ଶୁଭ ସଂକେତ
ସ୍ୱାସ୍ଥ୍ୟ ଗବେଷକମାନଙ୍କ ଦ୍ୱାରା ପ୍ରସ୍ତୁତ ଏକ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ଦେଶରେ ଗତ କିଛି ବର୍ଷ ଧରି ପଞ୍ଜିକୃତ ନବଜାତକଙ୍କ ମଧ୍ୟରେ ପୁତ୍ର ସନ୍ତାନଙ୍କ ଅଂଶ ହ୍ରାସ ପାଇବାରେ ଲାଗିଛି । ଏହି ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଗଲା ଚାରି ଦଶନ୍ଧି ମଧ୍ୟରେ ପୁତ୍ର ସନ୍ତାନଙ୍କ ଅଂଶ ୫୪ ପ୍ରତିଶତରୁ ୫୧.୨ ପ୍ରତିଶତକୁ ହ୍ରାସ ପାଇଛି, ଯାହାକି ଏକ ସ୍ୱାଗତଯୋଗ୍ୟ ଖବର ବୋଲି କୁହାଯାଇପାରେ । ଉଲ୍ଲେଖଯୋଗ୍ୟ ଯେ,ଲିଙ୍ଗଗତ ତାରତମ୍ୟ ଗତ କିଛି ବର୍ଷ ହେଲା ଭାରତ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ପିଉ ରିସର୍ଚ୍ଚ ସେଂଟର ପକ୍ଷରୁ ନବଜାତକ ଲିଙ୍ଗଗତ ହାର ନେଇ ପ୍ରକାଶିତ ୨୦୨୨ ରିପୋର୍ଟରେ କୁହାଯାଇଛି ଯେ, ଗତ ଦୁଇ ଦଶନ୍ଧିରେ ଦେଶରେ ପ୍ରତି ୧୧୦ ବାଳକରେ ବାଳିକାଙ୍କ ସଂଖ୍ୟା ୧୦୦ଥିଲା, କିନ୍ତୁ ୨୦୨୪ରେ ଦେଶରେ ମୋଟ ଜନସଂଖ୍ୟା ଲିଙ୍ଗଗତ ଅନୁପାତ ପ୍ରତି ୧୦୬.୫୦୬ ପୁରୁଷରେ ମହିଳାଙ୍କ ସଂଖ୍ୟା ୧୦୦ ରହିଛି । ଯାହାକି ଆଶ୍ୱସ୍ତି ଆଣି ଦେଇଛି । କହିବା ବାହୁଲ୍ୟ ଯେ, ଗତ ୨୦୧୧ ଜନଗଣନାରେ ଦେଶରେ ଲିଙ୍ଗଗତ ଅନୁପାତ ପ୍ରତି ୧୦୦୦ ପୁରୁଷରେ ମହିଳାଙ୍କ ସଂଖ୍ୟା ୯୪୩ ଥିଲା । ତେବେ ଏହି ନୂତନ ରିପୋର୍ଟରେ ଆତ୍ମସନ୍ତୋଷ ହେବା ଉଚିତ ନୁହେଁ । କାରଣ ଏହା ବିଭିନ୍ନ କ୍ଷେତ୍ରରେ ଭିନ୍ନ ଭିନ୍ନ ରହିଛି । ଉଦାହରଣ ସ୍ୱରୁପ ନବଜାତକ ଶିଶୁପୁତ୍ରରେ ପ୍ରତିଶତ ହ୍ରାସ ସମାନ ନୁହେଁ । ବିଶେଷ କରି ସମସ୍ତ ବର୍ଗ ଓ ଧର୍ମ କ୍ଷେତ୍ରରେ । ୨୦୧୨ରୁ ୨୦୨୧ ମଧ୍ୟରେ ମୋଟ ନବଜାତଙ୍କ ମଧ୍ୟରେ ଧନିକ ପରିବାରର ପ୍ରତିଶତ ୫୨.୮ ଥିବାବେଳେ ଏହି ସମୟ ଅବଧି ମଧ୍ୟରେ ମଧ୍ୟବର୍ତ୍ତୀ ପରିବାର ଏବଂ ଗରିବ ପରିବାରରେ ନବଜାତକଙ୍କ ସଂଖ୍ୟା ଯଥାକ୍ରମେ ୫୨.୧ ପ୍ରତିଶତ ଏବଂ ୫୧.୧ ପ୍ରତିଶତ ଥିଲା । ଏହି ଅନୁଧ୍ୟାନ ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଦେଶର ଉତ୍ତରାଂଚଳ ବିଶେଷ କରି ପଞ୍ଜାବ ଓ ହରିଆନାରେ ଏବେ ବି ପୁତ୍ର ସନ୍ତାନ ଉପରେ ବିଶେଷ ଜରୁତ୍ୱ ଦିଆଯାଉଛି । ପୁରୁଷ ପ୍ରଧାନ ସମାଜରେ ଏହି ଧାରଣା ବା ମତ କାହିଁ କେଉଁ ପୁରାତନ କାଳରୁ ରହିଆସିଛି ଭ୍ରୂଣ ଲିଙ୍ଗ ନିରୁପଣ ଏବଂ କନ୍ୟା ଭ୍ରୂଣ ହତ୍ୟା ଯୋଗୁଁ ଆମ ଦେଶରେ କନ୍ୟା ସନ୍ତାନଙ୍କ ସଂଖ୍ୟା ହ୍ରାସ ପାଉଥିଲା । ଲିଙ୍ଗ ପରୀକ୍ଷା ଏବଂ କନ୍ୟାଭ୍ରୂଣ ହତ୍ୟାକୁ ଆମ ଦେଶରେ ନିଷିଦ୍ଧ କରାଯାଇଛି । ଏହା ସତ୍ୱେ କେତେକ ଅର୍ଥଲୋଭୀ ଗୋପନରେ ଲିଙ୍ଗ ପରୀକ୍ଷା ସହ କନ୍ୟା ଭ୍ରୂଣ ହତ୍ୟା ଲାଗି ଘୃଣ୍ୟ ପ୍ରଥା ଚାଲୁ ରଖିଛନ୍ତି । ଯାହାର ପରିଣତି ସ୍ୱରୁପ ଦେଶରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଥିଲା । ଏବେ ଏହି ତାରତମ୍ୟ ହ୍ରାସ ପାଇବା ଖୁସିର ବିଷୟ । ଏପରିକି ନିର୍ବାଚନ ସମୟରେ ଯୁବକମାନେ ସେମାନଙ୍କ ବିବାହ ପାଇଁ କନ୍ୟା ଯୋଗାଣ କରିବାକୁ ପ୍ରାର୍ଥୀମାନଙ୍କ ନିକଟରେ ଦାବି କରିଥିବା ରିପୋର୍ଟ ପ୍ରକାଶ ପାଇଥିଲା । ଏହା ନିଃସନେ୍ଦହ ଯେ, ଦେଶରେ ପୁଅଙ୍କ ସଂଖ୍ୟା ସ୍ୱାଗତଯୋଗ୍ୟ ହୋଇଥିଲେ ମଧ୍ୟ ଭବିଷ୍ୟତରେ ଏହା ବହୁ ଚ୍ୟାଲେଞ୍ଜ ସୃଷ୍ଟି କରିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ଲିଙ୍ଗଗତ ଭାରସାମ୍ୟ ରକ୍ଷା ଏକ ପ୍ରାକୃତିକ ପ୍ରକ୍ରିୟା । ଏଥିରେ ମାନବିକ ହସ୍ତକ୍ଷେପ ରହିଲେ ମାନବ ସମାଜ ପ୍ରତି ବିପଦ ସୃଷ୍ଟି ହେବା ସ୍ୱାଭାବିକ । ଏଥିପ୍ରତି ସମାଜ, ପରିବାର ଓ ପିତାମାତା ସତର୍କ ଓ ସଚେତନ ହେବା ଆବଶ୍ୟକ ।
ସୌଭାଗ୍ୟ ରଂଜନ ମହାନ୍ତି,ମୋ:୯୪୩୭୯୯୪୩୭୯