ନିର୍ବାଚନୀ ଇସ୍ତାହାର, ଅଂଶୁଘାତ ଓ ମଦ କଟକଣା

ନିର୍ବାଚନୀ ଇସ୍ତାହାର, ଅଂଶୁଘାତ ଓ ମଦ କଟକଣା

ଦେଶରେ ବିଭିନ୍ନ ସମୟରେ ନିର୍ବାଚନ ସମୟରେ ଟଙ୍କା ଜବତ ହୋଇଥାଏ ଏବଂ ମଦ ମଧ୍ୟ ଜବତ ହୋଇଥାଏ । ଇତିମଧ୍ୟରେ ଅନେକ ଦଳର ନିର୍ବାଚନ ଇସ୍ତାହାର ପ୍ରକାଶ ହୋଇସାରିଲାଣି ତେବେ ବଡ଼ ଦୁଃଖର କଥା ଏହି ସଂକଳ୍ପ ପତ୍ର ନାମରେ ମଦମୁକ୍ତ ସମାଜ ପାଇଁ କେହି ଇସ୍ତାହାରରେ ରଖିନାହାଁନ୍ତି । ମଦ ବିକ୍ରୟରୁ ପ୍ରଚୁର ରାଜସ୍ୱ ଆସୁଛି ସତ କିନ୍ତୁ ସାମାଜିକ ଜୀବନ ବିପର୍ଯ୍ୟୟ ହେଉ ପଛେ ମଦକୁ ବାରଣ କରିହେବନାହିଁ ଏଭଳି ଚିନ୍ତାଧାରା ଜନମଙ୍ଗଳ ରାଷ୍ଟ୍ରପାଇଁ ନିଶ୍ଚିତ ଭାବେ କ୍ଷତିକାରକ । ଏକଥା କେହି ବୋଧେ ଅସ୍ୱୀକାର କରିପାରିବେ ନାହିଁ । ଯଦି ସତରେ ନେତାଏ ଲୋକଙ୍କ ମଙ୍ଗଳ ଚାହୁଁଥାନ୍ତେ ଓ ନିଜକୁ ଲୋକଙ୍କ ସେବକ ବୋଲି ଭାବୁଥାନ୍ତେ ତାହାହେଲେ ପ୍ରତିଟି ଦଳର ନିର୍ବାଚନ ଇସ୍ତାହାରରେ ମଦମକ୍ତ ସମାଜ ଗଠନର ପ୍ରତିବଦ୍ଧତା ଦେଖିବାକୁ ମିଳିଥାନ୍ତା । ବର୍ତ୍ତମାନ ସମୟକୁ ଦେଖିଲେ ସମାଜରେ ମଦ୍ୟପାନ ବା ନିଶାଜନିତ କାରଣରୁ ଅନେକ ଅଘଟଣ ଘଟୁଛି । ତେଣୁ ନିର୍ବାଚନୀ ଇସ୍ତାହାରରେ ଏହାକୁ ଗୁରୁତ୍ୱ ଦେବାକଥା । 
ଯେଉଁମାନଙ୍କ ରକ୍ତରେ ଆଲକହଲ ଓ ନିକୋଟିନର ପରିମାଣ ଅଧିକଥାଏ ସେମାନେ ଖରାଦିନେ ଅଂଶୁଘାତର ଶିକାର ହେବା ସମ୍ଭାବନା ଅଧିକ  । ଅଂଶୁଘାତ ଜନିତ ଅପମୃତୁ୍ୟ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ମାନ ନିଆଯାଉଛି ସେଥିରେ ଖରାଦିନେ ନିଶାସେବନ ଉପରେ କଟକଣା କିନ୍ତୁ ରହୁନାହିଁ  । ଚିକିତ୍ସା ବିଜ୍ଞାନୀ ମାନଙ୍କ ମତରେ ନିଶାଗ୍ରସ୍ତ ଲୋକର ଶାରୀରିକ ଦୁର୍ବଳତା କ୍ରମଶଃ ବୃଦ୍ଧି ପାଉଥିବାରୁ ଖରାଦିନେ ସେମାନେ ଅଧିକ ମଦ୍ୟପାନ କଲେ ଅଂଶୁଘାତ ଓ ଅନ୍ୟାନ୍ୟ ରୋଗର ଶିକାର ହେବା ସମ୍ଭାବନା ଅଧିକ  । ଏବେ କିନ୍ତୁ ଏ ଦିଗଟି ପ୍ରତି ସମସ୍ତେ ଏକ ପ୍ରକାର ମିଳିମିଶି ଆଖିବୁଜି ଦେଇଛନ୍ତି  । ୪୦ ଡିଗ୍ରୀରୁ ଊଦ୍ଧ୍ୱର୍ ତାପମାତ୍ରାରେ ରାଜ୍ୟର ବିଭିନ୍ନ ଅଞ୍ଚଳ ଏକ ପ୍ରକାର ସିଝୁଥିବାବେଳେ ମଦଦୋକାନ ଗୁଡ଼ିକ କିନ୍ତୁ ଖୋଲା ରହୁଛି  । ସରକାରୀ ବ୍ୟବସ୍ଥାନୁଯାୟୀ ଦିନ ୧୧ଟା ପରେ କୌଣସି ଶ୍ରମିକଙ୍କୁ କାମରେ ଲଗାଯାଇ ପାରିବ ନାହିଁ  । କିନ୍ତୁ ସଂଖ୍ୟାଧିକ ସରକାରୀ କାମରେ ଶ୍ରମିକମାନେ ସିଝି ସିଝି କାମ କରୁଛନ୍ତି  । ଏମାନଙ୍କ ଭିତରୁ କେତେକ ଭୁଲ୍ ବିଶ୍ୱାସରେ ପ୍ରଭାବିତ ହୋଇ ପାଣି ବଦଳରେ ମଦ ପିଉଥିବା ଲକ୍ଷ୍ୟ କରାଯାଉଛି  । ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟରେ ଯେତେ ବଡ଼ ବଡ଼ ମଦମୃତୁ୍ୟ ଦୁର୍ଘଟଣାମାନ ଘଟିଛି ସେଥିରୁ ସଂଖ୍ୟାଧିକ ଖରାଦିନେ ହୋଇଛି  । ମଇ ମାସରେ ହୋଇଥିବା କଟକର ବହୁ ପ୍ରଚାରିତ ମଦମୃତୁ୍ୟ ଦୁର୍ଘଟଣା ଏହାର ଏକ ଉଦାହରଣ  । ଏ ପରିପ୍ରେକ୍ଷୀରେ ଖରାଦିନ ଯାକ ସମସ୍ତ ଦେଶୀ ବିଦେଶୀ, ମହୁଲି ଏବଂ ଲାଇସେନ୍ସପ୍ରାପ୍ତ ଓ ଚୋରାମଦ ବିପ୍ପଣନ ଉପରେ କଡ଼ା କଟକଣା ଜାରି କରିବା ପାଇଁ ଅନେକ ସ୍ୱେଚ୍ଛାସେବୀ ସଂଗଠନ ଦାବି ଉଠାଇଛନ୍ତି  । ଚିକିତ୍ସା ବିଜ୍ଞାନୀମାନେ କହୁଛନ୍ତି ଯେ ଅତ୍ୟଧିକ ତାପମାତ୍ରା ସମୟରେ ମଦଭଳି ଉତ୍ତେଜକ ପାନୀୟ ବ୍ୟବହାର କରିବା ଫଳରେ ସଂଖ୍ୟାଧିକ ମଦୁଆ ବୃକକ୍, ଯକୃତ, ପାକସ୍ଥଳୀ, ସ୍ନାୟବୀୟ ରୋଗରେ ଆକ୍ରାନ୍ତ ହେବା ସହିତ ଦୃଷ୍ଟିଶକ୍ତି ବି ହରାଉଛନ୍ତି  । ଏଥିଯୋଗୁଁ ଅନେକ ମଦୁଆଙ୍କ ଶ୍ରମ କରିବାର ଶକ୍ତି ହ୍ରାସ ପାଇବା ସଙ୍ଗେ ସଙ୍ଗେ ସେମାନଙ୍କ ପ୍ରଜନନ କ୍ଷମତା ବି ବାଧାପ୍ରାପ୍ତ ହେଉଛି  । ଦୁର୍ବଳ ସ୍ୱାସ୍ଥ୍ୟ ସମ୍ପନ୍ନ ଲୋକେ ଖରାଦିନିଆ ମଦ୍ୟପାନ ଯୋଗୁଁ ସହଜରେ ସମସ୍ୟାକୁ ନିୟନ୍ତ୍ରଣ କରୁଥିବାବେଳେ ଅପେକ୍ଷାକୃତ ସବଳ ଓ ବିଶେଷକରି ଯୁବବର୍ଗର ମଦୁଆଙ୍କ ଉପରେ ଏହି ଖରାଦିନିଆ ମଦ୍ୟପାନ ସ୍ଲୋ ପଏଜନ ଭଳି କାମ କରୁଛି  । ଏଥିଯୋଗୁଁ ପ୍ରତିଦିନ ମୃତାହତଙ୍କ ସଂଖ୍ୟା ବଢ଼ୁଥିଲେ ବି ସେମାନଙ୍କୁ ଅଂଶୁଘାତ ତାଲିକାରେ ସାମିଲ କରାଯାଉନାହିଁ  । କେବଳ ମଦ ନୁହେଁ ରାଜ୍ୟରେ ଗଞ୍ଜେଇ, ସିଗାରେଟ, ଗୁଟ୍ଖା ଆଦିରୁ ବହୁଳ ପ୍ରସାର ଯୋଗୁଁ ବି ଏହାର ବ୍ୟବହାରକାରୀଙ୍କ ରକ୍ତରେ ନିକୋଟିନ୍ର ପରିମାଣ ବୃଦ୍ଧି ପାଉଛି  । ଖରାଦିନେ ଏହି କିସମର ନିଶାଡ଼ିମାନେ ନିଜକୁ ଅପମୃତୁ୍ୟ ଆଡ଼କୁ ଟାଣି ନେଉଛନ୍ତି  । ରାଜ୍ୟ ସରକାର ଏହି ମାନବୀୟ ସମସ୍ୟାର ବିଜ୍ଞାନସମ୍ମତ ବିଶ୍ଲେଷଣ କରି ନିକୋଟିନ୍ ଓ ଆଲକହଲ ଜନିତ ମହାମାରୀରୁ ସାଧାରଣ ଲୋକଙ୍କୁ ବଞ୍ଚାଇବା ପାଇଁ ଓଡ଼ିଶା ମଦମୁକ୍ତି ଅଭିଯାନ ଓ ନିଶାମୁକ୍ତି ଯୁବ ସଂକଳ୍ପ ସଂଗଠନ ଦାବି କରିଛି  । 
ବିକ୍ରମ ଦାଶ
ମୋ : ୯୮୬୧୫୭୫୨୩୭