କେନ୍ଦୁପତ୍ର ତୋଳାଳିଙ୍କ ଜୀବିକା ଉଜାଡ଼ି ଦେଲା ଉଦ୍ୟାନ ବିଭାଗ

 ଯାଜପୁର :  କେନ୍ଦୁପତ୍ର ତୋଳି ବର୍ଷ ବର୍ଷ ଧରି ଜୀବିକା ନିର୍ବାହ କରୁଥିବା ଶ୍ରମିକଙ୍କ ଭାଗ୍ୟ ଆକାଶରେ କଳାବାଦଲ ମାଡ଼ିଆସିଛି । ପ୍ରକୃତିର କୋଳରୁ ଜନ୍ମ ନେଇଥିବା କେନ୍ଦୁଗଛ ଗୁଡିକୁ ମେସିନ ଲଗେଇ ସଫା କରିବା ପରେ କେନ୍ଦୁପତ୍ର ତୋଳାଳିଙ୍କ ଭାଗ୍ୟ ରସାତଳକୁ ଖସିଯାଇଛି । 
କେନ୍ଦୁପତ୍ର ଗଛ ଗୁଡିକୁ ଖୋଦ ସରକାର ନିଛିନ୍ନ କରିଦେବା ପରେ କେନ୍ଦୁପତ୍ର ତୋଳିବା ବନ୍ଦ ହୋଇଯାଇଥିବା ଦେଖିବାକୁ ମିଳିଛି । ଖବର ମତେ ଯାଜପୁର ଜିଲା ସୁକିନ୍ଦା ବ୍ଲକ ବତଲଣ୍ଡା, ଦାମୋଦରପୁର ମୌଜାରେ କାଜୁ ଜଙ୍ଗଲ ସାଙ୍ଗକୁ କେନ୍ଦୁଗଛ ଗୁଡିକ କାହିଁ କେଉଁ ଯୁଗରୁ ଦଣ୍ଡାୟମାନ ଥିଲା ।  କେନ୍ଦୁଗଛର ପତ୍ରକୁ ତୋଳି ସ୍ଥାନୀୟ ମୁଲଖମ୍ବ, ଦାମୋଦରପୁର, ମଙ୍ଗଳପୁର, ମାନତିରା, ବନ୍ଧଙ୍ଗା ସହ ଆଖପାଖ ଗାଁର ଶ୍ରମିକ କେନ୍ଦୁପତ୍ର ତୋଳି ଜୀବିକା ନିର୍ବାହ କରୁଥିଲେ । କାଜୁ ଗଛ ଗୁଡିକରେ କାଜୁ ଫଳିବା ସମୟରେ ଭାଲୁ ମାନଙ୍କର ଆଗମନକୁ ଦୃଷ୍ଟିରେ ରଖି ବତଲଣ୍ଡା ମୌଜାରେ କିଛି କାଜୁ ଗଛ ହାଣି ଦିଆଯାଇଥିଲା । ପରେ ଉକ୍ତ ଜମିକୁ ସୁକିନ୍ଦା ବିହନ ଫାର୍ମରୁ ଦାମଦରପୁର ଉଦ୍ୟାନ ବିଭାଗକୁ ସରକାର ହସ୍ତାନ୍ତର କରିଥିଲେ । ଉକ୍ତ ଜମି ଦୀର୍ଘ ବର୍ଷ ପଡିଆ ପଡିବା ପରେ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରି ପାମଲିନ ଗଛ ଲଗେଇଥିଲେ । କିନ୍ତୁ ତାହା ଉପଯୁକ୍ତ ରକ୍ଷଣା ବେକ୍ଷଣ ଅଭାବରୁ ଉଜୁଡି ଯାଇଥିଲା । ପରେ ସରକାର ଉଦ୍ୟାନ ବିଭାଗ ଅଧିନରେ ଉକ୍ତ ଜମିରେ ପିଜୁଳି ଫାର୍ମର ପରିକଳ୍ପନା କରିଥିଲେ । ମେସିନ ଲଗେଇ କେନ୍ଦୁଗଛ ଗୁଡିକୁ ସଫା କରିବା ପରେ କେନ୍ଦୁପତ୍ର ତୋଳିବା ବନ୍ଦ ହୋଇଯାଇଛି । ଯାହା ସ୍ଥାନୀୟ ଶ୍ରମିକ ମାନଙ୍କ ଉପରେ ଗଭୀର ପ୍ରଭାବ ପଡିଛି । ସରକାର ମୂଳଖମ୍ବ ଗ୍ରାମରେ କେନ୍ଦୁପତ୍ର ତୋଳାଳିଙ୍କ ଠାରୁ କେନ୍ଦୁପତ୍ର ସଂଗ୍ରହ କରି ଗଛିତ କରି ରଖିବା ସହ ବିଡି ପ୍ରସ୍ତୁତ ପାଇଁ ପତ୍ର ଗୁଡିକୁ ସ୍ଥାନାନ୍ତରିତ କରୁଥିଲେ । ଶ୍ରମିକ ମାନେ ୧୦ପଇସାରେ ପତ୍ର ଗୋଟିକ ବିକ୍ରି କରିଥିବାର ନଜିର ରହିଛି । ସରକାର କେନ୍ଦୁପତ୍ର ତୋଳାଳିଙ୍କୁ ପ୍ରୋତ୍ସାହିତ କରୁଥିବା ବେଳେ ସୁକିନ୍ଦା ଉଦ୍ୟାନ ବିଭାଗର ଆଗମନ ପାଇଁ ଶ୍ରମିକ ମାନଙ୍କ ଜୀବିକାରେ ବେଡିପଡି ଯାଇଛି । ସରକାର ପ୍ରଥମେ ବିହନ ଫାର୍ମ ଉଜାଡି ଦେବା ପରେ କେନ୍ଦୁପତ୍ର ତୋଳିବା ଯୋଜନା ମଧ୍ୟ ବନ୍ଦ କରିଦେଇଛନ୍ତି । 
ଉଦ୍ୟାନ ବିଭାଗ ଗଛ ପତ୍ର ରୋପଣ ନାଁରେ ପିଜୁଳି ଫାର୍ମର କଳ୍ପନା କରି ଲୋକଙ୍କ ଜୀବିକା ଉପରେ କବର ଦେଇଥିବା ଅଭିଯୋଗ ହେଉଛି । ଉଦ୍ୟାନ ବିଭାଗ ପିଜୁଳି ଫାର୍ମ ନାଁରେ ଦୁଇଦୁଇ ଥର ଯୋଜନା କରିଛି । ଜିଲା ଖଣିଜ ପାଣ୍ଠିରେ ପ୍ରଥମଥର ଅସଫଳ ହୋଇ ଲକ୍ଷ ଲକ୍ଷ ଟଙ୍କା କ୍ଷତି କରିଥିବା ବେଳେ ପୁଣି ଜିଲା ଖଣିଜ ପାଣ୍ଠିରେ ଆଇଜଏସ ଏନଜିଓକୁ ନିୟୋଜିତ କରି କାର୍ଯ୍ୟ କରୁଛି । ସରକାର କେନ୍ଦୁପତ୍ର ତୋଳାଳିଙ୍କ ଜୀବିକାରେ ବେଡି ପକାଇ ଅନ୍ୟ ଯୋଜନା କରିବା ପରେ କେନ୍ଦୁପତ୍ର ତୋଳାଳି ଶ୍ରମିକଙ୍କ ଜୀବନ ଜୀବିକା ଉପରେ ଗଭୀର ପ୍ରଭାବ ପଡିଛି । ବିକାଶର ପରିଭାଷାରେ କେନ୍ଦୁ ଗଛ ଗୁଡିକ ବଳି ପଡିଯାଇଛି । ଶ୍ରମିକ ମାନଙ୍କ ଜୀବିକା ଉଜାଡି ଦେଲା ପରେ ଉଦ୍ୟାନ ବିଭାଗ ସେହି ଶ୍ରମିକ ମାନଙ୍କୁ ନିୟୋଜିତ ନକରି ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ପ୍ରସ୍ଥାହନ ନାଁରେ ଅହେତୁକ ଅନୁକମ୍ପା ଦେଉଥିବା ଅଭିଯୋଗ ହେଉଛି । ଖୋଦ ସରକାରଙ୍କ ଯୋଜନା ପାଇଁ କେନ୍ଦୁପତ୍ର ତୋଳାଳିଙ୍କ ଭାଗ୍ୟ ଦାମୋଦରପୁରରେ ଥିବା ଉଦ୍ୟାନ ବିଭାଗରେ ବଳି ପଡିଯାଇଛି ।