ଜୀବନ ଝୁଣୁଛି ତମାଖୁ


ନିଶା ସେବନ ଯେ ଶରୀର ପାଇଁ ଅତ୍ୟନ୍ତ ଭୟଙ୍କର ଓ କ୍ଷତିକାରକ ଏହା ସମସ୍ତେ ଜାଣନ୍ତି  । ତଥାପି ଏହି ଦିଗଟିକୁ ନିଶାଗ୍ରସ୍ତମାନେ ସାମାନ୍ୟତମ ଭାବେ ଖାତିର କରିନଥାନ୍ତି  । ତମାଖୁ ରାକ୍ଷାସ ନିଶାଖୋରଟିକୁ ପଙ୍ଗୁ କରି ବିକଳାଙ୍ଗ କରିଦେବା ସହ ସବୁକିଛି ଜାଳି ପୋଡ଼ି ଭିତରେ ଛାରଖାର କରିଦେଇଥାଏ  । ଧୂମପାନ ହୃଦ୍ଘାତର କାରଣ  । ଫୁସ୍ଫୁସ୍ କ୍ୟାନସରର ମୁଖ୍ୟ କାରଣ ହେଉଛି ଧୂମପାନ (୯୦ ପ୍ରତିଶତ) । ଗଲ୍ବ୍ଲାଡ଼ର କ୍ୟାନସର, ସର୍ଭିକ୍ସ କ୍ୟାନସର, ଖାଦ୍ୟନଳୀ କ୍ୟାନସର, କିଡ଼୍ନୀ, ଅଗ୍ନ୍ୟାଶୟ, ପରିସ୍ରାଥଳି ଓ ସ୍ୱରଯନ୍ତ୍ରରେ କର୍କଟ ହେବାର ଆଶଙ୍କା ସର୍ବାଧିକ । ବିପଦ କେବଳ ସେତିକିରେ ରହିନାହିଁ, ମୁଖ କର୍କଟ, ଗଳା କର୍କଟ ଠାରୁ ପେଟରେ କର୍କଟ ଏପରିକି ଗର୍ଭାଶୟରେ କର୍କଟ ରୋଗ ବି ହୋଇପାରେ  । ଧୂମପାନ ଠାରୁ ଦୂରେଇଥିବା ବ୍ୟକ୍ତି ତୁଳନାରେ ନିଶା ଗ୍ରସ୍ତ ଲୋକଙ୍କ ହୃଦ୍ଘାତ ହେବାର ଆଶଙ୍କା ଦୁଇରୁ ଚାରିଗୁଣା ଅଧିକ  । ସେହିପରି ମହିଳାମାନେ ଧୂମପାନ କଲେ ସେମାନଙ୍କର ପାକସ୍ଥଳୀରେ କର୍କଟ ହେବାର ଆଶଙ୍କା ଅଧିକ ରହୁଛି  । ଏକ ପରିସଂଖ୍ୟନର ତଥ୍ୟ ଅନୁଯାୟୀ ମହିଳାଙ୍କ କ୍ଷେତ୍ରରେ ପାଖାପାଖି ୭୦ ପ୍ରତିଶତ ପାକସ୍ଥଳୀ କର୍କଟ ହେବାର କାରଣ ହେଉଛି ଏହି ଭୟାବହ ଧୂମପାନ  ।  ମନେରଖନ୍ତୁ ତମାଖୁ ସେବନ ଦ୍ୱାରା ଦାନ୍ତର ସୌନ୍ଦର୍ଯ୍ୟ ସହ ଏହାର ଗଠନ ଶୀଳତା ନଷ୍ଟ ହୋଇଥାଏ, ଯାହାଦ୍ୱାରା କି ଖାଦ୍ୟର ସ୍ୱାଦ ଜାଣିବାର କ୍ଷମତା ହରାଇବା ସହ ଗଳାରୁ ରକ୍ତ ପଡ଼ିବା ସାଙ୍ଗରେ ମୁଖ କର୍କଟ ହେବାର ଆଶଙ୍କା ସର୍ବାଧିକ  । ସେହିପରି ଧୂମପାନ ହୃଦ୍ସ୍ପନ୍ଦନ ବୃଦ୍ଧି କରି ଉଚ୍ଚରକ୍ତ ଚାପର କାରଣ ହୋଇପାରେ ଏବଂ ହୃଦ୍ଘାତର ଆଶଙ୍କା ବଢ଼ାଇଥାଏ  । ତମାଖୁ ସେବନ ଦ୍ୱାରା ପାକସ୍ଥଳୀଟି ସାଙ୍ଘାତିକ ଭାବରେ କ୍ଷତିଗ୍ରସ୍ତ ହୋଇଥାଏ  । ଆଉ ଯଦି ପୂର୍ବରୁ ଶ୍ୱାସ ରୋଗଥାଏ ତେବେ ଏହି ସମସ୍ୟା ଜଟିଳ । ସେହିପରି ଧୂମପାନ ବା ତମାଖୁ ସେବନ ଦ୍ୱାରା ଶରୀରର ତ୍ୱଚା ଶୁଖିଲା ହେବା ସଙ୍ଗେ ସଙ୍ଗେ କେତେଙ୍କ କ୍ଷେତ୍ରରେ ହଳଦିଆ ପଡ଼ି ରିଙ୍କିଲ୍ ପଡ଼ିଯାଇପାରେ  । ଧୂମପାନ କରିବା ଦ୍ୱାରା ମାଂସପେଶୀକୁ କମ୍ ପରିମାଣର ଅମ୍ଳଜାନ ଓ ରକ୍ତ ଆସିଥାଏ ଯାହାଦ୍ୱାରା ପରବର୍ତ୍ତୀ ସମୟରେ ମାଂସପେଶୀ ପାଇଁ ସବୁଠାରୁ ବଡ଼ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିଥାଏ  । ଧୂମପାନ କରୁଥିବା ବ୍ୟକ୍ତିଙ୍କର ନିୟମିତ ବ୍ୟବଧାନରେ ପେଟ ଯନ୍ତ୍ରଣା ହୁଏ ଓ ଏହା ବିଶେଷକରି ଲିଭର ଓ ବୃକକ୍ ଉପରେ ଗୁରୁତର ପ୍ରଭାବ ପକାଇଥାଏ ଯାହାକି ପରବର୍ତ୍ତୀ ସମୟରେ ପେଟ ସମ୍ବନ୍ଧୀୟ ବିଭିନ୍ନ ଭୟାନକ ରୋଗରÿ କାରଣ ପାଲଟିଥାଏ  । ପ୍ରତିବର୍ଷ ଏହି ତମାଖୁ ରାକ୍ଷସର କବଳରେ ଛଅ ମିଲିଅନ୍ର ଲୋକ ଶିକାର ହୋଇଥାନ୍ତି  । ସବୁଠାରୁ ଉଦ୍ବେଗଜନକ ପ୍ରସଙ୍ଗ ହେଉଛି ସେମାନଙ୍କ ଭିତରୁ ୬୦୦୦୦୦ ଲୋକ ଧୂମପାନ ବା ନିଶା ସେବନ କରିନଥାନ୍ତି କିନ୍ତୁ ତାଙ୍କ ପାଖରେ ଏହି ନିଶାଖୋରଙ୍କ ସଂସ୍ପର୍ଶ ରହୁଥିବାରୁ ପାରିପାଶ୍ୱର୍ିକ ପ୍ରଭାବ ସେମାନଙ୍କୁ ମୃତୁ୍ୟମୁଖକୁ ଟାଣି ନେଇଥାଏ (ସେକେଣ୍ଡହ୍ୟାଣ୍ଡ ଧୂମପାନ) । ତମାଖୁ ରାକ୍ଷସ କବଳରୁ ଜଣେ ଯେ ମୁକ୍ତି ପାଇ ପାରିବ ନାହିଁ ତାହାନୁହେଁ  । ଧୂମପାନରେ ୫୦ ପ୍ରକାରର ଉପାଦାନ ଅଛି ଯାହା କ୍ୟାନସର ସୃଷ୍ଟିର କାରଣ । ଏହାଭିତରୁ ନାଇଟ୍ରୋସାମିନ୍ ଓ ପଲିସାଇକ୍ଲିକ୍ ଏରୋମାଟିକ୍ ହାଇଡ୍ରୋକାର୍ବନ ମୁଖ୍ୟ । କଳକାରଖାନା ମାନଙ୍କରେ କାମ କରୁଥିବା ସହସ୍ରାଧିକ ବ୍ୟକ୍ତି କ୍ୟାନସର ରୋଗରେ ଆକ୍ରାନ୍ତ ହୁଅନ୍ତି(୨-୨୦%) । ପ୍ରତିବର୍ଷ ଦୁଇଲକ୍ଷ ବ୍ୟକ୍ତି କଳାକାରଖାନା ପ୍ରଦୂଷଣ ଯୋଗୁଁ କର୍ମସ୍ଥଳୀରେ କ୍ୟାନସର ରୋଗରେ ଆକ୍ରାନ୍ତ ହୁଅନ୍ତି । ଏଜ୍ବେଷ୍ଟସ୍ ତନ୍ତୁ ବା ଧୂମ ସେବନ ଦ୍ୱାରା ଫୁସ୍ଫୁସ୍ କ୍ୟାନସର ହୁଏ । ତେବେ ଶରୀରରୁ ନିକୋଟିନ୍ ଏବଂ ଅନ୍ୟାନ୍ୟ କାର୍ସିନୋଜେନ୍ କାଢ଼ିବା ପାଇଁ ପ୍ରତିଦିନ ତାଜା ଫଳ ସହ ସବୁଜ ପନିପରିବାକୁ ଗୁରୁତ୍ୱ ଦିଅନ୍ତୁ  । ପ୍ରଚୁର ପରିମାଣରେ ସବୁଜ ପନିପରିବା ଖାଆନ୍ତୁ ଏବଂ ଆଣ୍ଟିଅକ୍ସିଡେଣ୍ଟ ଏବଂ ଅଧିକ ପୃଷ୍ଟିସାର ଥିବା ଖାଦ୍ୟ ଖାଆନ୍ତୁ  । ଶରୀରରୁ ବିଷାକ୍ତ ଅଂଶ କାଢ଼ିଦେବା ପାଇଁ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ  ।
ଡା.କାନ୍ତୀ ନାୟକ