ବିପଦରେ କୌଳିକ ବୃତ୍ତି
ବର୍ତ୍ତମାନ ଅନେକ ପ୍ରକାରର କୁଟୀର ଶିଳ୍ପ ଏବଂ କୌଳିକ ବୃତ୍ତି ଯନ୍ତ୍ର ସଭ୍ୟତାର କୁପରିଣାମ ଭୋଗୁଛନ୍ତିି । ହୁଏତ ଆଉ ଅଳ୍ପ କିଛି ଦିନ ମଧ୍ୟରେ ଅନେକ ପ୍ରକାରର ହସ୍ତଶିଳ୍ପ କୌଳିକ ବୃତ୍ତି ଭାବରେ କରୁଥିବା ଲୋକେ ସେହିସବୁ କାର୍ଯ୍ୟରୁ ଓହରିଯିବେ । ସେମାନେ ଘୋର ଆର୍ଥôକ ସଙ୍କଟର ସମ୍ମୁଖୀନ ହେବେ । ରୋଜଗାର ହରାଇ ବସିବେ ଏବଂ କୃତି୍ରମ ବୁଦ୍ଧିମତ୍ତାର ଯୁଗରେ ସେମାନେ ବଞ୍ଚିବା ପାଇଁ ସଂଘର୍ଷ କରି ହାରିଗଲେ ମୃତୁ୍ୟ ବ୍ୟତୀତ ଆଉ କିଛି ରାସ୍ତା ସେମାନଙ୍କ ନିକଟରେ ନାହିଁ । ଘରର ଦୈନନ୍ଦିନ କାର୍ଯ୍ୟରେ ଲାଗୁଥିବା ଛୋଟମୋଟ ପଦାର୍ଥ ଅନେକ ବ୍ୟକ୍ତି କୌଳିକ ବୃତ୍ତି ଭାବରେ ଉତ୍ପାଦନ କରିଥାନ୍ତି । ଖଜୁରୀ ବାହୁଙ୍ଗାରୁ ଛାଞ୍ଚୁଣି, ବାଉଁଶରୁ କୁଲା, ପାଛିଆ ଭଳି ଅନେକ ପ୍ରକାରର ପ୍ରତିଦିନ ଆବଶ୍ୟକ ପଡୁଥିବା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ବର୍ତ୍ତମାନ ଆଉ ଚାହିଦା ନାହିଁ । ରାସ୍ତାକଡ଼ରେ ତାଳପତ୍ର ବିଞ୍ଚଣା, ଖଜୁରୀ ପାଲର ଛାଞ୍ଚୁଣୀ, ଆସନ, ବାଉଁଶ ପାଛିଆ, କୃଷକମାନେ ମୁଣ୍ଡରେ ଟୋପି ଭଳି ବ୍ୟବହାର କରୁଥିବା ତଲାର ଆଦି ଅନେକ ଜିନିଷ ବୃତ୍ତିଗତ ଭାବରେ ଉପାôଦନକାରୀମାନେ ଆଉ ବିକ୍ରି କରିପାରୁନାହାନ୍ତି । ଏହିସବୁ ପଦାର୍ଥ ଗୁଡ଼ିକୁ ପ୍ଲାଷ୍ଟିକ୍ ବଜାରରୁ ହଟେଇ ଦେଇ ଘର ଓଳେଇବା ପାଇଁ ବିଭିନ୍ନ ପ୍ରକାରର ପ୍ଲାଷ୍ଟିକ୍ ପଦାର୍ଥ, ଭ୍ୟାକୁମ୍କ୍ଲିନର୍ ଆଦି ମିଳିଲାଣି । ସେସବୁର ବ୍ୟବହାର ସହଜ ମଧ୍ୟ । ଛାଞ୍ଚୁଣୀରେ ଘର ଓଳେଇଲେ ନଇଁବାକୁ ପଡ଼େ ଏବଂ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ । ତାହା ସ୍ଥାନରେ ଭ୍ୟାକୁମ୍କ୍ଲିନର୍ ଅଳ୍ପ ପରିଶ୍ରମରେ ଘରସଫା କରିପାରୁଛି । ପାଣି ରଖିବା ପାଇଁ ବିଭିନ୍ନ ଜଳପାତ୍ର କଂସା, ପିତ୍ତଳ ଆଦି ଧାତୁରେ ତିଆରି ହେଉଥିଲା । ବର୍ତ୍ତମାନ ଏହିସବୁ ପଦାର୍ଥ ପ୍ଲାଷ୍ଟିକ୍ରେ ତିଆରି ହୋଇ ବଜାରରେ ବିକ୍ରୀ ହେଲାଣି । ଏ ଗୁଡ଼ିକ ହାଲୁକା, ଦେଖିବାକୁ ସୁନ୍ଦର ଏବଂ ସହରୀ ଜୀବନର ଚାକଚକ୍ୟର ପରିଚାୟକ । ତେଣୁ ପ୍ରାୟ ଶତାଧିକ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ କୌଳିକ ଭାବରେ ଉତ୍ପାଦନ କରୁଥିବା ଲୋକମାନେ ଆଉ ଘରମାନଙ୍କରେ ଦେଖିବାକୁ ମିଳୁନାହିଁ । ମସଲା, ବିରି ଆଦି ବାଟିବା ପାଇଁ ପଥରର ଶୀଳ ନାହିଁ । ତାହାର ସ୍ଥାନ ମାଡ଼ି ବସିଲାଣି ଗ୍ରାଇଣ୍ଡର୍ ।
ପାରମ୍ପରିକ ଏବଂ କୌଳିକ ବୃତ୍ତି ଭାବରେ ଉତ୍ପାଦିତ ହେଉଥିବା ଘରକରଣା ପଦାର୍ଥ ଗୁଡ଼ିକ ଆମର ଜୀବନଶୈଳୀ ସହିତ ସଂପୃକ୍ତ ଥିଲା । ଏ ଗୁଡିକର ବ୍ୟବହାରରେ ଶାରୀରିକ ବ୍ୟାୟାମ ମଧ୍ୟ ହେଉଥିଲା । କିନ୍ତୁ ତାହା ସ୍ଥାନକୁ ଯନ୍ତ୍ର ସଭ୍ୟତାର କୃତ୍ରିମ ପଦାର୍ଥ ମାଡ଼ି ବସିବା ଫଳରେ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ଘଟିଛି । ମସଲା, ହଳଦୀ, ବିରି ଆଦି ବାଟିବା ପାଇଁ ପଥର ଶୀଳର ବ୍ୟବହାର ଫଳରେ ଏକ ଶାରୀରିକ ଶ୍ରମ ହେଉଥିଲା ଏବଂ ଅନାବଶ୍ୟକ ମୋଟାପଣ ବା ଚର୍ବିରୁ ରକ୍ଷା ମିଳୁଥିଲା । କିନ୍ତୁ ବର୍ତ୍ତମାନ ଗ୍ରାଇଣ୍ଡର୍ ବ୍ୟବହାର ଫଳରେ ଆଉ ପରିଶ୍ରମ କରିବାକୁ ପଡ଼ିଲା ନାହିଁ । ପରିଶ୍ରମ ଅଭାବରୁ ଏବଂ ଜୀବନଶୈଳୀର ପରିବର୍ତ୍ତନରୁ ଅନେକ ପ୍ରକାରର ରୋଗ ମଧ୍ୟ ଲୋକଙ୍କୁ ମାଡ଼ି ବସୁଛି ।
ଏଣେ ଏସବୁର ଉତ୍ପାଦକମାନେ ଅର୍ଥାଭାବଜନିତ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ପାଇଁ ଆଉ କୌଣସି ପ୍ରକାରର ବିକଳ୍ପ ବ୍ୟବସ୍ଥା ମଧ୍ୟ ନାହିଁ । ଓଡ଼ିଶା ବାହାରକୁ ଦାଦନ ଶ୍ରମିକ ଭାବରେ ଯାଉଥିବା ଅଧିକାଂଶ ଶ୍ରମିକ ହେଉଛନ୍ତି ବିଭିନ୍ନ ପ୍ରକାରର କୌଳିକ ବୃତ୍ତିରେ ପୁରୁଷ ପୁରୁଷ ଧରିଜୀବିକା ନିର୍ବାହ କରିଆସୁଥିବା ଗୋଷ୍ଠୀର ଲୋକେ । ସେମାନେ ବର୍ତ୍ତମାନ ନିଜର ଜୀବିକା ହରାଇବା ସହିତ ସାଧାରଣ ସ୍ୱାସ୍ଥ୍ୟ ଉପରେ ମଧ୍ୟ କୁପ୍ରଭାବ ପଡୁଥିବା ବୈଦୁ୍ୟତିକ ଯନ୍ତ୍ରପାତିକୁ ନିଜ ଘରେ ବ୍ୟବହାର କରିବାକୁ ବାଧ୍ୟ ହେଲେଣି । ନିତ୍ୟ ବ୍ୟବହାର୍ଯ୍ୟ ଘରକରଣା ଜିନିଷ, ଚାଚ ଉପକରଣ ପଦାର୍ଥ ଆଦି ଚାଷ ଭାଙ୍ଗିଯିବା ଯୋଗୁଁ ମଧ୍ୟ ଆବଶ୍ୟକ ହେଉନାହିଁ । ଏହାର ବିକଳ୍ପ ଭାବରେ କୌଳିକ ବୃତ୍ତିରେ ଚଳୁଥିବା ଲୋକମାନଙ୍କ ପାଇଁ ରୋଜଗାରର କୌଣସି ଉତ୍ସ ଦିଆନଗଲେ ଭବିଷ୍ୟତରେ ଏହାର ବିକଳ୍ପ ବ୍ୟବହାର କରୁଥିବା ଲୋକେ ଯେଭଳି ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବେ ଏହାର ଉତ୍ପାଦନ କରୁଥିବା ଲୋକମାନେ ମଧ୍ୟ ସେହିପରି ଆର୍ଥôକ ସଙ୍କଟର ସମ୍ମୁଖୀନ ହେବେ ।