ନୀରବତାର ଶିକ୍ଷା

ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ ।' ‘ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ଆମକୁ ନୀରବତାର ଶିକ୍ଷା କେମିତି ଗ୍ରହଣ କରିବାକୁ ହେବ ? ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।

ମଣିଷ ତାର ସାମାଜିକ ଜୀବନରେ ଅନେକ କିଛି ଗୁଣ ହାସଲ କରିଛି  । ତାଆରି ଭିତରୁ ନିଜର ଭାବ ବିନିମୟ କରିବା ଉଦେ୍ଦଶ୍ୟରେ କଥାବାର୍ତ୍ତା ହେଉଛି ଏକ ଗୁଣ  ।
ଜଣେ ଯେତେ ଚାହିଁଲେ ବି ତୁନି ପଡି ମୁହଁ ବନ୍ଦ କରି ରହିପାରିବ ନାହିଁ  । ଜଣେ ଯେତେ ଚେଷ୍ଟା କରିଲେ ସୁଦ୍ଦା ବି ନୀରବ ରହିପାରିବ ନାହିଁ  । କେମିତି ନା କେମିତି ମଣିଷ କଥା କହିବାକୁ ମୁହଁ ଫିଟାଏ  । ଯଦି ପଶୁଙ୍କ ଭଳି ମଣିଷ ମୂକ ହେଇଥାଆନ୍ତା ବା ତୁଣ୍ଡ ଫିଟୁନଥାନ୍ତା, ତା'ହେଲେ ମଣିଷ ଆଉ ମଣିଷ ହେଇକି ନଥାନ୍ତା  ।
ସେହିପରି ଆଶା ହେଉଛି ମଣିଷର ଆଉ ଏକ ଗୁଣ  । ବ୍ୟକ୍ତିଗତ ଭାବରେ କେହି ହୁଏତ ମୁହଁ ବନ୍ଦ କରି କିଛିି କାଳ ପାଇଁ ନୀରବ ରହିଯାଇପାରେ କିମ୍ବା କୌଣସି ଘଟଣାରେ ଜୀବନ ସାରା ମଧ୍ୟ ନୀରବ ରହିଯାଇପାରେ  । ଏହା ଏକ ବ୍ୟକ୍ତିଗତ ଘଟଣା  । କିନ୍ତୁ ସାମାଜିକ ଜୀବନରେ କଥା ନକହି ଚଳିବା ସମ୍ଭବ ନୁହେଁ  । କଥା କହିବା ଯେପରି ଏକ ଭାବ ବିନିମୟ, ସେହିପରି କଥା ନ କହିବା ମଧ୍ୟ ଏକ ଭାବ ବିନିମୟ  ।
ଜଣେ ଅନ୍ୟମାନଙ୍କ ସହ କଥା ହେଉଛି କିନ୍ତୁ ନିର୍ଦ୍ଦିଷ୍ଟ ଭାବେ ଜଣଙ୍କ ସହ କଥା ହେଉନାହିଁ  । ତାହା ମଧ୍ୟ ଏକ ପ୍ରକାରର ଭାବ ବିନିମୟ  । କଥା ନ କହିବା ଦ୍ୱାରା ସେ ସୂଚାଇ ଦେଉଛିି ଯେ ସେହି ବ୍ୟକ୍ତି ସହିତ କୌଣସି ସାମାଜିକ ସମ୍ପର୍କ ରକ୍ଷା କରିବା ପାଇଁ ଅନିଚ୍ଛିକ  । କେବଳ ସେତିକି ନୁହେଁ କଥା ମଧ୍ୟ ବ୍ୟକ୍ତିର ମାନସିକ ସ୍ଥିତି, ଶିକ୍ଷା, ସଂସ୍କୃତି, ସଭ୍ୟତା ଏପରିକି ଜୀବନଶୈଳୀ ସମ୍ପର୍କରେ ମଧ୍ୟ ଅନେକ କିଛି ସୂଚନା ଦିଏ  । ଉଦେ୍ଦଶ୍ୟମୂଳକ ନୀରବତା ହେଉଛି ଏକ ସାଧନା  । କଥା କହିବା ଏକ ସାମାଜିକ ପ୍ରବୃତ୍ତି  । କିନ୍ତୁ ସଂଯତ ଭାବରେ କଥା କହିବା କିମ୍ବା ନୀରବତାକୁ ଜୀବନର ଏକ ବ୍ରତ ଭାବରେ ଗ୍ରହଣ କରିବା ଅତ୍ୟନ୍ତ କଷ୍ଟକର  ।
ଆମ ଚାରିପଟେ ଥିବା ଦୃଶ୍ୟମାନ ପ୍ରକୃତି କୌଣସି ଭାଷା ନକହି ମଧ୍ୟ ନୀରବତା ମାଧ୍ୟମରେ ଅନେକ କିଛି ଆମକୁ କହେ  । ଅନାବଶ୍ୟକ ଭାବରେ ଅଧିକ କଥା କହିବା ଅପେକ୍ଷା ପ୍ରକୃତି ଠାରୁ ଏହି ନୀରବତାକୁ ଶିକ୍ଷା କରିବା ଉଚିତ୍  ।

ପଢିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ ‘ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।