ସାରି ଦିଅନ୍ତୁନି ମୂଲ୍ୟବୋଧ

ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଗତ ହେବା ଜୀବନରେ ଯିଏ ଆପଣଙ୍କ ମୂଲ୍ୟ ଓ ମହତ୍ତ୍ୱକୁ ବୁଝିପାରେନି, ତାଙ୍କ ପାଇଁ ଆପଣଙ୍କ ମୂଲ୍ୟବୋଧକୁ କାହିଁକି ତଳେ ପକାଇବେନି ସେନେଇ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ଅନ୍ୟ ପ୍ରତି ସହାନୁଭୂତି ପ୍ରଦର୍ଶନ କରିବା ଏକ ମାନବୀୟ ଗୁଣ । ହେଲେ ଏହି ମାନବୀୟ ଗୁଣ ସମସ୍ତଙ୍କ ଠାରେ ଦେଖାଯାଏନାହିଁ । କିଛିଲୋକ ଅତ୍ୟନ୍ତ ସ୍ୱାର୍ଥପର ଏବଂ ନିଜ ସ୍ୱାର୍ଥ ବ୍ୟତୀତ ସେମାନେ ଆଉ କିଛି ଜାଣନ୍ତି ନାହିଁ । ଏଭଳି ବ୍ୟକ୍ତିମାନଙ୍କ ପ୍ରତି କୌଣସି ପ୍ରକାରର ସହାନୁଭୂତି ପ୍ରଦର୍ଶନ କରିବା ଅନୁଚିତ୍ । କାରଣ ଏମାନେ ନିଜ ସ୍ୱାର୍ଥ ପାଇଁ ଅନ୍ୟମାନଙ୍କର ଯେକୌଣସି ଧରଣର କ୍ଷତି କରି ଦେଇପାରନ୍ତି । ଅନ୍ୟମାନଙ୍କର କ୍ଷତିକୁ ନିର୍ବିଚାରରେ ଉପଭୋଗ ମଧ୍ୟ କରିପାରନ୍ତି । ଆଖି ଆଗରେ ଅନ୍ୟର  କ୍ଷତି ଘଟି ଯାଉଥିଲେ ମଧ୍ୟ ଏଥିରେ ଆଦୌ ବିଚଳିତ ହୁଅନ୍ତି ନାହିଁ । 
ଜୀବନରେ ଏ ପ୍ରକାରର ଲୋକଙ୍କ ପାଇଁ କୌଣସି ବି ସହାନୁଭୂତି ରଖିବା ଅନୁଚିତ୍ । ଏମାନେ ଭୟଙ୍କର ବିଷଧର ସର୍ପତୁଲ୍ୟ ବିନା କାରଣରେ ଅନ୍ୟର ଅନିଷ୍ଟ କରିପାରନ୍ତି । ଏ ପ୍ରକାରର ବ୍ୟକ୍ତିମାନଙ୍କୁ ଚରିତ୍ରଗତ ପରିବର୍ତ୍ତନ ପାଇଁ ସୁଯୋଗ ଦିଆଯିବା ସହିତ ସେମାନଙ୍କର ଆଚରଣର ପରିବର୍ତ୍ତନ ନିମିତ୍ତ ଅସହଯୋଗ ହିଁ ଏକମାତ୍ର ଅସ୍ତ୍ର । ଏଭଳି ବ୍ୟକ୍ତିମାନଙ୍କ ଠାରୁ ଦୂରେଇ ରହିବା ଉଚିତ୍ ଏବଂ ସେମାନଙ୍କର ବ୍ୟକ୍ତିଗତ କୌଣସି ବି ବ୍ୟାପାରରେ ଏଭଳି ବ୍ୟକ୍ତିମାନେ ଅନ୍ୟ ଠାରୁ ସାହାଯ୍ୟ  ପାଇବାର ଯୋଗ୍ୟ ନୁହଁନ୍ତି । କାରଣ ଏ ପ୍ରକାରର ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିଲେ ମଧ୍ୟ ସେମାନେ ପ୍ରତିଦାନରେ କୃତଜ୍ଞତା ପ୍ରକାଶ କରିବା ପରିବର୍ତ୍ତେ ନିଜର ପ୍ରବୃତ୍ତିବଶତଃ ଅନ୍ୟର କ୍ଷତି ମଧ୍ୟ କରନ୍ତି । ମୁହଁରେ ମଧୁର ବଚନ କହି ଆପଣଙ୍କ ମୂଲ୍ୟ ଓ ମହତ୍ତ୍ୱ ନବୁଝି ପଛ ହେବା ମାତ୍ରକେ ଅନିଷ୍ଠ ଘଟାନ୍ତି । ତେଣୁ ଯିଏ ଆପଣଙ୍କ ମହତ୍ତ୍ୱ ତଥା ମୂଲ୍ୟ ବୁଝିପାରେନି, ତା' ପାଇଁ ନିଜର ଆତ୍ମ ସମ୍ମାନବୋଧକୁ ଜଳାଞ୍ଜଳି ଦେବାର କୌଣସି ଯଥାର୍ଥତା ନାହିଁ । ଏହା ପରୋକ୍ଷରେ ନିଜ ପାଇଁ ଘାତକ ସାବ୍ୟସ୍ତ ହେବାର ସମ୍ଭାବନା ଆଣି ଦେଇଥାଏ । 
ଯିଏ ଆପଣଙ୍କ ମୂଲ୍ୟ ଓ ମହତ୍ତ୍ୱକୁ ବୁଝିପାରେନି, ତା' ପାଇଁ ଆପଣଙ୍କ ଆତ୍ମ ସ୍ୱାଭିମାନକୁ କେବେ ଜଳାଞ୍ଜଳି ଦେଇ ପକାନ୍ତୁନି । 
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।