ନିଯୁକ୍ତି ଆଶ୍ୱାସନା
ଏଥିରେ ଦ୍ୱିରୁକ୍ତି ନାହିଁ ଯେ, ଦେଶରେ ବେକାରୀ ବା ବେରେଜଗାରୀ ଏକ ବଡ ସମସ୍ୟା ଭାବେ ଉଭା ହୋଇଛି । ନିର୍ବାଚନ ସମୟରେ ବେକାରୀ ସମସ୍ୟାର ସମାଧାନ ତଥା ବ୍ୟାପକ ନିଯୁକ୍ତି ନେଇ ରାଜନୈତିକ ଦଳଗୁଡିକ ଇସ୍ତାହାର ପ୍ରତିଶ୍ରୃତି ଅଜାଡି ଦେଇଥାନ୍ତି । ତୁମ୍ବି ତୋଫାନ କରିଥାନ୍ତି । ଶାସକ ଦଳ ମଧ୍ୟ ନିଯୁକ୍ତି ନେଇ ନିଜର ସଫଳତା ବର୍ଣ୍ଣନା କରିଥାନ୍ତି । ମାତ୍ର ନିର୍ବାଚନ ସରିଗଲେ, ସତେ ଯେପରି ବେକାରୀ ସମସ୍ୟା ତଥା ଦେଶର କୋଟି କୋଟି ଯୁବକ ଯୁବତୀଙ୍କୁ କର୍ମସଂସ୍ଥାନ ପ୍ରସଙ୍ଗ ସେମାନେ ପାଶୋରି ଦେଇଥାନ୍ତି । କହିବା ବାହୁଲ୍ୟ ଯେ, ୭୦ ଦଶକରୁ ଦେଶରେ ବେକାରୀ ସମସ୍ୟା ମୁଣ୍ଡ ଟେକିଥିବାବେଳେ ଗତ ପାଂଚ ଦଶନ୍ଧି ମଧ୍ୟରେ ଏହା ଉକôଟ ଆକାର ଧାରଣ କରିଛି । ଦେଶରେ ଦିନକୁ ଦିନ ଛତୁ ଫୁଟିବା ଭଳି ନୂଆ କଲେଜ ସାଙ୍ଗକୁ ବୈଷୟିକ, ଡାକ୍ତରୀ କଲେଜ ଖୋଲୁଥିବାବେଳେ ସେହି ଅନୁପାତରେ ଶିକ୍ଷିତ ବେକାରଙ୍କ ସଂଖ୍ୟା ବଢିଚାଲିଛି । ଅନ୍ୟପକ୍ଷରେ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ମଧ୍ୟ ନିଯୁକ୍ତି ହାର କମିଚାଲିଛି । ପରିସ୍ଥିତି ଏବେ ଏପରି ହୋଇଛି ଯେ, ନିଯୁକ୍ତି ସମ୍ପର୍କିିତ ଆଶ୍ୱାସନା, କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଆଶ୍ୱାସନା ଏବଂ ପରିସଂଖ୍ୟାନ ରୋଜଗାର ଶୂନ୍ୟ ଯୁବକଯୁବତୀ ଆଉ ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି । ଏପରିକି ଚାକିରି ପାଇଁ କର୍ମନିଯୁକ୍ତି ପାଇଁ ଥିବା ସରକାରୀ ସଂସ୍ଥାରେ ନାମ ପଂଜୀକରଣ କରିବାକୁ ଶିକ୍ଷିତ ଯୁବକଯୁବତୀ ଆଉ ଆଗ୍ରହୀ ନଥିବା ଭଳି ମନେହୁଏ । ସରକାରୀ ତଥ୍ୟ ଅନୁଯାୟୀ ରାଜ୍ୟରେ ୯ଲକ୍ଷରୁ ଅଧିକ ଶିକ୍ଷିତ ଯୁବକଯୁବତୀ ନାମ ପଂଜୀକରଣ କରିଥିବାବେଳେ ଲକ୍ଷଲକ୍ଷ ଯୁବତୀ ନାମ ପଞ୍ଜିକରଣ କରିନାହାଁନ୍ତି । କିନ୍ତୁ ସମସ୍ତେ ନିଯୁକ୍ତି ଆଶାୟୀ ଥିବାବେଳେ ୧୦/୧୨ଟି ପଦବୀ ପାଇଁ ଲକ୍ଷାଧିକ ଯୁବକ-ଯୁବତୀ ଆବେଦନ କରିବାର ନଜିର ରହିଛି । ଏପରିକି ପିଅନ, ଚପରାସି, ପଦବୀ ପାଇଁ ଦଶମ ପାସ୍ ଠାରୁ ଆରମ୍ଭ କରି ଇଞ୍ଜିନିୟରିଂ, ଡାକ୍ତରୀ, ପିଏଚଡି ଡିଗ୍ରୀଧାରୀ ଆବେଦନ କରୁଛନ୍ତି । ସରକାରୀ ତଥ୍ୟ ଅନୁଯାୟୀ ରାଜ୍ୟରେ ଏବେ ସ୍ନାତକ ଶିକ୍ଷା ସମାପ୍ତ କରି ଥିବା ୨ଲକ୍ଷ ଛାତ୍ରଛାତ୍ରୀ ଚାକିରୀ ପାଇଁ ବର୍ଷ ବର୍ଷ ଧରି ନାମ ପଞ୍ଜିକରଣ କରିଛନ୍ତି । ସେହିପରି ୭୫ହଜାରରରୁ ଉଦ୍ଧ୍ୱର୍ ସ୍ନାତକୋତ୍ତର ଡିଗ୍ରୀଧାରୀଙ୍କ ସହ ୩୩ହଜାରରୁ ଊଦ୍ଧ୍ୱର୍ ଆଇଟିଆଇ ଶିକ୍ଷାଧାରୀ ଚାକିରି ଆଶାୟୀ ଥିବାବେଳେ ରାଜ୍ୟରେ ୨ଲକ୍ଷ ୫ହଜାରରୁ ଊଦ୍ଧ୍ୱର୍ ମଂଜୁରୀ ପ୍ରାପ୍ତ ସରକାରୀ ପଦ ଖାଲି ପଡିଛି । ସେହିପରି ପ୍ରଥମରୁ ଦଶକ ମଧ୍ୟରେ ୬୫ହଜାରରୁ ଊଦ୍ଧ୍ୱର୍ ଶିକ୍ଷକ ପଦବୀ ଖାଲି ପଡିଥିବାବେଳେ ମହାବିଦ୍ୟାଳୟଗୁଡିକରେ ହଜାର ହଜାର ଅଧ୍ୟାପକ ପଦବୀ ଖାଲିପଡିଛି । ନିକଟରେ ଆନ୍ତର୍ଜାତିକ ଲେବର ଅର୍ଥାନାଇଜେସନ (ଆଇଏଲଓ) ଏବଂ ଇନ୍ଷ୍ଟିଚୁ୍ୟଟ ଅଫ ହୁ୍ୟମାନ ଡେଭଲଅପମେଂଟ(ଆଇଏଚଡି) ପକ୍ଷରୁ ପ୍ରକାଶିତ ନିଯୁକ୍ତି ସଂକ୍ରାନ୍ତୀୟ ରିପୋର୍ଟରେ ଓଡିଶା ସମ୍ପର୍କରେ ଯେଉଁ ତଥ୍ୟ ରହିଛି, ତାହା ଯେତିକି ଚିନ୍ତାଜନକ ସେତିକି ନୈରାଶ୍ୟଜନକ ବୋଲି କହିଲେ ଅତୁ୍ୟକ୍ତି ହେବ ନାହିଁ । ଏହି ରିପୋର୍ଟ ଅନୁଯାୟୀ ଦେଶର ୨୨ଟି ରାଜ୍ୟ ମଧ୍ୟରେ ଓଡିଶାର ନିଯୁକ୍ତି ହାର ଅତ୍ୟନ୍ତ ନୈରାଶଜନକ ରହିଛି । ୨୦୦୫ ଓ ୨୦୨୨ ମଧ୍ୟରେ ନିଯୁକ୍ତିକୁ ନେଇ ଦର୍ଶାଯାଇଥିବା ତୁଳନାତ୍ମକ ଚିତ୍ରରେ ଓଡିଶାର ସ୍ଥାନ ୨୨ତମ ସ୍ଥାନରେ ରହିଛି । କେବଳ ଯୁବକ ନୁହଁନ୍ତି, ଯୁବତୀଙ୍କ ନିଯୁକ୍ତି ହାର ମଧ୍ୟ ଅତ୍ୟନ୍ତ ନୈରାଶ୍ୟଜନକ ଥିବା ରିପୋର୍ଟ କହେ । କେବଳ ଏତିକି ନୁହେଁ, ରାଜ୍ୟରେ ଦ୍ରୃତ ଶିଳ୍ପାୟନ ନେଇ ସରକାର ଚୁକ୍ତି ପରେ ଚୁକ୍ତି ସ୍ୱାକ୍ଷର କରିଚାଲିଥିବାବେଳେ ସେହି ଅନୁସାରେ ନିଯୁକ୍ତି ସୃଷ୍ଟି ମଧ୍ୟ ଘୋଷଣା ହେଉଛି । କିନ୍ତୁ ଏସବୁ ଏବେ କେବଳ ଆଶ୍ୱାସନାରେ ପରିଣତ ହୋଇଛି ବୋଲି କହିଲେ ହୁଏତ ଅତିରଂଜିତ ହୋଇନପାରେ । ନିକଟରେ ଶେଷ ହୋଇଥିବା ଲୋକସଭା ଓ ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ରାଜ୍ୟର ତିନି ପ୍ରମୁଖ ଦଳ ମଧ୍ୟରେ ନିଯୁକ୍ତି ନେଇ ବଡ ବଡ ପ୍ରତିଶ୍ରୃତି ଦେବା ସହ ପରସ୍ପର ପ୍ରତି ଆକ୍ଷେପ କରିଥିଲେ ଖୋଦ ପ୍ରଧାନମନ୍ତ୍ରୀ ମଧ୍ୟ ଦୀର୍ଘ ୨୪ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେଡି ସରକାରୀ ପ୍ରତି ନିଯୁକ୍ତି ପ୍ରସଙ୍ଗ ନେଇ ଆକ୍ଷେପ କରିବା ସହ ଦଳ କ୍ଷମତାକୁ ଆସିଲେ ୩ଲକ୍ଷ ୫୦ହଜାରରୁ ଊଦ୍ଧ୍ୱର୍ ଶିକ୍ଷିତ ଯୁବକଯୁବତୀଙ୍କୁ ନିଯୁକ୍ତି ଦେବା ନେଇ ପ୍ରତିଶ୍ରୃତି ଦେଇଥିଲେ । କିନ୍ତୁ ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ୨୦୧୯ ମସିହା ସୁଦ୍ଧା ଦେଢ ଲକ୍ଷରୁ ଅଧିକ ସରକାରୀ ପଦବୀ ପୁରଣ ପାଇଁ ଘୋଷଣା କରିଛି । ଉଭୟ ପ୍ରଧାନମନ୍ତ୍ରୀ ଓ ରାଜ୍ୟ ସରକାର ପ୍ରତିଶ୍ରୃତି, ଆଶ୍ୱାସନାର ତାଳମେଳ ନଥିବାରୁ ନିଯୁକ୍ତି ଆଶାୟୀଙ୍କ ମଧ୍ୟରେ ନୈରାଶ୍ୟ ଭାବ ଆଣିଦେଇଥିବା ଚର୍ଚ୍ଚା ହୁଏ । ଏହା ସତ୍ତ୍ୱେ ରାଜ୍ୟରେ ପ୍ରଥମଥର ପାଇଁ ବିଜେପି କ୍ଷମତାସୀନ ହୋଇଥିବାରୁ ବେକାର ଯୁବକଯୁବତୀ ନିଯୁକ୍ତି ଆଶାରେ ଚାତକ ଭଳି ଆଶାବାଦୀ । ତେବେ ବେକାର ଯୁବକ ଯୁବତୀଙ୍କ ଆଶା ନିରାଶରେ ପରିଣତ ହେଉ । ପ୍ରତିଶ୍ରୃତି ଆଶ୍ୱାସନା ସର୍ବସ୍ୱ ନହେଉ, ଏହା ହିଁ ରାଜ୍ୟବାସୀ ନୂଆ ସରକାରଙ୍କ ଠାରୁ ଆଶା କରନ୍ତି ।
ସୌଭାଗ୍ୟ ରଂଜନ ମହାନ୍ତି
ମୋ:୯୪୩୭୯୯୪୩୭୯