ସମସ୍ୟା ଘେରରେ ବ୍ରାହ୍ମଣୀ ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ

ରଗଡ଼ି :  କୋରେଇ ବ୍ଲକ ତଳଗଡ଼ ପଂଚାୟତ ନଗୁଆଁ ଠାରେ ଥିବା ବ୍ରାହ୍ମଣୀ ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି । ୧୯୬୪ମସିହାରେ ସ୍ଥାପିତ ପୁରାତନ ବିଦ୍ୟାଳୟର ନିଜସ୍ୱ ପରିଚୟ ଥିଲେ ହେଁ ବର୍ତ୍ତମାନ ସତେ ଯେମିତି ଏହା ନାହିଁ ନାହଁର ପରିଚୟ ନେଇ ଠିଆ ହୋଇଛି । ୨୦୧୫ମସିହାରେ ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏହାର ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯାଇଥିଲା । ପୂର୍ବରୁ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ସରକାରଙ୍କ ନୂତନ ନିୟମ ବଳରେ ଏହାର ଗୋଟିଏ କ୍ୟାମ୍ପସରେ ଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀର ମିଶ୍ରଣ ଘଟିଲା । ଯାହାଫଳରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଗୋଟିଏ ଅନୁଶାସନ ମଧ୍ୟରେ ରହିଲା । ବର୍ତ୍ତମାନ ପ୍ରଥମରୁ ଅଷ୍ଟମ ୧୮୪, ନବମ ଓ ଦଶମରେ ୧୧୪ମୋଟରେ ୨୯୮ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଉଚ୍ଚ ପ୍ରାଥମିକରେ ୫ଜଣ ଓ ଉଚ୍ଚ ବିଦ୍ୟାଳୟରେ ୭ ଜଣ ମୋଟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମିଶାଇ ୧୨ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାଦାନ କରୁଛନ୍ତି । ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଉ ତିନିଜଣ ଶିକ୍ଷକଙ୍କ ଆବଶ୍ୟକତା ଥିବା ବେଳେ ଜୁଲାଇରେ ଜନୈକା ଶିକ୍ଷୟିତ୍ରୀ ଅବସର ନେବେ । ସେହିପରି ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଶିକ୍ଷକ ପଦବୀ ଦୀର୍ଘ ଦିନ ହେବ ଖାଲି ପଡିଛି । ଯାହା ଫଳରେ ଛାତ୍ରଛାତ୍ରୀ ଗୁରୁତ୍ୱପୂର୍ଣ ବିଭାଗର ପାଠ ପଢାରୁ ବଂଚିତ ହୋଇଛନ୍ତି । ଏଥିସହିତ ସ୍କୁଲର ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବୀ ଖାଲି ପଡ଼ିଥିବାରୁ ଏହା ବିଦ୍ୟାଳୟ କାର୍ଯ୍ୟକ୍ରମରେ ସମସ୍ୟା ସୃଷ୍ଟି କରିଛି । ପିଲାମାନଙ୍କ ଶୈକ୍ଷିକ ସମସ୍ୟା ପରେ ଶ୍ରେଣୀ କୋଠରୀ ଅଭାବ ଥିବାରୁ ଗୋଟିଏ କୋଠରୀରେ ତିନି ତିନିଟି ଶ୍ରେଣୀର ପିଲାମାନେ ବସିବାକୁ ବାଧ୍ୟ ହେଉଛନ୍ତି । ଯାହା ଫଳରେ ପାଠପଢାରେ ଘୋର ସମସ୍ୟା ସୃଷ୍ଟି କରିଛି । ଯଦିଓ ସ୍କୁଲଟି ୫-ଟିରେ ସାମିଲ ହୋଇଛି କିନ୍ତୁ ଡାଇନିଂ ହଲ ନିର୍ମାଣ ହୋଇ ନଥିବାରୁ ପିଲାମାନେ ମଧ୍ୟାହ୍ନ ଭୋଜନ ବିପଦ ସଂକୁଳ ଅବସ୍ଥାରେ ଖାଉଛନ୍ତି । ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆରମ୍ଭରେ ରହିଥିବା ଏକ ପୁରାତନ ଜରାଜୀର୍ଣ୍ଣ ଆଜ୍ବେଷ୍ଟସ ଘର ବାରଣ୍ଡାରେ ମଧ୍ୟାହ୍ନ ଭୋଜନ ଖାଉଛନ୍ତି । ଯାହା ସେମାନଙ୍କ ପାଇଁ ଆଦୈା ସୁରକ୍ଷିତ ନୁହେଁ । ଘରମଥା ଉପରୁ ବିଭିନ୍ନ ସ୍ଥାନରେ ଆଜବେଷ୍ଟସ ଖଣ୍ଡ ଭାଙ୍ଗି ଗଳି ପଡ଼ିଥିବା ଦେଖିବାକୁ ମିଳିଛି । ଆଉ ଏକ ବିପଦପୂର୍ଣ୍ଣ କଥା ହେଲା ଜରାଜୀର୍ଣ ତଥା ଭାଙ୍ଗି ରୁଜି ପଡ଼ିଥିବା ଗୃହ ମଧ୍ୟରୁ ବିଭିନ୍ନ ସମୟରେ ବିଷଧର ସାପ ବାହାରି ବିଦ୍ୟାଳୟ ପରିସରରେ ବୁଲୁଛନ୍ତି । ଯାହା ଛାତ୍ରଛାତ୍ରୀ, ଶିକ୍ଷକ ତଥା କର୍ମଚାରୀଙ୍କ ପାଇଁ ଅଜଣା ବିପଦ ସୃଷ୍ଟି କରିଛି । ସ୍କୁଲରେ ଲାଗି ରହିଥିବା ସମସ୍ୟା ଉପରେ ବିଭିନ୍ନ ସମୟରେ ଉଚ୍ଚ କର୍ତୁପକ୍ଷଙ୍କ ନିକଟରେ ଅଭିଯୋଗ କରାଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ । ପୁରାତନ ଏହି ବିଦ୍ୟାଳୟରେ ଲାଗି ରହିଥିବା ସମସ୍ୟାର ସମାଧାନ ପ୍ରତି ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି ।