ନିଜକୁ ଯାହା ଲାଗେନି ଭଲ

ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦୁ  ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ଆମ ନିଜ ଜୀବନରେ ଯାହା ଭଲ ଲାଗୁନି, ତାହା ଅନ୍ୟ ଠେଇଁ ପ୍ରୟୋଗ କରିବାର ଅନୁଭବ  ବାବଦରେ କିଛି କଥା  । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା  ।
ମଣିଷର ସ୍ୱଭାବ ବଡ ବିଚିତ୍ର ସତରେ ! ସଂସାରରେ ମଣିଷ ପ୍ରଜାତିର ସ୍ୱଭାବକୁ ସହଜେ ଠଉରେଇ ହୁଏ ନାହିଁ  । କଥାରେ ଅଛି “ପାଞ୍ଚଲୋକ, ପଚିଶି ପ୍ରକୃତି  ।”
ମୁହଁରେ ମଧୁର କଥା କହୁଥିବା ଲୋକଟିଏର ମନରେ ଛନ୍ଦ କି କପଟ କିଛି ନାହିଁ-ଏକଥା କାହାକୁ ବା ଜଣା? କିଏ ତ କାହା ହୃହୟ ଭିତରେ, ମନ ରାଇଜରେ ପଶିନି  । ତେଣୁ କାହା ହୃଦୟରେ କେତେ ଛନ୍ଦକପଟ ଖୁନ୍ଦି ହେଇକି ଅଛି, ସେକଥା ଜାଣିବା କେମିତି ? ହସି ହସି କଥା କହୁଥିବା ସବୁଲୋକଟିଏ ସ୍ୱଭାବ ଯେ ଅତି ନିର୍ମଳ, ସଫା ହୃଦୟର-ଏକଥାର ଗ୍ୟାରେଣ୍ଟି କିଏ ବା ଦେଇପାରେ ?
ମଣିଷ ମନରେ ହଜାରେ ଅଳିଆ  । ମନ ଗୋଳିଆ ବି  । ମନଟା ଯୋଉଠି ଅଳିଆ, ଗୋଳିଆ, ସେଇଠି ସ୍ୱଭାବ ତ ଗୋଳମାଳିଆ ହବାଟା ହିଁ ହେବ  । ହେଲେ ଏ ଗୋଳମାଳିଆ ପଦାକୁ ସହଜେ ଦୁଶେନି  । ହେଲେ ମନ ଭିତରେ ଆଉଟୁପାଉଟୁ ହଉଥାଏ  । ଅଥଚ ଯେଉଁଠି ସ୍ୱାର୍ଥର କଥା ଆସେ ସେଇଠି ମଣିଷ ସ୍ୱଭାବର ଅସଲ ସ୍ୱରୂପଟି ଫୁଟି ବାହାରେ  । ସେଇଠି ମଣିଷଟିଏ ସମ୍ପର୍କ ସଜ୍ଞାକୁ ସମାଧି ଦେଇପକାଏ  । ନିଜର ସ୍ୱାର୍ଥ ବା ଉଦେ୍ଦଶ୍ୟ ସାଧନ ହେଇପାରୁଛି ନା ନାହିଁ-ସେକଥା ଆଗ ଭାବେ  । ହୋଉଥିଲେ ମନେ ମନେ ହେଣ୍ଡି ମାରେ, ଆଉ ନ ହେଉଥିଲେ ଅନ୍ୟକୁ ଧୋକ୍କା ଦବାକୁ ଟିକେ ବି ହେଳା କରେନି  । ବୁଦ୍ଧି, ବିବେକ ଓ ହୃଦୟକୁ ଆଡ ଆଖିରେ ହେଲେ ଚାହେଁନି  । ହଁ ଏମିତି ବି ହେଇପାରେ, ଯେତେବେଳେ ଆପଣା ସ୍ୱାର୍ଥର ଭାଗମାପରେ କୋଉଠି ଟିକିଏ ଉଣାପାଣିଆ ହେଇଯାଉଛି ସେଇଠି ବି ଅନ୍ୟ ମଣିଷର ଅଲକ୍ଷ୍ୟରେ ଧୋକ୍କା ଦେଇପକାଏ  । ଆଜି ଯେଉଁଠି ବିଶ୍ୱାସ, ସେଇଠି ଧୋକ୍କା ମଧ୍ୟ  । ମଣିଷ ଭାବୁଛି ଧୋକ୍କା ଦେଇ ଦେଇ ସିଏ ଏତେ ଆଗକୁ ପଳେଇବ ଯେ, ସିଏ ସମସ୍ତଙ୍କ ଠୁ ବଡ ହେଇଯିବ ! ହେଲେ ଆଜ୍ଞା, ଯାଇ ଯାଇ ଆମେ କେତେ ବାଟ, କେତେ ଦୂର ଯିବା ? ଶେଷ ତ ସେଇ ଗୋଟିଏ ଠେଇଁ ନା ! ଆମେ ଜୀବନର କୌଣସି ନା କୌଣସି ଗୋଟେ ମୋଡରେ କୌଣସି ନା କୌଣସି ମଣିଷର ଠୋକର ଖାଉ, କୋଉ ନା କୋଉ ମଣିଷଠୁ ଧୋକ୍କା ଖାଉ  । ପ୍ରତ୍ୟେକଙ୍କ ଜୀବନରେ ଏ ପ୍ରକାର ଅନୁଭୂତି ନିହାତି ରହିଛି  । ଆଜ୍ଞା, ଯାହା ଆମକୁ ଭଲ ଲାଗୁନି ବା ଅନ୍ୟର ଯେଉଁ ଆଚରଣ ଆମକୁ କଷ୍ଟ ବା ଯନ୍ତ୍ରଣା ଦେଉଛି, ସେ ଆଚରଣ ଆମେ ଅନ୍ୟ ସହିତ କରି କେଡେ କଥା କରୁଛେ କହିଲେ !
ପଢିଥିବା ହେତୁ ଆପଣଙ୍କ ନିକଟରେ  । ଆସନ୍ତୁ ପ୍ରତ୍ୟେକ ଦିନ ଆମେ ‘ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର  ।