ଗରାଖିଆ ମାନସିକତା


ଓଡ଼ିଆ ଭାଷାରେ ଅନେକ ପ୍ରକାରର ରୁଢ଼ିର ପ୍ରୟୋଗ ରହିଛି । ସେଥିରୁ ଗୋଟିଏ ହେଲା "ବାୟାର କି ଯାଏ, ବାଆ କଲେ ବସା ଦୋହଲୁଥାଏ ।' ଏଠାରେ କହିବାର ଅର୍ଥ ହେଲା ତାଳଗଛ ଆଗରେ ବାୟା ଚଢ଼େଇର ବସା ଝଡ, ବାତ୍ୟା, ପବନ ଯାହା ହେଲେ ବି କେବଳ ଦୋହଲୁଥାଏ । କିଛି କ୍ଷତି ହୁଏ ନାହିଁ । ଯେକୌଣସି ପ୍ରକାରର ଦୁର୍ବିପାକରେ କିମ୍ବା ପରିସ୍ଥିତିରେ ଯଦି ଜଣେ ଲୋକର କୌଣସି ପ୍ରକାରର ସମ୍ପର୍କ ନାହିଁ ଭଲ ହେଉ କି ମନ୍ଦ ହେଉ ତାର କିଛି ସମ୍ପର୍କ ନାହିଁ, ଏଭଳି ପରିସ୍ଥିତିଟି ଏହି ଉକ୍ତିଟି ପ୍ରୟୋଗ କରାଯାଏ । 
ବର୍ତ୍ତମାନ ପରିସ୍ଥିତିରେ ଏହି ଉକ୍ତିଟିର ପ୍ରୟୋଗ କିନ୍ତୁ ଏକ ନକାରାତ୍ମକ ଘଟଣାକୁ ନେଇ କୁହାଯାଉଛି । ସେହି ନକାରାତ୍ମକ ଘଟଣା ହେଲା ବର୍ତ୍ତମାନ ଦେଶରେ ତଥା ରାଜ୍ୟରେ ପରିବା ଦରକୁ ନେଇ ଏକ ପ୍ରକାରର ହଇଚଇ ସୃଷ୍ଟି ହୋଇଛି । ଓଡ଼ିଶା-ପଶ୍ଚିମବଙ୍ଗ ରାଜନୀତିରେ ଗଡୁଥିବା ଆଳୁକୁ ଛାଡ଼ି ଦେଲେ ବି ଅନ୍ୟ ସବୁ ପରିବାର ଦର ଏବେ ୮୦/୯୦ ଟଙ୍କା ଉପରେ କିମ୍ବା ତଦୁଦ୍ଧ୍ୱର୍ ରହିଚି । ତା' ପରେ ହଠାତ୍ ସବୁ ପରିବାର ଦର ଖସିଯାଇ ୧୦/୨୦ ଟଙ୍କାରେ ବିକ୍ରି ହେବ । ଏହା ସବୁବେଳେ ଫି' ବର୍ଷ ଦୃଷ୍ଟିଗୋଚର ହୁଏ । ଏଇଠି ବ୍ୟବସାୟୀଙ୍କର ବିଶେଷ କିଛି ଯାଏ ନାହିଁ, ଯାଏ ମୁଣ୍ଡର ଝାଳକୁ ତୁଣ୍ଡରେ ନିଗାଡ଼ିଥିବା ଆଉ ଦି' ପଇସା ରୋଜଗାର ପାଇଁ ଆଶା ବାନ୍ଧିଥିବା ଚାଷୀର । ଧୋଇ ମରୁଡ଼ିରେ ବାୟା ବସାର କିଛି କ୍ଷତି ହୁଏନାହିଁ ସତ, କିନ୍ତୁ ଦର ବଢୁ କି କମୁ ଚାଷୀର ପରିସ୍ଥିତିରେ କିଛି ସୁଧାର ଆସୁନାହିଁ । ଏଭଳି ପରିସ୍ଥିତିରେ ଦେଶର ଆର୍ଥôକ ପ୍ରଗତି କହିଲେ କିଛି ଲୋକଙ୍କ ବ୍ୟକ୍ତିଗତ ପ୍ରଗତିକୁ ବୁଝାଉଛି । ବାକି ସବୁ ଲୋକଙ୍କର ଯେଉଁ ଆର୍ଥôକ ଦୂରାବସ୍ଥା ପୂର୍ବରୁ ଥିଲା ଏବେ ବି ତାହା ଲାଗି ରହିଛି । ଯେତେବେଳେ ପରିବା ଦର ବଢ଼ିଯାଏ, ସେତେବେଳେ ପ୍ରଥମେ ବାବୁମାନଙ୍କର ଆପତ୍ତି ଉଠେ । ପରିବା ଦର ବଢ଼ିଗଲା ବୋଲି ସେହିମାନେ ଆଗ ପାଟି କରନ୍ତି । କିନ୍ତୁ ଶୀତ କାକରରେ, କାଦୁଆ ପାଣିରେ ଘାଣ୍ଟି ଚକଟି ହୋଇ ଯେଉଁ ଚାଷୀ ଫସଲ ଅମଳ କରୁଛି, ସିଏ କଣ ପାଇଲା ବୋଲି କେହି ପଚାରନ୍ତି ନାହିଁ । ବଜାରରେ ପରିବା ଦର ୨୦/୩୦ ଟଙ୍କାରୁ ତଳକୁ ଖସିଗଲେ ଖାଉଟିମାନେ ଖୁସି ମନେଇବେ । କିନ୍ତୁ ଚାଷୀ କିଭଳି ବଞ୍ଚିବ ସେକଥା କାହାରିକୁ ବା ଚିନ୍ତା? 
ଚାଷୀମାନେ ସଙ୍ଗଠିତ ନୁହଁନ୍ତି । ଚାଷୀ ଏବଂ ଖାଉଟି ମଝିରେ ଥିବା ବେପାରୀମାନେ ଯେତେ ପ୍ରକାରରେ ଚାଷୀଙ୍କୁ ଶୋଷଣ କରିଲେ ବି କହିବାକୁ କେହି ନାହିଁ । କାରଣ ବଜାରରେ ଦର ବଢ଼ିଗଲେ ଚାଷୀର ସେଥିରେ କିଛି ଯାଏଆସେ ନାହିଁ । ଚାଷୀ ଯେଉଁ ପ୍ରକାରରେ ଅଭାବୀ ବିକ୍ରୀର ଶିକାର ହେଉଛି, ତାହା ପାଇଁ କେହି ଆର୍ଥôକ ସହଯୋଗ କିମ୍ବା କ୍ଷତିପୂରଣ ଦେବାକୁ ଦାବି କରନ୍ତି ନାହିଁ । ସମସ୍ତେ ଚାହାନ୍ତି ଶସ୍ତାରେ ପରିବା ମିଳୁ । କିନ୍ତୁ ଶସ୍ତାରେ ପରିବା ମିଳିଲେ ଚାଷୀର ଅସୁବିଧାଟିକୁ କେହି ଉଠେଇବାକୁ ଚାହାନ୍ତି ନାହିଁ । ପରିବା କିଲୋ ଯଦି ୨ ଟଙ୍କାରେ ଚାଷୀ ବିକ୍ରୀ କରିବ, ବଜାରକୁ ଆସିବା ବେଳକୁ ତାହା ୨୦ ଟଙ୍କା ହୋଇଯିବ । ତା'ହେଲେ ୨ ଟଙ୍କାଟା ଯଦି ୨୦ ଟଙ୍କା ହେଉଛି, ତେବେ ବାକି ୧୮ ଟଙ୍କା ଲାଭ କାହା ପାଖକୁ ଯାଉଛି ଏବଂ ଏଭଳି ପରିସ୍ଥିତିରେ ଚାଷୀଟିଏ କାହିଁକି ଚାଷ କରିବା ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ଆଜି ଯଦି ରାଜ୍ୟରେ ଦାଦନ ଶ୍ରମିକ ସମସ୍ୟା ଏକ ଜଟିଳ ରୂପ ଧାରଣ କରିଛି ତାହେଲେ ନିଶ୍ଚିତ ରୂପେ ଏହି ଶସ୍ତାଖିଆମାନଙ୍କ ପାଇଁ, ଗରାଖିଆ ମାନସିକତାଧାରୀଙ୍କ ପାଇଁ ଯେଉଁମାନଙ୍କ ଜୀବନରେ ଗୋଡରେ କାଦୁଅ ଲାଗି ନାହିଁ । ସବୁ ଜିନିଷକୁ ଶସ୍ତାରେ ପାଇବାକୁ ଯେଉଁମାନେ ଚାହୁଁଛନ୍ତି, ସେହିମାନେ ବଜାର ଦର କାହିଁକି ବଢୁଛି ଏବଂ ଚାଷୀ କେତେ ପାଉଛି ଆଦୌ ଜାଣିବାକୁ ଚେଷ୍ଟା କରନ୍ତି ନାହିଁ । ଏମିତିରେ ଚାଷୀ ବଞ୍ଚିବ କେମିତି, ତାହା ଏକ ବଡ଼ ପ୍ରଶ୍ନ ନୁହେଁ କି?