ଦିଲ୍ଲୀର ଜନାଦେଶକୁ ବିନମ୍ରତାର ସହ ଗ୍ରହଣ କରୁଛୁ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ଆସିସାରିଛି । ଏହି ନିର୍ବାଚନରେ, ଭାରତୀୟ ଜନତା ପାର୍ଟି ଐତିହାସିକ ବିଜୟ ହାସଲ କରିଛି ଏବଂ ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତାକୁ ଫେରିଛି । ଆମ ଆଦମୀ ପାର୍ଟିକୁ ପରାଜୟର ସାମ୍ନା କରିବାକୁ ପଡିଛି । ଏହା ବ୍ୟତୀତ କଂଗ୍ରେସ ଲଗାତାର ତୃତୀୟ ଥର ପାଇଁ ଦିଲ୍ଲୀରେ ନିଜର ଖାତା ଖୋଲିପାରି ନାହିଁ । ଏବେ ଦିଲ୍ଲୀ ନିର୍ବାଚନ ଫଳାଫଳ ଏବଂ କଂଗ୍ରେସର ପ୍ରଦର୍ଶନ ଉପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ସାମ୍ନାକୁ ଆସିଛି ।
ଦିଲ୍ଲୀ ନିର୍ବାଚନ ଫଳାଫଳ ଉପରେ ରାହୁଲ ଗାନ୍ଧୀ କହିଛନ୍ତି, ଆମେ ଦିଲ୍ଲୀର ଜନାଦେଶକୁ ବିନମ୍ରତାର ସହ ଗ୍ରହଣ କରୁଛୁ । ରାଜ୍ୟର ସମସ୍ତ କଂଗ୍ରେସ କର୍ମୀ ଏବଂ ସମସ୍ତ ଭୋଟରଙ୍କୁ ସେମାନଙ୍କର ସମର୍ଥନ ପାଇଁ ହୃଦୟର ସହିତ ଧନ୍ୟବାଦ । ପ୍ରଦୂଷଣ, ମୁଦ୍ରାସ୍ଫୀତି ଏବଂ ଦୁର୍ନୀତି ବିରୋଧରେ ଏହି ଲଢ଼େଇ- ଦିଲ୍ଲୀର ପ୍ରଗତି ଏବଂ ଦିଲ୍ଲୀବାସୀଙ୍କ ଅଧିକାର ପାଇଁ ଜାରି ରହିବ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ବହୁମତ ହାସଲ କରିଛି । ଦୀର୍ଘ ୧୦ ବର୍ଷ ପରେ ଆମ ଆଦମୀ ପାର୍ଟି କ୍ଷମତାଚ୍ୟୁତ ହୋଇଛି । ବିଜେପି ଦିଲ୍ଲୀର ୭୦ ବିଧାନସଭା ଆସନରୁ ୪୮ଟିରେ ବିଜୟୀ ହୋଇଛି । ଆମ ଆଦମୀ ପାର୍ଟି ମାତ୍ର ୨୨ ଆସନ ସୀମିତ ହୋଇଯାଇଛି । କଂଗ୍ରେସ ଲଗାତାର ତୃତୀୟ ଥର ପାଇଁ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଗୋଟିଏ ବି ଆସନ ପାଇ ନାହିଁ । ଦିଲ୍ଲୀର ୭୦ଟି ଆସନରୁ ୬୭ଟିରେ କଂଗ୍ରେସ ପ୍ରାର୍ଥୀ ଅମାନତ ହରାଇଛନ୍ତି । ସେପଟେ କଂଗ୍ରେସର ଭୋଟ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୦ ବିଧାନସଭା ନିର୍ବାଚନରେ ୪.୨୦ ପ୍ରତିଶତ ଭୋଟ ପାଇଥିଲା କଂଗ୍ରେସ ।