ଭୁବନେଶ୍ୱର ସୁରକ୍ଷିତ ତ?

ଭୁବନେଶ୍ୱର ସୁରକ୍ଷିତ ତ?


ଅଳ୍ପ ଦିନ ମଧ୍ୟରେ ରାଜଧାନୀ ଭୁବନେଶ୍ୱରେ ଅନ୍ୟ ରାଜ୍ୟର ଅପରାଧୀମାନେ ଆସି ନିର୍ଭୟରେ ବସବାସ କରୁଥିବାର ବହୁ ଚାଞ୍ଚଲ୍ୟକର ତଥ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି । ଭାରତର ବିଭିନ୍ନ ସ୍ଥାନରୁ ଅପରାଧୀମାନେ ଅପରାଧ ଘଟାଇ ଆସି ଭୁବନେଶ୍ୱରରେ ନିରାପଦରେ ରହିପାରୁଛନ୍ତି । ସେମାନଙ୍କ ସମ୍ପର୍କରେ ଓଡ଼ିଶା ପୁଲିସ୍ କୌଣସି ସୂଚନା ପାଇପାରୁନାହିଁ । ଗତ ଦୁଇ ବର୍ଷ ଭିତରେ ଦେଶର ବିଭିନ୍ନ ରାଜ୍ୟର ବଡ଼ ବଡ଼ ଅପରାଧୀମାନେ ଏଠାରୁ ଗିରଫ ହୋଇଥିବା ଜଣାପଡ଼ିଲାଣି । ଏହି ଦୁଇ ବର୍ଷ ଭିତରେ ୪୫ ଜଣ ଅପରାଧୀ ବିଭିନ୍ନ ରାଜ୍ୟର ପୁଲିସ୍ ଦ୍ୱାରା ଗିରଫ ହୋଇଛନ୍ତି । ତେଲେଙ୍ଗାନାର ଏକ ରିଅଲ୍ ଇଷ୍ଟେଟ୍ ସଂସ୍ଥାର ମାଲିକଙ୍କୁ ହତ୍ୟା କରି ହତ୍ୟାକାରୀମାନେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରହୁଥିଲେ । ସେମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ତେଲେଙ୍ଗାନା ପୁଲିସ୍ ସେମାନଙ୍କୁ ଏଠାରୁ ଗିରଫ କରିଛି । ସେହିଭଳି କେନ୍ଦ୍ରୀୟ ଟେଲିକମ୍ ସଂସ୍ଥାର ଡାଡ଼ାବେସ୍ ହ୍ୟାକ୍ କରି ୫ କୋଟି ଟଙ୍କା ଠକେଇ କରିଥିବା ଦିଲ୍ଲୀର ଜଣେ ଅଭିଯୁକ୍ତି ଦିଲ୍ଲୀ କ୍ରାଇମ୍ବ୍ରାଞ୍ଚ୍ ପୁଲିସ୍ ଭୁବନେଶ୍ୱରରୁ ଗିରଫ କରିନେଇଛି । ଉତ୍ତର ପ୍ରଦେଶର ମିରଟ୍ରେ ଠକେଇ କରି ଜଣେ ମହିଳା ନୟାପଲ୍ଲୀ ଅଞ୍ଚଳରେ ଆସି ରହୁଥିଲେ । ତାଙ୍କୁ କମିଶନ୍ରେଟ୍ ପୁଲିସ୍ ସହାୟତାରେ ଗିରଫ କରି ଉତ୍ତର ପ୍ରଦେଶକୁ ନିଆଯାଇଛି । ଜାମ୍ମୁ-କାଶ୍ମୀର ଅଞ୍ଚଳର ଏକ ନାବାଳିକା ଅପହରଣ ଘଟଣାରେ ସଂପୃକ୍ତ ଜଣେ ଯୁବକଙ୍କୁ ଜାମ୍ମୁ-କାଶ୍ମୀର ପୁଲିସ୍ ଆସି ଗିରଫ କରିଛନ୍ତି । କୋଲକାତାରୁ ଜଣେ ଛାତ୍ରୀଙ୍କୁ ଅପହରଣ କରି ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ଅଭିଯୁକ୍ତ ଲୁଚାଇ ରଖିଥିଲେ । ପଶ୍ଚିମବଙ୍ଗ ପୁଲିସ୍ ତାଙ୍କୁ ଏଠାରୁ ଗିରଫ କରି ନିଜ ରାଜ୍ୟକୁ ନେଇଛି । ଯୌତୂକ ନିର୍ଯ୍ୟାତନା ମାମଲାରେ ରାଜସ୍ଥାନ୍ର ଦୁଇ ଜଣ ଅଭିଯୁକ୍ତକୁ ଭୁବନେଶ୍ୱରରେ ଆତ୍ମଗୋପନ କରିଥିବା ସମୟରେ ପୁଲିସ୍ ଗିରଫ କରି ରାଜସ୍ଥାନ୍କୁ ନେଇଛି । ଛତିଶଗଡ଼ରୁ ଜଣେ ଅପରାଧୀ ଜଣେ ବ୍ୟବସାୟୀଙ୍କ ଠାରୁ ୧୮ ଲକ୍ଷ ଟଙ୍କା ଠକି ନେଇ ଭୁବନେଶ୍ୱରରେ ଲୁଚିଥିବା ବେଳେ ଛତିଶଗଡ଼ ପୁଲିସ୍ ତାଙ୍କୁ ଏଠାରୁ ଗିରଫ କରିଛି । ଅନ୍ଲାଇନ୍ରେ ବିଜ୍ଞାପନ ଦେଇ ଲୋକଙ୍କୁ ଠକୁଥିବା ଏକ ସଂସ୍ଥାକୁ ମଧ୍ୟ ପ୍ରଦେଶ ପୁଲିସ୍ ଗିରଫ କରି ନେଇଛି । ଚାକିରି ଦେବା ନାଁରେ ନଅ ଲକ୍ଷ ଠକେଇ କରିଥିବା ଡ଼ାମନ ଡିଉ ଅଞ୍ଚଳର ଜଣେ ଲୋକକୁ ପୁଲିସ୍ ଗିରଫ କରି ସେଠାକୁ ନେଇଛି । ତେଲେଙ୍ଗାନାର ଜଣେ ସାଇବର୍ ଠକ ୨୦ ଲକ୍ଷ ଟଙ୍କା ଠକି ନେଇ ନୟାପଲ୍ଲୀ ଥାନା ଅଞ୍ଚଳରେ ରହୁଥିବା ବେଳେ ପୁଲିସ୍ ତାକୁ ଗିରଫ କରିଛି । ଆଉ ଏକ ଠକେଇରେ ଜଣେ ସୁନା ଦୋକାନୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଏକ ଠକକୁ ମୁମ୍ବାଇ ପୁଲିସ୍ ଆସି ଏଠାରୁ ଗିରଫ କରିଛି । ବେଙ୍ଗାଲୁରର ଜଣେ ସୁନା ଦୋକାନୀକୁ ନକଲି ମେସେଜ୍ ମାଧ୍ୟମରେ ଠକି  ଭୁବନେଶ୍ୱର ଚାଲି ଆସି ଏଠାରେ ରହୁଥିବା ସମୟରେ କମିଶନ୍ରେଟ୍ ପୁଲିସ୍ ସହାୟତାରେ ଏହି ଠକକୁ ଗିରଫ କରାଯାଇଛି । ଦିଲ୍ଲୀର ଜଣେ ବ୍ୟବସାୟୀଙ୍କ ଘରୁ କୋଟିଏ ଟଙ୍କାର ହୀରା ଏବଂ ସୁନା ଅଳଙ୍କାର ଲୁଟି ନେଇ ଜଣେ ମହିଳା ଏଠାରେ ଏକ ହୋଟେଲ୍ରେ ଲୁଚିଥିବା ବେଳେ ଦିଲ୍ଲୀ ପୁଲିସ୍ ତାକୁ ଗିରଫ କରିଛି । ହାଇଦ୍ରାବାଦ୍ର ଦୁଇ ଜଣ ବ୍ୟବସାୟୀଙ୍କୁ ଋଣ କରାଇଦେବା ନାଁରେ ୩୦ ଲକ୍ଷ ଟଙ୍କା ଠକି ୫ ଜଣ ବ୍ୟକ୍ତି ଆସି ଭରତପୁର ଥାନା ଅଞ୍ଚଳରେ ଲୁଚିଥିଲେ । ସେମାନଙ୍କୁ ହାଇଦ୍ରାବାଦ୍ ପୁଲିସ୍ ସେମାନଙ୍କୁ ଗିରଫ କରି ନେଇଛି । ଏହିପରି ଭାବରେ ଦେଖିବାକୁ ଗଲେ ସମଗ୍ର ଦେଶର ବଡ଼ ବଡ଼ ଅପରାଧ ସହିତ ସଂପୃକ୍ତ ଥିବା ଅପରାଧୀମାନେ ବର୍ତ୍ତମାନ ଭୁବନେଶ୍ୱରରେ ଆସି ଆତ୍ମଗୋପନ କରିବାକୁ ଏକ ନିରାପଦ ସ୍ଥାନ ବୋଲି ଭାବୁଛନ୍ତି । ଏଠାରେ ଲୋକମାନେ ଘର ଭଡ଼ା ଦେଉଥିବା ସମୟରେ ଭଡ଼ାଟିଆମାନଙ୍କର ସବିଶେଷ ପରିଚୟ ନ ଖୋଜି ଘରଭଡ଼ା ଦେଉଥିବାରୁ ସମଗ୍ର ଦେଶର ଅପରାଧୀ ମାନଙ୍କ ପାଇଁ ଭୁବନେଶ୍ୱର ଏକ ନିରାପଦ ଆଶ୍ରୟସ୍ଥଳ ପାଲଟିଛି । ଭୁବନେଶ୍ୱର ଯଦି ଏଭଳି ଅପରାଧୀ ମାନଙ୍କର ଆଡ୍ଡାସ୍ଥଳୀ ପାଲଟିବ ତେବେ ଅସୁରକ୍ଷିତ ସହରର ଅପବାଦ ମାନ୍ୟତା ପାଇବାର ଦିନ ବେଶୀ ଦୂର ନୁହେଁ ।