ଗତିଚୁ୍ୟତି ଆଜି ସବୁଠି
ମାୟାଧର ନାୟକ : ମଣିଷ ହୁଅନ୍ତୁ କି ଜୀବଜନ୍ତୁ – ଯେତେବେଳେ ଗତିଚୁ୍ୟତି ହେବେ – ସେତେବେଳେ ଛନ୍ଦ ହରାଇଦେବେ । ଗତିଶିଳତାରେ ନାହାଁନ୍ତି ତ ଛନ୍ଦ ହଜାଇଛନ୍ତି । ଛନ୍ଦ ବଦଳରେ ତା’ପରେ ସବୁ ମନ୍ଦ । ଏ ମନ୍ଦରୁ ମାନ୍ଦା । ଏ ମାନ୍ଦାରୁ ମାନ୍ଦାବସ୍ଥା ମାନଚିତ୍ରରୁ ଆରମ୍ଭକରି ମଇଦାନ ପର୍ଯ୍ୟନ୍ତ । ପ୍ରଗତି କେବଳ ପୋଷ୍ଟର - ପ୍ରତିଦିନ ପ୍ରହସନ ।
ଏଇ ଗତିଚୁ୍ୟତି ସମ୍ପର୍କରେ ରାମାୟଣର ପଦେକଥା କହୁଛି । ଶ୍ରୀରାମଚନ୍ଦ୍ର ସେତୁବନ୍ଧ ବାନ୍ଧି ସୀତାକୁ ଉଦ୍ଧାର କରିବେ । ସେତୁବନ୍ଧ ବନ୍ଧା ହେଲା । ପ୍ରତିଷ୍ଠା ହେବ । ସେତେବେଳେ ସବୁଠୁ ଶ୍ରେଷ୍ଠ ବ୍ରାହ୍ମଣ ଖୋଜାଗଲା । ଜଣାଗଲାଯେ - ଏ ତ୍ରେତୟାଯୁଗରେ ଶ୍ରେଷ୍ଠ ବ୍ରାହ୍ମଣ, ଜ୍ଞାନୀ ହେଉଛନ୍ତି – ଲଙ୍କାଧିପତି ରାବଣ । ଶ୍ରୀରାମ ରାବଣ ବଧକରି ମା’ ସୀତାଙ୍କୁ ଉଦ୍ଧାର କରିବେ । ସେହି ଶତ୍ରୁ ରାବଣଙ୍କୁ ସେତୁବନ୍ଧ ପ୍ରତିଷ୍ଠାରେ ପୂଜାପାଠ କରିବାକୁ ନିମନ୍ତ୍ରଣ କଲେ । ରାବଣ ରାଜି ହେଲେ । ଏଠାରେ ଉଭୟଙ୍କ ମହାନତା ଅତୁଳନୀୟ । ରାବଣ ଆସିଲେ । ଯଥାରୀତିରେ ପୂଜା ସମ୍ପନ୍ନ ହେଲା । ଶେଷରେ ଶ୍ରୀରାମ ରାବଣକୁ କିଛି ରାଜନୀତି ଶିକ୍ଷା ପାଇବା ପାଇଁ ଅନୁରୋଧ କଲେ । ରାବଣ କହିଲେ – ଯେଉଁଟି ଠିକ୍, ସତ୍ୟ - ତାହାକୁ ଚଟାପଟ କର । ବିଳମ୍ବ କରନା । ଯେଉଁଠି ବେଠିକ୍ ଲାଗୁଛି – ତାହା ଭାବିଚିନ୍ତି କର । ବଡଥିଲେ ପଚାରି ଛୋଟ ଥିଲେ ବିଚାରି – କାର୍ଯ୍ୟ କଲେ ବିପଦ ନ ପଡଇ ଭଲେ । ଶ୍ରୀରାମ କହିଲେ - ଆଜ୍ଞା ! ଟିକେ ବୁଝେଇ କୁହନ୍ତୁ । ମହାଜ୍ଞାନୀ, ଶ୍ରେଷ୍ଠ ବ୍ରାହ୍ମଣ ରାବଣ କହିଲେ – ମୁଁ ସ୍ୱର୍ଣ୍ଣଲଙ୍କାରେ ଅଧିପତି । ଇଛାଥିଲା – ଲଙ୍କାକୁ ସୁନାରେ ଛାଉଣି କରିଦେବି । ସେ କ୍ଷମତା ମୋର ଥିଲା – କିନ୍ତୁ କରିବି – କରିବି ବୋଲି ହେଳା କରିଦେଲି । ଆଜି ମୁଁ ତୁମ ହାତରେ ମରିବାକୁ ଯାଉଛି ।
ଦ୍ୱିତୀୟରେ ହେଲା – ତୁମ ସାନଭାଇ ଲକ୍ଷ୍ମଣ ମୋ ଭଉଣୀ ସୂପନେଖାର ନାକ କାଟିଦେଲେ । ମୁଁ ରାଗିଗଲି । ନାରୀ ନିର୍ଯ୍ୟାତନା ସହ୍ୟ କରିନପାରି କୂଟକପଟ କରି ତୁମ ପନôୀ ସୀତାଙ୍କୁ ହରଣ କରିଆଣିଲି । ତୁମ ଭାଇ ଆଉ ତୁମକୁ ମାରିବାର ଥିଲା । ରାଗରେ ତୁମ ପନôୀକୁ ହରଣ କଲି । ରାଗ ବ୍ରହ୍ମଚଣ୍ଡାଳ । ରାଗକ୍ରୋଧବେଳେ ନିଷ୍ପତି ମଧ୍ୟ ଭୁଲ ହୋଇପାରେ । ସେହି ଅବସ୍ଥା ହେଲା । ଭୁଲ ନିଷ୍ପତିରେ ଆଜି ମୋ ସ୍ୱର୍ଣ୍ଣ ଲଙ୍କା ଧ୍ୱଂସ ହେବାକୁ ଯାଉଛି – ମୁଁ ତୁମ ହାତରେ ମରିବାକୁ ଯାଉଛି । ତେଣୁ ଭଲକାମ ଚଟାପଟ କର, ଖରାପ କାମ ଭାବିଚିନ୍ତି, ବୁଝିବିଚାରି – ସମୟ ନେଇ କାର୍ଯ୍ୟ କର । ଏଇ ଶିକ୍ଷାରୁ ଆମେ କ’ଣ ଶିଖିଲେ – ଭଲ କାମକୁ ଆମେ ହେଳା କରୁଛେ – ଖରାପ କାମକୁ ଚଟାପଟ କରୁଛେ । ଯାହାଫଳରେ ସବୁ ଅଘଟଣ ଘଟୁଛି । ଆମ ଗତିବିଚୁ୍ୟତି ପାଇଁ ଆମେ ମାନ୍ଦା କେବଳ ନୁହେଁ ମାଦଳ ହୋଇଯାଉଛେ ।
ସାରା ବିଶ୍ୱରେ ୨୦୦୮ରୁ ଅର୍ଥନୈତିକ ମାନ୍ଦାବସ୍ଥା ଆଜିବି ୨୦୨୪ରେ ସୁଧୁରିନାହିଁ । ଏଇ ମାନ୍ଦାବସ୍ଥା ଫଳରେ ଅର୍ଥନୀତି ଏକ ଆତଙ୍କବାଦରେ ପରିଣତ ହୋଇଯାଇଛି । ଆମ ଅର୍ଥନୀତି କେବଳ ନୁହେଁ ବିଶ୍ୱ ଅର୍ଥନୀତି ଘୁଷୁଡି ଘୁଷୁଡି ଚାଲୁଥିଲା – କୋଭିଡ୍-୧୯ରେ ଛୋଟା ହେଇଗଲା । ଛୋଟା ଗୋଡକୁ ଠିକ୍ଠାକ୍ କରି ସିଧା ଚାଲିବା କି ଦୌଡିବା ଏତେ ସହଜ ନୁହେଁ । କେବଳ ଅର୍ଥନୀତିରେ ମାନ୍ଦାବସ୍ଥା ନୁହେଁ – ରାଜନୀତିରେ ମଧ୍ୟ ଗତିବିଚୁ୍ୟତି ଘଟିଛି । ସାରା ବିଶ୍ୱରେ ପ୍ରାୟ ସବୁଦେଶରେ ସେମିତି ଉପଯୁକ୍ତ ନେତା ନଥିବାରୁ ରାଜନୀତି ଭୁଲ ରାସ୍ତାରେ ଯାଇ ଛନ୍ଦ ହରାଇଛି । ରାଜନୈତିକ ନେତାମାନଙ୍କର ଆତ୍ମସ୍ୱାର୍ଥ, ଅହଂକାର, ଗର୍ବ, କ୍ଷମତା ନିଶା ସେମାନଙ୍କୁ ପାଗଳ କରିଦେଇଛି । ଜଣେ ଶିଶୁ ହାତରେ ବନ୍ଧୁକ ପଡିଲେ ସେ ଅପବ୍ୟବହାର କରିବ ନିଶ୍ଚୟ । ବିଶ୍ୱରେ ଇସ୍ରାଏଲଠାରୁ ଆରମ୍ଭ କରି ରୁଷ ୟୁକ୍ରେନ ପର୍ଯ୍ୟନ୍ତ ଯୁଦ୍ଧଖୋର ନେତାମାନେ ଶିଶୁ ଭଳି ଆଚରଣ କରିଚାଲିଛନ୍ତି । କ୍ଷେତ୍ର ଦଖଲ ପାଇଁ ଭୟଙ୍କର ଯୁଦ୍ଧ, ଗୃହଯୁଦ୍ଧ ଲାଗିରହିଛି । ପୁଣି ଧର୍ମାନ୍ଧ ମୌଳବାଦୀମାନେ ବ୍ୟକ୍ତିମାନେ ଆତଙ୍କରାଜ,ଦଙ୍ଗା, ହଣାକଟା ଘଟାଇ ସାରା ବିଶ୍ୱକୁ ଥରହର କରୁଛନ୍ତି । ଆମ ଭାରତ ମଧ୍ୟ ଏଥିରୁ ବାଦ୍ ଯିବ କେମିତି ? ଏବେ ସାରା ବିଶ୍ୱ ୧୩୭ ବର୍ଷ ତଳକୁ ଫେରିଆସୁଛି । ସଂପ୍ରତି କର୍ଣ୍ଣାଟକ ପରେ ତାମିଲନାଡୁ ୧୯୪୮ କାରଖାନା ଆଇନ୍କୁ ସଂଶୋଧନ କରି ୧୨ ଘଂଟିଆ କାର୍ଯ୍ୟଦିବସ ପ୍ରଚଳନ କରି ବିଶ୍ୱବଜାରରେ ପ୍ରବେଶ କରିବାକୁ ମସୁଧା କରିଛନ୍ତି । ୧୩୭ ବର୍ଷର ୧୮୮୬ ମସିହା ମେ’ ପହିଲା ଘଟଣା ମନେପକାଇଦେଉଛି । ମେ’ ପହିଲା ପୂର୍ବରୁ ଶ୍ରମିକମାନେ ୧୨ ଘଂଟାରୁ ୧୮ ଘଂଟା ହାଡଭଙ୍ଗା ଖଟଣି ଖଟୁଥିଲେ । ଶ୍ରମଦିବସ ୮ ଘଂଟା ଦାବିରେ ଆମେରିକାରେ ଶ୍ରମିକମାନେ ସଂଘର୍ଷ କରି ରକ୍ତରବନ୍ୟା ବୁହାଇଦେଇଥିଲେ । ମାଲିକଶ୍ରେଣୀ ବାଧ୍ୟହୋଇ ଦୈନିକ ୮ ଘଂଟା ଶ୍ରମଦିବସକୁ ମାନିନେଇଥିଲେ । ସେଇଦିନଠାରୁ ସାରାବିଶ୍ୱର ସବୁଦେଶରେ ଶ୍ରମଦିବସ ୮ ଘଂଟା ପ୍ରଚଳିତ ହୋଇଆସୁଛି । ଏହି ୧୩୭ ବର୍ଷ ମଧ୍ୟରେ ପୃଥିବୀର କେତେ ନଦୀରେ କେତେ ଜଳ ବୋହିଗଲାଣି । ଦେଶେ ଦେଶେ କେତେଯେ ମୌସୁମୀବାୟୁ ପ୍ରବାହିତ ହୋଇଗଲାଣି ଏବଂ ଶ୍ରମିକ ଓ ମାଲିକ ମଧ୍ୟରେ କେତେଯେ ତ୍ୟାଗପୂତ ଲଢେଇ, ରକ୍ତକ୍ଷୟୀ ସଂଗ୍ରାମ ହୋଇଯାଇଛି ତାହାର ପଟ୍ଟାନ୍ତର ନାହିଁ । ଆଜି ମଧ୍ୟ ପୁଞ୍ଜିପତିଶ୍ରେଣୀ ଓ ସାମ୍ରାଜ୍ୟବାଦୀ ଶାସନର ଯଜ୍ଞବେଦୀରେ ଲକ୍ଷ ଲକ୍ଷ ଶ୍ରମିକକୃଷକ ଓ ଖଟିଖିଆ ମଣିଷ ବଳିପଡୁଛନ୍ତି । ସେଦିନ ଓ ଆଜି ମଧ୍ୟରେ କେତେ ତଫାତ୍ ? ସମଗ୍ର ବିଶ୍ୱର ପରିସ୍ଥିତି ଦିନକୁ ଦିନ ଜଟିଳ ଆଡକୁ ଗତିକରୁଛି । ଆଜି ଶ୍ରମଜୀବୀଶ୍ରେଣୀ ପ୍ରତିଦିନ ରକ୍ତନଦୀ ବୁହାଇଦେଉଥିଲେ ମଧ୍ୟ ସାମାନ୍ୟତମ ଦାବିପୂରଣ ହେବା ଅସମ୍ଭବ ହୋଇପଡିଛି । ଶ୍ରମିକଶ୍ରେଣୀ ରାଷ୍ଟ୍ରର ଅଧପତନ ହେବା ସଂଗେ ସଂଗେ ମାନବଶକ୍ତି ବଦଳରେ ଦାନବଶକ୍ତି, ଯନ୍ତ୍ରଶକ୍ତିର ବ୍ୟବହାର ବହୁଳ ଭାବେ ଦେଖାଦେଇଛି । ଏବେ ବିଶ୍ୱ ଶ୍ରମିକଶ୍ରେଣୀ ଘୋର ସଂକଟରେ । ଚାରିପଟର ଚିତ୍ରରେ କର୍ଦ୍ଦମାକ୍ତ କଳଙ୍କର କାଳିମା । ନିଜକୁ କମୁ୍ୟନିଷ୍ଟ ବୋଲାଉଥିବା ପୁଞ୍ଜିବାଦୀ, ସାମ୍ରାଜ୍ୟବାଦୀ ଚୀନ୍ ଦେଶ ଲାଭର ଲୋଭରେ ପଡି ସକାଳ ୯ରୁ ରାତି ୯ଟା ୧୨ ଘଂଟା ଶ୍ରମଦିବସ ଆରମ୍ଭ କଲା । ଏବେ ଭାରତ ଚୀନ୍ର ପଦାଙ୍କଅନୁସରଣ କରିବାକୁ ଯାଉଛି । ପୂର୍ବରୁ ସପ୍ତାହରେ ୪୮ ଘଂଟା କାର୍ଯ୍ୟ କରିବାର ନିୟମ ଥିଲେ ବି ବିଦେଶୀ କମ୍ପାନୀ ଚାପରେ ଇଲେକ୍ଟି୍ରକ୍ ଯାନ, ସୋଲାର ପାୱାର ଇକୁ୍ୟପ୍ମେଂଟ ବ୍ୟାପକ ଆବଶ୍ୟକତାକୁ ଆଖିଆଗରେ ରଖି ଭିଏତ୍ନାମ, ଇଣ୍ଡୋନେସିଆ, ଥାଇଲାଣ୍ଡ ସହ ପ୍ରତିଯୋଗିତା କରିବା ଲକ୍ଷ୍ୟରେ ଶ୍ରମିକମାନଙ୍କ ଶକ୍ତି ବାହାରେ କାର୍ଯ୍ୟ କରିବାକୁ ଯାଉଛନ୍ତି । ଏହା ଫଳରେ ମାଲିକମାନେ ଅସଂଗଠିତ ଠିକାଶ୍ରମିକମାନଙ୍କୁ ପାଶବିକ ଶୋଷଣର ଦ୍ୱାରଦେଶକୁ ଠେଲି ଦେଉଛନ୍ତି । ସ୍ଥାୟୀ ଶ୍ରମିକମାନେ ୧୨ ଘଂଟା କାମକରି ଓଭରଟାଇମ୍, ପେଡ୍ ଲିଭ୍, ସିକ୍ ଲିଭ୍ ବେନିଫିଟ୍ ପାଉଥିଲାବେଳେ କୋଟି କୋଟି ଅସଂଗଠିତ ଶ୍ରମିକମାନଙ୍କୁ ଠକିଦେଇ ଲାଭରପାହାଡ ସୃଷ୍ଟିକରିବା ମସୁଧାରେ ଅଛନ୍ତି । ମାଲିକମାନଙ୍କର କମ୍ ଖର୍ଚ୍ଚରେ ଅଧିକ ଉତ୍ପାଦନର ନିଶା ଶ୍ରମିକଶ୍ରେଣୀ ପ୍ରତି ବିପଦ ଡାକିଆଣୁଛି । କର୍ଣ୍ଣାଟକ, ତାମିଲନାଡୁ ପରେ ଭାରତର ଅନ୍ୟ ରାଜ୍ୟକୁ ଏ ରୋଗ ବ୍ୟାପିବ ।
ଆଜି ବି ସାମାଜିକ, ସାଂସ୍କୃତିକ କ୍ଷେତ୍ରରେ ଗତିବିଚୁ୍ୟତି ଘଟିଛି । ସାଂସ୍କୃତିକ ଅବକ୍ଷୟ ଯୋଗୁ ଆମେ ପଛୁଆ ହୋଇଯାଇଛେ । ଆମ ଗତି ଆଗକୁ ନଯାଇ ପଛକୁ ପଛକୁ ଫେରୁଛି । ଏହି ବିଡମ୍ବନା ତାଳରୁ ତଳିପା ପର୍ଯ୍ୟନ୍ତ ଗୋଟିଏ ମାରାତ୍ମକ ସଂକ୍ରାମକ ବ୍ୟାଧି ଭଳି ବ୍ୟାପିଗଲାଣି । ଗୋଟିଏ ଭୟଙ୍କର ଅସାଧୁତାର ସୌଦାଗରୀ ସାମଗ୍ରୀ ପାଲଟିଗଲାଣି ଆମର ଏ ସାଂସ୍କୃତିକ ଜୀବନ । ଆଗକୁ ଚାହିଁଲେ ଆଲୁଅ - ପଛକୁ ଚାହିଁଲେ ଅନ୍ଧାର । ତା’ହେଲେ ଏ ପୃଥିବୀର ଜୀବଜଗତ ରୋଗ ଆଉ ଭୋକରେ କ’ଣ ମରିଯିବେ ? ଭୋକ ଓ ରୋଗ ଏ ଧରଣୀ ବକ୍ଷରୁ ପୋଛିଦେବାକୁ ବିଜ୍ଞାନ ଏଯାବତ୍ ସେଭଳି ପରମାଣୁ ବୋମା ତିଆରିକରିପାରିନି, ଯାହା ଏ ଦୁଇ ଛୋଟ ଅଥଚ ସବୁଠୁ ବଡ ସାଂଘାତିକ ଶଦ୍ଦ ଭୋକ ଓ ରୋଗକୁ ମଣିଷ ଜାତିର ଅଭିଧାନରୁ ମୂଳପୋଛ କରିଦେଇପାରିବ ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩