ରାସ୍ତାରେ ଗାଈ, ଘରେ ମାଲିକ


ସହରାଞ୍ଚଳ ଗୁଡ଼ିକରେ ବର୍ତ୍ତମାନ ଲୋକମାନେ ଛୋଟ ଛୋଟ ପ୍ଲଟ୍ କିଣି ଘର କରି ରହୁଛନ୍ତି । ନିଜର ରହିବା କ୍ଷେତ୍ରରେ ଜାଗାର ଘୋର ଅଭାବ ଅଛି । ଏପରିସ୍ଥଳେ କିଛି ଲୋକ ଗାଈଗୋରୁ ରଖି ସେମାନଙ୍କ ପାଇଁ ରହିବା ବ୍ୟବସ୍ଥା କରୁନାହାନ୍ତି । ଗାଈ ରଖିବା ପାଇଁ ଗୁହାଳର ବ୍ୟବସ୍ଥା ନଥାଇ ଲୋକେ ରାସ୍ତାକୁ ଛାଡ଼ି ଦେଉଥିବାରୁ ଏହା ସମସ୍ତଙ୍କ ପାଇଁ ଅସୁବିଧାର କାରଣ ପାଲଟୁଛି । ଏଥିପାଇଁ ଆଜିକା ଦିନରେ ସହରାଞ୍ଚଳ ଗୁଡ଼ିକରେ ପ୍ରତି ୱାର୍ଡ୍ରେ କାଞ୍ଜିଆହୁଦା କିମ୍ବା ଗୋଶାଳାର ଆବଶ୍ୟକତା ରହିଛି । 
ବର୍ତ୍ତମାନ ଓଡ଼ିଶାରେ ଜାତୀୟ ରାଜପଥ ଗୁଡ଼ିକରେ ରାତିରେ ନିରାପଦରେ ଯାନବାହାନ ଚଳାଚଳ କରିବା ବିପଜ୍ଜନକ ହୋଇପଡ଼ିଛି । ସହରାଞ୍ଚଳ ଗୁଡ଼ିକ ଦେଇ ଯାଇଥିବା ଜାତୀୟ ରାଜପଥ ଉପରେ ପଲ ପଲ ଗାଈଗୋରୁ, ଷଣ୍ଢ ଆସି ଶୋଉଛନ୍ତି । ବିଶେଷ କରି ଶୀତ ଶେଷ ଏବଂ ଖରା ଆରମ୍ଭ ଦିନ ଗୁଡ଼ିକରେ କୁହୁଡ଼ି ପଡୁଥିବା ରାସ୍ତାରେ ଗାଈଗୋରୁ ଶୋଇଥିଲେ ଦୂରରୁ ସେମାନଙ୍କ ଅବସ୍ଥିତି ଜାଣିବା କଷ୍ଟକର ହୋଇପଡୁଛି । ଏ କ୍ଷେତ୍ରରେ ଯାନବାହାନ ଚଳାଚଳ ବିପଜ୍ଜନକ ହେବା ସହିତ ଦୁର୍ଘଟଣାରେ ଗାଈଗୋରୁଙ୍କ ଜୀବନ ଯାଉଛି । ସରକାରଙ୍କ ପକ୍ଷରୁ ସହରାଞ୍ଚଳରେ ବିଭିନ୍ନ ୱାର୍ଡ୍ରେ ଏବଂ ଗ୍ରାମାଞ୍ଚଳରେ ଗ୍ରାମସ୍ତରରେ ଗୋଶାଳା ନିର୍ମାଣ କରିବାର ବ୍ୟବସ୍ଥା କରାଗଲେ ସେଠାରେ ଗାଈମାନଙ୍କର ରହିବା ବ୍ୟବସ୍ଥା ହେବା ସହିତ ଗାଈ ମାଲିକଙ୍କ ଠାରୁ ଅର୍ଥ ମଧ୍ୟ ଆଦାୟ କରାଯାଇପାରିବ । 
ଅନେକ ଲୋକ ଅଛନ୍ତି ଯେଉଁମାନେ କି ଗାଈଗୋରୁମାନଙ୍କ ପ୍ରତି ସ୍ନେହପୂର୍ଣ୍ଣ ଭାବ ରଖିଛନ୍ତି, ମାତ୍ର ସ୍ଥାନ ଅଭାବରୁ ଘରେ ଗାଈଟିଏ ରଖିପାରୁନାହାନ୍ତି । ଏଭଳି ବ୍ୟକ୍ତିମାନେ ମଧ୍ୟ ଏହି ଗୋଶାଳାକୁ ଯାଇ କିଛି ସମୟ ଗାଈଗୋରୁମାନଙ୍କ ସହିତ ବିତେଇ ପାରିବେ । ସେହିଭଳି ବର୍ତ୍ତମାନ ଜୈବିକ ସାର ଉପରେ ଗୁରୁତ୍ୱ ଦିଆଯାଉଥିବା ସମୟରେ ଗୋଶାଳାମାନଙ୍କରୁ ଯେଉଁ ଗୋବର ବାହାରିବ ତାହାର ପ୍ରୟୋଗ ହୋଇପାରିବ । ଗାଈଗୋରୁଙ୍କୁ ରାସ୍ତାରେ ଛାଡ଼ି ଦେଲେ ସେମାନଙ୍କ ଠାରୁ ଗୋବର ସଂଗ୍ରହ କରିବା ସମ୍ଭବ ହେଉନାହିଁ । ଆଉ ରାସ୍ତାରେ ଯେଉଁଠି ଇଚ୍ଛା ସେଇଠି ଗୋବର ପଡ଼ି ରାସ୍ତା ଖରାପ ହେବା ସହିତ ଦୁର୍ଘଟଣା ଘଟିବାର କାରଣ ପାଲଟୁଛି । 
ବର୍ତ୍ତମାନ ସମୟରେ ଚାଷରୁ ପଶୁମାନଙ୍କର ଉପଯୋଗ ଧୀରେ ଧୀରେ କମିବାରେ ଲାଗିଛି । ସେଥିପାଇଁ ଆଉ ବଳଦ ଦେଖିବାକୁ ମିଳୁନାହାନ୍ତି । ଚାଷ କାର୍ଯ୍ୟରେ ପଶୁଶକ୍ତିର ବ୍ୟବହାର କରି ଫସଲ ଅମଳ କରିବା ମଧ୍ୟ କଷ୍ଟକର ହୋଇପଡୁଛି । ଯାନ୍ତ୍ରିକ କୃଷି ବ୍ୟବସ୍ଥା ଗୋସମ୍ପଦର ବିପର୍ଯ୍ୟୟ ସୃଷ୍ଟି କରିଛି କହିଲେ ଭୁଲ୍ ହେବ ନାହିଁ । କେବଳ ଗାଈ ଠାରୁ କ୍ଷୀର ଉତ୍ପାଦନ ବିଷୟରେ ଆମେ ସଚେତନ ହୋଇ ବୃଦ୍ଧ ଗାଈ ଓ ଷଣ୍ଢ ଆଦିଙ୍କ ସମସ୍ୟାକୁ ଅଣଦେଖା କରିବା ଦ୍ୱାରା ସର୍ବସାଧାରଣଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି ।  ଜାତୀୟ ରାଜପଥ କିମ୍ବା ଚଉଡ଼ା ରାସ୍ତା ଗମନାଗମନର ସୁବିଧା ପାଇଁ ନିର୍ମାଣ କରାଯାଇଛି । ରାତିରେ ରାସ୍ତା ଉପରେ ଗାଈଗୋରୁ ଶୋଇବା ଫଳରେ ରାସ୍ତା ନିର୍ମାଣର ଉଦେ୍ଦଶ୍ୟ ବ୍ୟାହତ ହେଉଛି । ବର୍ତ୍ତମାନ ସମୟରେ ଏହା ଏକ ଗୁରୁତର ସମସ୍ୟା । ଏହାକୁ ଅଣଦେଖା କରାଯାଉଥିବାରୁ ରାତିରେ ଅନେକ ଯାନବାହାନ ଦୁର୍ଘଟଣା ଘଟୁଛି ଏବଂ ରାସ୍ତା ଉପରେ ଡ୍ରାଇଭର ବା ଗାଡ଼ିଚାଳକଙ୍କ ଜୀବନ ଯାଉଛି । 
ଏଭଳି ସମସ୍ୟାକୁ ଗୁରୁତ୍ୱ ଦେଇ କୃଷି କ୍ଷେତ୍ର ନିମିତ୍ତ ଖତ ଉତ୍ପାଦନର କେନ୍ଦ୍ର ଭାବରେ ଗୋଶାଳା ନିର୍ମାଣ କରାଗଲେ ଏହା ବହୁମୁଖୀ ଉଦେ୍ଦଶ୍ୟ ସାଧନ କରାଯାଇପାରିବ । ଗୁହାଳ ନଥାଇ ଗାଈ ରଖୁଥିବା ଏବଂ ରାସ୍ତା ଉପରେ ଶୋଉଥିବା ଗାଈ ମାଲିକଙ୍କୁ ଠାବ କରାଯାଇ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯିବା ଆବଶ୍ୟକ ।  ଗାଈଗୋରୁ ଆଦି ପଶୁ ରଖିବାରେ ମନୁଷ୍ୟ ସହିତ ପ୍ରାଣୀମାନଙ୍କର ସମ୍ପର୍କ ଘନିଷ୍ଠ ହୋଇଥାଏ । ହେଲେ ଏହା ଏକ ସର୍ବସାଧାରଣ ସମସ୍ୟା ହେବା ଅତ୍ୟନ୍ତ ଦୁଃଖ ଏବଂ ଦୁର୍ଭାଗ୍ୟର କଥା ।