ପରିବାରରେ ବୃଦ୍ଧ ପିତାମାତାଙ୍କ ଭୂମିକା
ଘରର ହସଖୁସି ଏବଂ ଆପୋଷ ସଂପର୍କକୁ ମଜଭୂତ କରିବାରେ ପିତାମାତାଙ୍କ ଆଶୀର୍ବାଦ ସହଯୋଗ ଏବଂ ସ୍ନେହମମତା ଯଥେଷ୍ଟ ଲୋଡ଼ା । କିନ୍ତୁ ଯେତେବେଳେ ପିଲାଙ୍କ ସାଂସାରିକ ଜୀବନରେ ବୃଦ୍ଧ ପିତାମାତା ସହଯୋଗ ପୂର୍ଣ୍ଣ ମନୋଭାବ ପୋଷଣ କରିଥାନ୍ତି ସେତେବେଳେ ସେମାନଙ୍କୁ ଶୋଚନୀୟ ଅବସ୍ଥା ଭୋଗିବାକୁ ପଡ଼େ ।
ଆଜିକାଲି ଅଧିକାଂଶ ପତିପତ୍ନୀଙ୍କ ଚିନ୍ତା ଧାରା ବଦଳି ଗଲାଣି । ବିବାହ ପରେ ସେମାନେ ଅଲଗା ଘର କରି ରହିବା ପାଇଁ ପସନ୍ଦ କରୁଛନ୍ତି । ସ୍ୱାଧୀନତା ଏବଂ ଆତ୍ମନିର୍ଭରଶୀଳତା ଉଭୟକୁ ସେମାନେ ନିଜର ଅହଂ ବୋଲି ଭାବୁଛନ୍ତି । ସେମାନେ ସବୁ କିଛି ନିଜେ କରିବା ପାଇଁ ଚାହୁଁଛନ୍ତି । କିନ୍ତୁ ଏକାକୀ ପରିବାରରେ ମଧ୍ୟ ବୃଦ୍ଧ ପିତାମାତାଙ୍କର ଆବଶ୍ୟକତା ରହିଛି । ସେମାନେ ମଧ୍ୟ ପରିବାର ପାଇଁ କିଛି କାର୍ଯ୍ୟ କରି ପାରିବେ । ନିଜେ ସବୁ ଦାୟିତ୍ୱ ମୁଣ୍ଡକୁ ନେଇ ଅସୁବିଧାରେ ପଡ଼ିବା ପରିବର୍ତ୍ତେ ପିତାମାତାଙ୍କ ଦ୍ୱାରା ଯାହା ସମ୍ଭବ ସେହି କାର୍ଯ୍ୟ ସେମାନଙ୍କୁ ଦେଲେ ଠିକ୍ ବୋଲି କହିବାକୁ ହେବ ।
ପତି-ପତ୍ନୀ ଏକାକୀ ସବୁ କାର୍ଯ୍ୟ କରିବା ପାଇଁ ସକ୍ଷମ ଥିଲେ ସୁଦ୍ଧା ନିଜ ବୃଦ୍ଧ ପିତାମାତାଙ୍କ ଭାବନାତ୍ମକ ସହଯୋଗ, ସେମାନଙ୍କର ସ୍ନେହ ଏବଂ ଆଶୀର୍ବାଦର ଆବଶ୍ୟକତା ରହିଛି । ଯଦି ପତି-ପତ୍ନୀ ଦୁହେଁ ଚାକିରି କରୁଛନ୍ତି ତେବେ ନିଜର ଛୋଟ ଶିଶୁମାନଙ୍କର ସୁରକ୍ଷା ଏବଂ ଦେଖାଶୁଣାର ଦାୟିତ୍ୱ ନେଇ ଚିନ୍ତିତ ନ ହୋଇ ପିତାମାତାଙ୍କ ସାହାଯ୍ୟ ନିଅନ୍ତୁ । ଚିନ୍ତା ଏବଂ ସଂଘର୍ଷପୂର୍ଣ୍ଣ ପରିସ୍ଥିତିରେ ଆପଣଙ୍କ ଭାବନାତ୍ମକ ସହଯୋଗ ଏବଂ ଅନୁଭବ ସେମାନଙ୍କୁ ସମ୍ବଳ ପ୍ରଦାନ କରିବା ପରି ଲାଗିବ । ପିଲାମାନଙ୍କୁ ସ୍କୁଲକୁ ନେବା ଆଣିବା କାର୍ଯ୍ୟ ପ୍ରାୟତଃ ସେମାନଙ୍କ ଜେଜେବାପା କରିଥାନ୍ତି । ତେଣୁ ତାଙ୍କୁ ସେଥିରୁ ନିବୃତ୍ତ କରନ୍ତୁ ନାହିଁ । ଆଜିକାଲି ପ୍ରାୟତଃ ପିଲାମାନେ ଟିଭି, କମ୍ପୁ୍ୟଟର, ପ୍ଲେଷ୍ଟେସନ ଆଦିରେ ବସି ନିଃସଙ୍ଗତା ଦୂର କରୁଛନ୍ତି । ତେବେ ଏହା ପରିବର୍ତ୍ତେ ସେମାନଙ୍କୁ ଆପଣଙ୍କ ପିତାମାତା ଅର୍ଥାତ୍ ସେମାନଙ୍କ ଜେଜେ, ଜେଜେମା, ଭଲ ମାର୍ଗ ଦର୍ଶନ ଦେଇ ପାରିବେ । ପିତାମାତା ଆପଣଙ୍କ ପାଖରେ ରହିଲେ ସେମାନଙ୍କର ଏହି ସମସ୍ୟା ରହିବ ନାହିଁ ଏବଂ ସେମାନେ ନିଜକୁ ସୁରକ୍ଷିତ ମନେ କରିବେ ।
କଟକ