ଯୁଧିଷ୍ଠିରଙ୍କ ଯାଜନଗ୍ରରେ ଅବସ୍ଥାନ
ଲଳିତ ଲେଙ୍କା : ସହଦେବଙ୍କଠାରୁ କଳିଯୁଗର କଥା ଶୁଣି ଧର୍ମରାଜ ୟେହି ଭୂମିରେ ରହି ପାପ ଅର୍ଜନ କରିବାକୁ ଇଛା କଲେ ନାହିଁ । ପରୀକ୍ଷିତଙ୍କୁ ରାଜ୍ୟଭାର ଦେଇ ରାଜ୍ୟ ତେଜ୍ୟା କରି ତୀର୍ଥାଟନ କରିବା ସହିତ ସ୍ୱର୍ଗଯାତ୍ରା ପାଇଁ ବାହାରିଲେ । ସଂସ୍କୃତ ମହାଭାରତରେ ଉଲ୍ଲେଖ ରହିଛି ଯେ ପାଣ୍ଡବମାନେ ଅସ୍ତ୍ରତ୍ୟାଗ କରି ଦକ୍ଷିଣ ଦିଗକୁ ଯାତ୍ରା ଆରମ୍ଭ କରି ତତ୍ପରେ ପଶ୍ଚିମାଭିମୁଖରେ ଯାତ୍ରା କରି ଦ୍ୱାରକାନଗରୀ ଜଳପ୍ଲାବିତ ହୋଇଥିବା ଦେଖିଲେ । ତାହାପରେ ଉତ୍ତରାଭିମୁଖରେ ପ୍ରସ୍ଥାନ କରି ହିମାଳୟରେ ପହଞ୍ଚôଥିଲେ । ମାତ୍ର ସାରଳା ଦାସ ପାଣ୍ଡବମାନଙ୍କ ମହାପ୍ରସ୍ଥାନ ସମୟରେ ସେମାନଙ୍କୁ କବିଙ୍କ ପ୍ରିୟଭୂମି ଉକ୍ରଳ ଦେଶର ବିଭିନ୍ନ ତୀର୍ଥ କ୍ଷେତ୍ରରେ ବୁଲାଇଛନ୍ତି ।
ଧର୍ମନନ୍ଦନ ଯୁଧିଷ୍ଠିର ଭାଇ ଓ ପତ୍ନୀ ଦୌପଦୀଙ୍କ ସହ ବୈତରଣୀ ନଦୀକୂଳରେ ଯାଜନଗ୍ର ଅନ୍ତର୍ଗତ ଧର୍ମପୁରରେ ଅବସ୍ଥାନ କରିଛନ୍ତି । ଧର୍ମପୁରର ଅମରାବତୀ ନଗ୍ରର ବଶ୍ୟ ହରି ସାହୁଙ୍କୁ ଭେଟି ତାହାର ସୁହାଣୀ ନାମ୍ନୀ କନ୍ୟାକୁ ବିବାହ କରିଛନ୍ତି । ସୁହାଣୀ କନ୍ୟାକୁ ବିବାହ କରିବା ମୂଳରେ ଏକ କାହାଣୀ ରହିଛି । କାହାଣୀଟି ହେଉଛି- ହରିସାହୁର କନ୍ୟା ଏପରି ଲଗ୍ନରେ ଜନ୍ମ ହୋଇଛି ଯେ ଜ୍ୟୋତିଷ କହିଛନ୍ତି- ସେହି କନ୍ୟାର ବିବାହ କାଳରେ ହାତଗଣ୍ଠି ପଢିବା ସମୟରେ ସୁହାଣୀର ମୃତୁ୍ୟ ହେବ । ତେଣୁ ହରିସାହୁ କହିଲେ ବିବାହ କାଳେ କନ୍ୟାଯଦି ମରିଯିବ, ତେବେ ତାହାକୁ ବିଭା ନ ଦେଇ ଏପର୍ଯ୍ୟନ୍ତ ଘରେ ରଖିଅଛି । ପୁଣି ହରି ସାହୁ ଯୁଧିଷ୍ଠିରଙ୍କୁ ଅନୁରୋଧ କଲେ କି ନିଜ କନ୍ୟାକୁ ବିଭା ହୋଇ ତାହାକୁ ରକ୍ଷା କରନ୍ତୁ । ଯୁଧିଷ୍ଠିର କହିଲେ ଏ ବୃଦ୍ଧ ବୟସରେ ବିଭା ହେବା ଅସମ୍ଭବ । ଏ ବୟସରେ ଆମ୍ଭେ ରାଜ୍ୟ ଭୋଗ ପରିତ୍ୟାଗ କରି ତୀର୍ଥାଟନ ପୂର୍ବକ ସ୍ୱର୍ଗଯାତ୍ରାରେ ବାହାରିଛୁ । ତେଣୁ ଏ କନ୍ୟାକୁ ବିଭା ହେବା ଠିକ୍ ନୁହେଁ । ସହଦେବ କହିଲେ ‘ଯାଚିଲା କନ୍ୟା ଓ ଅର୍ଚ୍ଚିଲା ଭୋଜନ ଉପେକ୍ଷିଲେ କୁଳକୁ ଦୂଷଣ ହୁଏ । ଯୁଧିଷ୍ଠିର ସମ୍ମତି ପାଇ ହରି ସାହୁ କନ୍ୟାର ବିବାହ ଆୟୋଜନରେ ଲାଗି ପଡିଲେ । ଧର୍ମରାଜ ତାଙ୍କର ଜ୍ୱାଇଁ ହେଉଥିବାରୁ ସେ ଖୁସିରେ ବିହ୍ୱଳ ହୋଇ ସମସ୍ତ ବନ୍ଧୁବାନ୍ଧବ ନିମନ୍ତ୍ରଣ କରି ଆଣିଲା । ଯୁଧିଷ୍ଠିର ବ୍ୟାସଦେବ ଓ ଧୈମ୍ୟ ପୁରୋହିତଙ୍କୁ ସ୍ମରଣ କରିବାରୁ ସେମାନେ ଆସି ସମସ୍ତେ ସେଠାରେ ପହଞ୍ଚôଲେ । ସାହୁଙ୍କର ହରି ସାହୁ ସମସ୍ତଙ୍କୁ ବରଣ କରି ଆସନ ପ୍ରଦାନ କଲା ।
କୁମ୍ଭ ମାସ, ଶୁଳ୍କପକ୍ଷ, ସପ୍ତମୀ ତିଥି ବୃହସ୍ପତି ବାରରେ ବିବାହ ଅନୁଷ୍ଠିତ ହେଲା । ଉଡାନୀ ନଦୀ କୁଳସ୍ଥ ଛାୟାମଣ୍ଡପରେ ବ୍ୟାସଦେବଙ୍କ କୋଳରେ ଧର୍ମରାଜ ଓ ବୈଶ୍ୟ ହରିସାହୁର କୋଳରେ ସୁହାଣୀ କନ୍ୟା ବସିଲେ । ଅମୃତ ବେଳା ଦେଖି ବିବାହ କାର୍ଯ୍ୟ ଆରମ୍ଭ ହେଲା । ଏହି ସମୟରେ ଯମଦେବତାଙ୍କ କାଳ ଓ ବିକଳ ନାମକ ଦୁଇ ଦୂତଙ୍କୁ ପଠାଇଲେ ସୁହାଣୀ କନ୍ୟାର ଆତ୍ମାକୁ ନେଇଯିବା ପାଇଁ । ଅର୍ଜୁନ ଦିବ୍ୟ ଚକ୍ଷୁ ଦ୍ୱାରା ଏହା ଦେଖିପାରି ଦୂତ ଦୁଇଜଣଙ୍କୁ କାଳପାଣି ଶର ପ୍ରୟୋଗ କରି ବନ୍ଧନ କରିଦେଲେ । ଚିତ୍ରଗୁପ୍ତ ଠାରୁ ଏହି ସମ୍ବାଦ ପାଇଁ ନିଜେ ଯମରାଜ ମହିଷୀ ବାହନରେ କାଳଦଣ୍ଡପାଂଶ ଧରି ବିବାହ ମଣ୍ଡପରେ ପହଞ୍ଚôଲେ । ଯମ ଦେବତାଙ୍କୁ ଦେଖିପାରି କହିଲେ- ଆପଣଙ୍କୁ ଡରି ହରି ସାହୁ ତାହାର କନ୍ୟା ଜୀବନ ରକ୍ଷା ପାଇଁ ଯୁଝେଷ୍ଟିଦେବଙ୍କୁ ସମର୍ପଣ କରୁଛି । ତେଣୁ ଏହି କନ୍ୟାର ଜୀବନ ଆପଣ ହରଣ କରନ୍ତୁ ନାହିଁ । ଅର୍ଜୁନ ଯମଦେବତାଙ୍କୁ ଅନେକ ସ୍ତୁତି କରିବା ପରେ ମଧ୍ୟ ସେ ଅର୍ଜୁନର କଥା ନ ଶୁଣି ଅଦୃଶ୍ୟରେ ଛାୟା ମଣ୍ଡପ ପାଖରେ ପହଞ୍ଚôଲେ । ଶେଷରେ ବାଧ୍ୟ ହୋଇ ଅର୍ଜୁନ ଯମଦେବତାଙ୍କୁ ବାନ୍ଧି ବଡ ସୁମେରୁ ନାମକ ପର୍ବତରେ ନେଇ ରଖିଦେଲେ ।
ଅନ୍ୟପଟେ ବିବାହ ଉତ୍ସବ ସାରି ଯୁଝେଷ୍ଠି ଧର୍ମପୁରରେ ହରି ସାହୁ ଘରେ ରହିଲେ । ବଶ୍ୟ ହରି ସାହୁ ସକୁଟୁମ୍ବ ହରଷ ହେଲେ । କାରଣ ସେ ଭାବିଲେ ଯେ ଧର୍ମରାଜଙ୍କ ଯୋଗୁ ଯମର ଦର୍ପ ଭାଙ୍ଗିଗଲା । ହରିସାହୁ ଯୁଧିଷ୍ଠିରଙ୍କୁ ପଚାରିଲେ କିପରି ଭାବେ ତାଙ୍କର କନ୍ୟା ଯମଦଣ୍ଡରୁ ରକ୍ଷା ପାଇଲା ? ସହଦେବ କହିଲେ ବିବାହ ବେଳେ ଯମଦେବତା ତୁମ୍ଭର କନ୍ୟାକୁ ନେବା ପାଇଁ ଆସିଥିଲେ । ମାତ୍ର କୋପରେ ଅର୍ଜୁନ ତାଙ୍କୁ ସୁମେରୁ ପର୍ବତରେ ନେଇ ବନ୍ଧନ କରି ରଖିଛନ୍ତି ।
ହରି ସାହୁ କହିଲେ କେଉଁଠାରେ ଯମଦେବତା ବନ୍ଧନ ହୋଇ ଅଛନ୍ତି ତାହା ତାଙ୍କୁ ଦେଖାଇବା ପାଇଁ । ଅର୍ଜୁନ ଓ ସହଦେବ ହରିସାହୁଙ୍କୁ ନେଇ ଯମ ଦେବତାଙ୍କ ନିକଟରେ ପହଞ୍ଚôଲେ । ହରି ସାହୁ କହିଲେ ସୁହାଣୀର ବିବାହ ସରିଗଲାଣି, ଏବେ ଯମଦେବତାଙ୍କୁ ବନ୍ଧନମୁକ୍ତ କରନ୍ତୁ । ଅର୍ଜୁନ କହିଲେ ଆପଣଙ୍କ କଥାରେ ସେ ଯମ ଦେବତାଙ୍କୁ ବନ୍ଧନ ମୁକ୍ତ କରୁଛନ୍ତି, ହେଲେ ଆମ୍ଭେ ଏଠାରେ ଥିବା ପର୍ଯ୍ୟନ୍ତ ଯମଦୂତମାନେ ଏହି ପୁରକୁ ଯେପରି ପ୍ରବେଶ ନ କରନ୍ତି । ଯମ ଦେବତା ମୁକ୍ତ ହୋଇ ହରି ସାହୁକୁ ବର ପ୍ରଦାନ କରିବାକୁ ଇଛା କଲେ । ହରି ସାହୁ କହିଲେ ଆମର ବୈଶ୍ୟ ଜାତିର ଲୋକମାନେ ଯେପରି ଯମଦଣ୍ଡ ନ ପାଆନ୍ତି । ମୃତୁ୍ୟପରେ ସେ କପିଳାସପୁରରେ ଯେପରି ବାସ କରନ୍ତି ଏବଂ ଶତେ ଅଷ୍ଟଉତ୍ତର ଆୟୁଷ ଭୋଗ କରିବେ । ଯମଦେବତା ହରି ସାହୁକୁ ଏହି ବର ପ୍ରଦାନ କରି ବଣିଜର ସ୍ୱରୂପ ସଂପର୍କରେ ବୁଝାଇଛନ୍ତି ।
ବଣିଜରେ ଲାଭ ପାଇଁ କେବେ ମିଥ୍ୟା କହିବ ନାହିଁ ବୋଲି ଯମ ଦେବତା ହରି ସାହୁଙ୍କୁ ଉପଦେଶ ଦେଲେ । କହିଲେ ଗଣ୍ଡାକରେ କଡାୟେ, ବୋଡିକରେ ଗଣ୍ଡାଏ, ପଣକରେ ବୋଡିୟେ, କାହାଣକରେ ପଦିକାୟେ ଲାଭ କରିବା ବିଧେୟ । ଚାରିପାଦେ କିଣି ପାଞ୍ଚ ପାଦରେ ବିକି ପୁଣ୍ୟ ମାର୍ଗରେ ଚାଲିବ । ଯମଦେବତା ମରହଟ୍ଟ ଦେଶର ସୁଜାଣେଶ୍ୱର ଯତିଙ୍କର ବାଣିଜ୍ୟ ବିଷୟରେ କହିଛନ୍ତି । ସୁଜାଣେଶ୍ୱର ଥିଲେ ସତ୍ୟବ୍ରତୀ, ସଂସ୍କାରୀ । ସର୍ବଦା କଷା କଉପୁନୀ ଓ ରୁଦ୍ରାକ୍ଷ ମାଳ ପରିଧାନ କରୁଥିଲେ । ଶବର ଠାରୁ ମାଂସ କିଣି ହାଟରେ ସେ ବିକ୍ରୟ କରେ । ପାଞ୍ଚକଡା ମାଗଇ ମାୟେଂସ ପଣକରେ । ସବୁଦିନେ ସୁଜାଣେଶ୍ୱର ମାୟେଂସ ବଣିଜ ବିନା ଅନ୍ୟ କିଣି ଜାଣିଲା ନାହିଁ । ସର୍ବଦା ସତ କହି ଚାରି କାହାଣରେ ଚାରିପଣ ଅର୍ଜନ କରେ । ସୁଜାଣେଶ୍ୱର, ତାହାର ଭାରିଜା ଓ ପୁତ୍ରକୁ ନେଇ ତାହାର ପରିବାର । ସବୁବେଳେ ଏହି ତିନି ପ୍ରାଣୀ ସତ୍ୟ ବିନା ମିଥ୍ୟା କଥା କେବେ କୁହନ୍ତି ନାହିଁ । ସମୟେକ ସୁଜାଣେଶ୍ୱର ଯତି ମୃତୁ୍ୟବରଣ କରି ଆକାଶରେ ନକ୍ଷତ୍ର ହୋଇ ବସିଲା ।
ଏହି କଥା ଯମ ଦେବତା ହରି ସାହୁକୁ କହି ସାରିବା ପରେ କିଛି ଉପଦେଶ ଦେଇ କହିଲେ ତୋହର ସମସ୍ତ ଲୋକଙ୍କୁ ତିଆରିବୁ ପରଦାରା କଥାକୁ ପରିତ୍ୟାଗ କରିବାକୁ । ଭିନ୍ନ ଜାତିର ସ୍ତ୍ରୀମାନଙ୍କ ଅଙ୍ଗ ସ୍ପର୍ଶ କରିବା ଅନ୍ୟାୟ । କେବଳ ନିଜ ଜାତିର ସ୍ତ୍ରିରୀଙ୍କ ସହିତ ସତସଙ୍ଗ କରିବ । ପ୍ରାତଃ ଆହାର୍ଣ୍ଣିକ ତିନିକାଳ ସାରିବ । ସମୟ ମିଳିଲେ ଦେବ ମନ୍ଦିରକୁ ଯାଇ ଦର୍ଶନ କରିବ । ବିଷ୍ଣୁଙ୍କୁ ନିତ୍ୟ ବିଧି ବିଧାନ ଅନୁସାରେ ଆରାଧନା କରିବ । ମଧ୍ୟାହ୍ନ ସମୟରେ ଶାସ୍ତ୍ର ଅଧ୍ୟୟନ କରିବ । ହତ୍ୟା ବିବାଦ ଠାରୁ ଦୂରେଇ ରହିବ । ଦୁଇଜଣଙ୍କ କଳିଗୋଳରେ କେବେ ସାକ୍ଷୀ ହେବ ନାହିଁ । ବହୁତ ଲାଭ ଆଶାରେ ବିଦେଶ ଯିବା ଅନୁଚିତ । ଷାଠିଏ ବର୍ଷ ହୋଇଗଲେ ତୀର୍ଥାଟନରେ ଯିବା ଆବଶ୍ୟକ । ଶାସ୍ତ୍ର ନିଦେ୍ର୍ଦଶିତ ବିଧିବିଧାନ ଅନୁସାରେ କାଳଯାପନ କରିବାକୁ ଯମ ଦେବତା ହରି ସାହୁଙ୍କୁ ବୁଝାଇଥିଲେ । ଯମ ଦେବତା କହିଲେ ଯଦି ବ୍ରାହ୍ମଣ ପାପ କରେ ତେବେ ପ୍ରାୟଶ୍ଚିତ ପାଇଁ ସେ ଯଜ୍ଞ କରିଥାଏ । କ୍ଷତ୍ରୀୟ ପାପ କଲେ ସେ ରଣଯଜ୍ଞରେ ପଶିଥାଏ । ଶୂଦ୍ର ପାପ କଲେ ସେ କୃଷି ଉପୁଜାଇବ । କିନ୍ତୁ ବୈଶ୍ୟ ପାପ କଲେ ମୁକ୍ତିର ବାଟ ଦେଖାଯିବ ନାହିଁ । ତେଣୁ ପ୍ରତ୍ୟେକ କାର୍ଯ୍ୟକୁ ନିଷ୍ଠା ଓ ସତ୍ୟର ସହିତ କଲେ ପାପ ଲାଗେ ନାହିଁ ।
ଧର୍ମପୁରରେ ଯୁଧିଷ୍ଠିର ପଞ୍ଚତିରିଶ ବର୍ଷ ରହିବା ପରେ ତୀର୍ଥାଟନରେ ଯିବା ପାଇଁ ଇଛା ପ୍ରକାଶ କଲେ । ଲୋମଣ ଋଷି କହିଲେ ବନସ୍ତ ଭିତରେ କପିଳାସ ତୀର୍ଥ ରହିଛି । ଏଠାର ସାତ ପର୍ବତ ତଳେ ଧବଳାଙ୍ଗୀ ପ୍ରବାହିତ ହେଉଅଛି । ଯୁଧିଷ୍ଠିର ଭାଇମାନଙ୍କ ସହିତ କପିଳାସ ଭୁବନକୁ ଯାତ୍ରା କଲେ ।