ରାସ୍ତାରେ ଭାସୁଛି ନର୍ଦ୍ଦମା ପାଣି
ପ୍ରଭାନୁ୍ୟଜ୍ ।ା ବୁଗୁଡ଼ା: ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଲିଆ ଗାଁ ମୁହଁ ଛକରେ ନର୍ଦ୍ଦମା ଜଳ ଭାସୁଥିବା ଯୋଗୁଁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ସାଙ୍ଗକୁ ଲୋକଙ୍କ ଯାତାୟତରେ ମଧ୍ୟ ଅସୁବିଧା ହେଉଥିବା ଜଣାଯାଇଛି । ମୁଖ୍ୟ ରାସ୍ତା କଡେ କଡେ ଡ୍ରେନ୍ ନିର୍ମାଣ କାର୍ଯ୍ୟ ଦୀର୍ଘ ଦିନ ଧରି ଛକରେ ଅଟକି ରହିଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସାଧାରଣରେ ଅଭିଯୋଗ ହେଉଛି । ଡ୍ରେନ୍ଟି ଅଟକି ଥିବା ସ୍ଥାନରେ ବିରାଟ ଗାତ ସୃଷ୍ଟି ହୋଇ ସେଥିରେ ନର୍ଦ୍ଦମା ପାଣି ଜମିରହି ମଶା ଡାଆଁଶର ଏନ୍ତୁଡିଶାଳ ପାଲଟିଥିବା ସହ ଅସହ୍ୟ ଦୁର୍ଗନ୍ଧ ଜାତ ହେଉଛି । ଏଥିସହ ସେହି ନର୍ଦ୍ଦମା ଜଳ ଉଛୁଳି ରାସ୍ତାରେ ବହୁଥିବାରୁ ଲୋକଙ୍କ ଯିବାଆସିବାରେ ଅସୁବିଧା ହେଉଛି । ଅନ୍ୟପକ୍ଷରେ ସାମାନ୍ୟ ବର୍ଷା ହେଲେ ଉଛୁଳା ନର୍ଦ୍ଦମା ଜଳ ଯୋଗୁଁ ଗାଁ ଛକ ଦୁର୍ଗନ୍ଧ ଫାଟି ପଡୁଛି । ଏଣୁ ପ୍ରଶାସନ ପକ୍ଷରୁ ଯଥାଶୀଘ୍ର ଏହାର ପ୍ରତିକାର ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛିି ।