ପୁଣି ବାଇଡ଼େନ୍ ଝଡ଼
ଭାରତରେ ସାଧାରଣ ନିର୍ବାଚନ ପ୍ରସ୍ତୁତି ଓ ପ୍ରକ୍ରିୟା ଚାଲିଥିବା ବେଳେ ଆମେରିକାର ବାଇଡ଼େନ୍ ପ୍ରଶାସନ ୨୧ ନିୟୁତ ଡ଼ଲାର୍ ବା ୧୮୨ କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ଏବେ ଏହି ଘଟଣାକୁ ନେଇ ଆମେରିକାର ରାଜନୀତିରେ ହଟଚମଟ ହେବା ସହିତ ଭାରତୀୟ ରାଜନୀତିରେ ମଧ୍ୟ ହଟଚମଟ ସୃଷ୍ଟି ହେଲାଣି । ଏହି ୧୮୨ କୋଟି ଟଙ୍କା ଆମେରିକା କାହାକୁ ଦେଇଛି ଏବଂ ଏହାର ଲାଭ କିଏ ପାଇଛି-ବର୍ତ୍ତମାନ ଏହା ହିଁ ବଡ଼ ପ୍ରଶ୍ନ । ବାଇଡେନ୍ଙ୍କ ସରକାର ପରେ ନିର୍ବାଚନରେ ଜିତି ଡ଼ୋନାଲ୍ଡ ଟ୍ରମ୍ପ୍ କ୍ଷମତାକୁ ଆସିବା ପରେ ଏହି ୨୧ ନିୟୁତ ଡ଼ଲାର ନେଇ ଅନେକ ପ୍ରଶ୍ନ ଉଠାଇଲେଣି । ଏଣେ ଆମ ଦେଶରେ ଏହି ଘଟଣାକୁ ନେଇ ଶାସକ ବିଜେପି ଏବଂ କଂଗ୍ରେସ ମୁହାଁମୁହିଁ ହେଲେଣି । ବିଜେପି ପକ୍ଷରୁ କଂଗ୍ରେସକୁ ଏହାର ଲାଭାର୍ଥୀ ବୋଲି କୁହାଯାଉଥିବା ବେଳେ କଂଗ୍ରେସ ଏ ଘଟଣା ଉପରେ ଏକ ଶ୍ୱେତପତ୍ର ଦାବି କରିଲାଣି । ଆମେରିକାରେ ଡ଼ୋନାଲ୍ଡ ଟ୍ରମ୍ପ୍ ତାଙ୍କ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡ଼େନ୍ଙ୍କୁ ସମାଲୋଚନା କରିବା ଆରମ୍ଭ କରି ଦେଇଛନ୍ତି । ବାଇଡ଼େନ୍ ଭାରତର ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ କରିଥିଲେ ବୋଲି ଅଭିଯୋଗ କରିଲେଣି । ନିର୍ବାଚନରେ ଭୋଟର୍ମାନଙ୍କୁ ପ୍ରଭାବିତ କରିବା ଉଦେ୍ଦଶ୍ୟରେ ୟୁଏସ୍ଏଡ୍ ନାମକ ଏକ ସଂସ୍ଥା ମାଧ୍ୟମରେ ବାଇଡ଼େନ୍ କ୍ଷମତାରେ ଥିବା ବେଳେ ଆମେରିକା ୧୮୨ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ନିଶ୍ଚିତ ରୂପେ ଏହି ଅର୍ଥ କୌଣସି ଏକ ପକ୍ଷକୁ ଜିତାଇବା ଲାଗି ଖର୍ଚ୍ଚ କରାଯାଇଥିଲା । ଭାରତର ମତଦାତାଙ୍କୁ ପ୍ରଭାବିତ କରିବାକୁ ଆମେରିକା ଅର୍ଥ ଖର୍ଚ୍ଚ କରିବାକୁ ଟ୍ରମ୍ପ୍ ସନେ୍ଦହଜନକ ଚକ୍ଷୁରେ ଦେଖୁଛନ୍ତି । ଦେଖିବା ମଧ୍ୟ ଏକ ସ୍ୱାଭାବିକ କଥା ।
ଭାରତରେ ମଧ୍ୟ ରାଜନୀତି କ୍ଷେତ୍ରରେ ଅନେକ ପ୍ରକାରର ହଟଚମଟ ଦେଖିବାକୁ ମିଳେ । ଏଠାରେ ନିର୍ବାଚନ ସମୟରେ ଅର୍ଥବଳର ପ୍ରାଧାନ୍ୟ ଥିବା ଦେଖିବାକୁ ମିଳେ । ନିର୍ବାଚନ ସମୟରେ ନିର୍ବାଚନ କମିଶନ୍ଙ୍କ ପକ୍ଷରୁ ଅର୍ଥ କାରବାର ନେଇ ତୀକ୍ଷ୍ଣ ଦୃଷ୍ଟି ରଖାଯିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଏ । ପ୍ରତ୍ୟେକ ନିର୍ବାଚନ ସମୟରେ ଶହ ଶହ କୋଟି ଟଙ୍କାର ନଗଦ ଅର୍ଥ ବିଭିନ୍ନ ଗାଡ଼ିରୁ ଧରାପଡ଼େ । ହେଲେ ତାହା ପରେ କଣ ହୁଏ କେହି ଜାଣନ୍ତି ନାହିଁ । ଧରା ପଡ଼ିଥିବା ଅର୍ଥ କାହାର, ସେସବୁ କେଉଁଠୁ ଆସିଲା ଏବଂ ଏହା ନେଇ କାର୍ଯ୍ୟାନୁଷ୍ଠାନ କଣ ହେଲା ଭଳି ଅନେକ ପଶ୍ନ ଉଠୁଥିଲେ ମଧ୍ୟ ଏହାର ଉତ୍ତର ଆଜି ଯାଏଁ କାହାରି ପାଖରେ ନାହିଁ । ଏହି କାରଣରୁ ଭାରତରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଗଲେ କିଛି ଲୋକଙ୍କ ପାଇଁ ରୋଜଗାରର ସମୟ ଆସିଗଲା ବୋଲି ଭାବନ୍ତି । ଆମେରିକା ମଧ୍ୟ କିଛି ରାଷ୍ଟ୍ରକୁ ୟୁଏସ୍ଏଡ୍ ନାମରେ ନିର୍ବାଚନ ସମୟରେ ଅର୍ଥ ଦେବା କିଛି ନୂଆ କଥା ନୁହେଁ । ବିଭିନ୍ନ ରାଷ୍ଟ୍ରରେ ନିର୍ବାଚନ ଚାଲୁଥିବା ସମୟରେ ଆମେରିକା କେଉଁ ଉଦେ୍ଦଶ୍ୟରେ ସହାୟତା ଦିଏ ତାହାର ରହସ୍ୟ ଆଜି ପର୍ଯ୍ୟନ୍ତ କେହି ଜାଣନ୍ତି ନାହିଁ । ତେବେ ବିଜେପି, ରାହୁଲ ଗାନ୍ଧୀଙ୍କୁ ଲକ୍ଷ୍ୟ କରି ଏହି ଅର୍ଥ ତାଙ୍କ ନିକଟକୁ ଆସିଥିବା କହିଥିବା ବେଳେ କଂଗ୍ରେସ୍ ନେତା ଜୟରାମ ରମେଶ କହିଛନ୍ତି ଯେ ଗତ ୧୦ ବର୍ଷ ହେଲା କେନ୍ଦ୍ରରେ କ୍ଷମତାରେ ବିଜେପି ରହିଛି । ତେଣୁ ୟୁଏସ୍ଏଡ୍ ଗତ ୧୦ ବର୍ଷରେ ଭାରତକୁ କେତେ ଆସିଛି ତାର ସମସ୍ତ ତଥ୍ୟ ସରକାରଙ୍କ ନିକଟରେ ରହିଛି । ଏହା ଉପରେ ସରକାର ଏକ ଶ୍ୱେତପତ୍ର ପ୍ରକାଶ କରିବା ପାଇଁ ଜୟରାମ ରମେଶ ଦାବି କରିଛନ୍ତି । ପରସ୍ପରକୁ ଦୋଷାରୋପ କରୁଥିବା ସମୟରେ ପ୍ରକୃତରେ ଏହି ଅର୍ଥ କେଉଁ ଉଦେ୍ଦଶ୍ୟରେ ଖର୍ଚ୍ଚ ହୋଇଛି ଏବଂ ଏହାର ଲାଭାର୍ଥ କିଏ ତାହା ସମସ୍ତେ ଜାଣିବା ଉଚିତ୍ । ହେଲେ ରାଜନୀତିକ ଆରୋପ ପ୍ରତ୍ୟାରୋପରେ ଏ ସତ୍ୟ ଉଜାଗର ହୋଇପାରିବ ତ?