ମାନବବାଦୀ ଜନନାୟକ ନବକୃଷ୍ଣ ଚୌଧୁରୀ


ମହାତ୍ମାଗାନ୍ଧୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଯେଉଁ ଉତ୍ସର୍ଗୀକୃତ ସେବା ଭାବାପନ୍ନ ବ୍ୟକ୍ତିମାନେ ଜାତୀୟ ମୁକ୍ତି ସଂଗ୍ରାମରେ ଯୋଗଦେବା ସହ ସାମାଜିକ ପରିବର୍ତ୍ତନର ଅଗ୍ରଦୂତ ସାଜିଥିଲେ, ସେମାନଙ୍କ ମଧ୍ୟରେ ପୂଜ୍ୟ ନବକୃଷ୍ଣ ଚୌଧୁରୀ ଥିଲେ ଅନ୍ୟତମ ।
ସେ ୧୯୦୧ ମସିହା ନଭେମ୍ବର ମାସ ୨୩ ତାରିଖରେ କଟକ ସହରର ଐତିହାସିକ ସ୍ୱରାଜ୍ୟ ଆଶ୍ରମ ଗୃହରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପୈତୃକ ଜନ୍ମସ୍ଥାନ ହେଲା- ବର୍ତ୍ତମାନର ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଖେରସ ଗ୍ରାମରେ ।  ତାଙ୍କ ପିତାଙ୍କ ନାମ- ଗୋକୁଳା ନନ୍ଦ ଚୌଧୁରୀ ଓ ମାତାଙ୍କ ନାମ- ପଦ୍ମାବତୀ ଦେବୀ । ପିତା ଥିଲେ ଜଣେ ପ୍ରତିଷ୍ଠିତ ଆଇନଜୀବୀ ଓ ବିଶିଷ୍ଟ ଜମିଦାର । ସେ ଓଡ଼ିଶା ପିପୁଲସ୍ ଆସୋସିଏସନ୍ ନାମକ ଏକ ଅନୁଷ୍ଠାନ ଗଠନ କରିଥିଲେ ଏବଂ ୧୯୦୮ ମସିହାରୁ ୧୯୧୫ ପର୍ଯ୍ୟନ୍ତ କଟକ ଜିଲ୍ଲା ବୋର୍ଡର ଭାଇସ୍ ଚେୟାରମ୍ୟାନ୍ ଥିଲେ । ନବବାବୁଙ୍କ ଶ୍ରଦ୍ଧାନାମ ଥିଲା ଟୁଆଁ । ପରେ ତାଙ୍କ ପିଲାମାନେ ତାଙ୍କୁ ବାପି ବୋଲି ଡାକୁଥିଲେ । ପ୍ୟାରୀମୋହନ ଏକାଡେମୀରୁ ସେ ମାଟ୍ରିକୁ୍ୟଲେସନ ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ୧୯୧୮ ମସିହାରେ କଟକ ରେଭେନ୍ସା କଲେଜରେ ନାମ ଲେଖାଇଥିଲେ । ତାଙ୍କ ବଡ ଭାଇ ଗୋପବନ୍ଧୁ ଚୌଧୁରୀ କଲିକତା ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇ ଆସିବା ପରେ କଟକ ବାଖରାବାଦ ଠାରେ ‘ଭାରତୀ ମନ୍ଦିର’ ନାମରେ ଏକ ଲାଇବ୍ରେରୀ ଓ ଆଲୋଚନାଚକ୍ର ସ୍ଥାପନ କଲେ । ଏହି ଅନୁଷ୍ଠାନରେ ଦେଶର ବିଭିନ୍ନ ସ୍ଥାନରୁ ସମ୍ବାଦ ପତ୍ର, ସାମୟିକ ପତ୍ରିକା ଓ ପୁସ୍ତକମାନ ମଗାଇ ରଖାଯାଉଥିଲା । ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ଯଦୁମଣି ମଙ୍ଗରାଜ, ରାଜକୃଷ୍ଣ ବୋଷ ପ୍ରମୁଖ ନିୟମିତ ଭାବରେ ଏଠାକୁ ପଢାପଢି କରିବା ଓ ରାଜନୈତିକ ଆଲୋଚନା କରିବାକୁ ଆସୁଥିଲେ । ୧୯୨୧ ମସିହାରେ ମହାତ୍ମା ଗାନ୍ଧିଙ୍କ ଆହ୍ୱାନରେ ସେ କଲେଜ ପଢା ଛାଡି ଅସହଯୋଗ ଆନେ୍ଦାଳନରେ ଯୋଗଦେଇଥିଲେ । ଠିକ୍ ସେତିକି ବେଳେ ପଣ୍ଡିତ ଗୋପବନ୍ଧୁ ଦାସ ଚକ୍ରଧରପୁରରୁ ଫେରି ତା ୨୧.୧.୧୯୨୧ ଦିନ କଟକ ଠାରେ କାଠଯୋଡି ନଈବାଲିରେ ଏକ ସାଧାରଣ ସଭାରେ କଂଗ୍ରେସର ଅହିଂସା ଅସହଯୋଗ ପ୍ରସ୍ତାବରେ ମର୍ମକୁ ବୁଝାଇ ଜାତୀୟ ସଂଗ୍ରାମରେ ଯୋଗଦେବା ପାଇଁ ଓଡ଼ିଶାବାସୀ ବିଶେଷତଃ ଓଡ଼ିଶାର ଛାତ୍ର ସମାଜକୁ ଆହ୍ୱାନ ଦେଲେ । ତାଙ୍କର ଭାଷଣ ଛାତ୍ର ମହଲରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ହରେକୃଷ୍ଣ ମହାତାବ, ଯଦୁମଣି ମଙ୍ଗରାଜ, ନବକୃଷ୍ଣ ଚୌଧୁରୀ, ରାଜକୃଷ୍ଣ ବୋଷ, ନିତ୍ୟାନନ୍ଦ କାନୁନ୍ଗୋ, ବଂଶୀଧର ମିଶ୍ର, କରୁଣାକର ପାଣିଗ୍ରାହୀ, ନାରାୟଣ ବୀବବର ସାମନ୍ତ ପ୍ରଭୃତି ବହୁ ସଂଖ୍ୟକ ଛାତ୍ର ସ୍କୁଲ କଲେଜରେ ଶିକ୍ଷା ଛାଡି ସଂଗ୍ରାମରେ ଝାସ ଦେଲେ । ପଣ୍ଡିତ ଗୋପବନ୍ଧୁ ଦାସ, ଭାଗୀରଥି ମହାପାତ୍ର ଓ ଧର୍ମାନନ୍ଦ ପଟ୍ଟନାୟକ ପ୍ରଭୃତି ଓକିଲାତି ବ୍ୟବସାୟ ଛାଡିବା ସହିତ କଚେରି ବର୍ଜନ କଲେ । ସେହି ସମୟରେ ସେ ରେଭେନ୍ସା କଲେଜରେ ତୃତୀୟ ବର୍ଷର ମେଧାବୀ ଛାତ୍ର ଥିଲେ । ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଥିଲା ଓ ସେ ଧନୀ ଜମିଦାରଙ୍କ ପୁଅ ଥିଲେ । ତଥାପି ସେ ସମସ୍ତକୁ ଖାତିର ନକରି ଦେଶ ସେବାରେ ମନପ୍ରାଣ ଢାଳି ଦେଇଥିଲେ । ଅସହଯୋଗ ଆନେ୍ଦାଳନର ବିଭିନ୍ନ କାର୍ଯ୍ୟକ୍ରମ ଯଥା- ବିଲାତି ଲୁଗା ବର୍ଜନ, ଗଞ୍ଜେଇ ଅଫିମ ଓ ମଦ ଦୋକାନ ଆଗରେ ପିକେଟିଂ ଓ ଲୋକଙ୍କ ଭିତରେ ଅସହଯୋଗ ଆନେ୍ଦାଳନର ବାର୍ତ୍ତା ପ୍ରଚାର କରିବାରେ ଅଂଶ ଗ୍ରହଣ କରିଥିଲେ ।
ଅସହଯୋଗ ଆନେ୍ଦାଳନରେ ଯେଉଁ ସ୍କୁଲ, କଲେଜ ଛାତ୍ରମାନେ ଅଂଶ ଗ୍ରହଣ କରି ଅଧାରୁ ପାଠ ଛାଡିଥିଲେ ଓ ସ୍ୱାଧୀନତା ସଂଗ୍ରାମୀ ହୋଇଥିଲେ ସେମାନଙ୍କୁ ଜାତୀୟ ଶିକ୍ଷା ଓ ରଚନାତ୍ମକ କାର୍ଯ୍ୟରେ ତାଲିମ ଦେବାପାଇଁ ଭାଗୀରଥି ମହାପାତ୍ରଙ୍କ ଉଦ୍ୟମରେ ତାଙ୍କ ଗାଁ ଚାଟର ଗ୍ରାମର ଆମ୍ବତୋଟା ଭିତରେ ଅଳକାଶ୍ରମ ପ୍ରତିଷ୍ଠା ହୋଇଥିଲା । ଏଠାରେ ୨୦୦ ପର୍ଯ୍ୟନ୍ତ ଛାତ୍ର ଥିଲେ । ଏହି ଜାତୀୟ ବିଦ୍ୟାଳୟରେ ନବକୃଷ୍ଣ ଚୌଧୁରୀ ଜଣେ ଶିକ୍ଷକ ଥିଲେ । ପରେ ଖଦି ଓ ସତରଞ୍ଜ ବୁଣା ଶିଖିବା ପାଇଁ ମହାତ୍ମା ଗାନ୍ଧିଙ୍କ ସାବରମତି ଆଶ୍ରମକୁ ଯାଇଥିଲେ । ସେଠାରେ ଗାନ୍ଧିଜୀଙ୍କର ଦୈନନ୍ଦିନ ଜୀବନ ତଥା ଆଶ୍ରମର କାର୍ଯ୍ୟକଳାପ ଅଧ୍ୟୟନ କରି ତାଙ୍କ ଉପରେ ସେ ଅଧିକ ବିଶ୍ୱାସ ସ୍ଥାପନ କରିଥିଲେ । ସେଠାରୁ ଫେରିବା ପରେ ଜଣେ ମନୀଷୀଙ୍କ ଭାଷଣ ଶୁଣିବା ପାଇଁ ଶାନ୍ତି ନିକେତନ ଯାଇଥିଲେ । ସେଠାରେ ଶିକ୍ଷା ପଦ୍ଧତି ତାଙ୍କୁ ଗଭୀର ଭାବରେ ଆକୃଷ୍ଟ କରିଥିଲା । ମାଳତୀ ସେନଙ୍କ ସହିତ ଶାନ୍ତି ନିକେତନ ଠାରେ ତାଙ୍କରି ପରିଚୟ ହୋଇଥିଲା । ସେ ତାଙ୍କ ସହିତ ବିବାହ କରିବାକୁ ସ୍ଥିର କରିଥିଲେ । ଘରେ ଏକଥା ଜଣାଇବାପରେ ବଡଭାଇ ଭାଉଜ ରାଜି ହୋଇଥିଲେ ସତ, କିନ୍ତୁ ମା’ ରାଜି ହୋଇନଥିଲେ । କାରଣ ସେ ବଙ୍ଗାଳି ଝିଅ ଥିଲେ । ରମାଦେବୀ ଯଦି ତାଙ୍କ ଶାଶୂଙ୍କ ମୁଣ୍ଡ ଛୁଆଁଇ କହନ୍ତି ଯେ ମାଳତୀ ଦେବୀ ରାନ୍ଧିଥିବା ଜିନିଷ ଖାଇବେ ନାହିଁ ତା’ହେଲେ ତାଙ୍କ ଶାଶୂ ଏହି ବିଭାଘରେ ପାଇଁ ସମ୍ମତି ଦେବେ । ତେବେ ନବବାବୁ ଚାହିଁଥିଲେ ଏପରି ଜଣେ ମହିଳାଙ୍କୁ ତାଙ୍କ ସ୍ତ୍ରୀ ରୂପେ ବାଛିବେ ଯେ କି ସ୍ୱାଧୀନତା ସଂଗ୍ରାମରେ ହେବେ ତାଙ୍କ ସାଥୀ । ଆଉ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ବିବାହ ପ୍ରଚଳନ ପାଇଁ ଗାନ୍ଧିଜୀଙ୍କ ଆଦର୍ଶ ତାଙ୍କ ଆଗରେ ଥିଲା । ଯେଉଁ ମା’ ପୁଅର ବଙ୍ଗାଳି ଘରେ ବିବାହ ଯୋଗୁ ଅତ୍ୟନ୍ତ କ୍ଷୁବ୍ଧ ହୋଇ ଶେଷରେ ଏକ କଠୋର ସର୍ତ୍ତରେ ସମ୍ମତି ଦେଇଥିଲେ, ସେହି ମା’ଙ୍କ ପ୍ରତି କିନ୍ତୁ ଥିଲା ତାଙ୍କର ଅପୂର୍ବ ସ୍ନେହ ଓ ଶ୍ରଦ୍ଧା । ମୁଖ୍ୟମନ୍ତ୍ରୀ ଥିଲା ବେଳେ ତାଙ୍କ ମା’ ଚଳତ୍ ଶକ୍ତି ରହିତ ଓ ଶଯ୍ୟାଶାୟୀ ଥିଲା ବେଳେ ସେ ଭୁବନେଶ୍ୱର ବାସଭବନରେ ରଖି ମା’ଙ୍କର ଝାଡା ପରିସ୍ରା ସଫା କରୁଥିଲେ ଓ ବେଳେ ବେଳେ ପିଲାଙ୍କ ପରି ମା’ଙ୍କୁ ପିଠି ଉପରେ  ପକାଇ ତାଙ୍କ ଘର ବଗିଚା ଚାରିଆଡେ ବୁଲାଇ ବହୁ ସେବା ଶ୍ରୁଶୁଷା କରିଥିଲେ । ନବବାବୁ ଓ  ମାଳତୀ ଦେବୀ ବିଭାହୋଇ ତାଙ୍କ କଟକ ବାସଭବନରେ କିଛି ଦିନ ରହିବା ଭିତରେ ମାଳତୀ ଦେବୀ ଶାଶୂଙ୍କର ଏପରି ସେବା କଲେ ଯେ, ଶାଶୂ ସବୁବେଳେ ତାଙ୍କୁ ଖୋଜିଲେ ଓ ପାଖରୁ ଛାଡିବାକୁ ପ୍ରସ୍ତୁତ ନଥିଲେ ।
ବ୍ରଟିଶ ସରକାର ଭାରତବାସୀଙ୍କୁ ଲୁଣ ମାରିବାକୁ ନିଷେଧ କରି ଦେଇ ଯେଉଁ ଅନ୍ୟାୟ ଆଇନ ପ୍ରବର୍ତ୍ତନ କରିଥିଲେ ତାକୁ ଅମାନ୍ୟ କରି ଗାନ୍ଧିଜୀଙ୍କ ନେତୃତ୍ୱରେ ଲବଣ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା । ସାବରମତି ଆଶ୍ରମରୁ ସେ ବାହାରି ଗୁଜୁରାଟ ସମୁଦ୍ର କୂଳବର୍ତ୍ତୀ ଦାଣ୍ଡିଠାରେ ପଦଯାତ୍ରୀଙ୍କ ସହ ୧୯୩୦ ମସିହା ଏପ୍ରିଲ ୬ ତାରିଖରେ ଲବଣ ସତ୍ୟାଗ୍ରହ ଆରମ୍ଭ କରିଥିଲେ । ଗୋପବନ୍ଧୁ ଚୌଧୁରୀଙ୍କ ନେତୃତ୍ୱରେ ବାଲେଶ୍ୱର ଇଂଚୁଡି ଠାରେ ଲବଣ ସତ୍ୟାଗ୍ରହୀ କଟକ ଠାରୁ ପଦଯାତ୍ରା ଆରମ୍ଭ କଲେ । ପଥ ମଧ୍ୟରେ ଗୋପବନ୍ଧୁ ଚୌଧୁରୀ ଗିରଫ ହେବାରୁ ଆଚାର୍ଯ୍ୟ ହରିହର ସତ୍ୟାଗ୍ରହୀ ଦଳର ନେତୃତ୍ୱ ନେଇଥିଲେ । ସତ୍ୟାଗ୍ରହୀମାନେ ଏପ୍ରିଲ ୧୩ ତାରିଖ ଦିନ ଇଂଚୁଡି ଠାରେ ପହଞ୍ଚô ଲବଣ ଆଇନ ଭଙ୍ଗ କରି ଲୁଣ ମାରିଥିଲେ । ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀ ଲବଣ ସତ୍ୟାଗ୍ରହର ବାର୍ତ୍ତା ପ୍ରଚାର କରିବାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ମାଳତୀ ଦେବୀ ରମାଦେବୀଙ୍କ ସହିତ ଜଗତସିଂହପୁର, ତିର୍ତ୍ତୋଲ ଓ କୁଜଙ୍ଗ ପ୍ରଭୃତି ଅଞ୍ଚଳ ଭ୍ରମଣ କରି ଲବଣ ସତ୍ୟାଗ୍ରହ ପାଇଁ ସତ୍ୟାଗ୍ରହୀ ସଂଗ୍ରହ କରିଥିଲେ । ଇଂଚୁଡି ନିକଟବର୍ତ୍ତୀ ଶ୍ରୀଜଙ୍ଗ ଓ ନିକଟସ୍ଥ ଗ୍ରାମ ମାନଙ୍କରେ ଚୌକଦାରୀ ଟିକସ ନଦେବା ପାଇଁ ଓ ଚୌକିଦାର ଦଫାଦାରମାନଙ୍କୁ ଚାକିରି ଛାଡି ଦେବା ପାଇଁ ପ୍ରବର୍ତ୍ତାଇ ସେଥିପାଇଁ ସଙ୍ଗଠିତ ସତ୍ୟାଗ୍ରହ ଚଳାଇଥିଲେ । ଏହି ଆନେ୍ଦାଳନ ହେବା ଫଳରେ ଅନେକ ଚୌକିଦାର ଟିକସ ଦେଲେ ନାହିଁ  ଓ ଚାକିରି ଛାଡି ଦେଇଥିଲେ । ଏଥିରେ ଭୟଭୀତ ହୋଇ ଇଂରେଜ ସରକାର ଲୋକଙ୍କ ଉପରେ ଜୋର ଜବରଦସ୍ତ କରି ଟିକସ ଆଦାୟ କଲେ ଓ ଟିକସ ନଦେଲେ ଜମିବାଡି ନିଲାମ କରାଇଲେ । ଶ୍ରୀଜଙ୍ଗର ଅତ୍ୟାଚାରକୁ ନେଇ ସେତେବେଳେ ଚାରଣ କବି ବା‚ାନିଧି ମହାନ୍ତି ଲେଖିଥିଲେ:-
ଦୁଃଖିନୀ ଉକ୍ରଳେ ଶ୍ରୀଜଙ୍ଗ କାହାଣୀ,
ପ୍ରତି ପ୍ରାଣେ ଦେଲାକି ସନ୍ତାପ ଆଣି
ପ୍ରତି ଲୋମକୂପ ଶିହରୀ ଉଠିଲା
ଜାଣେ ଯେ, ମନକୁ ଆଣିଛି ଗୋ,
କାଢି ନେଲେ ଘରୁ ସିନ୍ଧୁକ କବାଟ
ତାଡିଦେଲେ ଖଣ୍ଟ ମାରି ବେତ ଛାଟ
 ବୋହି ନେଲେ ଖାଲିକରି ଅମାରକୁ
(ସତେ) ବାପା ଅଜା କିଣିଛି ଗୋ ।ା
ଶ୍ରୀଜଙ୍ଗ ଆନେ୍ଦାଳନରେ ନେତା ନବବାବୁଙ୍କୁ ବ୍ରଟିଶ ସରକାର ଗିରଫ କରିନେଇ କଟକ ଜେଲ୍ରେ ରଖିଥିଲେ । ୧୯୩୦ ନଭେମ୍ବର ୮ ତାରିଖରେ ସେ ଜେଲ୍ରୁ ଖଲାସ ହେଲେ । ୧୯୩୨ ମସିହାରେ ପୁରୀ ଠାରେ ଜାତୀୟ କଂଗ୍ରେସର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହେବାର ନିଷ୍ପତ୍ତି ହେଲା । ଏଥିରେ ଆବଶ୍ୟକ ଥିବା ସ୍ୱେଚ୍ଛାସେବକ ଓ ସ୍ୱେଚ୍ଛାସେବିକାମାନଙ୍କୁ ତାଲିମ ଦେବା ଦାୟିତ୍ୱ ସେ ଓ ମାଳତୀ ଦେବୀ ଗ୍ରହଣ କରିଥିଲେ । ଅଧିବେଶନ ପାଇଁ ପ୍ରସ୍ତୁତ ଚାଲିଥିଲା ବେଳେ କଂଗ୍ରେସ ଅନୁଷ୍ଠାନ ବେଆଇନ କରି ଅନ୍ୟାନ୍ୟ କର୍ମୀଙ୍କ ସହିତ ନବବାବୁଙ୍କୁ ଗିରଫ କରି ବିହାର ହଜାରିବାଗ ଜେଲ୍କୁ ନେଇଗଲେ । ୧୯୩୩ ମସିହାରେ ସେ ସେଠାରୁ ଖଲାସ ହୋଇଥିଲେ । ତତ୍ ପରେ ପରେ ୧୯୩୩ରେ ହିଁ ତାଙ୍କ ନେତୃତ୍ୱରେ କଂଗ୍ରେସ ଭିତରେ କଂଗ୍ରେସ ସମାଜବାଦୀ ଦଳ ପ୍ରତିଷ୍ଠା ହୋଇଥିଲା । ଏଥିରେ ମାଳତୀ ଦେବୀ, ସୁରେନ୍ଦ୍ର ନାଥ ଦ୍ୱେିବେଦୀ, ଗୌରାଙ୍ଗ ଚରଣ ଦାସ ଓ ପ୍ରାଣନାଥ ପଟ୍ଟନାୟକ ପ୍ରମୁଖ ଥିଲେ ।
ସଙ୍ଗଠନ ପକ୍ଷରୁ ସେମାନେ “ସାରଥି” ନାମରେ ଏକ ପତ୍ରିକା ପ୍ରକାଶ କରୁଥିଲେ । ତାଙ୍କର ମହାତ୍ମା ଗାନ୍ଧିଙ୍କ ନେତୃତ୍ୱ ଉପରେ ପୂର୍ଣ୍ଣ ବିଶ୍ୱାସ ଥିଲା । ଏବଂ କେବଳ ଗାନ୍ଧିଜୀ ହିଁ ଶେଷ ପର୍ଯ୍ୟନ୍ତ ସ୍ୱାଧୀନତା ସଂଗ୍ରାମ ପାଇଁ ନେତୃତ୍ୱ ଦେଇପାରିବେ ବୋଲି ତାଙ୍କର ହୃଦବୋଧ ହୋଇଥିଲା । ସେତେବେଳେ କୃଷକମାନେ ଅବହେଳିତ ଓ ଶୋଷିତ ଅବସ୍ଥାରେ ଥିଲେ । ନିଜର ଗଛ ମାଛରେ ଅଧିକାର ନଥିଲା । ନିଜ ଜମି ସେମାନେ ବିକ୍ରି କରିପାରୁନଥିଲେ । ଦାଖଲ ଖାରଜ ରୋସମ ଦେବାକୁ ପଡୁଥିଲା । ଗାଁ ଦାଣ୍ଡ ପିଣ୍ଡାରେ ଜମିଦାର ବା ମହନ୍ତ ବସିଥିଲେ କୃଷକମାନେ ସେ ବାଟେ ଜୋତା ମାଡି ବା ଛତା ଧରି ଯାଇପାରୁନଥିଲେ । ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ ଓ ଅନ୍ୟ ସମାଜବାଦୀ କର୍ମୀମାନଙ୍କ ସହଯୋଗରେ ୧୯୩୪ରୁ ଚାଲି ଆସିଥିବା କୃଷକ ଆନେ୍ଦାଳନ ଫଳରେ କୃଷକମାନେ ଆତ୍ମ ସମ୍ମାନ ଫେରି ପାଇଥିଲେ । ୧୯୩୬ ମସିହା ଏପ୍ରିଲ ପହିଲା ଦିନ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେଲା । ୧୯୩୭ ମସିହା ଜାନୁଆରୀ ମାସରେ ନୂତନ ଓଡ଼ିଶା ପ୍ରଦେଶର ବିଧାନସଭା ପାଇଁ ପ୍ରଥମ ନିର୍ବାଚନ ହେଲା । ସେହି ବିଧାନସଭାକୁ ନବବାବୁ ପୂର୍ବ କଟକ ସଦରରୁ ଜଣେ ସଭ୍ୟ ଭାବରେ ନିର୍ବାଚିତ ହୋଇଥିଲେ । ବିହାର ଓଡ଼ିଶା ପ୍ରଜାସ୍ୱତ୍ତ୍ୱ ଆଇନର ସଂଶୋଧନ କରାଯାଇ କୃଷକମାନଙ୍କ ଦାବି ପୂରଣ କରାଯାଇଥିଲା ।(କ୍ରମଶଃ)
ଏମ୍.ଆଇ.ଜି.ୱାନ ୪୨/୧
ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀ, ଭୁବନେଶ୍ୱର
ମୋ-୯୧୭୮୯୦୮୭୬୩