ପ୍ରଭୁଙ୍କ ସହ ଏକ ଅନ୍ତରଙ୍ଗ ମୁହୂର୍ତ୍ତ

ଜଗନ୍ନାଥଙ୍କ ଦର୍ଶନ ସମୟରେ ତାଙ୍କ ସହିତ କଥପୋକଥନ ହେବାର ସୁଯୋଗ ସେ ହିଁ ସୃଷ୍ଟି କରିଥାନ୍ତି । ଅନେକ ଥର ଆଖି ବନ୍ଦ କରି ହାତଯୋଡ଼ି ଥିବା ଅବସ୍ଥାରେ ଭିତରେ ଧକ୍କା ଖାଇ ବାହାରକୁ ଚାଲି ଆସିଛି । ଆଜି ସ୍ଥିର କଲି ଗରୁଡ ସ୍ତମ୍ଭର ବାମ ପାଖ କୋଣରେ ବସି ପଡ଼ି ପଚାରିବି ଭକ୍ତମାନେ ଏଠାରେ ଏତେ ଭିଡ଼ କାହିଁକି କରୁଛନ୍ତି? ଓ ମୁଁ ତୁମ ସହିତ କଥାବାର୍ତ୍ତା କାହିଁକି ପରିପାରୁ ନାହିଁ? ମୁଁ ସେପରି ହିଁ କଲି ।
ଏହାରର ଉତ୍ତର ରଖି ଜଗନ୍ନାଥ କହିଲେ "ସହରର ବିରାଟ ବିରାଟ ମେଳାରୁ ବିଭିନ୍ନ ପ୍ରକାରର ଆକର୍ଷଣକୁ ଛାଡ଼ି ଆହାର ଆହ୍ୱାନରେ ମୋର ଏ କ୍ରୀଡ଼ାଙ୍ଗନକୁ ଭକ୍ତମାନେ ଆସିଛନ୍ତି । ମୁଁ ସେମାନଙ୍କର ବତିଘର । ଆତ୍ମାର ଆଲୋକ ବଳରେ ସଂସାରରେ ଅନ୍ଧାର ଓ ଜଞ୍ଜାଳ ସହ ସଂଗ୍ରାମ କରୁଥିବା ମନୁଷ୍ୟମାନେ ବତିଘରକୁ ଆଶ୍ରୟ କରି ଏଠାରେ ପହଞ୍ଚô ପାରିଛନ୍ତି ।' ମୁଁ ପଚାରିଲି ଏ ପୃଥିବୀରେ ଅନେକ ଲୋକ ଏ ପର୍ଯ୍ୟନ୍ତ ତୁମର ଦର୍ଶନ ପାଇଁ ଆସି ପାରି ନଥିବେ ଏହାର କାରଣ କ'ଣ? ପ୍ରଭୁ ଉତ୍ତର ଦେଇ କହିଲେ - "ଅନ୍ଧାର ସବୁବେଳେ ଦ୍ୱନ୍ଦ୍ୱ ସୃଷ୍ଟି କରେ । ଭୁଲବଶତଃ କଥାକୁ ଅନ୍ୟ ପ୍ରକାର ରୂପ ଦିଏ । ଅନ୍ଧକାରରେ ଗରୁଡ଼ ସ୍ତମ୍ଭ ତୁମର ଟଙ୍କା ମୁଣି ଛଡ଼ାଇ ନେବାକୁ ଅପେକ୍ଷା କରିଥିବା ଚୋର ଭଳି ଜଣାପଡ଼େ ।'
ମୁଁ ପଚାରିଲି ତେବେ ଅନ୍ଧକାର ଦୂର ହେବ କିପରି? ଉତ୍ତର ରଖି ମୋର ପ୍ରଭୁ କହିଲେ "ଆତ୍ମଜ୍ଞାନ ହିଁ ଆଲୋକ । ଯେଉଁଥିରେ ଅନ୍ଧକାର ଓ ଅନ୍ଧକାର ସୃଷ୍ଟି କରୁଥିବା ସନେ୍ଦହ, ବିଭ୍ରାନ୍ତି ଦୂରହୁଏ । ମୁଁ ପଚାରିଲି ଏ ଆତ୍ମଜ୍ଞାନ ନଥାଇ ଅନେକ ଲୋକ ପୃଥିବୀରେ ଅଛନ୍ତି । ଉତ୍ତର ଆସିଲା ଜ୍ଞାନ ବିନା ମନୁଷ୍ୟ ଘନ ଅରଣ୍ୟରେ ହଜିଯାଏ । ସ୍ମୃତିଶକ୍ତି ହରାଇଥିବା ବ୍ୟକ୍ତି ପରି ବ୍ୟବହାର କରେ । ସେ ତାର ନାମ, ଧାମ, ଜ୍ଞାନ, ଗନ୍ତବ୍ୟ ସ୍ଥଳ ସବୁକିଛି ଭୁଲିଯାଏ । ଜ୍ଞାନୀ ନିକଟରେ ଦୟନୀୟ ହୋଇପଡ଼େ ଓ ଶେଷରେ ଭାବେ ମୁଁ ହିଁ ତାର ଏକ ମାତ୍ର ଆଶ୍ରା । ସେଥିପାଇଁ ଏତେ ଭିଡ଼, ଏତେ ଆବେଦନ, ଏତେ ଆକୁଳ ପ୍ରାର୍ଥନା ।
ମୁଁ ପଚାରିଲି ମନ୍ଦିର ବେଢ଼ା ଭିତରେ ଏତେ ଦୀପ ଦୋକାନ କାହିଁକି? ଭକ୍ତମାନେ ନିଜ ନିଜ ଘରକୁ କିମ୍ବା ସମୁଦ୍ରକୂଳକୁ ଫେରଯିବାକୁ ବ୍ୟଗ୍ର ଥିବା ସମୟରେ ଦୀପଟିଏ କିଣି ଜାଳି ଦେଇ ଚାଲିଯିବାକୁ କାହିଁକି ବ୍ୟସ୍ତ ହେଉଛନ୍ତି? ଉତ୍ତର ରଖି ପ୍ରଭୁ କହିଲେ ସେ ଯେ ଆତ୍ମା ଏ କଥା ଜାଣିବା ହିଁ ଜ୍ଞାନ । ଜ୍ଞାନ ହିଁ ଅନ୍ଧକାର ଦୂର କରୁଥିବା ଦୀପାଲୋକ । ଆତ୍ମା ହିଁ ଆନନ୍ଦ, ଶାନ୍ତି ଓ ପ୍ରେମର ପ୍ରତିମା ଏହା ଯେ ପ୍ରତ୍ୟେକଙ୍କ ଠାରେ ଥାଏ ତାହା ନଜାଣି ମଣିଷ ଏହାକୁ ବାହାରେ ଖୋଜୁଥାଏ । ବ୍ୟର୍ଥ, ନୈରାଶ୍ୟକର୍ମରେ ନିଜକୁ ଅବଶ କରିପକାଏ । ଜ୍ଞାନାଲୋକ ବ୍ୟତିରେକ ଆଧ୍ୟାତ୍ମିକ ଜ୍ଞାନ ଓ ଶାନ୍ତି ଅନ୍ୱେଷଣ ବୃଥା ।
ମୁଁ କହିଲି ହଁ ପ୍ରଭୁ ଚିନି, ଚାଉଳ, ଡାଳି, ପରିବାପତ୍ର, ଆମ୍ବୁଲ କାଠ ସବୁଥାଇ ମଧ୍ୟ ସେ ସବୁକୁ ରାନ୍ଧିବା ପାଇଁ ନିଅାଁ ନଥିଲେ ଯେପରି ତାହା ବ୍ୟର୍ଥ, ସେପରି ଜ୍ଞାନର ଆଲୋକ ନଥାଇ ଜପ, ଧ୍ୟାନ, ପୂଜା, ତୀର୍ଥ ରୀତିନୀତି ସବୁକିଛି ନିଷ୍ଫଳ । ଜଗନ୍ନାଥ କହିଲେ, ମୋ ଭକ୍ତମାନେ ଏ ସଂସାରକୁ ସବୁବେଳେ ଆସନ୍ତି । ଆଉ ଏଠାକୁ ଆସିବାର ଉପାୟ ନଖୋଜି ଆମେ କେତେ ଖାଦ୍ୟ ଖାଇଲୁ, କେତେ ଘଣ୍ଟା ଶୋଇଲୁ, କେତେ ରୋଜଗାର କଲୁ? ବିଭିନ୍ନ ମେଳାରେ କେତେ ଭୋଗରେ ମାତିଲୁ ସେଥିରେ ସେ ବୃଥା ସମୟ ବିନିଯୋଗ କରି ଜୀବନର ମୁଖ୍ୟ ଉଦେ୍ଦଶ୍ୟକୁ ଅବହେଳିତ କରେ ।'
ମୁଁ ପଚାରିଲି ତେବେ ଶାନ୍ତି ଓ ଆନନ୍ଦ କେବେ ମିଳିବ? ଜଗନ୍ନାଥ କହିଲେ, "ଜୀବନଟା ଶତ୍ରୁଙ୍କ ବିରୁଦ୍ଧରେ ଏକ ଯୁଦ୍ଧଯାତ୍ରା । ବାଧା ବିଘ୍ନ ପ୍ରଲୋଭନ, ଦୁର୍ଦ୍ଦିନ ଓ ପଶ୍ଚାତଗତି ସହିତ ଏକ ସଂଗ୍ରାମ କାମ ଓ ଗର୍ବର ଭୂତାଣୁ ତାକୁ ସର୍ବନାଶ କରେ । ସେମାନେ ଭୂତାଣୁ କାମ କରିବା ଆରମ୍ଭ କରିଦେଲେ ମୁହୂର୍ତ୍ତକ ପାଇଁ ଶାନ୍ତି ଆନନ୍ଦ ରହିପାରେ ନାହିଁ । ତେଣୁ ସଦଗୁଣ ହିଁ ତୋର ବଳ ଓ ଦୁର୍ଗୁଣ ତୋର ଦୁର୍ବଳତା । ପ୍ରତ୍ୟେକ ବ୍ୟକ୍ତି ତାର ସାଧନା ଅନୁସାରେ ଫଳପ୍ରାପ୍ତି ହୁଏ । ତୋର ଜୀବନ ଯନ୍ତ୍ରାନୁଚାଳିତ ଏକ ଗାଣିତିକ ସୂତ୍ର ନୁହେଁ । ପ୍ରତ୍ୟେକ ବ୍ୟକ୍ତି ତାର ହାତରେ ଧରିଥିବା ଦୀପ ଅନୁସାରେ ଗତି କରିଥାଏ । ଆତ୍ମଗର୍ବ, ବାହୁବଳ, ଧନ ବଳ ଉପରେ ଆସ୍ଥା ନରଖି ଆତ୍ମତତ୍ତ୍ୱ ଉପରେ ଆସ୍ଥା ରଖ । ସେ ଆତ୍ମତତ୍ତ୍ୱ ବଳରେ ମୋ ନିକଟକୁ ଟାଣି ହୋଇ ଆସିଲେ ତୁମ ଭିତରର ଭୂତାଣୁ ଗୁଡ଼ିକ ଯଥା କାମ, କ୍ରୋଧ ଗୁଡ଼ିକ ନଷ୍ଟ ହୋଇଯିବ ।
ମୁଁ କହିଲି, ହଁ ପ୍ରଭୁ "ଭୋଗ ବିଳାସ, ଉତ୍ତେଜନା ଓ ପାଗଳାମୀ ଆଡ଼କୁ ମନୁଷ୍ୟକୁ ଘୋଷାରି ନେଉଛି । ମନୁଷ୍ୟକୁ ଇନ୍ଦ୍ରିୟ ଜ୍ୱର ହେଉଛି । ସେ ଅବସର ବିନୋଦ, ଆମୋଦ ପ୍ରମୋଦ, ବନ୍ଧୁ ମିଳନ, ବଣଭୋଜି, ନାଚଗୀତ ଓ ଭୁରିଭୋଜନ ଭଳି ଛୋଟ ମୋଟ ଔଷଧ ଖାଇ ଜ୍ୱରକୁ ଭଲ କରିବାକୁ ଚେଷ୍ଟା କରୁଛି । ପ୍ରଭୁ କହିଲେ ଠିକ କହିଛ । ମୋର ଜ୍ଞାନର କିରଣ ପଡ଼ିଲେ ହିଁ ଜ୍ୱର ଭଲ ହେବ ଓ ଭୂତାଣୁ ମରିଯିବେ । ଜଣେ ମହିଳା ସୁରକ୍ଷାକର୍ମୀ ମତେ ହଲାଇ ପକାଇଲେ ମୃତ ପ୍ରାୟ ବସିଛ କ'ଣ? ଭିଡ଼ ହେଲାଣି ଶୀଘ୍ର ଉଠି ଏଠୁ ଯାଅ । ମୁଁ ହାତଯୋଡ଼ି ପ୍ରଣାମ କରି ଧୀରେ ଉଠି ଆସିଲି ।
ମୋ: ୯୬୯୨୯୮୦୦୨୬