ଦୁର୍ଗା ଦେବୀଂ ଶରଣମହଂ

ଶକ୍ତି ପୂଜାର ପରମ୍ପରା ବୈଦିକ କାଳରୁ ରହିଆସିଛି । ଭାରତ ବର୍ଷର ଧାର୍ମିକ ଚଳଣିରେ ଯେତେ ଦେବଦେବୀଙ୍କୁ ଉପାସନା କରାଯାଏ ଜଗଜ୍ଜନନୀ ମା'ଦୁର୍ଗାଙ୍କ ଶକ୍ତି ପୂଜା ତା ମଧ୍ୟରେ ମୁଖ୍ୟସ୍ଥାନ ଅଧିକାର କରିଥାଏ । ଋଗବେଦରେ ବର୍ଣ୍ଣିତ - "ତାମାଗ୍ନି ବର୍ଣ୍ଣାଂ ତପସା ଜ୍ୱଳନ୍ତୀଂ ବୈରୋଚନୀଂ କର୍ମଫଳେଷୁ ଦୁଷ୍ଟାମ୍, ଦୁର୍ଗା ଦେବୀଂ ଶରଣମହଂ ପ୍ରପଦ୍ୱେ ସୁତରସି ତରସେ ନମଃ' । ଅର୍ଥାତ୍ "ମୁଁ ଅଗ୍ନିବର୍ଣ୍ଣା ତପୋଜ୍ୱଳା ଦୁର୍ଗାଦେବୀଙ୍କର ଶରଣ ପଶୁଛି, ଯେ କି ପରମ ଶକ୍ତିସମ୍ପନ୍ନ, ଯେ ନିଜକୁ ବହୁବିଧ ରୂପରେ ପ୍ରକଟ କରନ୍ତି, ଯେ କି କର୍ମ ଓ ଫଳରେ ନିହିତ ଶକ୍ତି ଅଟନ୍ତି । ହେ ରକ୍ଷାରେ ନିପୁଣା ଦେବୀ, ଆମକୁ ଅଧିକ କୁଶଳତାର ସହ କଷ୍ଟ ମଧ୍ୟରେ ପାର କରାଅ । ଆମେ ତୁମକୁ ପ୍ରଣାମ କରୁଛୁ ।'
ମା'ସୃଷ୍ଟି ସ୍ଥିତି ବିନାଶର ଆଧାର । ଓଁକାର ଶବ୍ଦ ସହ ପୃଥିବୀ ସୃଷ୍ଟି ହେବା ସମୟରୁ ଶକ୍ତି ଉତ୍ପନ୍ନ ହୋଇଅଛି । ଏହି ଶକ୍ତି ସମଗ୍ର ଜଗତରେ ଜୀବ, ମାନବ, ବୃକ୍ଷଲତାରେ ପୁରି ରହିଛି । ନବରାତ୍ରି ଉପାସନା ଆମକୁ ସେହି ଶକ୍ତି ପ୍ରଦାନ କରେ । ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦାଠାରୁ ମହାନବମୀ ପର୍ଯ୍ୟନ୍ତ ନବରାତ୍ରି ପାଳନ କରାଯାଏ । ଏହି ନଅ ଦିନ ମା'ମହିଷାମର୍ଦ୍ଦିନୀ ଭିନ୍ନ ଭିନ୍ନ ସ୍ୱରୂପରେ ଭକ୍ତଙ୍କୁ ଦର୍ଶନ ଦେଇ ଅଭୟ ପ୍ରଦାନ କରନ୍ତି । ତାହା ହେଲା "ପ୍ରଥମଂ ଶୈଳପୁତ୍ରୀ ଚ, ଦ୍ୱିତୀୟଂ ବ୍ରହ୍ମଚାରିଣୀ, ତୃତୀୟଂ ଚନ୍ଦ୍ରଘଣ୍ଟେଚି, କୁଷ୍ମାଣ୍ଡେତି ଚତୁର୍ଥକମ୍, ପଞ୍ଚମଂ ସ୍କନ୍ଦମାତେ ତି, ଷଷ୍ଠ କାତ୍ୟାୟନୀତି ଚ, ସପ୍ତମଂ କାଳରାତି୍ରତି ମହାଗୌରୀ ଚାଷ୍ଟକମ୍, ନବମଂ ସିଦ୍ଧିଦାତ୍ରୀ ଚ, ନବଦୁର୍ଗାଃ ପ୍ରକୀର୍ତିତାଃ, ଅକ୍ତାନ୍ୟେତାନି ନାମାନି ବ୍ରାହ୍ମଣୈବ ମହାତ୍ମନୀ ।' ମହାଶକ୍ତିକୁ ନବରାତି୍ରରେ ମହାକାଳୀ, ମହାଲକ୍ଷ୍ମୀ ଓ ମହା ସରସ୍ୱତୀ ରୂପରେ ମଧ୍ୟ ପୂଜା କରନ୍ତି । ମହାକାଳୀ ତମଗୁଣର ପ୍ରତୀକ । ମା'କାଳୀ ଆମର ତମ ଗୁଣ ଯଥା - କାମ, କ୍ରୋଧ, ଲୋଭ, ମଦ, ମାତ୍ସର୍ଯ୍ୟ, ଦୂର କରି ଆମକୁ ଦିବ୍ୟଗୁଣ ପ୍ରଦାନ କରିବା ପାଇଁ ଆମେ ତାଙ୍କୁ ଆରାଧନା କରୁ ପ୍ରାର୍ଥନା କରୁ । ମା'ଆମର ଅଜ୍ଞାନ ନାଶ କରି ଦିବ୍ୟଜ୍ଞାନ ପ୍ରଦାନ କରନ୍ତୁ, ମହାଲକ୍ଷ୍ମୀ ରଜଗୁଣର ପ୍ରତୀକ । ଏହା ସାହସ, ତ୍ୟାଗ, ଶାସନ ଓ କର୍ମ ତତ୍ପରତା ଆଦି ଗୁଣାବଳୀର ପ୍ରତୀକ । ମା'ଲକ୍ଷ୍ମୀଙ୍କୁ କ'ଣ ଦେଇ ପୂଜା କରିବା । ଆମର ଦେହ, ମନ, ବୁଦ୍ଧି ସବୁତ ତାର ସେ ଆମକୁ ଆବଶ୍ୟକ ଖାଦ୍ୟପେୟ ଓ ଯଶ ପ୍ରଦାନ କରନ୍ତୁ । ମହାସରସ୍ୱତୀ ସତ୍ତ୍ୱଗୁଣର ପ୍ରତୀକ ।
ଦୁର୍ଗାପୂଜା କେତେକ ସ୍ଥାନରେ ଷୋଳଦିନ ଧରି ପାଳିତ ହେଉଥିବାବେଳେ କେତେକ ସ୍ଥାନରେ ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ପାଞ୍ଚଦିନବ୍ୟାପୀ ପାଳିତ ହୁଏ । ସେ ସବୁୁକ ଗୋଟି ଗୋଟି କରି ଆଲୋଚନା କଲେ ଏହି ସ୍ପଷ୍ଟୀକରଣ ମିଳିବ ଯେ ଦୁର୍ଗାପୂଜା ମାତୃଜାତିର ପୂଜା, ପ୍ରକୃତିର ପୂଜା । ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ପାଞ୍ଚଦିନ ଦେବୀ ପାଞ୍ଚ ଚେତନାରେ ଜଡ଼ିତ । ଯଥା ନନ୍ଦା, ଭଦ୍ରା, ଜୟା, ରିକ୍ତା ଓ ପୂର୍ଣ୍ଣା । ପ୍ରଥମରେ ଶୈଶବ ଅବସ୍ଥାରେ ଆମର ଆତ୍ମଚୈତନ୍ୟ ଜାଗ୍ରତ ହୁଏ । ଷଷ୍ଠୀ ତିଥି ନନ୍ଦା, ଦେବୀ ନନ୍ଦା ବା ଆନନ୍ଦମୟୀ ସେତେବେଳେ ବାଳିକା । ଭଦ୍ରା ତିଥିରେ ସେ ସୁମଙ୍ଗଳା, କୈଶୋରୀ, ଜୟା ତିଥିରେ ତାଙ୍କର ଶକ୍ତିରୂପର ପ୍ରକାଶ, ସେ ତରୁଣୀ । ରିକ୍ତାରେ ସେ ଯୋଗିନୀ ଓ ପୂର୍ଣ୍ଣାରେ ସେ ସମର୍ଥା ଯୁବତୀ । ଦେବୀ ଦୁର୍ଗାଙ୍କ ମଧ୍ୟରେ ଆମ୍ଭେମାନେ ଅସୁରଘାତିନୀ ମହାଶକ୍ତିଙ୍କୁ ପୂଜା କରୁ ।
ପ୍ରତିବର୍ଷ ଆମେ ମା'ଦୁର୍ଗାଙ୍କୁ ପୂଜା କରୁଛୁ ଓ ରାବଣ ପୋଡ଼ି କରୁଛୁ । କିନ୍ତୁ ଆମ ସମାଜରୁ ଓ ଆମ ଭିତରେ ଥିବା ଆସୁରୀ ଶକ୍ତି ଦୂର ହେଉନାହିଁ । ଅନ୍ତରରେ ଗୋଟିଏ ଜ୍ଞାନ ଦୀପ ଜଳିଲେ ମନ ଭିତରୁ ଅଜ୍ଞାନ ରୂପକ ଅନ୍ଧକାର ଦୂର ହେବ । ସହସ୍ର ଇଲେକ୍ଟ୍ରିକ୍ ବଲବ ବା ବତି ଏ ଅନ୍ଧାର ଦୂର କରିପାରିବେ ନାହିଁ । ଆମେ ମା'ର ଶକ୍ତିରେ ନିଜକୁ ଆଲୋକିତ କରିବା । ସେ ପଦପଦବୀ ଛୋଟବଡ଼ ଦେଖନ୍ତି ନାହିଁ । ବର୍ଷକରେ ଥରେ ଏ ଧରାପୃଷ୍ଠକୁ ଓହ୍ଲାଇ ଆସନ୍ତି ତାଙ୍କର ସମସ୍ତ ସନ୍ତାନମାନଙ୍କୁ ଆଶୀର୍ବାଦ କରିବା ପାଇଁ । କିନ୍ତୁ ପାତ୍ରତା ପ୍ରସ୍ତୁତ କରିବା ଆମର କାମ । ଶଙ୍କରାଚାର୍ଯ୍ୟ ଅଦ୍ୱୈତବାଦୀ ଥିଲେ । ସେ ଭାବିଲେ ମା'ଙ୍କୁ ଭକ୍ତି ନକଲେ ଶକ୍ତି ମିଳିବ ନାହିଁ । ତେଣୁ ସେ "ଭବାନୀ ଅଷ୍ଟକମ୍'ରଚନା କଲେ । ମା' ମୁଁ କୁସଙ୍ଗୀ, ମୋର କୁଦୃଷ୍ଟି ରହିଛି । ମୁଁ କୁଳାଚାର, ମୁଁ କୁପୁତ୍ର, ମାତ୍ର ମା'ତ କେବେ କୁମାତା ନୁହେଁ । କୁପୁତ୍ର ଜାୟତେ କ୍ୱଚିଦପି କୁମାତା ନ ଭବତି । ତେଣୁ ଚାଲନ୍ତୁ ଆମେ ମା'ଦୁର୍ଗାଙ୍କୁ ପୂଜା କରିବା । ସେ ଆମକୁ ଶକ୍ତି ପ୍ରଦାନ କରନ୍ତୁ ଓ ଆମ ଭିତରେ ଥିବା ସମସ୍ତ ଅଜ୍ଞାନ ଅନ୍ଧକାର ଦୂର କରନ୍ତୁ । "ଓଁ କାତ୍ୟାୟନାୟ ବିଦ୍ମହେ କନ୍ୟକୁମାରି ଧୀମହି, ତନ୍ନୋ ଦୁର୍ଗିଃ ପ୍ରଚୋଦୟାତ୍' । ଆମେ ଆଦିଶକ୍ତି କାତ୍ୟାୟନୀଙ୍କର ଉପଲବ୍ଧି କରିବା । ଆମେ କନ୍ୟାକୁମାରୀଙ୍କର ଧ୍ୟାନ କରିବା, ଦୁର୍ଗା ଆମକୁ ଜ୍ଞାନାଲୋକ ପ୍ରଦାନ କରନ୍ତୁ ।
ଡ.ବିଜୟଲକ୍ଷ୍ମୀ ଭୂୟାଁ,ମୋ : ୯୮୬୧୩୫୫୬୨୮