ସୀମିତ ଶକ୍ତି ଅସୀମିତ ଇଚ୍ଛା
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଭବ କରିବା, ଅନୁଶୀଳନ କରିବା ସୀମିତ ଶକ୍ତି ଓ ଅସୀମିତ ଇଚ୍ଛାକୁ ନେଇ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ମଣିଷ ଜନ୍ମ ଠାରୁ ମୃତୁ୍ୟ ପର୍ଯ୍ୟନ୍ତ ଜ୍ଞାନ ଆହରଣ କରୁଥାଏ । ଏହି ଜ୍ଞାନ ସବୁର ଆହରଣ କ୍ଷେତ୍ରରେ ଇନ୍ଦ୍ରୀୟର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପ୍ରତ୍ୟେକଟି ଅନୁଭୂତି ଗୋଟିଏ ଗୋଟିଏ ନୂଆ ଜ୍ଞାନ ଦେଇଥାଏ । ତେଣୁ ମଣିଷ ବଞ୍ଚିଥିବା ପର୍ଯ୍ୟନ୍ତ ଅନୁଭୂତି ସାଉଁଟୁଥାଏ ଏବଂ ନୂଆ ଜ୍ଞାନ ଲାଭ କରିଥାଏ । ଜ୍ଞାନକୁ ମଣିଷ ଶିକ୍ଷା ଭାବରେ ଗ୍ରହଣ କରୁଥିବା ପର୍ଯ୍ୟନ୍ତ ଏକ ଆଦର୍ଶ ମଣିଷ ହୋଇ ରହିଥାଏ । ହେଲେ ଯେତେବେଳେ ଅନୁଭୂତି ଗୁଡ଼ିକୁ ଜ୍ଞାନ ଭାବରେ ଗ୍ରହଣ ନକରି କେବଳ ଏକ ଘଟଣା ଭାବେ ଗ୍ରହଣ କରେ, ସେତେବେଳେ ସେ ଏକ ସାଧାରଣ ମଣିଷରେ ପରିଣତ ହୋଇ ଲକ୍ଷେ ଭିତରେ ଗୋଟିଏ ନହୋଇ ସେହି ଲକ୍ଷେ ଭିତରେ ହିଁ ରହିଥାଏ । ସମାଜରେ କୋଟି କୋଟି ମଣିଷ ଅଛନ୍ତି । କିନ୍ତୁ ସେମାନଙ୍କୁ ଆଦର୍ଶ ଭାବରେ ମନେ ପକେଇବା ପାଇଁ କେହି କେବେ ଇଚ୍ଛା ମଧ୍ୟ କରନ୍ତିନି । କାରଣ, ସେମାନେ କୋଟିଏରେ ଗୋଟିଏ ନହୋଇ କେବଳ କୋଟିଏରେ ହିଁ ରହିଯାଆନ୍ତି । ଅନୁଭୂତି ସହିତ ଜ୍ଞାନ ଯେଭଳି ଜଡ଼ିତ, ଜ୍ଞାନ ସହିତ ମାନବ, ମହାମାନବ ହେବା ବି ଜଡ଼ିତ । କୋଟିଏ ଲୋକରେ ଜଣେ ପ୍ରବଚନ ଦେଉଛି । ସେ ପ୍ରବଚନରେ କିଛି ନୂଆ କଥା ନାହିଁ । ନିଜ ଅନୁଭୂତିରୁ ଯାହା ଶିକ୍ଷା କରନ୍ତି, ପ୍ରବଚକ ତାକୁ ହିଁ ବ୍ୟାଖ୍ୟା କରନ୍ତି । ଅନ୍ୟପକ୍ଷରେ ଶ୍ରୋତାମାନେ କେବେ ନା କେବଳ ପ୍ରବଚକଙ୍କର ଅନୁଭୂତି ପାଇଛନ୍ତି, ମାତ୍ର ସେ ଅନୁଭୂତିକୁ ଜ୍ଞାନ ଭବେ ଗ୍ରହଣ କରିନାହାନ୍ତି । ମାନବ ଓ ମହାମାନବ ମଧ୍ୟ ଫରକ୍ ଏତିକି । ନିଶା ସେବନ ମଣିଷର ବିନାଶକୁ ଡ଼ାକିଆମେ । ଏକଥା ନିଶାସେବନକାରୀ ଜାଣିଛି । ହେଲେ ଅନୁଭୂତିଜନିତ ଏହି ଜ୍ଞାନକୁ ସେ କେବଳ ଘଟଣା ଭାବରେ ନେଇ ଆଉ କେହି ହୁଏତ ମରିବେ କିନ୍ତୁ ମୁଁ ମରିବି ନାହିଁ ବୋଲି ଭାବେ । ଏହା ହିଁ ଅନୁଭୂତିରୁ ମିଳିଥିବା ଜ୍ଞାନ ଏବଂ ଅନୁଭୂତିକୁ କେବଳ ଏକ ଘଟଣା ଭାବେ ଗ୍ରହଣ କରୁଥିବା ପ୍ରସଙ୍ଗର ଉଦାହରଣ ।
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।