ନିଲାମ୍ ପରେ ନ୍ୟାୟ?
ଗତ ଜୁଲାଇ ୧୦ ତାରିଖ ଦିନ ଓଡ଼ିଶାର ଦୁଇଟି କୋଇଲା ଖଣିକୁ କେନ୍ଦ୍ର ସରକାର ନିଲାମ କରିଛନ୍ତି । ୩୯୬ ନିୟୁତ ଟନ୍ କୋଇଲା ଗଚ୍ଛିତ ଥିବା କୁନ୍ଦାନାଳୀ-ଲୁବରୀ କୋଇଲା ଖଣିକୁ ଗୁଜରାତର ମିନେରାଲ୍ ଡ଼େଭଲେପମେଣ୍ଟ୍ କର୍ପୋରେସନ୍ ନିଲାମ ଧରିଥିବା ବେଳେ ୧୩୮ ନିୟୁତ ଟନ୍ କୋଇଲା ଗଚ୍ଛିତ ଥିବା ମାଛଖୁଣ୍ଟା ଖଣିକୁ ଏନ୍ଏଲ୍ସି ନିଲାମ୍ ଧରିଛି । ଏହି ଦୁଇ କୋଇଲା ଖଣିରୁ ଲିଜ୍ଧାରୀମାନେ ବର୍ଷକୁ ଯଥାକ୍ରମେ ୩୦ ନିୟୁତ ଟନ୍ ହିସାବରେ ୬୦ ନିୟୁତ ଟନ୍ କୋଇଲା ଉତ୍ତୋଳନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ନିକଟ ଭବିଷ୍ୟତରେ ଓଡ଼ିଶାର ଆଉ ୯ଟି ଆଂଶିକ ଖୋଳା ହୋଇଥିବା କୋଇଲା ଖଣି ଓ କୋଇଲା ଉତ୍ତୋଳିତ ହୋଇଥିବା ୮ଟି ଖଣିକୁ ନିଲାମ କରିବାକୁ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଛି ।
ଏଠାରେ ସ୍ମରଣଯୋଗ୍ୟ ଯେ ୨୦୧୪ ମସିହା ଠାରୁ କୋଇଲା ଉତ୍ତୋଳନ ସମ୍ପର୍କିତ ରୟାଲଟି କେନ୍ଦ୍ର ସରକାର ବଢ଼ାଉ ନାହାନ୍ତି । ବିଜୁ ଜନତା ଦଳ କ୍ଷମତାରେ ଥିବା ସମୟରେ ୨୦୧୪ରୁ ୨୦୨୪ ମସିହା ମଧ୍ୟରେ କୋଇଲା ରୟାଲଟି ବୃଦ୍ଧି ପାଇଁ ଅନେକ ଥର କେନ୍ଦ୍ରକୁ ଚିଠି ଲେଖିଥିଲେ । କିନ୍ତୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଏହି ଅନୁରୋଧକୁ ଗ୍ରହଣ କରିନଥିଲେ । ଅନ୍ୟପକ୍ଷରେ ପ୍ରତି ଟନ୍ କୋଇଲାରୁ ୪୦୦ଟଙ୍କା ଲେଖାଏଁ ସେସ୍ କେନ୍ଦ୍ର ସରକାର ଆଦାୟ କରୁଛନ୍ତି । କୋଇଲା ଖଣି ଅଞ୍ଚଳର ଲୋକମାନେ ସର୍ବାଧିକ ପ୍ରଦୂଷଣର ସମସ୍ୟା ଏବଂ ପରିବେଶ ଭାରସାମ୍ୟ ନଷ୍ଟର ସମସ୍ୟାରେ ଘାଣ୍ଟି ହେଉଥିବା ବେଳେ କେନ୍ଦ୍ର ସରକାରଙ୍କ ରାଜକୋଷ କେବଳ ବଢ଼ିଚାଲିଛି । ଏବେ ଓଡ଼ିଶାର ଦୁଇଟି କୋଇଲା ଖଣି ନିଲାମ ପରେ ଆଉ ୧୭ଟି କୋଇଲା ଖଣି ନିଲାମ ହେବାର କେନ୍ଦ୍ର ସରକାର ଆରମ୍ଭ କରୁଥିବା ବେଳେ କୋଇଲା ଖଣି ଅଞ୍ଚଳର ଲୋକମାନେ ପ୍ରମାଦ ଗଣିଲେଣି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଖଣି ଭିତରୁ କୋଇଲା ଉତ୍ତୋଳନ କରୁଥିବା କମ୍ପାନୀମାନେ ସ୍ଥାନୀୟ ଲୋକଙ୍କ ସମସ୍ୟା ପ୍ରତି ଅତ୍ୟନ୍ତ ବେପରୁଆ ମନୋଭାବ ପୋଷଣ କରୁଛନ୍ତି । ତାହାର ଜ୍ୱଳନ୍ତ ଉଦାହରଣ ହେଲା ତାଳଚେର । ଖଣି ଭିତରୁ କୋଇଲା ଉତ୍ତୋଳନ ପରେ ପରେ ଖାଲି ସ୍ଥାନରେ ବାଲି ଭର୍ତ୍ତି କରାଯିବା କଥା । କିନ୍ତୁ ଖଣି ଲିଜ୍ଧାରୀମାନେ ତାହା କରୁନଥିବାରୁ ତାଳଚେର ସହର କେତେବେଳେ ଯେ ଭୁଶୁଡ଼ି ପଡ଼ିବ ତାହାର ଆକଳନ କରିବା ଅସମ୍ଭବ । କୋଇଲା ଖୋଳି ନିଆଯିବା ପରେ ସେହି ସ୍ଥାନ ଏବେ ଖାଲି ପଡ଼ିଛି । ଆହୁରି ମଧ୍ୟ କୋଇଲା ଖଣି ଅଞ୍ଚଳରେ ଭୂଗର୍ଭ ଫାଙ୍କା ହୋଇ ଯାଉଥିବାରୁ ଭୂପୃଷ୍ଠର କୂଅ, ପୋଖରୀ ଆଦି ଜଳାଶୟ ଶୁଖିଯାଉଛି । କୋଇଲା ଗୁଣ୍ଡ ଏବଂ ଧୂଳି ପାଉଁଷରେ ଖଣି ଅଞ୍ଚଳର ପରିବେଶ ଅତି ମାତ୍ରାରେ ପ୍ରଦୂଷିତ ହେଉଛି । ତେଣୁ ଓଡ଼ିଶାର କୋଇଲା ଖଣି ଲିଜ୍ଧାରୀମାନଙ୍କୁ ଶହ ଶହ କୋଟି ଟଙ୍କାର ଲାଭ ଦେଉଥିବା ବେଳେ ଏହା କେନ୍ଦ୍ର ସରକାରଙ୍କ ପାଣ୍ଠି ଭରୁଥିବା ବେଳେ ଖଣି ଅଞ୍ଚଳର ଲୋକମାନେ ନାହିଁ ନଥିବା କଷ୍ଟ ଭୋଗୁଛନ୍ତି । କୌଣସି ଏକ କୋଇଲା ଖଣିରେ ଦୁର୍ଘଟଣା ନଘଟିଲେ ବୋଧହୁଏ କେନ୍ଦ୍ର ସରକାର ଏ ଦିଗରେ ସଚେତନ ହେବେ ନାହିଁ ।
ଅପରପକ୍ଷରେ ଖଣି ଲିଜ୍ଧାରୀମାନେ କୋଇଲା ଉତ୍ତୋଳନ ସମ୍ପର୍କିତ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ତାହା ଠାରୁ ଅଧିକ କୋଇଲା ସେମାନେ ଉତ୍ତୋଳନ କରୁଛନ୍ତି । ଏହା ଫଳରେ ପରିବେଶର ଭାରସାମ୍ୟ ନଷ୍ଟ ହେଉଛି । ଜଙ୍ଗଲ କ୍ଷୟ ହେଉଛି ଏବଂ ସ୍ଥାନୀୟ ଅଞ୍ଚଳର ଜୀବନଜୀବିକା ବିଶେଷ ଭାବେ ପ୍ରଭାବିତ ହେଉଛି । କୋଇଲା ଖଣି ଗୁଡ଼ିକରେ ଶ୍ରମିକ ଭାବରେ କାମ କରିବା ସବୁଠାରୁ ବିପଜ୍ଜନକ କାର୍ଯ୍ୟ । ଏହି ବିପଦ ସହିତ ଖେଳ ଖେଳୁଥିବା ରାଜ୍ୟର ଅଧିକାଂଶ ଅଞ୍ଚଳର ଅଧିବାସୀଙ୍କ ପ୍ରତି କେନ୍ଦ୍ର ସରକାର ନ୍ୟାୟପୂର୍ଣ୍ଣ ଦୃଷ୍ଟି ଦେବା ଆବଶ୍ୟକ ।