ଆଧୁନିକ ପୋଷାକ ବନାମ୍ ଜଳ ସଂକଟ

ବର୍ତ୍ତମାନ ଦିନକୁ ଦିନ ପୋଷାକ ଡ଼ିଜାଇନ୍ରେ ନୂଆ ନୂଆ ରୁଚି ଦେଖିବାକୁ ମିଳୁଛି । ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ପୋଷାକ, ଚିରାଫଟା ପୋଷାକ ଆଦି ଯୁବପୀଢ଼ିଙ୍କର ଏକ ରୁଚିରେ ପରିଣତ ହୋଇଯାଇଛି । ଆଉ ଏହି ସବୁ ପୋଷାକ ପ୍ରସ୍ତୁତିରେ ବିପୁଳ ପରିମାଣର ଜଳର ଆବଶ୍ୟକତା ପଡୁଛି । ବିଶେଷ କରି ସୂତାବାସ୍ତ୍ର ଉତ୍ପାଦନ କ୍ଷେତ୍ରରେ ଜଳର ଆବଶ୍ୟକତା ଏତେ ଅଧିକ ଯେ ଏହାର ଉତ୍ପାଦନ ଏବଂ ବ୍ୟବହାର ଆଦିକୁ ନେଇ ଜଳସଙ୍କଟ ସୃଷ୍ଟି ହେବାର ସମ୍ଭାବନା ଦେଖା ଦେଲାଣି । ଆଧୁନିକ ଡ଼ିଜାଇନ୍ର ଭିନ୍ନ ଭିନ୍ନ ପ୍ରକାରର ପୋଷାକର ଚାହିଦା ଗତ ୨୦ ବର୍ଷ ଭିତରେ ୫ ଗୁଣା ବୃଦ୍ଧି ପାଇଛି । ନୂଆ ପୋଷାକରେ ରୁଚି ଏବଂ ପ୍ରତିଯୋଗିତା ଯେତିକି ଯେତିକି ବଢୁଛି ପରିବେଶ ପାଇଁ ଏହା ସେତିିକି ଅଧିକ ସମସ୍ୟା ସୃଷ୍ଟି କରୁଛି । ସୂତାବସ୍ତ୍ର ଉତ୍ପାଦନ ଠାରୁ ଆରମ୍ଭ କରି ପ୍ରସ୍ତୁତି ପର୍ଯ୍ୟନ୍ତ ପ୍ରକ୍ରିୟାରେ ବିପୁଳ ପରିମାଣର ଜଳ, ଏଥିରେ ବିପୁଳ ପରିମାଣର ରାସାୟାନିକ ପଦାର୍ଥର ମିଶ୍ରଣ, ବ୍ୟବହାର ପରେ ଏହି ଜଳ ବର୍ଜ୍ୟଜଳ ଭାବରେ ଭୂପୃଷ୍ଠର ଅନ୍ୟାନ୍ୟ ଜଳ ସହିତ ମିଶିବା ଆଦି ଜଟିଳ ସମସ୍ୟା ସୃଷ୍ଟି କରିଲାଣି । ବର୍ତ୍ତମାନ ଏକ କିଲୋଗ୍ରାମ କପା ଉତ୍ପାଦନ କରି ତାକୁ ସୂତା ଏବଂ ସୂତାରୁ ବସ୍ତ୍ର ତିଆରି ପର୍ଯ୍ୟନ୍ତ ୨୨ ହଜାର ୫ଶହ ଲିଟର ପାଣିର ଆବଶ୍ୟକତା ପଡୁଛି ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । କପା ଚାଷ ମୁଖ୍ୟତଃ ଉଷ୍ଣ ଜଳବାୟୁ ଅଞ୍ଚଳରେ ହେଉଥିବାରୁ ଜଳର ଆବଶ୍ୟକତା ହେଉଛି । ଭାରତୀୟ ବସ୍ତ୍ର ଉଦ୍ୟୋଗ ପ୍ରତିଦିନ ପୋଷାକ ଏବଂ ଏହାର ପ୍ରକ୍ରିୟାକରଣ ବାବଦରେ ୪୨ କୋଟିରୁ ଅଧିକ ଗ୍ୟାଲନ୍ ଜଳ ବ୍ୟବହାର କରିଥାଏ ବୋଲି ଆକଳନ କରାଗଲାଣି । ୨୦୨୫ ମସିହା ସୁଦ୍ଧା ପୋଷାକ ଉତ୍ପାଦନ ପାଇଁ ବର୍ତ୍ତମାନର ଆବଶ୍ୟକତା ଠାରୁ ୨୦ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ଜଳ ବ୍ୟବହୃତ ହେବ ବୋଲି ଜଣାପଡୁଛି । ତୂଳାରେ ରାସାୟନିକ ପ୍ରଲେପ ଦେବା, ରଙ୍ଗ ମିଶାଇବା, ବସ୍ତ୍ର ହେଲା ପରେ ତାକୁ ବାରମ୍ବାର ସଫା କରିବା, ଏଥିରେ ମଣ୍ଡ ଦେବା, ମଣ୍ଡ ଦିଆଯିବା ପରେ ପୁଣିଥରେ ଧୁଆଯିବା ଆଦି ବିଭିନ୍ନ ପ୍ରକାରର କାର୍ଯ୍ୟ ପାଇଁ ଜଳକୁ ବିଭିନ୍ନ ପ୍ରକାରରେ ବ୍ୟବହାର କରାଯାଏ । ବର୍ତ୍ତମାନ ଗୋଟିଏ ଜିନ୍ ପ୍ୟାଣ୍ଟ କିମ୍ବା ଜାକେଟ୍ ପାଇଁ ୮ ହଜାର ଲିଟର ପାଣିର ଆବଶ୍ୟକ ପଡୁଛି । ଏହିଭଳି ଭାବରେ ଯଦି ବସ୍ତ୍ର ଉଦ୍ୟୋଗ ଜଳର ଉପଯୋଗ କରିବ ମାତ୍ର ଗୋଟିଏ ଦଶନ୍ଧୀ ଭିତରେ ପାନୀୟ ଜଳର ଅଭାବ ଦେଖା ଦେବ । ପ୍ରତିଦିନ ମଧ୍ୟ ବ୍ୟକ୍ତିଗତ ଭାବରେ ଲୋକେ ବ୍ୟବହାର କରୁଥିବା ଲୁଗାପଟା ଧୋଇବାରେ ମଧୁର ଜଳର ଶତକଡା ୬୦ ଭାଗ ଖର୍ଚ୍ଚ ହେଉଛି । କପଡା ଉଦ୍ୟୋଗ ସହିତ ଚମଡା ଓ ପଶମ ଉଦ୍ୟୋଗ ମଧ୍ୟ ବିପୁଳ ପରିମାଣର ମଧୁର ଜଳ ଖର୍ଚ୍ଚ କରୁଛନ୍ତି । କାଲିଫର୍ଣ୍ଣିଆର ଏକ ବିଶ୍ୱ ବିଦ୍ୟାଳୟ ଏକ ଗବେଷଣାରୁ ପ୍ରକାଶ କରିଛି ଯେ ପରିବେଶକୁ ଦୂଷିତ କରୁଥିବା ବର୍ଜ୍ୟଜଳ ମଧ୍ୟରୁ ୫୭ ଶତାଂଶ ହେଉଛି କେବଳ ଲୁଗାପଟା, ବସ୍ତ୍ର ଆଦି ଧୋଇବା ଜଳ । ଏହି ବର୍ଜ୍ୟ ଜଳ ବିଭିନ୍ନ ପ୍ରକାରରେ ଭୂପୃଷ୍ଠର ମଧୁର ଜଳକୁ ଦୂଷିତ କରୁଛି । ପାଶ୍ଚାତ୍ୟ ଦେଶ ଗୁଡ଼ିକରେ ପିନ୍ଧୁଥିବା ପୋଷାକକୁ ହାରାହାରି ସାତ ଥର ପିନ୍ଧିବା ପରେ ସେଗୁଡ଼ିକୁ ଅଲୋଡ଼ା ଭାବେ ପରିତ୍ୟକ୍ତ କରି ଦିଆଯାଏ । କାରଣ ସାତ ଥର ପିନ୍ଧି ଧୋଇବାରେ ଏହାର ଖର୍ଚ୍ଚ ଥରକୁ ଥର ବଢୁଥାଏ ଏବଂ ଜଳର ବ୍ୟବହାର ମଧ୍ୟ ଅଧିକ ହୋଇଥାଏ । ପରବର୍ତ୍ତୀ ସମୟରେ ଏହିସବୁ ପୋଷାକ ଗୁଡ଼ିକୁ ସଂଗ୍ରହ କରି କେତେକ ରାଷ୍ଟ୍ରକୁ ବିକ୍ରି ଉଦେ୍ଦଶ୍ୟରେ ପଠେଇ ଦିଆଯାଏ । ଏହି ବ୍ୟବହୃତ ପୋଷାକର ଧୋଇବା ବାବଦରେ ବର୍ତ୍ତମାନ ବିପୁଳ ପରିମାଣର ଜଳ ଖର୍ଚ୍ଚ ହେଉଛି । ଏପ୍ରକାରେ ଭବିଷ୍ୟତରେ ବସ୍ତ୍ର ଉଦ୍ୟୋଗ ପାନୀୟ ଜଳ ସଙ୍କଟର ଏକ ପ୍ରମୁଖ କାରଣ ପାଲଟିବ ।