ଖୁଦୁରୁକୁଣୀ ଓଷା

ନିରୁପମା ଭୂୟାଁ ? ଓଡ଼ିଶା ପର୍ବପର୍ବାଣିର ଦେଶ । ବିଭିନ୍ନ ଋତୁର ପରିବେଶ ଅନୁଯାୟୀ ପର୍ବଗୁଡ଼ିକ ପରିକଳ୍ପିତ । ଏହି ପର୍ବଗୁଡ଼ିକ ସାଧାରଣତଃ ଧର୍ମ ଓ ପୌରାଣିକ ଉପାଖ୍ୟାନ ତଥା କିମ୍ବଦନ୍ତୀ ଉପରେ ପ୍ରତିଷ୍ଠିତ । ଶରତ ଋତୁରେ ଯେଉଁସବୁ ପର୍ବପର୍ବାଣି ପାଳିତ ହୁଏ ତା ମଧ୍ୟରେ ଖୁଦୁରୁକୁଣୀ ଓଷା ଅନ୍ୟତମ । ଏହି ପୂଜା ଓଡ଼ିଶାର ଏକ ମୌଳିକ ପର୍ବ । ଓଡ଼ିଶାର କେତେକ ସ୍ଥାନରେ ଏହା ଭାଲୁକୁଣୀ ଓଷା ନାମରେ ପରିଚିତ । ଭାଦ୍ରବ ମାସର ପ୍ରତି ରବିବାର ଦିନ ପାଳିତ ହୋଇଥାଏ ଏହି ଓଷା । କୁମାରୀ କନ୍ୟା ଓ ନବବିବାହିତା ବଧୂମାନେ ପାଳନ କରନ୍ତି ଏହି ପର୍ବ । ଏହି ପୂଜାରେ ସିଂହବାହିନୀ ମଙ୍ଗଳାଙ୍କୁ ପୂଜା କରାଯାଏ । ସେଦିନ କୁମାରୀମାନେ ସାରୁପତ୍ର ବା କଦଳୀ ମଞ୍ଜାରେ ଫୁଲ ତୋଡ଼ା ଖୋସି ମଙ୍ଗଳା ମୂର୍ତ୍ତି ପୂଜା କରନ୍ତି । ଭାଦ୍ରବ ମାସର ଶେଷ ରବିବାର ଦିନ ଏହି ପୂଜା ଉଦ୍ୟାପିତ ହୁଏ ।
ଏହି ପୂଜା ସହିତ ପ୍ରାଚୀନ ଉକ୍ରଳର ଏକ ଜଣାଶୁଣା ଉପାଖ୍ୟାନ ଜଡ଼ିତ । ଏହି ଉପାଖ୍ୟାନ ସାଧବ ଝିଅ ତଅପୋଈର ଉପାଖ୍ୟାନ । ଖୁଦୁରୁକୁଣୀ ଓଷାରେ କୁମାରୀମାନେ ମା' ମଙ୍ଗଳାଙ୍କୁ ପୂଜା କରି ସ୍ୱର୍ଗୀୟ ଗୋପୀନାଥ ଦାସଙ୍କ ରଚିତ ଖୁଦୁରୁକୁଣୀ ଓଷା ନାମକ ପୁସ୍ତକ ପାଠ କରନ୍ତି । ଉକ୍ରଳୀୟ ସଂସ୍କୃତି ସହିତ ଏହି ଓଷାର ବହୁଳ ସଂପର୍କ ରହିଛି । ଓଡ଼ିଆ ଜାତି ଯେ ଦିନେନା ଦିନେ ଦେଶବିଦେଶ ସହିତ ନୌବାଣିଜ୍ୟ କରି ସମୃଦ୍ଧିଶାଳୀ ହୋଇଥିଲା ଗାଁ ଗହଳୀରେ କୁମାରୀମାନେ ପାଳନ କରୁଥିବା ଏହି ପର୍ବ ତାହାର ସ୍ମୃତି ବହନ କରେ । ତା'ଛଡ଼ା ଏହାର ଧାର୍ମିକ ଗୁରୁତ୍ୱ ମଧ୍ୟ ରହିଛି । କୁମାରୀମାନଙ୍କ ମଧ୍ୟରେ ଧର୍ମଭାବ ଉଦ୍ରେକ କରିବା ଦିଗରେ ଏହା ଯୁଗ ଯୁଗରୁ ପ୍ରେରଣା ଯୋଗେଇ ଆସିଛି । ପାରିବାରିକ ସୁଖ ଶାନ୍ତି ପାଇଁ ନଣନ୍ଦ ଭାଉଜ ମଧ୍ୟରେ କି ପ୍ରକାର ସୌହାର୍ଦ ରହିବା ଆବଶ୍ୟକ ତାହା ପ୍ରତି ଏହି ଉପାଖ୍ୟାନଟି ଦୃଷ୍ଟି ଆକର୍ଷଣ କରେ । ପର ଶିକ୍ଷାରେ ପଡ଼ି ଅନେକ ସମୟରେ କିପରି ଲୋକେ ବହୁ ପ୍ରମାଦ ଘଟାଇଥାଆନ୍ତି, ତାହା ମଧ୍ୟ ଏଥିରେ ପ୍ରତିଫଳିତ । ଖୁଦୁରୁକୁଣୀ ଓଷା ଦିନ କୁମାରୀମାନେ ପ୍ରାତଃକାଳରେ ଶଯ୍ୟା ତ୍ୟାଗକରି ଚାଙ୍ଗୁଡ଼ି ଧରି ଫୁଲ ତୋଳି ଯାଆନ୍ତି । କନିଅର, ଗୋଡ଼ିବାଣ, ଟଗର, ମାଳତୀ, ଚମ୍ପା, ମନ୍ଦାର ଓ କଇଁ ଆଦି ତୋଳି ଆଣନ୍ତି । ତତ୍ପରେ ନଦୀ ବା ପୁଷ୍କରିଣୀରେ ସ୍ନାନ କରି ସେଠାରେ ମାଟିରେ ଗୋଟିଏ ଦେଉଳ ତିଆରି କରି ବଜ୍ରମୂଳୀ ଦାନ୍ତ କାଠି ଆଦି ପୋତି ଫୁଲରେ ସଜାଇ ଦିଅନ୍ତି । ଭୋଗ ଲଗାଇ ଘରକୁ ଫେରନ୍ତି । ଘରେ ପ୍ରଥମେ ଲୁଣ ନପକାଇ ଅଢ଼େଇ ଗୁଣ୍ଡା ପଖାଳ ଭାତ ଖାଇସାରିବା ପରେ ଲୁଣ ପକାଇ ଖାଆନ୍ତି । ସମସ୍ତେ ମିଶି ଫୁଲ ଗୁନ୍ଥନ୍ତି । ଢ଼ିଙ୍କିଶାଳ ଲିପାପୋଛା କରି ମଙ୍ଗଳାଙ୍କୁ ସ୍ଥାପନା କରନ୍ତି । ଫୁଲମାଳ ଆଦି ଲମ୍ବାଇ ଘରକୁ ସଜ୍ଜାଇ ଦିଅନ୍ତି । ଝୋଟି ଚିତା ଆଦି ଦିଆ ହୋଇଥାଏ । ପୂଜା ସ୍ଥାନରେ କୋଠି କଟା ହୋଇଥାଏ । ସନ୍ଧ୍ୟାବେଳେ ପୂଜା ଆରମ୍ଭ କରି ଖୁଦୁରୁକୁଣୀ ବ୍ରତ କଥା ପଢ଼ାଯାଏ । କୁମାରୀମାନେ ଭକ୍ତିର ସହିତ ଏହାକୁ ଶୁଣନ୍ତି । ଶେଷରେ ମଙ୍ଗଳାଙ୍କ ଠାରେ ଭୋଗ ଲାଗି କରାଯାଏ । ଏହି ଭୋଗକୁ ଛୋଟ ପିଲାଙ୍କୁ ବଣ୍ଟାଯାଏ । ପୂଜା ଦିନ ସନ୍ଧ୍ୟାରେ କୁମାରୀମାନେ ପୂଜା ସ୍ଥାନରେ ସମାବେତ ହୋଇ ପୂଜା ପରେ ପୁଚି ଖେଳିଥାନ୍ତି । ପୁଚି ଖେଳ ପ୍ରତିଯୋଗିତା ଏହି ଓଷାର ଏକ ଅବିଚ୍ଛେଦ୍ୟ ଅଂଶ କହିଲେ କିଛି ଭୁଲ ହେବନାହିଁ ।
ଏହି ଓଷାରେ ମଙ୍ଗଳାଙ୍କ ପୂଜା କରାଯାଉଥିଲେ ମଧ୍ୟ ଏହି ଠାକୁରାଣୀଙ୍କୁ ଖୁଦୁରୁକୁଣୀ କୁହାଯାଇଥାଏ । ଠାକୁରାଣୀଙ୍କର ଖୁଦ୍ ଅତିପ୍ରିୟ ହୋଇଥିବାରୁ ତାଙ୍କୁ ଖୁଦ ରଙ୍କୁଣି କୁହାଯାଇଥାଏ । ଖୁଦୁରୁକୁଣୀ ଶବ୍ଦଟି ଏହି ଖୁଦ ରଙ୍କୁଣୀ ଶବ୍ଦର ଅପଭ୍ରଂଶ ମାତ୍ର । ଏହି ପୂଜାରେ ଖୁଦଭଜା ଓ ଖୁଦପିଠା ଭୋଗ ଦିଆଯାଉଥିବାରୁ ଏହି ପର୍ବର ନାମ ଖୁଦୁରୁକୁଣୀ । ଏହା ଏକ ମାତୃଜାତୀୟ ପର୍ବ । ମାତୃଜାତିକୁ ଗଢ଼ିବା ପାଇଁ ଏପରି ପର୍ବ ଆମ ସମାଜରେ ପ୍ରବର୍ତ୍ତିତ କରାଯାଇଛି । ତେଣୁ କୁମାରୀମାନେ ଏହି ପର୍ବକୁ ଯଥାବିଧି ପାଳନ କରିବା ଉଚିତ୍ ।
ନିରୁପମା ଭୂୟାଁ,ମୋ : ୯୯୩୭୪୭୦୯୮୦