ଆନନ୍ଦର ଶତ୍ରୁ ଈର୍ଷା
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ଈର୍ଷା କେମିତି ଆନନ୍ଦର ଶତ୍ରୁ । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ଆନନ୍ଦର ପ୍ରଧାନ ଶତ୍ରୁ ହେଉଛି ଈର୍ଷା । ଈର୍ଷା କରିବାର ଆବେଗ ଯେତେ କମ୍ ହେବ, ଜୀବନ ସେତେ ଆନନ୍ଦଦାୟୀ ହୋଇ ଉଠିବ । ପ୍ରତ୍ୟେକ ମନୁଷ୍ୟ ସ୍ୱଭାବତଃ ଏକ ଶାନ୍ତିପୂର୍ଣ୍ଣ ଜୀବନ ହିଁ ଚାହେଁ । କିନ୍ତୁ କିଛି ଲୋକ ଏହି ଶାନ୍ତିପୂର୍ଣ୍ଣ ଜୀବନରେ ବିଫଳ ହେଲେ ଅନ୍ୟମାନଙ୍କ ପ୍ରତି ଈର୍ଷା କରିବା ଆରମ୍ଭ କରିଦିଅନ୍ତି । ସାଧାରଣତଃ ଏକ ସର୍ବନିମ୍ନ ପାରିବାରିକ ସ୍ୱଚ୍ଛଳ ଅବସ୍ଥା ଏକ ଶାନ୍ତିପୂର୍ଣ୍ଣ ଜୀବନ ପାଇଁ ଆବଶ୍ୟକ । ସ୍ୱଚ୍ଛଳ ପାରିବାରିକ ସ୍ଥିତି ନଥିଲେ ସବୁବେଳେ ପରିବାର ଭିତରେ ପରିବାରର ସଦସ୍ୟମାନଙ୍କର ଛୋଟ ମୋଟ ଆବଶ୍ୟକତାର ପୂରଣ ନେଇ ଅଶାନ୍ତି ଲାଗି ରହେ । ଏହା ଏକ ସ୍ୱାଭାବିକ ଘଟଣା କିନ୍ତୁ ଏହି ସ୍ୱାଭାବିକତା ଭିତରେ ବି ଏକ ଅସ୍ୱାଭାବିକତା ରହିଥାଏ । କିଛି ଲୋକ ଅଭାବ ଅସୁବିଧା ଭିତରେ ବି ଶାନ୍ତି ପାଇବା ପାଇଁ ଚେଷ୍ଟା କରନ୍ତି ଏବଂ ପ୍ରତ୍ୟେକ ଘଟଣାକୁ ସ୍ୱାଭାବିକ ଭାବରେ ଗ୍ରହଣ କରିନେଇ ତାର ସମ୍ମୁଖୀନ ହୁଅନ୍ତି । ତେଣୁ ସେମାନଙ୍କ ଜୀବନରେ ଅଶାନ୍ତି ବୋଲି କିଛି ନଥାଏ । ସେମାନେ ଯେ କୌଣସି ପରିସ୍ଥିତିକୁ ଶାନ୍ତ ଭାବରେ ଗ୍ରହଣ କରିନିଅନ୍ତି ।
ମନୁଷ୍ୟର ଆଉ ଏକ ପ୍ରବୃତ୍ତି ହେଲା ସେ ଅନ୍ୟକୁ ସବୁବେଳେ ନିଜର ପରିସ୍ଥିତି ସହିତ ତୁଳନା କରେ । ନିଜ ପରିସ୍ଥିତି ଏବଂ ଅନ୍ୟମାନଙ୍କ ପରିସ୍ଥିତି ଭିତରେ ତୁଳନା କରୁଥିବା ବ୍ୟକ୍ତି କେବେ ହେଲେ ଜୀବନରେ ଶାନ୍ତି ପାଏ ନାହିଁ ।
ପ୍ରତ୍ୟେକ ମନୁଷ୍ୟ ପରସ୍ପର ଠାରୁ ଅଲଗା । ତେଣୁ ଦୁଇଟି ସମାନ ମଣିଷ ସମାନ ପରିସ୍ଥିତିରେ କେବେ ହେଲେ ଦୃଷ୍ଟିଗୋଚର ହୋଇପାରିବେ ନାହିଁ । ମଣିଷ ଯେତେବେଳେ ଅନ୍ୟ ସହିତ ନିଜକୁ ତୁଳନା କରେ ସେତେବେଳେ ଈର୍ଷା କରେ । ଈର୍ଷା ହିଁ ସବୁପ୍ରକାର ଅଶାନ୍ତିର ମୂଳ ମଞ୍ଜି । ଈର୍ଷାକୁ ଯେତେ କମ୍ କରିବ, ମଣିଷ ସେତେ ଅଧିକ ସୁଖୀ ହୋଇପାରିବ । ଆଉ ଈର୍ଷାକୁ ସମ୍ପୂର୍ଣ୍ଣ ରୂପେ ତ୍ୟାଗ କରିଲେ ମଣିଷ ଦେବତୂଲ୍ୟ ହୋଇପାରିବ ।
ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ 'ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।