ଅଜଣା ଜଗତର ଡାକ (୨୮)


ଅସୀମଙ୍କର ଆସିବାର ସବୁଠାରୁ ବଡ ଆକର୍ଷଣ ଥିଲା ଉଦୟରାଜଙ୍କର ସୁନ୍ଦର ହଟ୍ । ପାଣ୍ଡାନାସ ବଣଦେଇ ଭିତରକୁ ଚାଲିଯାଇଛି ଏକ ବାଲି ମାଟି ରାସ୍ତା । ଗଛକୁ ମୋଟେ ନକାଟି, କେବଳ ସାମାନ୍ୟ ସାଇଜ କରି ତା’ ଭିତରେ ଉଦୟରାଜ ରାସ୍ତା ତିଆରି କରିଥିଲେ । ଫଳରେ ଗାଡି ବଙ୍କା ଟଙ୍କା ରାସ୍ତାଦେଇ ବେଶ ସହଜରେ ସମୁଦ୍ରକୂଳକୁ ଚାଲି ଯାଉଥିଲା । ଯେଉଁଠି ଗାଡି ଅଟକୁଥିଲା ସେଇଠି ସମୁଦ୍ରକୂଳ ହିସାବରେ ଇଂଚେ ବାଲି କେଉଁଠି ନଥିଲା । ସେଇଠି ଥିଲା ଏକ ଡେଡ କୋରାଲ ଆଉ ଲାଇଷ୍ଟୋନର ପାହାଡ ଆଉ କିଛି କିଛି ବଡ ପଥର । ପଛର ପାଣ୍ଡାନାସ ଜଙ୍ଗଲରେ ଗଛର ସୁନ୍ଦରତା ଏମିତି ଆକର୍ଷଣୀୟ ଲାଗିବନି । ଏକ ଛୋଟ ଆକାରର ନରମ ଗଛରୁ ଝୁଲିପଡିଥିବା ଲମ୍ବା ସରୁଆ ପତ୍ରମାନ ଆଉ ପତ୍ରର ଧାରରେ ଥିବ ଅସଂଖ୍ୟ କଣ୍ଟା ଗାଡିରୁ ଓହ୍ଲାଇ ଏମିତିଆ ଜଙ୍ଗଲରେ ଚାଲିଲେ ମଧ୍ୟ ମଜା ଲାଗିବନି । ଆଉ ସମୁଦ୍ରକୁ ଏକ ପଥର ଉପରୁ ଦେଖିଲେ କ’ଣ ଖୁସି ଲାଗିବ? ତଥାପି ଉଦୟରାଜ ସେଇ ପଥର ଉପରେ ଏକ ସୁନ୍ଦର ହଟ୍ (ଫର୍ଣ୍ଣ କୁଟୀର) ତିଆରି କରିଥିଲେ । ପଥରକୁ ପଥରରେ ଯୋଡି, ସିମେଣ୍ଟ ମୋଟେ ଉପେଯାଗ ନକରି, ସାମାନ୍ୟ କାଠ ବ୍ୟବହାର କରି ଆଉ ଜୀବନ୍ତ ଗଛକୁ ନେଇ ସେ ତାଙ୍କର ବ୍ୟାବହାରିକ ଜ୍ଞାନ ବିନିଯୋଗ କରି ଏକ ପ୍ଲାଟଫର୍ମ କରିଥିଲେ । ତା’ ଉପରେ କାଠର ଖୁଣ୍ଟି ଦେଇ ଏକ ସୁନ୍ଦର ହଟ୍ ତିଆରି ହୋଇଥିଲା । ବହୁତ ସୁନ୍ଦର ହଟ୍ ଅନେକ ଜାଗାରେ ଅଛି । କିନ୍ତୁ ଅତି ସାମାନ୍ୟ ଉପକରଣରେ ଦୃଢ, ଆଉ ସୁନ୍ଦର ହଟ୍ ତିଆରି କରିବାରେ ସମାନ ବୋଧହୁଏ ଉଦୟରାଜଙ୍କ ଭଳି କେହି ହେବେନି । ଏ ହଟ୍କୁ କିଏ ଏମିତି ଦେଖିଲେ ସେଥିରୁ କିଛି ଅସାମାନ୍ୟତା ପାଇବନିି ।
ସେ ହଟ୍ର କିନ୍ତୁ ଏକ ବଡ ବିଶେଷତା ଥିଲା । ସେଇଠୁ ବସି ବଡ ବଡ ଭାଙ୍ଗି ପଡୁଥିବା ଲହଡିକୁ ପାଦ ପାଖରେ ଦେଖିହୁଏ । ଅତି ବଡ ବଡ ଲହଡି ହୁଏ ୩୫ କିମି ସମୁଦ୍ରରେ । ଆଗକୁ ତାଠାରୁ ବଡ ଲହଡି ହୁଏ ୫୧ କିମି ଅଂଚଳରେ । ଗଲାଥିଆ ନଦୀର ପାଣି ହେତୁ ୪୧ କିମି ଅଞ୍ଚଳରେ ଲହଡି ଟିକେ କମ । ୩୫ କିମି ପାଣ୍ଡାନାସ ବଣ ଧାରରେ ୧୦-୧୫ ଫୁଟର ବଡ ଲହଡି ଗର୍ଜ୍ଜନ କରି ଦୌଡିଆସେ ହଟ୍ ଆଡକୁ । ସତେ ଯେମିତି ଏଇ ହଟ୍କୁ ବୁଡାଇଦେବ ଆଉ ସବୁ ଭାଙ୍ଗି ଭସାଇନେବ । କିନ୍ତୁ ଲାଇମଷ୍ଟୋନ ପାହାଡରେ ବାଧାପାଇ ଲହଡି ଭାଙ୍ଗିଯାଏ, ପାଣି ଜୋରରେ ଆକାଶକୁ ଛିଟିକି ପଡେ ଆଉ ଶେଷରେ ହଟ୍ ପାଖରେ ପହଞ୍ଚôଲାବେଳକୁ ଲହଡି କେବଳ ଖୁଣ୍ଟ ଛୁଇଁନିଏ । ତେଣୁ ସେ ଜାଗାରୁ ଭାଙ୍ଗି ପଡୁଥିବା ଲହଡି ଦେଖିବାକୁ ଅପୂର୍ବ ଲାଗେ । ଯିଏ ରୁଦ୍ର, ସେ ସବୁଠାରୁ ବେଶି ସୁନ୍ଦର । ତେଣୁ ଅସୀମ ଆଉ ଶୋଭନା ଏହି କାରଣରୁ ଏ ହଟ୍କୁ ପସନ୍ଦ କରୁଥିଲେ । ଅସୀମ ଆଉ ଶୋଭନା ଅନେକ ସମୟ ବାହାରେ ବସି ସୂର୍ଯ୍ୟାସ୍ତ ଦେଖନ୍ତି । ପଶ୍ଚିମ ଆକାଶ ଧିରେ ଲାଲ ହୋଇଆସୁଥାଏ ଆଉ ଲହଡିର ଚୂଡା ଲାଲ ପଡିଯାଏ । ଅତି ମନୋହର ଦୃଶ୍ୟ । ପ୍ରବଳ ବେଗରେ ଲହଡି ଆସି ଭାଙ୍ଗିପଡୁଥାଏ, ସବୁଆଡେ ଧଳା ଫେଣରେ ଭରିଯାଏ, ଏମିତିକି ସେମାନଙ୍କ ଗୋଡ ଛୁଇଁଦିଏ ଆଉ ଲାଗେ ଲହଡିର ଉପରେ କିଏ ଲାଲ ଅଭିର ବିଞ୍ଚô ଦେଇଛି । ଏ ଯାଗାରୁ ସୂର୍ଯ୍ୟ ବୁଡି ଯିବାଟା ଅବଶ୍ୟ ଦିଶେନି । ସେଇଟା ଭଲ ଦିଶେ ୫୧ କିମି ପରେ, ପଶ୍ଚିମ ଉପକୂଳରେ । ତେଣିକି କେବଳ ଥାଏ ମହାସାଗରର ଅସରନ୍ତି ଜଳ ।  ବସିବା ସ୍ଥାନଟା ମଧ୍ୟ ଚମକ୍ରାର ଥିଲା । କେବଳ ଏକ ପ୍ଲାଟଫର୍ମ ବାହାରି ଆସିଛି, କେଓଡା କିମ୍ବା ନଡିଆ ଗଛର ଗଣ୍ଡିକୁ କାଟି ପଟା କରାଯାଇଛି । ଏହା ଗୁଆ ଗଛର ପଟା ଭଳି ମଧ୍ୟ ଲାଗୁଥିଲା । କେଓଡା ଗଛ ସେମିତି କିଛି ଶକ୍ତ ନୁହେଁ । କିନ୍ତୁ ଲୁଣି ପାଣିରେ ସହଜେ ସଢିବନି । ପ୍ଲାଟଫର୍ମର ତଳଟା ଢେଉଢେଉକା । ଗୋଟାଏ ପଟା ସହ ଆଉ ଗୋଟାଏ ପଟା ମୋଟେ ମିଶିନି । ଫାଙ୍କ ଦେଇ ତଳ କୋରାଲ ପାହାଡ, ପାଣି ଦେଖାଯାଉଛି । ତଳ କୂଳଟା ସଂମ୍ପୂର୍ଣ ପଥୁରିଆ, ମୋଟେ ବସି ହେବନି । କିନ୍ତୁ ଏ ପ୍ଲାଟଫର୍ମ ପାଇଁ ଉପରେ ବେଶ କିଛି ଜାଗା ବସିବା ପାଇଁ ହୋଇଯାଇଛି । ଡାହାଣ ଆଡକୁ କୂଳରେ ଅନେକ କେଓଡା ଗଛ ଅଛି, ଆଉ କଡରେ ଅଛି ଏକ ବଡ ଖୋଲା ପଥର ଥିବା ପାହାଡ । କୂଳରେ ଅଳ୍ପ ଦୂରରେ କିଛି ଜାଗାରେ ବଡ ବଡ ମନ୍ଦା ହୋଇ ଧଳା ବାଲି ଏଠି ସେଠି ଅଛି । ଏଠି ବାଲିରି ରଙ୍ଗ ଅତି ପରିଷ୍କାର । ପ୍ଲାଟଫର୍ମରେ ବସିବା ପାଇଁ ଲମ୍ବାରେ ବେଞ୍ଚ ଆକାରରେ ସେହି କେଓଡା ପଟାକୁ ମଧ୍ୟ ପାରି ଦିଆଯାଇଛି । ସେଇଠୁ ବସି ସମୁଦ୍ରକୁ ଅନାଇ ହୁଏ ।
ଶୋଭନା ସହରରେ ଥିଲେ ହୁଏତ ଏମିତିଆ ବସିବା ଜାଗାକୁ ଦେଖି ନାକ ଟେକିଥାନ୍ତେ, କିନ୍ତୁ କ୍ୟାମ୍ପବେଲ ବେର ଜଙ୍ଗଳିଆ ଅଞ୍ଚଳରେ ସେ ଏହି ପ୍ଲାଟଫର୍ମରେ ଆସି ସହଜରେ ବସି ପଡିଲେ । ତାଙ୍କର ପତଳା ଲମ୍ବା ଶରୀର, ସାମାନ୍ୟ ମେଦ ନାହିଁ । ଶୋଭନାଙ୍କୁ ଦେଖିଲେ କେହି ବି ଏକ କଲେଜ ପଢୁଆ ଝିଅ ବୋଲି କହିବ । ଏମିତି କଲେଜରୁ ଫେରି ନିଜ ବ୍ୟାଗ ରଖି ଟିକେ ବୁଲିବାକୁ ଆସିଯାଇଛନ୍ତି । ତାଙ୍କୁ କେହି ଏକ ବିଶାଳ ବ୍ୟକ୍ତିତ୍ୱଧାରିଣୀ ମାଡାମ୍ ମୋଟେ କହିବନି । ବୟସରେ ମଧ୍ୟ ବେଶି ନୁହେଁ, ମୋଟେ ୨୨ ବର୍ଷର ତରୁଣୀ ଥିଲେ ଶୋଭନା । ବେଶ ସୁନ୍ଦରୀ ଆଉ ଶାନ୍ତ ସ୍ୱଭାବର । ସେଦିନ ସେ ତାଙ୍କ ଲମ୍ବା ବାଳରେ ଏକ ସାଧାରଣ ହେଆର ବ୍ୟାଣ୍ଡ ଲଗାଇଥିଲେ, ଗୋଡରେ ଏକ ରବର ଚପଲ ଆଉ ଦେହରେ ବାଇଗେଣି ରଙ୍ଗ ଅତି ସାଧାରଣ ଚୁଡିଦାର ଥିଲା । ହାତରେ ଅବଶ୍ୟ ସେ ଲାଲ ଶଂଖା ଲଗାଇଥିଲେ । ଏତିକିରେ ସେ ବେଶ ସୁନ୍ଦରୀ ଲାଗୁଥିଲେ । 
ଶୋଭନାଙ୍କର ନରମ ଦୃଷ୍ଟି ସମୁଦ୍ରର ଢେଉ ଉପରକୁ ଚାଲିଗଲା । ବିଶାଳ ଢେଉ ଜୋରରେ କୂଳ ଆଡକୁ ମାଡି ଆସୁଛି । ୩୫ କିମି କୂଳରେ ବଡ ବଡ ଢେଉ ହୁଏ । ତେଣୁ ଏପଟକୁ ମାଛୁଆଙ୍କ ଆତଯାତ ନାହିଁ । କୂଳରେ ଡଙ୍ଗା ଲାଗିବନି । ସବୁଆଡେ ପଥର । ଏକ ଅତି ବିଶାଳ ଢେଉ ତାଙ୍କ ଆଡକୁ ମାଡି ଆସିଲା । ତାଙ୍କୁ ଲାଗିଲା ସେ କୂଳରେ ବସିଛନ୍ତି ଆଉ ପର୍ବତ ପ୍ରମାଣର ପାଣି ତାଙ୍କ ଆଡକୁ ମାଡି ଆସୁଛି । ତାଙ୍କର ମୋଟେ ମନେ ପଡିଲାଣି ଯେ ସେ ଏକ ଉଚ୍ଚ ପ୍ଲାଟଫର୍ମରେ ବସିଛନ୍ତି ଆଉ ଲହଡିର ଶିଖର ସିନା ତାଙ୍କୁ ଛୁଇଁପାରେ କିନ୍ତୁ ତାଙ୍କୁ ପାଣିରେ ଓଦା କରିଦେବନି ବା ଭସେଇ ନେବନି । ବିରାଟ ଲହଡିଟା ପ୍ରବଳ ବେଗରେ ମାଡି ଆସି ଆଉ ତାଙ୍କ ପାଦକୁ ଛୁଇଁ ତଳେ ପଥରରେ କଚାଡି ହୋଇ ପଡିଲା । ଶୋଭନା ଆଖି ବନ୍ଦ କରିଦେଲେ । ତାଙ୍କର ପତଳା ଦେହକୁ ଏ ଲହଡି କେଉଁ ଶୂନ୍ୟଶୂନ୍ୟେ ଫିଙ୍ଗିଦେବ । ତଳେ ଫାଙ୍କ ଦେଇ ଲହଡିର ଚୂଡା ତାଙ୍କ ଗୋଡକୁ ଓଦା କରିଦେଇଥିଲା ଆଉ ଫାଙ୍କ ଦେଇ ପାଣି ତାଙ୍କ ଉପରେ ବିଞ୍ଚô ହୋଇଯାଇଥିଲା । 
“ଲହଡିର ଶିଖରରେ ବସିଗଲ ଶୋଭନା ।”
“ସେମିତି ତ ଲାଗୁଛି । ଲହଡିରେ ବସି ଦୋଳି ଖେଳିବା କଥା ।”
“ଲହଡିଟା ଯାହା ଭାଙ୍ଗି ପଡିଲା ନା ।”
“ନ ଭାଙ୍ଗିଥିଲେ କେତେ ଭଲ ହୋଇଥାନ୍ତା । ସେମିତି କୂଳରେ କାହିଁ କାହିଁ ଦୂରକୁ ମାଡିଯାଇଥାନ୍ତା । ଆଉ ମନ ପବନ ଦୋଳିରେ ଝୁଲିବା ଭଳି ହୋଇଯାଇଥାନ୍ତା ।”
“ତୁମ ଚାରିପାଖେ ଅସଂଖ୍ୟ ପ୍ରାଣୀ ଥାଆନ୍ତେ ।”
“ଋଙ୍ଗ ଦେଉଥିବା ଜୁଳୁଜୁଳିଆ ପୋକ । ଉଡୁଥିବା କିଛି ଛୋଟ ଚଢେଇ ।”
“ଏଇଠି ତୁମ ଚାରିପାଖେ ଥାଆନ୍ତେ ଅସଂଖ୍ୟ ଗେଣ୍ଡା । ସେମାନେ କିନ୍ତୁ ଉଡି ପାରନ୍ତିନି । ବଙ୍କା, ବୃତ୍ତ ଭଳି ଥିବା ଗୋଡରେ ଧିରେ ଚାଲନ୍ତି ।” 
“ନ ଉଡନ୍ତୁ । ସେମାନେ ଚାଲନ୍ତୁ । କେତେ ସୁନ୍ଦର ଗାରମାନ ବାଲିରେ ତିଆରି କରନ୍ତି । ସେମାନଙ୍କ ଚାଲିବା ଦେଖିଲେ ମନ ମୋହିଯାଏ ।”
ଅସୀମ ଭାବିଲେ ଏ କେଓଡା ବଣରେ ଅସଂଖ୍ୟ ପ୍ରାଣୀ ରହୁଛନ୍ତି । ସବୁଆଡେ ମୁଖ୍ୟତଃ ଗେଣ୍ଡା ଜାତୀୟ ଜୀବ ଅଛନ୍ତି । ଯେଉଁଠି କିଛି ଖାଇବା ପଦାର୍ଥ ମିଳୁଛି ସେମାନେ ତା’ ଚାରିପାଖରେ ଘେରିଯାଆନ୍ତି । ନିଜର ଛୋଟ ଛୋଟ ଗୋଡରେ ଖାଇବା ଜିନିଷ ଧରି ଖାଉଥାନ୍ତି । ସମୁଦ୍ରକୂଳରେ କିଛି ନଷ୍ଟ ହୁଏନି । ଏହି ଗେଣ୍ଡା ବା ଶାମୁକାମାନେ ପ୍ରାୟ ଅନ୍ଧାରିଆ ଜାଗାରେ ଛପିଥାନ୍ତି । ଦେହରେ ଟାଣୁଆ ଖୋଳପା ଥାଏ । କେତେ ରଙ୍ଗର, କେତେ ଆକାରର ହୋଇଥାଏ । କାହାର ମୁନ ଗୋଜିଆ ତ କାହାର ଖୋଳପା ଗୋଲାକାର । ସେଥିରେ କେତେ ପ୍ୟାଟର୍ଣ ହୋଇଥିବ । ଅସୀମଙ୍କୁ ଲାଗେ ଏକ ବଡ ମାଇକ୍ରୋସ୍କୋପ ତଳେ ଗେଣ୍ଡାମାନଙ୍କ ଖୋଳପାକୁ ରଖି ସେଥିରୁ ସେ ଅଗଣିତ ପ୍ୟାଟର୍ଣ୍ଣର୍ ବାହାର କରିବେ ।
ଏକ ବଡ ସହରର ତରୁଣୀ ହେବାସତ୍ତ୍ୱେ ଶୋଭନାଙ୍କୁ କେଓଡା ଜଙ୍ଗଲ ଭିତରେ ଟିକେ ଚାଲିଚାଲି ବୁଲିବାକୁ ଭଲଲାଗେ । କେଓଡା ଜଙ୍ଗଲ ଭିତର ଦେଇ ଚଲା ରସ୍ତା କେଉଁ ଚଉଡା ବି ନଥାଏ । ତଳେ ଅବଶ୍ୟ କଣ୍ଟା ଝଟା ନଥାଏ । କେଓଡା ଗଛର ପତ୍ରର ଧାର କଣ୍ଟାଳିଆ, ଲାଗିଲେ ଦେହ ଚିରିଯିବ । କିନ୍ତୁ ଉପରକୁ ଗଛ ବଢିଯାଇଥିବା ହେତୁ ପତ୍ରଗୁଡିକ ଦେହରେ ଲାଗିବା କଥା ନୁହେଁ । ତଳେ କିଛି କିଛି ଜାଗାରେ ପତ୍ର ସବୁ ଏପଟ ସେପଟ ହୋଇ ଗଦା ହୋଇଥିବ, ଗଛ ଚେର, ଛୋଟ ପଥର ଦାଢରେ ଅସଂଖ୍ୟ ଗେଣ୍ଡା ବାସ କରୁଥିବେ । ସେ ବେଳେବେଳେ ବସିପଡି ଗଛମୁଳରେ ଚାଲୁଥିବା ଗେଣ୍ଡାମାନଙ୍କୁ ଅନାନ୍ତି । ଆଉ ସେ ଅଟକି ଅନାଉଥିବାର ଦେଖି ଗେଣ୍ଡାମାନେ ଏକ ଏକ ନୂଆ ବୋହୂ ଲାଜକରି ଓଢଣା ଟାଣିଦେଲାପରି ନିଜକୁ ଖୋଳପା ଭିତରେ ଛୁପାଇ ଦିଅନ୍ତି । ଅବଶ୍ୟ ମିନିଟିଏ ଶୋଭନା ଚୁପକରି ବସିପଡଲେ ସେମାନେ ପୁଣି ଚାଲିବାକୁ ଆରମ୍ଭ କରନ୍ତି । ଶୋଭନା ସେମାନଙ୍କ ଧିର ଚାଲିଦେଖି ଫିକ କିନା ହସିଦିଅନ୍ତି ।(କ୍ରମଶଃ)
                                                            ଭୁବନେଶ୍ୱର