ନିର୍ବାଚନରେ ଏଆଇ


ସମଗ୍ର ଦେଶରେ ଏବେ ଲୋକସଭା ପାଇଁ ଏବଂ କେତୋଟି ରାଜ୍ୟରେ ବିଧାନସଭା ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବା ବେଳେ ପାରମ୍ପରିକ ପଦ୍ଧତିର ନିର୍ବାଚନ ପ୍ରଚାର ଖୁବ୍ କମ୍ ଦେଖିବାକୁ ମିଳୁଛି । ପ୍ରାର୍ଥୀମାନଙ୍କ ଶୋଭାଯାତ୍ରା ଗୁଡ଼ିକୁ ଛାଡ଼ି ଦେଲେ କାନ୍ଥବାଡ଼ରେ ଚିତ୍ର ରଙ୍ଗ କରି ପ୍ରଚାର କରିବା, ଡ଼ାକବାଜି ଯନ୍ତ୍ରର ବ୍ୟବହାର କରିବା ଭଳି ପାରମ୍ପରିକ ପ୍ରଚାର ଆଉ ନାହିଁ । ଏ ପ୍ରକାରର ପାରମ୍ପରିକ ପ୍ରଚାର ଉପରେ ନିର୍ବାଚନ କମିଶନ୍ଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି । ତେଣୁ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ନିର୍ବାଚନର ଘମାଘୋଟ୍ ଲଢ଼େଇ ଚାଲିଛି । ଭିନ୍ନ ଭିନ୍ନ ପ୍ରକାରର ଗୀତ, ଲୋକକଳା ଏବଂ ପାରମ୍ପରିକ ସଙ୍ଗୀତ ମାଧ୍ୟମରେ ଛୋଟ ଛୋଟ ଭିଡିଓ ସବୁ ଦେଖିବାକୁ ମିଳୁଛି । 
ତେବେ ଏତିକି ବେଳେ ଦେଶ ଭିତରେ ଏଭଳି ଘଟଣା ଘଟୁଥିବା ବେଳେ ପଡ଼ୋଶୀ ରାଷ୍ଟ୍ର ଚୀନ୍ ଆମ ଦେଶରେ ନିର୍ବାଚନ ପ୍ରକ୍ରିୟାରେ ବିଭିନ୍ନ ପ୍ରକାରର ବିଭ୍ରାଟ ସୃଷ୍ଟି ହେବାର ସମ୍ଭାବନା ଦେଖା ଦେଲାଣି । କୃତ୍ରିମ ବୁଦ୍ଧିମତ୍ତା ପ୍ରୟୋଗ କରି ଭାରତରେ ଚାଲିଥିବା ନିର୍ବାଚନ ପ୍ରକ୍ରିୟାକୁ ଅବ୍ୟବସ୍ଥିତ କରିବାର ଷଡ଼ଯନ୍ତ୍ର ଚୀନ୍ କରୁଛି ବୋଲି ଜଣାପଡ଼ିଲାଣି । ଏ ସମ୍ପର୍କିତ ଏକ ସନେ୍ଦହ ମାଇକ୍ରୋସଫ୍ଟର ମୁଖ୍ୟ ପ୍ରକାଶ କରିଛନ୍ତି । କେବଳ ଭାରତ ନୁହେଁ, ଆମେରିକା ତଥା ଦକ୍ଷିଣ କୋରିଆର ନିର୍ବାଚନରେ ଚୀନ୍ କୃତ୍ରିମ ବୁଦ୍ଧିମତ୍ତା ପ୍ରୟୋଗ କରି ଚୀନ୍ ପ୍ରତି କୋମଳ ମନୋଭାବ ରଖୁଥିବା ଦଳ ଗୁଡ଼ିକୁ ଜିତେଇବା ପାଇଁ ଚେଷ୍ଟା କରୁଛି ବୋଲି ବିଲ୍ ଗେଟ୍ସ ପ୍ରକାଶ କରିବା ପରେ ବର୍ତ୍ତମାନ ଭାରତରେ ମିଛ ଖବର, ଡ଼ିପ୍ ଫେକ୍ ଭଳି ସାମାଜିକ ଗଣମାଧ୍ୟମରେ ପ୍ରଚାରିତ ହେଉଥିବା ତଥ୍ୟ ଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ପୂର୍ବରୁ ଚୀନ୍ ତାଇୱାନ୍ରେ ନିର୍ବାଚନ ସମୟରେ ଏଭଳି କିଛି କରିଥିବା ଜଣାପଡ଼ିଛି । ତେଣୁ କହିବାକୁ ଗଲେ ବିଭିନ୍ନ ରାଷ୍ଟ୍ରର ନିର୍ବାଚନ ପ୍ରକ୍ରିୟାରେ ଚୀନ୍ ହସ୍ତକ୍ଷେପ କରି ସମଗ୍ର ବିଶ୍ୱରେ ନିଜ ସପକ୍ଷରେ ଏକ ସାମ୍ରାଜ୍ୟବାଦୀ ପରିବେଶ ସୃଷ୍ଟି କରିବାକୁ ଚାହୁଁଛି । 
ଚୀନ୍ ପ୍ରଥମେ ବୈ÷ଷୟିକ କୋଶଳ ଏବଂ ଅର୍ଥନୀତିକ ସାମ୍ରାଜ୍ୟବାଦ ନୀତି ଗ୍ରହଣ କରି ବିଭିନ୍ନ ଦେଶର ଅର୍ଥନୀତି ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲା । ହେଲେ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଚୀନ୍ର ଏ ପ୍ରକାରର ବଦମାସି ପ୍ରତି ସତର୍କ ହୋଇଯିବା ପରେ ବୈଷୟିକ କୌଶଳରେ ଆଗୁଆ ଥିବା ଚୀନ୍ ଏବେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା କୃତି୍ରମ ବୁଦ୍ଧିମତ୍ତା ପ୍ରୟୋଗ କରି ନିର୍ବାଚନକୁ ଅସ୍ଥିର କରିବାକୁ ଚେଷ୍ଟା କରୁଛି । 
୨୦୧୯ ମସିହାରେ ଚୀନ୍ରୁ କରୋନାର ଭୂତାଣୁ ସମଗ୍ର ବିଶ୍ୱରେ ଖେଳିଯାଇ ସମଗ୍ର ବିଶ୍ୱକୁ ଅଚଳ କରି ଦେଇଥିଲା । ସମଗ୍ର ବିଶ୍ୱବାସୀ ସେତେବେଳେ ଚୀନ୍ ବିରୁଦ୍ଧରେ କୌଣସି ପଦକ୍ଷେପ ନ ନେବାରୁ ଏକ ଉଦ୍ଧତ ରାଷ୍ଟ୍ର ଭାବରେ ଚୀନ୍ ନିଜର ମତିଗତି ବଦଳାଇବା ପରିବର୍ତ୍ତେ ବିଭିନ୍ନ ପ୍ରକାରର  ବୈଷୟିକ କୌଶଳ ପ୍ରୟୋଗ କରି ସମଗ୍ର ବିଶ୍ୱରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ସାହସ କରିଲା । କରୋନା ସଂକ୍ରମଣକୁ  ନେଇ ସମଗ୍ର ବିଶ୍ୱବାସୀ ବିଭିନ୍ନ ସ୍ତରରେ ଚୀନ୍କୁ କଡ଼ା ଜବାବ ଦେବାର ଆବଶ୍ୟକତା ଥିଲା । କିନ୍ତୁ ଫଳ ଏମିତି ହେଲା ଯେ କରୋନା ଭୂତାଣୁ ଚୀନ୍ରୁ ସଂକ୍ରମିତ ହୋଇଛି ବୋଲି ପ୍ରମାଣିତ କରିବା ପାଇଁ ବିଭିନ୍ନ ରାଷ୍ଟ୍ର କମିଟି ଗଠନ କଲେ ଏବଂ ଚୀନ୍କୁ ଦୋଷୀ ସାବ୍ୟସ୍ତ କରିପାରିଲେ ନାହିଁ । ଚୀନ୍ ଯାହା ସବୁ କରୁଥିଲା ସେସବୁରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଉଛି ଯେ ବିଶ୍ୱରେ କରୋନା ସଂକ୍ରମଣ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଥିଲା । ସମଗ୍ର ବିଶ୍ୱର ଅର୍ଥନୀତିକୁ ଧ୍ୱଂସ କରିବା ପାଇଁ ଜାଣିଶୁଣି ଚୀନ୍ ପକ୍ଷରୁ ଏ ପ୍ରକାରର ଏକ ଗବେଷଣାଗାରର ଉନ୍ନତ ଜୀନ୍ଗତ ଔଷଧ ଏବଂ ଚିକିତ୍ସା ନଥିବା ଭୂତାଣୁକୁ ପରିବେଶ ଭିତରକୁ ଛାଡ଼ି ଦେଇଥିଲା । ବର୍ତ୍ତମାନ ଭାରତର ନିର୍ବାଚନ ପ୍ରକ୍ରିୟାକୁ ଯଦି ଚୀନ୍ ପ୍ରଭାବିତ କରିବାକୁ ଚେଷ୍ଟା କରେ ଏବଂ ଏଥିରେ ସଫଳ ହୋଇଯାଏ, ତାହା ହେଲେ ଏହା ଭାରତ ପାଇଁ ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିବ ।