ବିଚାର ଓ ଦୃଷ୍ଟିକୋଣ
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ ' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ଆମର ଏବଂ ଅନ୍ୟର ବିଚାର ଓ ଦୃଷ୍ଟିକୋଣ ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ସଂସାରରେ ପ୍ରତ୍ୟେକ ମଣିଷର ଦୃଷ୍ଟିକୋଣ ଏବଂ ଦୃଷ୍ଟିଭଙ୍ଗୀ ଅଲଗା, ଅଲଗା । ସମସ୍ତଙ୍କ ଦୃଷ୍ଟିକୋଣ ଭିନ୍ନ ଏଇଥି ପାଇଁ ଯେ ପ୍ରତ୍ୟେକ ବ୍ୟକ୍ତି ପରସ୍ପର ଠାରୁ ଭିନ୍ନ । କେହି କାହା ସହ ସମାନ ନୁହଁନ୍ତି । ପାଞ୍ଚଲୋକ, ପଚିଶି ପ୍ରକୃତି ।
ଜଣଙ୍କର ଆଖିକୁ ଯାହା ଦେଖାଯିବ ବା ଦେଖାଯାଏ, ସମସ୍ତଙ୍କ ଆଖିକୁ ତାହା ଦେଖାଯିବ ବୋଲି କୁହାଯାଇପାରିବ ନାହିଁ । ମଣିଷ କେବଳ ଦେଖେ ନାହିଁ, ଦେଖିବା ସହିତ ଚିନ୍ତା ମଧ୍ୟ କରେ । ନିଜର ଜ୍ଞାନକୁ ନେଇ ଚିନ୍ତାର ଭିନ୍ନତା ।
ଦେଖିବା ଏବଂ ଚିନ୍ତା କରିବା ଏକ ଜଟିଳ ପ୍ରକ୍ରିୟା ଏବଂ ପରସ୍ପର ସହିତ ଜଡିତ । ତେଣୁ ଗୋଟାଏ ଦୃଶ୍ୟକୁ ସମସ୍ତେ ଦେଖୁଥିଲେ ମଧ୍ୟ ଚିନ୍ତା କରିବା ସମୟରେ ବୁଦ୍ଧିମତାକୁ ନେଇ ଏହା ଭିନ୍ନ ହୋଇଯାଏ । ସମସ୍ତେ ଦର୍ଶକ, କିନ୍ତୁ ସମସ୍ତେ ସୃଜନମନସ୍କ ନୁହଁନ୍ତି ।
ସୂର୍ଯ୍ୟ ଉଦୟ, ସୂର୍ଯ୍ୟ ଅସ୍ତ, ପୁନେଇଁ ଜହ୍ନ ଆଦି ସମସ୍ତେ ଦେଖୁଥିଲେ ମଧ୍ୟ ପରିକଳ୍ପନାରେ ସେସବୁ ଭିନ୍ନ ରୂପ ନିଏ । ସାଧାରଣ ମଣିଷ ଯାହା ଦେଖେ ଜଣେ ଚିନ୍ତାଶୀଳ ବ୍ୟକ୍ତି ତାକୁ ଭିନ୍ନ ଭାବରେ ଦେଖେ । ଦୃଷ୍ଟିର ଭିନ୍ନତାକୁ ନେଇ ସୃଷ୍ଟିର ଭିନ୍ନତା । ସେଇ ଭିନ୍ନତା ଯେତେବେଳେ ଶବ୍ଦ, ଭାଷା, ଚିତ୍ର ଆଦିରେ ପରିପ୍ରକାଶ ହୁଏ, ସେତେବେଳେ ତାହା ସୃଜନ ସ୍ୱରୂପ ଧାରଣ କରେ । ସୁଖ, ଦୁଃଖ, ହସ, କାନ୍ଦ, ଦ୍ୱନ୍ଦ୍ୱ, ଦହନ, ଜ୍ୱାଳା, ଜଟିଳତା ପ୍ରାୟ ସମସ୍ତଙ୍କ ଜୀବନର ଭିନ୍ନ ଭିନ୍ନ ଅନୁଭବ । କିନ୍ତୁ ସେ ଅନୁଭବର ଏକ ଭାବନାତ୍ମକ ପରିପ୍ରକାଶ ରୂପ ନିଏ କାବ୍ୟର, କବିତାର, ଗଳ୍ପର କିମ୍ବା କାହାଣୀର । ତାହା ମଣିଷକୁ ଆନମନା କରାଏ, ହଜାଏ, ଭିଜାଏ ଏପରିକି ରସାପ୍ଲୁତ କରେ, ଲୋତକାପ୍ଲୁତ ମଧ୍ୟ କରି ପକାଏ । ଜୀବନର ପ୍ରାୟ ପରିସ୍ଥିତି ଓ ଅନୁଭବ ପ୍ରାୟ ସମସ୍ତଙ୍କ ପାଇଁ ସମାନ । କିନ୍ତୁ ପରିସ୍ଥିତିର ପରିପ୍ରକାଶ ଅନେକ ପ୍ରକାରର । କିନ୍ତୁ ଏହାକୁ ପରିପ୍ରକାଶ କରିବାର ଶୈଳୀ ପରସ୍ପର ଠାରୁ ଅଲଗା ।
ମଣିଷ ଯାହା ଅନୁଭବ କରେ ତାକୁ ବିଚାର କରେ । ଧାରଣାର ଜନ୍ମ ସେଇଠୁ । ବିଚାର ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବରେ ବ୍ୟକ୍ତିଗତ ଏବଂ କେଉଁ ଘଟଣା ବା ଦୃଶ୍ୟକୁ କିଏ କିଭଳି ଭାବରେ ବିଚାର କରେ, ତାହା ବ୍ୟକ୍ତି ଉପରେ ହିଁ ନିର୍ଭର କରେ ।
ଜୀବନଟା ମଧ୍ୟ ଠିକ୍ ଏହିଭଳି । କିଏ କାହାକୁ, କିଭଳି, କେଉଁ ଦୃଷ୍ଟିକୋଣରୁ ବିଚାର କରେ ସେତକ ବୁଝିବାଟା ମଧ୍ୟ ପ୍ରାୟ ପରିସ୍ଥିତିରେ ଅସମ୍ଭବ ।
ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।