ଭଲ ବେଳା ମାହେନ୍ଦ୍ର ମୁହୂର୍ତ୍ତ

ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଜାଣିବା ଜୀବନର ଭଲ ବେଳା ଓ ମାହେନ୍ଦ୍ର ମୁହୂର୍ତ୍ତକୁ ନେଇ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ଜୀବନରେ ଭଲ ମନ୍ଦ ଉଭୟର ମିଶ୍ରିତ ଫଳ ଭୋଗ କରିବାକୁ ପଡ଼େ । ସାଧାରଣତଃ ଦେଖାଯାଏ ଯେକୌଣସି ଏକ ଭଲ କାମ କରିବାକୁ ହେଲେ ଶୁଭ ବେଳ, ମଙ୍ଗଳ ମୁହୂର୍ତ୍ତ ଆଦିର ନିର୍ଦ୍ଧାରଣ କରିବା ପାଇଁ ସମସ୍ତେ ବ୍ୟଗ୍ର ହୋଇ ଉଠନ୍ତି । ହେଲେ ଜୀବନର ଘଟଣା ସବୁ କେବେ ହେଲେ କୌଣସି ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରି ଆସେ ନାହିଁ । ଚିରାଚରିତ ଢ଼ଙ୍ଗରେ ସୂର୍ଯ୍ୟ ଉଦୟ ହୋଇ ଅସ୍ତ ହୁଅନ୍ତି । ସେଥିପାଇଁ କୌଣସି ଶୁଭ ମୁହୂର୍ତ୍ତ ନଥାଏ । ମନୁଷ୍ୟ ଜନ୍ମ ହେବା ପାଇଁ କୌଣସି ଶୁଭ ମୁହୂର୍ତ୍ତକୁ କେହି ଅପେକ୍ଷା କରି ବସନ୍ତି ନାହିଁ । ମୃତୁ୍ୟ ମଧ୍ୟ ଠିକ୍ ସେହିପରି ଏକ ଅଚାନକ ଘଟଣା ଯାହାର ପୂର୍ବାନୁମାନ କେହି କରିପାରିବେ ନାହିଁ । ତେଣୁ କୌଣସି ଏକ ଭଲ କାମ କରିବା ପାଇଁ ଏକ ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରିବାର କୌଣସି ବଳିଷ୍ଠ ଯୁକ୍ତି ନାହିଁ । 
ସାଧାରଣତଃ ଦେଖାଯାଏ ଯେ ଅନୁଷ୍ଠାନ ବା ପ୍ରକଳ୍ପ ଆରମ୍ଭ ସମୟରେ ଏକ ଶୁଭ ଉଦ୍ଘାଟନ ଉତ୍ସବ ପାଳନ କରାଯାଏ । ଏଭଳି ଶୁଭ ଉଦ୍ଘାଟନ ନଥିଲେ ମଧ୍ୟ ପ୍ରକଳ୍ପର କାମ ଶେଷ ହେବ । କାରଣ ସେଥିପାଇଁ ନିର୍ଦ୍ଦିଷ୍ଟ ଅର୍ଥର ବ୍ୟୟବରାଦ ହୋଇସାରିଛି । ଆମ ଜୀବନରେ କିନ୍ତୁ ଘଟିବା ପାଇଁ ଥିବା କୌଣସି ଘଟଣାର ସମୟ ନିର୍ଦ୍ଧାରଣ ହୋଇନଥାଏ କିମ୍ବା ବ୍ୟୟବରାଦ ହୋଇନଥାଏ । ଯେକୌଣସି କାମ କରିବା ପାଇଁ ସବୁ ସମୟ ହେଉଛି ଭଲ ମୁହୂର୍ତ୍ତ । ଖରାପ ମୁହୂର୍ତ୍ତ ବୋଲି କିଛି ନାହିଁ । କେବଳ ଅଳସୁଆଙ୍କ ପାଇଁ ସବୁ ମୁହୂର୍ତ୍ତ ଖରାପ । ସେମାନେ ଏକ ଭଲ ମୁହୂର୍ତ୍ତକୁ ଅପେକ୍ଷା କରି ଜୀବନର ମୂଲ୍ୟବାନ ସମୟକୁ ନଷ୍ଟ କରିଦିଅନ୍ତି । କୌଣସି ସମୟ କେବେ ଆଉ ପଛକୁ ଫେରେ ନାହିଁ । ସମୟ ଆଗକୁ ଆଗକୁ ମାଡ଼ି ଚାଲୁଥିବା ବେଳେ ସମୟର ସଦୁପଯୋଗ ନକରି କୌଣସି ଏକ ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରିଲେ ଜୀବନରେ ଅନୁତାପ କରିବାକୁ ପଡ଼େ । ହୁଏତ କେହି କୌଣସି କାର୍ଯ୍ୟ ପାଇଁ ଏକ ସୁଯୋଗକୁ ଅପେକ୍ଷା କରିଥାଇପାରନ୍ତି, ତାହା ଭିନ୍ନ କଥା; ମାତ୍ର ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରିବା କେବେ ହେଲେ ବୁଦ୍ଧିମାନର କାମ ନୁହେଁ । ସୁ୍ଯୋଗ ଏବଂ ଶୁଭ ମୁହୂର୍ତ୍ତ ଦୁଇଟି ଯାକ ଏକା ନୁହେଁ । ସୁଯୋଗ ହେଉଛି ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ କାମ କରିବାର ଉଦ୍ୟମ । କିନ୍ତୁ ଶୁଭ ମୁହୂର୍ତ୍ତ ହେଉଛି କୌଣସି ଏକ କାମ କରିବାର ଇଛା ଥିଲେ ମଧ୍ୟ ଆଳସ୍ୟପରାୟଣ ଭାବରେ ସମୟ ଗଡ଼ାଇ ଚାଲିବାର ଏକ ଚିନ୍ତାଧାରା । ତେଣୁ ଆମକୁ ବୁଝିବାକୁ ହେବ ଯେ ଜୀବନରେ ଅତି ଭଲ ସମୟ ଅଛି ବୋଲି କୌଣସି କ୍ଷଣ ନଥାଏ । ଭଲ କାମ ପାଇଁ, ଭଲ ଚିନ୍ତା ପାଇଁ ସବୁ ସମୟ ମାହେନ୍ଦ୍ର ମୁହୂର୍ତ୍ତ ।