ଦ୍ରୁତ ସହରୀକରଣର ସମସ୍ୟା

ଗତ ଦୁଇ ଦଶନ୍ଧି ହେଲା ଗ୍ରାମାଞ୍ଚଳର ଲୋକମାନେ ସହରାଞ୍ଚଳରେ ସ୍ଥାୟୀ ଭାବରେ ରହିଯିବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ପରିଲକ୍ଷିତ ହେଉଛି । ବୃତ୍ତି, ପେଟପାଟଣା ଉଦେ୍ଦଶ୍ୟରେ ସହରକୁ ଆସୁଥିବା ଗରିବ ଲୋକଙ୍କ ପାଇଁ ସହରାଞ୍ଚଳରେ ସ୍ଥାୟୀ ଭାବରେ ରହିବାକୁ ହେଲେ ବସ୍ତି ହିଁ ଏକମାତ୍ର ଉପାୟ । ତେଣୁ ସହରାଞ୍ଚଳ ଗୁଡ଼ିକରେ ଦିନକୁ ଦିନ ବସ୍ତି ସଂଖ୍ୟା ବଢୁଛି । ଏହା ଫଳରେ ବିଜୁଳି ପାଣି ଭଳି ମୌଳିକ ସୁବିଧା ଯୋଗାଇବା କଷ୍ଟକର ହୋଇପଡୁଛି । ବସ୍ତି ବଢୁଥିବା ଯୋଗୁଁ ଏ ପ୍ରକାରର ସମସ୍ୟା ମଧ୍ୟ ବଢୁଛି । ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଯୋଗାଇବା ସମ୍ପୃକ୍ତ ବିଭାଗ ଉପରେ ଅତ୍ୟନ୍ତ ଚାପ ବଢୁଛି । ଗ୍ରାମାଞ୍ଚଳରେ ରୋଜଗାରର କୌଣସି ଉତ୍ସ ନ ଥିବାରୁ ସହରାଞ୍ଚଳକୁ ଚାଲିଆସିବା ପାଇଁ ଲୋକେ ବ୍ୟାକୁଳ । ଏଣେ ଏହାକୁ ନେଇ ସହରର କଂକ୍ରିଟ୍ ଜଙ୍ଗଲ ବଢ଼ି ବଢ଼ି ଚାଲିଛି । ସବୁଜ ଜଙ୍ଗଲ ନଷ୍ଟ ହୋଇଚାଲିଛି । ବାସଗୃହ ଯୋଗାଇବା ପାଇଁ ଲୋକମାନେ ନିଜ ଆବଶ୍ୟକତା ଠାରୁ ଅଧିକ ପରିମାଣରେ ଘର ତିଆରି କରୁଛନ୍ତି ଏବଂ ସେସବୁ ପରିବେଶ ଉପରେ ଚାପ ପକାଉଛି । କଂକ୍ରିଟ୍ ଘର ଏତେ ପରିମାଣରେ ବଢ଼ି ବଢ଼ି ଚାଲିଛି ଯେ ବାୟୁମଣ୍ଡଳରେ ଉତ୍ତାପ ବୃଦ୍ଧିର ଏହା କାରଣ ହୋଇ ପଡ଼ିଲାଣି । ବର୍ତ୍ତମାନ ସହରାଞ୍ଚଳ ଆୟତନରେ ବଢ଼ିବା ସହିତ ଉଚ୍ଚତାରେ ମଧ୍ୟ ବଢୁଛି । ଏହି କାରଣରୁ ସବୁଜିମା ମଧ୍ୟ ନଷ୍ଟ ହେଉଛି । ଭୂଗର୍ଭସ୍ଥ ଜଳ ଉପରେ ଚାପ ପଡୁଥିବାରୁ ଭୂପୃଷ୍ଠର ପ୍ରାକୃତିକ ଜଳଉତ୍ସ ଗୁଡ଼ିକ ଦିନକୁ ଦିନ ଲୋପ ପାଇବାରେ ଲାଗିଛି । ରାଜଧାନୀ ଭୁବନେଶ୍ୱରରେ ଅନେକ ପୋଖରୀ ଅପ୍ରେଲ ମାସରୁ ହିଁ ଶୁଖିଯାଉଛି । ପ୍ରତ୍ୟେକ ଘରେ ବୋରୱେଲ୍ ଖୋଳାଯାଇ ବିପୁଳ ପରିମାଣର ଭୂଗର୍ଭସ୍ଥ ଜଳକୁ ବ୍ୟବହାର କରାଯାଉଛି । ବ୍ୟବହୃତ ଜଳକୁ ସ୍ୱେରେଜ୍ ଲାଇନ୍ରେ ଛାଡ଼ିବା ପାଇଁ ଚେଷ୍ଟା କରାଯାଉଥିଲେ ମଧ୍ୟ ତାହା ସବୁବେଳେ ସଫଳ ହେଉ ନାହିଁ । ଅନ୍ୟପଟେ ବାୟୁମଣ୍ଡଳରେ ତାପମାତ୍ରା ବୃଦ୍ଧିକୁ ନେଇ ଲୋକମାନେ ବାଧ୍ୟ ହୋଇ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ବା ଏସିର ବ୍ୟବହାର କରୁଛନ୍ତି । ବର୍ତ୍ତମାନ ଲକ୍ଷ ଲକ୍ଷ ଏସି ସହରାଞ୍ଚଳ ଗୁଡ଼ିକରେ ଚାଲୁଛି । ଏହିସବୁ ଏସି ଗୁଡ଼ିକ ପାଇଁ ବିଜୁଳି ଯୋଗାଇବା କଷ୍ଟକର ହୋଇପଡୁଛି । ବିଜୁଳି ବିଭାଗ ଉପରେ ଚାପ ବଢୁଛି ।
ସହରାଞ୍ଚଳର ବିକାଶର ପ୍ରଥମ ଶିକାର ହେଉଛନ୍ତି ଶହ ଶହ ବର୍ଷ ଧରି ରହିଥିବା ବଡ଼ ବଡ଼ ବୃକ୍ଷ ସବୁ । ରାସ୍ତା ନିର୍ମାଣ, ଆପାର୍ଟ୍ମେଣ୍ଟ୍ ନିର୍ମାଣ ଭଳି ଉଦେ୍ଦଶ୍ୟରେ ଶହ ଶହ ବର୍ଷର ଗଛ ସବୁ କାଟି ଦିଆଯାଉଛି । ତାହା ସ୍ଥାନରେ ଲଗାଯାଉଥିବା ଗଛ ଗୁଡ଼ିକ କୁଣ୍ଡର ଫୁଲ ଗଛ ସହିତ ସମାନ । ତେଣୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଏବଂ ଅମ୍ଳଜାନର ଅନୁପାତରେ ସବୁବେଳେ ବିରାଟ ପାର୍ଥକ୍ୟ ସୃଷ୍ଟି ହେଉଛି ।
୧୯୫୧ର ଜନଗଣନା ଅନୁସାରେ, ରାଜଧାନୀ ଭୁବନେଶ୍ୱରର ଜନସଂଖ୍ୟା ଥିଲା ମାତ୍ର ୧୫ ହଜାର । ଭୁବନେଶ୍ୱରକୁ ନୂଆ ରାଜଧାନୀ ଭାବରେ ଗଢ଼ି ତୋଳିବା କ୍ଷେତ୍ରରେ ୧୫ ହଜାର ଜନସଂଖ୍ୟାରୁ ୪୦ ହଜାର ଜନସଂଖ୍ୟା ବସବାସ କରିବା ଭଳି ଲକ୍ଷ୍ୟ ନେଇ ତାହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ୧୯୪୮ ମସିହାରୁ ମାତ୍ର ୧୫-୨୦ ହଜାର ଲୋକସଂଖ୍ୟାରୁ ବଢ଼ି ବଢ଼ି ବର୍ତ୍ତମାନ ରାଜଧାନୀରେ ଜନସଂଖ୍ୟା ୧୦ ଲକ୍ଷ ଏବଂ ଅସ୍ଥାୟୀ ତଥା ପ୍ରତିଦିନ ଯିବା ଆସିବା କରୁଥିବା ଲୋକଙ୍କ ସଂଖ୍ୟା ଆଉ ୩ ଲକ୍ଷ ହୋଇଗଲାଣି । ୪୦ ହଜାର ଲୋକ ସଂଖ୍ୟାର ଯୋଜନାବଦ୍ଧ ସହରରେ ୧୩ ଲକ୍ଷ ଲୋକଙ୍କର ବସବାସ ବର୍ତ୍ତମାନ ସବୁ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିସାରିଲାଣି । ଏସବୁ ସମସ୍ୟା ଭିତରେ ସବୁଠାରୁ ବଡ଼ ସମସ୍ୟା ହେଲା ବାୟୁମଣ୍ଡଳରେ ତାପମାତ୍ରା ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନ । ଆଉ ସବୁରୀ ମୂଳରେ ଜନସଂଖ୍ୟା ବୃଦ୍ଧି । ତେଣୁ ଜନସଂଖ୍ୟାକୁ ଦୂର କରାନଗଲେ ଆସନ୍ତା ସମୟରେ ପୃଥିବୀ ମନୁଷ୍ୟର ବସବାସ ଉପଯୋଗୀ ହୋଇ ରହିବ ନାହିଁ ।