କ୍ଷୁଦ୍ରଦେଶ ପରିପ୍ରେକ୍ଷୀରେ ଭାରତୀୟ ଆଭିମୁଖ୍ୟ   

ଡ. ସମନ୍ୱୟ ନନ୍ଦ  : ୨୦୧୪ ମସିହା ପରେ ଭାରତର ବୈଦେଶିକ ନୀତିରେ ନିଶ୍ଚିତ ଭାବେ ବ୍ୟାପକ ପରିବର୍ତନ ଆସିଛି । ୨୦୧୪ ପୂର୍ବରୁ ଭାରତର ଆନ୍ତର୍ଜାତିକ ରାଜନୀତିରେ ଯେଉଁ ପ୍ରଭାବ ଥିଲା ଆଜି ଯେତେବେଳେ ଆମେ ୨୦୨୪ ମସିହାରେ ତାକୁ ବିଶ୍ଲେଷଣ କରିବା ତେବେ ପାଇବା ଯେ ଆଜି ଭାରତର ଭୂମିକା ବୈଶ୍ୱିକ ସ୍ତରରେ ଖୁବ ପ୍ରଭାବୀ ହୋଇଛି  । ଭାରତର ପ୍ରଭାବ ବଢିଛି  । ଯେହେତୁ ଭାରତର ପ୍ରଭାବ ବଢିଛି ତେଣୁ ଯେଉଁ ଦେଶ ମାନେ ଭାରତର ପ୍ରଭାବ ବଢୁ ତାହା ଚାହୁଁ ନାହାନ୍ତି ସେମାନଙ୍କୁ କଷ୍ଟ ହେବା ସ୍ୱାଭବିକ  । ଏହି କଷ୍ଟ କାରଣରୁ ଭାରତ ବିରୁଦ୍ଧରେ ଆନ୍ତର୍ଜାତିକ ଷଡଯନ୍ତ୍ର ମଧ୍ୟ ଦେଖିବାକୁ ମିଳୁଛି  । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ  ।  ୨୦୧୪ ମସିହା ପର ଠାରୁ ନରେନ୍ଦ୍ର ମୋଦୀ ଦେଶର ଶାସନ ଭାର ସମ୍ଭାଳିବା ପରେ ଭାରତର ବୈଦେଶିକ ନୀତିରେ ଏକ ବଡ ନୀତିଗତ ପରିବର୍ତ୍ତନ ସ୍ପଷ୍ଟ ଦେଖା ଯାଉଛି  । ପୂର୍ବ ଅର୍ଥାତ ୨୦୧୪ ମସିହା ପୂର୍ବର ଭାରତ କେବଳ ବଡ ବଡ ଶକ୍ତି ମାନଙ୍କ ସହ ସମ୍ପର୍କ ପାଇଁ ଚେଷ୍ଟିତ ଥିଲା  । ହେଲେ ୨୦୧୪ ମସିହା ପର ଠାରୁ ମୋଦୀ ସରକାର ବିଶ୍ୱର ବଡ ବଡ ଶକ୍ତି ମାନଙ୍କ ସହ ସମ୍ପର୍କ ସୁଧାରିବାକୁ ଚେଷ୍ଟା କରିବା ସହ ଛୋଟ ଛୋଟ ଦେଶ ମାନଙ୍କ ସମ୍ପର୍କକୁ ମଜବୁତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି  । ଏହାର ନେତୃତ୍ୱ ପ୍ରଧାନମନ୍ତ୍ରୀ  ନିଜେ ନେଉଛନ୍ତି  । ଛୋଟ ଛୋଟ ଦେଶ ଗୁଡିକୁ ଯାହାକୁ ପୂର୍ବର ସରକାର ମାନେ ସେତେଟା ଗୁରୁତ୍ୱ ଦେଉ ନ ଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ୟକ୍ତିଗତ ଭାବେ ଗସ୍ତ କରୁଛନ୍ତି ଓ ସେମାନଙ୍କର ସହ ସମ୍ପର୍କକୁ ପ୍ରଗାଢ କରୁଛନ୍ତି  । 
ସବୁଠାରୁ ବଡ କଥା ହେଲା ଯେ ଏହି ଛୋଟ ଛୋଟ ଦେଶ ମାନଙ୍କୁ ବୈଶ୍ୱିକ ରାଜନୀତିରେ କେହି ପଚାରନ୍ତି ନାହିଁ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦେଶ ମାନଙ୍କ ସହ ଭାରତର ଭାଗିଦାରୀ ପାଇଁ ପ୍ରସ୍ତାବ ଦେଉଛନ୍ତି  । କେବଳ ଆର୍ଥôକ କ୍ଷେତ୍ରରେ କାହିଁକି ଭାରତ ବୈଜ୍ଞାନିକ, ଚିକିତ୍ସା ଓ ପ୍ରଶାସନିକ କ୍ଷେତ୍ରରେ ଯେଉଁ ଉପଲବ୍ଧି ହାସଲ କରିଛି ତାକୁ ଏହି ଛୋଟ ଛୋଟ ଦେଶ ସହ ଭାଗ କରି ତାଙ୍କର ଜୀବନ ଧାରଣର ମାନକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି  । ବାଣିଜ୍ୟ ସହ ଶିକ୍ଷା, ବିଜ୍ଞାନ, ଟେକ୍ନୋଲଜୀ, ସ୍ୱାସ୍ଥ୍ୟ ଓ ସାଂସ୍କୃତିକ ସମ୍ପର୍କ ଭଳି ବିଷୟ ଗୁଡିକରେ ଛୋଟ ଛୋଟ ଦେଶ ଗୁଡିକ ସହ ସହଯୋଗ ପାଇଁ ସେ ପ୍ରସ୍ତାବ ଦେଉଛନ୍ତି  । ଭାରତର ପଡୋଶୀ ଦେଶ ଶ୍ରୀଲଙ୍କା ହେଉ ବା ମରିସସ ହେଉ ଅଥବା ଫିଜି ହେଉ କିମ୍ବା ପଶ୍ଚିମ ଭାରତୀୟ ଦ୍ୱୀପପୁଂଜର ବିଭିନ୍ନ ଦେଶ ହୁଅନ୍ତୁ ବା ପାପୁଆ ନିଉ ଗିନି କୁ ପ୍ରଧାନମନ୍ତ୍ରୀ ନିଜେ ଗସ୍ତ କରିଛନ୍ତି ଓ ଏହି ଦେଶ ଗୁଡିକର ସହ ଭାରତର ନିବିଡତା ବଢିଛି  । ପ୍ରଧାନମନ୍ତ୍ରୀ  ଭାରତ ମହାସାଗରରେ ଥିବା ଛୋଟ ଦେଶ ସେସେଲ୍ସ ଦ୍ୱୀପପୁଂଜ, ଆଫ୍ରିକାର ତାଂଜାନିଆ, ମୋଜାମ୍ବିକ, ରୁଆଂଡା ଭଳି ଦେଶ ମାନଙ୍କୁ ନିଜେ ଗସ୍ତ କରୁଛନ୍ତି  ।  ମୋଦୀ ସରକାର ଏହି ଦେଶ ମାନଙ୍କ ସହ ସମ୍ପର୍କକୁ ଦୃଢ କରିବାକୁ ପ୍ରଚେଷ୍ଟା ବେଳେ ଭାରତର ସଫ୍ଟ ପାୱାରର ସର୍ବାଧିକ ବ୍ୟବହାର କରୁଛି  । ସାଂସ୍କୃତିକ ଆଦାନ ପ୍ରଦାନ, ମାନବାଧିକାର, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ପ୍ରସଙ୍ଗ ସହ ଭାରତ ସେମାନଙ୍କ ସହ ସମ୍ପର୍କକୁ ପ୍ରଗାଢ କରୁଛି  । ଏହି ଦେଶ ମାନଙ୍କରେ ଭାରତ ଶିକ୍ଷା, ଚିକିତ୍ସା ଓ ବିକାଶ କ୍ଷେତ୍ରରେ ସହଯୋଗ ମଧ୍ୟ କରୁଛି  । ଭାରତ ତାର ଅଭିଜ୍ଞତାକୁ ଏହି ଦେଶ ମାନଙ୍କ ସହ ଶେୟାର କରି ସେମାନଙ୍କୁ ମଧ୍ୟ ଆଗକୁ ବଢିବାକୁ ସୁଯୋଗ ପ୍ରଦାନ କରୁଛି  ।  ମୋଦୀ ସରକାର ଏହି ଛୋଟ ଛୋଟ ଦେଶ ମାନଙ୍କ ସହ ନିଜର ବାଣିଜ୍ୟିକ ସମ୍ପର୍କକୁ ଭଲ କରିବାକୁ ଅନେକ ଯୋଜନା ମଧ୍ୟ କରିଛି  । ଯଦି ଆମେ ଉଦାହରଣ ଭାବେ ନେବା ତେବେ ଏହି ଦେଶ ମାନଙ୍କୁ ଶସ୍ତା କ୍ରେଡିଟ, ପୁଂଜି ବିନିଯୋଗ ଓ ବାଣିଜ୍ୟିକ ସହଯୋଗ ପାଇଁ ଭାରତ ଅନେକ ଚୁକ୍ତି ମଧ୍ୟ କରିଛି  । ଏହି ସହଯୋଗ ଦ୍ୱାରା ଭାରତକୁ ଆର୍ଥôକ ଓ ସାଂସ୍କୃତିକ କ୍ଷେତ୍ରରେ ହିଁ ଲାଭ ମିଳୁ ନାହିଁ ବରଂ ସାମରିକ କ୍ଷେତ୍ରରେ ମଧ୍ୟ ଲାଭ ମିଳିବା ଆରମ୍ଭ ହୋଇଛି  । ଭାରତ ମହାସାଗର ଅଂଚଳର ଏହି ଦେଶ ଗୁଡିକ ରଣନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ହୋଇଥିବା କାରଣରୁ ଭାରତର ପ୍ରଭାବ ଏହି ଦେଶ ମାନଙ୍କ ଉପରେ ବଢୁଛି ଓ ଏହା ସାମରିକ ଦୃଷ୍ଟିକୋଣରୁ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ବୋଲି ବିଶେଷଜ୍ଞ ମାନେ ମନେ କରୁଛନ୍ତି  । 
ଭାରତ ଏହି ଦେଶ ମାନଙ୍କରେ ଭିତ୍ତିଭୂମିର ବିକାଶ ଓ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରୁଛି  । ଏଥିରେ ରାସ୍ତା, ପୋଲ, ସ୍କୁଲ ଓ ହସପିଟାଲ ନିର୍ମାଣ ସହ ବିଦ୍ୟୁତ ଓ ଜଳ ଯୋଗାଣ ପ୍ରକଳ୍ପ ପରି ଅନ୍ୟ ପ୍ରକଳ୍ପ ସାମିଲ ରହିଛି  । ଏହା ସହ ଭାରତ ନିଜର ଟେକ୍ନୋଲଜି ଓ ଡିଜିଟାଲ ଶିକ୍ଷା କ୍ଷେତ୍ରରେ ମଧ୍ୟ ଛୋଟ ଛୋଟ ଦେଶ ମାନଙ୍କୁ ସହଯୋଗ କରୁଛି । ସବୁଠାରୁ ବଡ କଥା ହେଲା ଯେ ଛୋଟ ଦେଶ ମାନଙ୍କ ସହ ସହଯୋଗ ବେଳେ ଭାରତର ବ୍ୟବହାର ଚୀନ ଭଳି ନାହିଁ । ଚୀନ ସହଯୋଗ କରିବା ନାମରେ ଛୋଟ ଛୋଟ ଦେଶ ମାନଙ୍କୁ କିଭଳି ଋଣ ଜାଲରେ ଫାନ୍ଦି ଥାଏ ତାହା ଏହି ଛୋଟ ଦେଶ ମାନେ ପୂର୍ବରୁ ଦେଖି ସାରିଛନ୍ତି  । 
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଦେଶ ନୀତିକୁ ବିଶ୍ଲେଷଣ କଲେ ସ୍ପଷ୍ଟ ହେଉଛି ଯେ ଏହ ଦ୍ୱାରା ବୈଶ୍ୱିକ ସ୍ତରରେ ଭାରତର ଭାବମୂର୍ତ୍ତିକୁ କେବଳ ଯେ ଶକ୍ତିଶାଳୀ କରୁଛି ତାହା ନୁହେଁ ବରଂ ଏହି ଛୋଟ ଦେଶ ମାନଙ୍କର ପାଇଁ ଏକ ସ୍ଥିର ଓ ବିଶ୍ୱସନୀୟ ସହଯୋଗୀ ଦେଶ ଭାବେ ମଧ୍ୟ ଠିଆ ହେଉଛି  । ଏହି ଛୋଟ ଦେଶ ମାନଙ୍କୁ ମଧ୍ୟ ଅନୁଭବ ହେଉଛି ଯେ ଭାରତ ବିଶ୍ୱର ଅନ୍ୟ ବଡ ଶକ୍ତି ମାନଙ୍କ ପରି ଅବିଶ୍ୱସନୀୟ ହୁଏ  । ଭାରତ ଏକ ବିଶ୍ୱାସଯୋଗ୍ୟ ସହଯୋଗୀ ଦେଶ  ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବସୁଧୈବ କୁଟୁମ୍ବକମର ଭାରତୀୟ ମନୀଷୀମାନଙ୍କର ନୀତିକୁ ନେଇ କାର୍ଯ୍ୟ କରୁଛନ୍ତି  । ସାରା ବିଶ୍ୱର କଲ୍ୟାଣର ଭାବନା ନେଇ ଭାରତ ସରକାର ଚେଷ୍ଟିତ ଅଛନ୍ତି  । ତେଣୁ ଏହାର ଲାଭ ଯେ କେବଳ ଏହି ଛୋଟ ଦେଶ ମାନଙ୍କୁ ମିଳୁଛି ତା ନୁହେଁ ଏହାର ଲାଭ ଭାରତକୁ ମଧ୍ୟ ମିଳିବା ଆରମ୍ଭ ହୋଇଛି  । ଭାରତ ଏପରି କରି ଏହି ଛୋଟ ଦେଶ ମାନଙ୍କସହ ସାମରିକ ସମ୍ପର୍କକୁ ମଧ୍ୟ ଦୃଢ କରି ପାରିଛି, ଯାହା ଭବିଷ୍ୟତରେ ଭାରତର ରଣନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ  । ବିଶେଷ ଭାବରେ ଭାରତ ମହାସାଗର କ୍ଷେତ୍ରରେ ସାମୁଦ୍ରିକ ସୁରକ୍ଷା, ଆତଙ୍କବାଦ ବିରୋଧୀ ସହଯୋଗ କ୍ଷେତ୍ରରେ ଭାରତକୁ ବିଶେଷ ଲାଭ ମିଳିବାକୁ ଯାଉଛି  । ଭାରତ ମଧ୍ୟ ଏହି ଦେଶ ମାନଙ୍କୁ ଆଶ୍ୱସ୍ତ କରୁଛି ଯେ ସେମାନେ ଏହି ପ୍ରସଙ୍ଗରେ ଭାରତ ସହ ଠିଆ ହେଲେ ଭାରତ ମଧ୍ୟ ସେମାନଙ୍କର ସୁରକ୍ଷା ଓ ବାହ୍ୟ ବିପଦରୁ ରକ୍ଷା କରିବାରେ ସହଯୋଗ ପ୍ରଦାନ କରିବ  । 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଦେଶିକ ନୀତିରେ ଏହି ଛୋଟ ଛୋଟ ଦେଶ ମାନଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ଦ୍ୱାରା ଏହି ଦେଶ ମାନଙ୍କରେ ଚୀନର ପ୍ରଭାବକୁ ମଧ୍ୟ କମ କରାଯାଇ ପାରିଛି  । କାରଣ ଚୀନ ନିଜର ବେଲ୍ଟ ଏଣ୍ଡ ରୋଡ ଇନିସିଏଟିଭ ଜରିଆରେ ଏହି ଛୋଟ ଛୋଟ ଦେଶ ମାନଙ୍କରେ ପୁଂଜି ବିନିଯୋଗ କରିଛି  । ଭାରତ ଏହି ଦେଶ ମାନଙ୍କ ସହ ସମ୍ପର୍କକୁ ଦୃଢ କରି ଏହା ସୁନିଶ୍ଚିତ କରିଛି ଯେ ଏହି ଦେଶ ମାନେ କେବଳ ଚୀନ ଉପରେ ନିର୍ଭର ନ କରନ୍ତୁ  । ଭାରତ ସେମାନଙ୍କୁ ବିକଳ୍ପ ମଧ୍ୟ ପ୍ରଦାନ କରିଛି  । ଏହି ଦେଶ ମାନଙ୍କୁ ଭାରତ ବାର୍ତ୍ତା ଦେବାରେ ସଫଳ ହୋଇଛି ଯେ ଚୀନ ସହ ସେମାନଙ୍କ ସମ୍ପର୍କରେ ଅସନ୍ତୁଳନ ରହିଛି ହେଲେ ଭାରତ ସହ ସେମାନଙ୍କର ସମ୍ପର୍କ ଏକ ସ୍ଥିର ସନ୍ତୁଳିତ ହୋଇ ପାରିବ  । 
ଯେଉଁ ଦେଶ ମାନଙ୍କର ଆନ୍ତର୍ଜାତିକ ରାଜନୀତିରେ କୌଣସି ବିଶେଷ ଭୂମିକା ନ ଥିଲା ଓ କେବଳ ତାଙ୍କ ଦେଶର ସମ୍ବଳ ଗୁଡିକୁ ବିଶ୍ୱର ବଡ ବଡ ଶକ୍ତି ମାନେ ବ୍ୟବହାର କରୁଥିଲେ ସେହି ଦେଶ ଗୁଡିକ ନିକଟରେ ଭାରତ ବସୁଧୈବ କୁଟୁମ୍ବକମ ନୀତି ଆଧାରରେ ପହଂଚିଛି  । ଏହି ଦେଶ ମାନଙ୍କର ସ୍ୱର କେହି ଶୁଣୁ ନ ଥିଲେ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଏବେ ଏହି ଛୋଟ ଛୋଟ ଦେଶ ମାନଙ୍କର ସ୍ୱର ହେବା ଦିଗରେ କାର୍ଯ୍ୟ କରୁଛନ୍ତି  । ୨୦୧୪ ମସିହା ପର ଠାରୁ ଭାରତର ବୈଦେଶିକ ନୀତିରେ ଏହା ଏକ ବଡ ନୀତିଗତ ପରିବର୍ତ୍ତନ  ।
                                                             ଭୁବନେଶ୍ୱର