ଶ୍ରୀ ଜଗନ୍ନାଥ ଓ ଆୟୁର୍ବେଦ
ଡା.ଦୀନବନ୍ଧୁ ମହାରଣା : ମନ୍ଦିରର ବହୁ କାର୍ଯ୍ୟରେ ଆୟୁର୍ବେଦ ଔଷଧ ବୃକ୍ଷର ଉପଯୋଗ ହୋଇଆସୁଛି । ସେହି ବନୌଷଧିଗୁଡ଼ିକ ହେଲା ନିମ୍ବ, ତୁଳସୀ, ଚନ୍ଦନ, ତ୍ରିଫଳା, କର୍ପୂର ଓ ଜାଇଫଳ ଶ୍ରୀ ଜଗନ୍ନାଥ ସଂସ୍କୃତିରେ ଓଡ଼ିଆ ଜନଜୀବନ, ସଂସ୍କୃତି ଓ ପରମ୍ପରା ପ୍ରତିଫଳିତ ହୋଇଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ମାନବୀୟ ଲୀଳାରେ ସମୃଦ୍ଧ ଏହି ସଂସ୍କୃତି । ଜଗନ୍ନାଥଙ୍କ ମହାପ୍ରସାଦର ମହିମା କେବଳ ଧର୍ମୀୟ ଦୃଷ୍ଟିରେ ସୀମିତ ନୁହେଁ ଏହା ମଧ୍ୟ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ଚଉଷଠୀ ପ୍ରକାର ଅନ୍ନବ୍ୟଞ୍ଜନ ପ୍ରସ୍ତୁତିରେ ଯେଉଁ ପ୍ରକ୍ରିୟା ରହିଛି, ତାହା ପ୍ରଦୂଷଣମୁକ୍ତ । ଅବଢା କୁଡୁଆରେ (ମାଟିପାତ୍ର) ପରିବେଷ୍ଟିତ ଏହି ମହାପ୍ରସାଦ ଶାନ୍ତିପ୍ରଦ, ସଂପୂର୍ଣ୍ଣ ନିରାମିଷ ଏବଂ ଉତ୍ତେଜନାବିହୀନ । ଏହି ଖାଦ୍ୟ ସେବନ କଲେ ଶରୀର ଓ ମନ ଶାନ୍ତ, ଶୀତଳ ହୁଏ । ଆମ ହିନ୍ଦୁ ଧର୍ମର ପରମ୍ପରାରେ ଅନ୍ନକୁ ବ୍ରହ୍ମ ଭାବରେ କୁହାଯାଇଛି । ପୁରୀ ଶ୍ରୀକ୍ଷେତ୍ର ହେଉଛି ଅନ୍ନବ୍ରହ୍ମଙ୍କର ଉପାସନାର ପୀଠ । ଆୟୁର୍ବେଦରେ ଅନ୍ନ ଅର୍ଥ ଜୀବନଶକ୍ତି । ତେଣୁ ଜଗନ୍ନାଥଙ୍କ ମହାପ୍ରସାଦ ସେବନରେ ଯେଉଁ ଗୁଣଧର୍ମ ରହିଥାଏ ତାହା ଆମର ସ୍ୱାସ୍ଥ୍ୟ ପାଇଁ ସର୍ବାଦୌ ଅନୁକୂଳ ଓ ଉପକାରୀ ।
ମଣିଷ ଯେପରି ରୋଗରେ ଆକ୍ରାନ୍ତ ହୁଏ, ଜଗତର ନାଥ ହୋଇ ମଧ୍ୟ ଶ୍ରୀ ଜଗନ୍ନାଥ ସେଥିରୁ ବାଦ ଯାଇନାହାନ୍ତି । ସାଧାରଣ ମଣିଷକୁ ଯେପରି ଜ୍ୱର ହୁଏ, ଶ୍ରୀ ଜଗନ୍ନାଥ ସେହିପରି ପ୍ରତିବର୍ଷ ଆଷାଢ ମାସ ପ୍ରତିପଦଠାରୁ ନେତ୍ର ଉସôବ ପର୍ଯ୍ୟନ୍ତ ୧୫ ଦିନ ଧରି ଜ୍ୱରାକ୍ରାନ୍ତ ହୋଇଥାନ୍ତି । ଜ୍ୱର ହେଲେ ରୋଗୀକୁ ଯେପରି ଭାତ ଖାଇବାକୁ ମନା କରାଯାଏ, ସେହିପରି ଶ୍ରୀଜଗନ୍ନାଥଙ୍କୁ ତାଙ୍କର ନିତ୍ୟନୈମିତ୍ତିକ ପ୍ରସାଦରୁ ବଂଚିତ କରାଯାଇ କେବଳ ଦୁଗ୍ଧ ସର, ଫଳ, ମୂଳ ଆଦି ଭୋଗ କରାଯାଏ । ଏହି ଜ୍ୱରରୁ ଆରୋଗ୍ୟ ହେବା ପାଇଁ ଶ୍ରୀଜଗନ୍ନାଥଙ୍କୁ ଆୟୁର୍ବେଦ ଚିକିସôା ଶାସ୍ତ୍ର ଅନୁଯାୟୀ ଦଶମୂଳ ମୋଦକ ପ୍ରଦାନ କରାଯାଇଥାଏ । ଆୟୁର୍ବେଦ ଚିକିତ୍ସା ଶାସ୍ତ୍ର ଅନୁଯାୟୀ ଦଶମୂୂଳ ମୋଦକ ଦଶଟି ବୃକ୍ଷଲତାରୁ ପ୍ରସ୍ତୁତ କରାଯାଇଥାଏ । ଏଥିରେ ବୃହତ ପଂଚମୂଳ ଏବଂ ଲଘୁ ପଂଚମୂଳ ସାମିଲ ହୋଇଥାଏ । ବୃହତ୍ ପଂଚମୂଳ ହେଲା ବେଲ , ଅଗ୍ନିମନ୍ଥ , ଗମ୍ଭାରୀ , ଶ୍ୱେନାକ , ପାଟଳା ଏବଂ ଲଘୁ ପଂଚମୂଳ ହେଲା ବୃହତୀ , କଂଟକରୀ , ଶାଳପର୍ଣ୍ଣୀ , ଗୋକ୍ଷୁରା, ପୃଷ୍ଣପର୍ଣ୍ଣୀ । ଏହା ତ୍ରିଦୋଷ ନାଶକ । ଏହି ଦଶମୂଳ ମୋଦକ ଖାଇବା ପରେ ଶ୍ରୀଜଗନ୍ନାଥ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରି ରଥଯାତ୍ରା ପାଇଁ ପ୍ରସ୍ତୁତ ହୁଅନ୍ତି ।
ସ୍ୱଦେଶୀ ଚିକିସôା ପଦ୍ଧତି ଆୟୁର୍ବେଦର ମୌଳିକ ଉପାଦାନ ନିମ୍ବ, ତୁଳସୀ, ହରିଡ଼ା, ଅଁଳା, କର୍ପୂର, ଚନ୍ଦନ ଓ ଜାଇଫଳ ବୃକ୍ଷ ସହ ଶ୍ରୀଜଗନ୍ନାଥ ନିଜକୁ ଯେପରି ଭାବେ ସଂପୃକ୍ତ କରିଛନ୍ତି ତାହା ଚିକିସôା ବିଜ୍ଞାନ ଓ ଆଧ୍ୟାତ୍ମିକତା ମଧ୍ୟରେ ଏକ ସୁନ୍ଦର ସେତୁ ନିର୍ମାଣ କରିଥାଏ । ନିମ୍ବ, ବିଲ୍ୱ ଓ ତୁଳସୀ ଆଦି ବୃକ୍ଷ ହିନ୍ଦୁ ଧର୍ମ ଓ ସଂସ୍କୃତିରେ ଦେବଯୋଗ୍ୟ ମର୍ଯ୍ୟାଦା ଲାଭ କରିଛି । ପ୍ରତ୍ୟେକ ହିନ୍ଦୁ ଘରର ଅଗଣାରେ ତୁଳସୀ ବୃକ୍ଷର ଚଉଁରା ସହିତ ବୃନ୍ଦାବତୀଙ୍କୁ ପୂଜା କରିବାର ପ୍ରଥା ଅତ୍ୟନ୍ତ ପ୍ରାଚୀନ । ସେହିପରି ବିଲ୍ୱପତ୍ର ଓ ଫଳ ଯେପରି ଶୈବ ଉପାସକଙ୍କ ପାଇଁ ମହତ୍ୱପୂର୍ଣ୍ଣ, ତୁଳସୀ ବୃକ୍ଷ ମଧ୍ୟ ଶ୍ରୀ ଜଗନ୍ନାଥଙ୍କ ପାଇଁ ତତୋଧିକ ମହତ୍ୱପୂର୍ଣ୍ଣ ।
ଶ୍ରୀଜଗନ୍ନାଥ ବିଗ୍ରହ ଶ୍ରୀମୁଖରେ ବହୁ ପ୍ରକାର ରଙ୍ଗ ପ୍ରଲୋପ ଦିଆଯାଏ । ହିଙ୍ଗୁଳ, ହରିତାଳ, ଶଙ୍ଖ ଓ ବଳା ସହ କସ୍ତୁରୀ ଓ କର୍ପୁର ମିଶ୍ରଣ କରି ଏହି ରଙ୍ଗ ପ୍ରସ୍ତୁତ କରାଯାଏ । କସ୍ତୁରୀ ଓ କର୍ପୂରରେ ବହୁ ଔଷଧୀୟ ଗୁଣ ଭରପୁର ହୋଇ ରହିଥିବାରୁ ଏଥିରେ ଆୟୁର୍ବେଦର ବହୁ ମୂଲ୍ୟବାନ ଔଷଧ ପ୍ରସ୍ତୁତ କରାଯାଇପାରୁଛି । ପ୍ରତ୍ୟେକ ଉକôଳୀୟଙ୍କ ପରି ଶ୍ରୀଜଗନ୍ନାଥ ମଧ୍ୟ ସକାଳୁ ଉଠିବା ପରଠାରୁ ରାତ୍ରିରେ ଶୋଇବା ପର୍ଯ୍ୟନ୍ତ ଦାନ୍ତ ଘଷିବା, ସ୍ନାନ କରିବା ଓ ଭୋଜନାଦି କରିଥାନ୍ତି । ଶ୍ରୀଜଗନ୍ନାଥଙ୍କୁ ପ୍ରତି ସକାଳର ମଙ୍ଗଳ ଆରତି ପରେ ଅବକାଶ ବା ସ୍ନାନ କରାଯାଇଥାଏ । ଏହି ସ୍ନାନ ଜଳ କର୍ପୂର, ଦହି, ଅଁଳା, ଚନ୍ଦନ ଓ ସୁବାସିତ ଫୁଲର ମିଶ୍ରଣରେ ପ୍ରସ୍ତୁତ ହୋଇଥାଏ । ଦହିର ପାଂଚ ପ୍ରକାରଭେଦ ମଧ୍ୟରେ ମଧୁର ଦହି ବୀର୍ଯ୍ୟବର୍ଦ୍ଧକ ବାତନାଶକ । ଅଁଳା ହେଉଛି ଦେହର ସୌନ୍ଦର୍ଯ୍ୟ ବୃଦ୍ଧିକାରକ, ଚକ୍ଷୁ ନିର୍ମଳକାରକ । ଚନ୍ଦନ ହେଉଛି ପିତବିକାର, ଭ୍ରମ, ବାନ୍ତି, ଜ୍ୱର, ତୃଷା, ଦାହ, କୃମି, ମୁଖରୋଗ, ରକ୍ତପିତ, ପାଣ୍ଡୁ, ଶ୍ୱାସ, କାଶପ୍ରଶମକ ଅଟେ । ଜଗନ୍ନାଥଙ୍କ ଦେହରୁ ଚନ୍ଦନ ଓ କରାଳ ବାହାରେ, ତାହା କୌଣସି ଝାଡ଼ା ରୋଗୀଙ୍କୁ ଦିଆଗଲେ ଔଷଧ ସଦୃଶ କାମ କରିଥାଏ । ଏଥିରେ କୌଣସି ମନ୍ତ୍ର ମହୌଷଧିର ବ୍ୟବସ୍ଥା ନଥାଏ । କେବଳ ବିଶ୍ୱାସ ହିଁ ମୂଳକଥା । ଶ୍ରୀକ୍ଷେତ୍ରର ବାତାବରଣ ସ୍ୱାସ୍ଥ୍ୟପ୍ରଦ ହୋଇଥିବା କାରଣରୁ ଦେଶର ବିଭିନ୍ନ ଅଂଚଳରୁ ଏପରିକି ବିଦେଶାଗତ ଦର୍ଶକମାନେ ଏଠାକୁ ପ୍ରତ୍ୟହ ଆସିଥାନ୍ତି । ଲକ୍ଷ୍ୟ ହେଲା ସ୍ୱାସ୍ଥ୍ୟ, ସୁଖ, ଶାନ୍ତି ଓ ଆନନ୍ଦ । ଶ୍ରୀକ୍ଷେତ୍ରର ପରିସୀମାରେ ସମୁଦ୍ର ଉପକୂଳ ଅନ୍ୟତ୍ର ଆକର୍ଷକ । ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସମସ୍ତେ ଏହି କ୍ଷେତ୍ରକୁ ଆସି ଗୋଟିଏ ସୁସ୍ଥ ଜୀବନର ଆଶା ରଖିଥାନ୍ତି । ତାହା ମଧ୍ୟ ପୂରଣ ହୁଏ ।
ମୋ:୯୪୩୭୦୪୩୧୦୩