ଅହଙ୍କାରର କଥା
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଗତ ହେବା ଜୀବନର ଅହଙ୍କାରକୁ ନେଇ କିଛି ଅନୁଭବସିଦ୍ଧ କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ମନୁଷ୍ୟର ବିଭିନ୍ନ ଗୁଣ ଏବଂ ପ୍ରକୃତି ରହିଥାଏ । ସେଥିମଧ୍ୟରୁ ଅହଙ୍କାର ଗୋଟିଏ । ଅହଂ ଭାବ ବା ଅହଙ୍କାର ପ୍ରତ୍ୟେକ ବ୍ୟକ୍ତିର କିଛି କିଛି ରହିବା ଆବଶ୍ୟକ । ଅହଙ୍କାର ନଥିଲେ ବ୍ୟକ୍ତିର ବ୍ୟକ୍ତିତ୍ୱକୁ ଦୁର୍ବଳ ବ୍ୟକ୍ତିତ୍ୱ ବୋଲି ଧରାଯାଏ । ଅହଙ୍କାର ଏକ ସ୍ୱାଭିମାନ ଭାବରେ ରହିବା ଆବଶ୍ୟକ । ଅହଙ୍କାର ଅତି ଗର୍ବ ହେବା ଉଚିତ୍ ନୁହେଁ । ମନୁଷ୍ୟର ଆତ୍ମସମ୍ମାନ ପାଇଁ, ବ୍ୟକ୍ତିତ୍ୱର ପ୍ରତିଷ୍ଠା ପାଇଁ ଅହଙ୍କାର ନିତାନ୍ତ ଆବଶ୍ୟକ । ହେଲେ ଏହା ଅତି ହେଲେ ମଣିଷ ଗର୍ବୀ ହୋଇଯାଏ । ଗର୍ବୀ ଲୋକକୁ କେହି କେବେ ହେଲେ ପସନ୍ଦ କରନ୍ତି ନାହିଁ । ଗର୍ବୀ ଲୋକ ହାତରେ କ୍ଷମତା ଥିବା ପର୍ଯ୍ୟନ୍ତ ଲୋକେ କେବଳ ଭୟର ବଶବର୍ତ୍ତୀ ହୋଇ ତାଙ୍କ ସହିତ ରହନ୍ତି । କ୍ଷମତା ଚାଲିଗଲେ ଗର୍ବୀ ଲୋକ ଠାରୁ ସମସ୍ତେ ମୁହଁ ବୁଲେଇ ଚାଲିଯାଆନ୍ତି ।
ମହାଭାରତରେ ଦୁର୍ଯେ୍ୟାଧନଙ୍କର ଚରିତ୍ର ଥିଲା ଏକ ଗର୍ବୀର ଚରିତ୍ର । କୁରୁ ବଂଶର ଦାୟାଦ ଭାବରେ ତାଙ୍କର ଗର୍ବ ରହିବା ସ୍ୱାଭାବିକ, କିନ୍ତୁ ଏହି ଗର୍ବ ଅହଙ୍କାରରେ ପରିଣତ ହେବା ଉଚିତ୍ ନଥିଲା । ଦୁର୍ଯେ୍ୟାଧନଙ୍କ କ୍ଷେତ୍ରରେ ଏହା ଅହଙ୍କାରରେ ପରିଣତ ହୋଇଗଲା ଏବଂ ତାଙ୍କ ଚରିତ୍ର କେବଳ କ୍ଷମତାଜନିତ ଲୋକପ୍ରିୟତା କୈନ୍ଦ୍ରୀକ ହୋଇଗଲା । ଯେତେବେଳେ ତାଙ୍କ ଠାରୁ କ୍ଷମତା ଯିବାର ଆଭାସ ମିଳିଲା, ସେତେବେଳେ ତାଙ୍କୁ କେତେଜଣ ବ୍ୟକ୍ତି ସତର୍କ କରାଇ ଦେଇଥିଲେ । ହେଲେ ଅହଙ୍କାର ଯୋଗୁଁ ତାଙ୍କ ପ୍ରତି ସତର୍କ ହେବାର ଯେଉଁ ବାର୍ତ୍ତାଟି ଦିଆଯାଉଥିଲା ତାକୁ ସେ ଗ୍ରହଣ କରିପାରିନଥିଲେ ଏବଂ ଶେଷରେ ନିଜ ସହିତ ନିଜର ବଂଶ ପତନର କାରଣ ହେଲେ । ପ୍ରତ୍ୟେକ ବ୍ୟକ୍ତି କ୍ଷେତ୍ରରେ ଏହା ହିଁ ଘଟେ । ଗର୍ବ ଓ ଅହଙ୍କାର ଏକ ସୀମା ଭିତରେ ଆବଶ୍ୟକ । ସୀମା ଠାରୁ ଅଧିକ ହେଲେ ତାହା ମନୁଷ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ଏବଂ ଆତ୍ମଘାତୀ ମଧ୍ୟ । ଜୀବନ ଥିଲା ଯାଏଁ ଅହଙ୍କାର ରହିବ ସତ, ହେଲେ ଏହା ପତଳା ରହିଲେ ଭଲ ।
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।