରିପାରିଲା ନାହିଁ । ବରଂ ଶିକ୍ଷା ବଜେଟ ବର୍ଷକୁବର୍ଷ ହ୍ରାସପାଇବାରେ ଲାଗିଛି । ବିଶେଷକରି ୧୯୯୦ ଦଶକ ପରଠାରୁ ଆମ ଦେଶ ଜଗତୀକରଣକୁ ଆପଣେଇ ନେଲାପରେ ଶିକ୍ଷାକ୍ଷେତ୍ରରେ ଏହାର ପ୍ରତିକୂଳ ପ୍ରଭାବ ବହୁଳ ଭାବରେ ପରିଲକ୍ଷିତ ହୋଇଛି । ଏହାର ପ୍ରଭାବ ଆମ ରାଜ୍ୟରେ ମଧ୍ୟ ଅନୁଭୂତ ହୋଇଛି ।
ପ୍ରାଥମିକ ଶିକ୍ଷା ଶିକ୍ଷାବ୍ୟବସ୍ଥାର ମୂଳଦୁଆ । ମାତ୍ର ଏହି ମୂଳଦୁଆ କ୍ରମଶଃ ଭୁଶୁଡିବାରେ ଲାଗିଛି । ଏହାର ପ୍ରମୁଖ କାରଣ ହେଉଛି ଆବଶ୍ୟକ ଶିକ୍ଷକ ଓ ଭିତ୍ତିଭୂମିର ଅଭାବ । ଶିକ୍ଷା ଅଧିକାର ଆଇନ ଅନୁସାରେ ରାଜ୍ୟରେ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍ତରରେ ୨ଲକ୍ଷ ୨୪ ହଜାର ୩୩୦ ଜଣ ଶିକ୍ଷକଙ୍କ ଆବଶ୍ୟକତା ରହିଛି । ଅଛନ୍ତି ୧ଲକ୍ଷ ୧୫ହଜାର ୮୩୩ଜଣ ନିୟମିତ ଶିକ୍ଷକ । ବଳକା ୧ ଲକ୍ଷ ୮ହଜାର ୪୯୭ଜଣ ନିୟମିତ ଶିକ୍ଷକ ପଦବୀ ସ୍ଥାନରେ ୭୩ହଜାର ୭୩୬ଜଣ ଶିକ୍ଷା ସହାୟକ ଓ ଗଣଶିକ୍ଷକଙ୍କୁ ନେଇ ଚାଲିଛି ଶିକ୍ଷା ବ୍ୟବସ୍ଥା ଚାଲିଛି । ଏବେ ୩୪,୭୭୯ ଶିକ୍ଷକ ପଦବୀ ଖାଲି ପଡିଛି । ଖାଲିଥିବା ଶିକ୍ଷକ ପଦବୀ ପୂରଣ ହେବା ତ ଦୂରର କଥା କେଉଁଠି ପାଞ୍ଚଟି ଶ୍ରେଣୀକୁ ଜଣେ ତ କେଉଁଠି ୭ଟି ଶ୍ରେଣୀକୁ ୨/୩ଜଣ ଶିକ୍ଷକରେ ସ୍କୁଲ୍ ଚାଲିଛି । ସେହିପରି ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟମାନଙ୍କରେ ମଧ୍ୟ ଶିକ୍ଷକମାନଙ୍କ ମରୁଡି । ସେହିପରି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରାୟ ୫,୬୫୬ ଶିକ୍ଷକ ପଦବୀ ଖାଲିପଡିଛି । ସେହିପରି କେତେକ ସ୍କୁଲରେ ବିଜ୍ଞାନ ଓ ଗଣିତ ଶିକ୍ଷକ ନାହାଁନ୍ତି । ସେଠାରେ ପ୍ରକ୍ସିରେ ଚାଲିଛି ପାଠପଢା । ଏସବୁ କଥା ବିଚାରକୁ ନେଲେ ଶିକ୍ଷା କ୍ଷେତ୍ରରେ ଆମ ସ୍ଥିତି କେଉଁଠି ତାହା ସ୍ପଷ୍ଟ ଅନୁମେୟ । ଏବେବି ସମୟ ଅଛି । ପ୍ରାଥମିକ ଶିକ୍ଷା ଠାରୁ ଆରମ୍ଭ କରି ଉଚ୍ଚ ଓ ମହାବିଦ୍ୟାଳୟ ଶିକ୍ଷା ପର୍ଯ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡିଥିବା ଆମ ଶିକ୍ଷା ବ୍ୟବସ୍ଥାକୁ ସଜାଡିବାକୁ ହେବ । କାରଣ ଯେଉଁ ଦେଶର ଶିକ୍ଷା ବ୍ୟବସ୍ଥା ଯେତେ ସୁଦୃଢ, ସେ ଦେଶର ମାନବ ସମ୍ବଳ ସେତେ ଦକ୍ଷ ତଥା ବିକଶିତ । ତେଣୁ ଶିକ୍ଷା କ୍ଷେତ୍ରରେ ଥିବା ଅସଙ୍ଗତିକୁ ଦୁର କରିବା ଏକାନ୍ତ ଅପରିହାର୍ଯ୍ୟ ।
ଅବସରପ୍ରାପ୍ତ ଅଧ୍ୟାପକ
ତିର୍ତ୍ତୋଲ,ଜଗତସିଂହପୁର
ମୋ-୯୯୩୭୧୫୧୦୫୨