ଛକାପଞ୍ଝା ଛକରେ ଛଳଯୁଦ୍ଧ


ସାରା ଦୁନିଆର ନଜର ଏବେ ରୁଷ-ୟୁକ୍ରେନ୍-ଇସ୍ରାଏଲ-ପାଲେଷ୍ଟାଇନ ମହାଯୁଦ୍ଧ ଉପରେ । ଯୁଦ୍ଧରେ ନିଦେ୍ର୍ଦାଷଙ୍କୁ ହତ୍ୟା କରାଯାଉଛି । ଏ ଯୁଦ୍ଧରେ ଉଭୟପକ୍ଷ ପାଗଳଭଳି ଲଢୁଛନ୍ତି । ସାମ୍ରାଜ୍ୟବାଦୀମାନଙ୍କର କୌଣସି ଜାତି ନଥାଏ କି ନୀତି ନଥାଏ, ବିବେକ ନଥାଏ କି ହୃଦୟ ନଥାଏ । ଏ ଦେଶମାନେ ଯେକୌଣସି ହିଂସ୍ର ପଶୁଠାରୁ ବି ଅଧିକ କ୍ଷତିକାରକ । ଏମାନେ ନିଜ ଦେଶକୁ ଧ୍ୱଂସମୁଖକୁ କେବଳ ଟାଣିନିଅନ୍ତି ନାହିଁ - ବିଶ୍ୱର ବହୁଦେଶକୁ ପ୍ରଭୃତ କ୍ଷତି ପହଂଚାଇଥାନ୍ତି । କଥାରେ ଅଛି - ଗୋଟିଏ ଦେଶ ଧ୍ୱଂସ ହେବାପାଇଁ ଜଣେ ‘ମୂର୍ଖରାଜା’, ନିଷ୍କ୍ରିୟ ପ୍ରଜା ଓ ବିକ୍ରିଯୋଗ୍ୟ ଗଣମାଧ୍ୟମ ହିଁ ଯଥେଷ୍ଟ । ଏବେ ଇସ୍ରାଏଲରେ ଲୋକେ ପ୍ରଧାନମନ୍ତ୍ରୀଙ୍କୁ ଅଯୋଗ୍ୟ କହି ଇସ୍ତଫା ଦାବି କଲେଣି । ବୁଦ୍ଧିଆମାନେ ଲଢିବା ପୂର୍ବରୁ ଜିତିଥାନ୍ତି । ମୂର୍ଖମାନେ ଜିତିବାପାଇଁ ଲଢୁଥାନ୍ତି । ଏବେ ଏହା ରୁଷ-ୟୁକ୍ରେନ୍-ଇସ୍ରାଏଲ-ପାଲେଷ୍ଟାଇନ୍ ଯୁଦ୍ଧରେ ଦେଖାଦେଇଛି । ଏହା କୁରୁକ୍ଷେତ୍ର ସହ ତୁଳନା କରାଯାଇପାରେ - ପାଣ୍ଡବମାନେ ଶ୍ରୀକୃଷ୍ଣଙ୍କ ନେତୃତ୍ୱରେ ଯୁଦ୍ଧ ପୂର୍ବରୁ ଜିତିଯାଇଥିଲେ - କପଟି ଶକୁନୀ ବୁଦ୍ଧିରେ କୌରବକୂଳ ମିଛଟାରେ ଜିତିବାପାଇଁ ଲଢିଲଢି ଧ୍ୱଂସ ହୋଇଗଲେ । ଅହଂକାର, କ୍ରୋଧ, ରାଗ, ଅପରାଧର କୌଣସି ସୀମାନାହିଁ ।
ଏ ଛଳଯୁଦ୍ଧ ବନ୍ଦ ହେବାର ନାହିଁ । ସମସ୍ତେ ଭାବିଥିଲେ - ରୁଷ-ୟୁକ୍ରେନ୍ ଯୁଦ୍ଧ ଦି’ତିନି ଦିନରେ ଶେଷ ହୋଇଯିବ । କିନ୍ତୁ ୨୦୨୨ ଫେବୃୟାରୀ ୨୪ ତାରିଖରୁ ଏ ଯୁଦ୍ଧ ଚାଲିଛି । ଗତ ୨୦୨୩ ଅକ୍ଟୋବର ୭ରୁ ଇସ୍ରାଏଲ-ପାଲେଷ୍ଟାଇନ୍ ଯୁଦ୍ଧ ଚାଲୁଛି ା ଦିନକୁଦିନ ଯୁଦ୍ଧ ଭୀଷଣ ଭୟଙ୍କର ହେବାରେ ଲାଗିଛି । ନାଜି ହିଟଲର୍ ଭଳି ଇସ୍ରାଏଲ ନେତା କାହା ପରାମର୍ଶ ଶୁଣୁନାହାଁନ୍ତି । ଗାଜାପଟ୍ଟିରେ ହମାସ୍ମାନେ ସାଧାରଣ ଲୋକଙ୍କ ସହ ଛନ୍ଦାଛନ୍ଦିହୋଇ ଥିବା ସନେ୍ଦହକରି ଇସ୍ରାଏଲ ସାଧାରଣ ନାଗରିକଙ୍କୁ ରାସ୍ତାଘାଟ, ସହରବଜାର, ଡାକ୍ତରଖାନା, ସ୍କୁଲକଲେଜ, ଶରଣାର୍ଥୀ ଶିବିରକୁ ବୋମା ପକାଇ ଅହରହ ଧ୍ୱଂସ କରିବାରେ ଲାଗିଛି ଅପରପକ୍ଷେ ଶକ୍ତିଶାଳୀ ହମାସ୍ଙ୍କ ସହ ଲେବାନନ୍ର ହୁଜବୋଲ୍ଲା, ଇସ୍ଲାମିକ୍ ଜିହାଦ୍, ୟେମେନ୍ର ‘ହୁଥି ଯୋଦ୍ଧାବାହିନୀ’ ଇସ୍ରାଏଲ ଉପରେ ଆକ୍ରମଣ ଆରମ୍ଭ କରିଦେଇଛନ୍ତି । ଇସ୍ରାଏଲ ଛାନିଆ ହୋଇ ପରମାଣୁ ବୋମା ପକାଇବ ବୋଲି କହିଦେଲାଣି ା ଇସ୍ରାଏଲ ବିରୁଦ୍ଧରେ ଲଢୁଥିବା ଅତି ଶକ୍ତିଶାଳୀ ତିନି ସଂଗଠନ ସହ ଏବେ ରୁଷ ୱାଗନର ଗୋଷ୍ଠୀ ଯୁଦ୍ଧକୁ ଓହ୍ଲାଇବା ପାଇଁ ସ୍ଥିର କରିସାରିଲେଣି ା ଇରାନ୍ ପ୍ରଥମରୁ ଗାଜା ଯୋଦ୍ଧାଙ୍କୁ ସହଯୋଗ କରିଆସୁଛି ା
ବିଶ୍ୱ ଅନ୍ଧାରୀଯୁଗରେ ପହଂଚିଗଲାଣି । କୌଣସି ଦେଶରେ ଡାକ୍ତରଖାନା, ଆମ୍ବୁଲାନ୍ସ, ରେଡ୍କ୍ରସ୍, ଔଷଧ ଦୋକାନ ଉପରେ ଆକ୍ରମଣ ମନାବୋଲି ଅର୍ନ୍ତଜାତୀୟ ଆଇନ୍ ପ୍ରଣୟନ କରାଯାଇଛି । ହେଲେ ଇସ୍ରାଏଲ ଏ ଆଇନ୍କୁ ଫୁତ୍କାରରେ ଉଡାଇଦେଇ ଆକାଶରୁ ବୋମାବର୍ଷଣ କରିଚାଲିଛି । ପାହାଡ ଭଳି ଶବରେ ପରିଣତ ହେଲାଣି ଗାଜା । ବିଭିନ୍ନ ଦେଶ ଇସ୍ରାଏଲରେ ଦୂତାବାସକୁ ବନ୍ଦ ଘୋଷଣା କଲେଣି । ସାରାବିଶ୍ୱରୁ ଚାପ ପଡୁଛି ଯୁଦ୍ଧ ବିରତି ପାଇଁ । 
ଯୁଦ୍ଧର ୫ ସପ୍ତାହ ପରେ ଆରବ ଇସ୍ଲାମିକ୍ ସମିତି ସମ୍ମିଳନୀରେ ୫୭ ଦେଶର ପ୍ରତିନିଧିମାନେ ଇସ୍ରାଏଲ ଯୁଦ୍ଧରେ ମଣିଷମରା ମେସିନ୍ ପ୍ରୟୋଗରେ ଗଣହତ୍ୟା ବିରୁଦ୍ଧରେ ପ୍ରତିବାଦକରି ଗାଜାକୁ ସମର୍ଥନ ଜଣାଇଛନ୍ତି । ଅବିଳମ୍ବେ ଇସ୍ରାଏଲ ଯୁଦ୍ଧବିରତି କରୁ ଏବଂ କ୍ଷତିପୁରଣ ଦେଉ । ଯେଉଁ ସାଧାରଣ ନାଗରିକ, ମହିଳା, ଶିଶୁଙ୍କୁ ହତ୍ୟା କଲା - ସେମାନଙ୍କ ଜୀବନ ତ ଫେରେଇ ଦେଇପାରିବନାହିଁ ! ଯୁଦ୍ଧ ଅପରାଧୀ ଭାବେ ସାରାବିଶ୍ୱରେ ଦଣ୍ଡିତ ହେବ । କିନ୍ତୁ ଧ୍ୱଂସ କରିଥିବା ସଂପତ୍ତିବାଡିର କ୍ଷତିପୂରଣ ଦେବାକୁ ବାଧ୍ୟ । ଆଉ କାଳବିଳମ୍ବ ନକରି ଆମକୁ ତୁରନ୍ତ ଏ ଯୁଦ୍ଧ ବନ୍ଦ କରିବାକୁ ହେବ । ଆମକୁ ଆମ ପିଲାମାନେ ଦିନେ ପଚାରିବେ - ଶିଶୁମାନଙ୍କୁ ଜଘନ୍ୟ ଭାବେ ଇସ୍ରାଏଲ ହତ୍ୟା କରୁଥିବାବେଳେ ଆପଣମାନେ କ’ଣ କରୁଥିଲେ ? କି ଉତ୍ତର ଦେବୁ ? ମୂଳ ସମସ୍ୟା ସମାଧାନ କରାନଗଲେ ସମଗ୍ର ବିଶ୍ୱ ଦିନେ ଏହାର ଜବାବ୍ ଦେବାକୁ ହେବ । 
ଗାଜାରେ ରକ୍ତମିଶା ପାଉଁଶର ପଲସ୍ତରା ତଳେ ଚାପା ପଡିଯାଉଛି ସାଧାରଣ ମଣିଷର ମର୍ମନ୍ତୁଦ ଜୀବନ । ଆର୍ନ୍ତଜାତୀୟ ରାଜନୀତି ଦୋଦୁଲ୍ୟମାନ । ସବୁଦେଶର ରାଷ୍ଟ୍ରମୁଖ୍ୟମାନେ ଯୁଦ୍ଧ ବନ୍ଦ କରିବାପାଇଁ କହିଲେଣି । ବାଇଡେନ୍ ଅନ୍ଧ ଭାବେ ଇସ୍ରାଏଲକୁ ସମର୍ଥନ କରୁଥିବାରୁ ବହୁଳାଂଶ ଆମେରୀକୀୟ ବିରୋଧ କରୁଛନ୍ତି । ଗାଜା ଆମେରିକ-ଇସ୍ରାଏଲ ପାଇଁ ଅଭିଶାପ ପାଲଟିଥିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । କୌଣସି ଯୁଦ୍ଧ କେବେ ସଫ୍ଳ ହୁଏନା । ମାରିବା-ମରିବା ଅସ୍ଥିମଜ୍ଜାଗତ । ହତ୍ୟା ଓ ମୃତୁ୍ୟର ଆକର୍ଷଣ ଚୁମ୍ବକ ଭଳି । ଏ ଛକାପଂଝା ଛଳଯୁଦ୍ଧ ଯୋଜନାବଦ୍ଧ । ଏ ଘୃଣ୍ୟ ଯୋଜନାକୁ କେବଳ ବିଶ୍ୱର ସଚେତନ ଜନଗଣ ଧୂଳିସାତ୍ କରିଦେଇପାରିବେ । ପ୍ରଥମଥର ପାଇଁ ସମଗ୍ରବିଶ୍ୱରେ ପ୍ରାୟ ସବୁଦେଶରେ ସହରବଜାର ଗାଁଗଣ୍ଡାରେ ଯୁଦ୍ଧବିରୋଧୀ ବିକ୍ଷୋଭ ଦୁର୍ବାର ହେବାରେ ଲାଗିଛି । ଆମେରିକା ଦୂତାବାସ ଘେରାଉ କରୁଛନ୍ତି । ଅବିଳମ୍ବେ ଯୁଦ୍ଧ ବନ୍ଦ କରିବାପାଇଁ ଦାବି କରୁଛନ୍ତି । 
ଯୁଦ୍ଧ ଆରମ୍ଭବେଳେ ଯେଉଁମାନେ କୁହୁଳା ନିଆଁରେ ଘିଅ ଢାଳୁଥିଲେ - ଏବେ ସେ ହୁତୁହୁତୁ ନିଆଁର ଝୁଲ ସେମାନଙ୍କ ଉପରେ ବି ପଡୁଛି । ଯୁଦ୍ଧ ବନ୍ଦ କରିବାକୁ ଯେତେ ରଡି ଛାଡିଲେ ବି କେହି ଶୁଣିବାକୁ ନାହିଁ । ଯେଉଁ ଆମେରିକା ଇସ୍ରାଏଲକୁ ଖତରନାକ୍ ଯୁଦ୍ଧାସ୍ତ୍ର ବିକ୍ରି କରିଥିଲା - ସେଇ ଅସ୍ତ୍ରରେ ଇସ୍ରାଏଲ ରକ୍ତମୁଖା ହୋଇ ଗାଜା ଉପରେ ନିକ୍ଷେପକରି ଶହଶହ ନିରୀହ ମଣିଷକୁ ଜୀଅନ୍ତା ଶବରେ ପରିଣତ କରିଦେଲାଣି । ଇସ୍ରାଏଲ ପକ୍ଷରେ ଆମେରିକା, ବ୍ରିଟେନ୍, ଫ୍ରାନସ୍, ଭାରତ ପ୍ରମୁଖ ଦେଶ ପାଲେଷ୍ଟାଇନ୍-ଗାଜା ସପକ୍ଷରେ ୫୭ ମୁସଲିମ୍ ଦେଶ ସମେତ ରୁଷ, ଚୀନ୍, ଉତ୍ତରକୋରିଆ ପ୍ରମୁଖ ଦେଶ ଢାଲ ଭଳି ଠିଆ । ଏବେ ଇସ୍ରାଏଲକୁ ଚାରିପଟୁ ଆକ୍ରମଣ ଆରମ୍ଭ ହୋଇଗଲାଣି । ପାଲେଷ୍ଟାଇନ୍-ଗାଜା-ହମାସ୍କୁ ସହଯୋଗ କରିବାପାଇଁ ଇସ୍ରାଏଲକୁ ଜିହାଦ୍, ଲେବାନନ୍ର ହିଜବୁଲ୍ଲା, ଇରାନ୍, ୟେମନ୍ର ହାଇଥି ବିଦ୍ରୋହୀ ଡ୍ରୋନ୍ ମିଜାଇଲ୍ ମାଧ୍ୟମରେ ଆକ୍ରମଣ କରୁଛନ୍ତି । ଏଭଳି ଏକ ସମୟରେ ଆମେ ପହଂଚିଲେଣି - ଖୁବ୍ ଶୀଘ୍ର ଦେଶେଦେଶେ ଭୟଙ୍କର ଯୁଦ୍ଧ ଲାଗି ବିଶ୍ୱର ଅଧାଲୋକ ଶବ ପାଲଟିଯିବେ । ସେତେବେଳକୁ ଯୁଦ୍ଧାସ୍ତ୍ର, ଅର୍ଥ, ଖାଦ୍ୟ ନଥିବ । ଲୋକ ଭୋକ ଓ ରୋଗରେ ପଡି ଛଟପଟ ହେବେ ।  
ଅନ୍ତର୍ଜାତୀୟ ଆଇନ୍, ଅନ୍ତର୍ଜାତୀୟ ଅପରାଧ କୋର୍ଟମାନେ ଦୁର୍ବଳ ଦେଶ ଉପରେ ଆଇନ୍ର ରାୟ ଚାପିଦେଉଛନ୍ତି । ସବଳଦେଶ ଏମାନଙ୍କୁ ମାନୁନାହାଁନ୍ତି । ଜାତିସଂଘ ତ କେବେଠୁ ଦନ୍ତହୀନ ହୋଇଗଲାଣି । ବିଶ୍ୱସ୍ୱାସ୍ଥ୍ୟ ସଂଗଠନ କିଂକର୍ତ୍ତବ୍ୟମୂଢ ପାଲଟିଯାଇଛି । ସମସ୍ୟା, ଦ୍ୱନ୍ଦ୍ୱ, ଯୁଦ୍ଧ ସାରାପୃଥିବୀରେ ଛାଇଯାଇଛି । ଅନ୍ତର୍ଜାତିକ ମୁଦ୍ରାପାଣ୍ଠି, ବିଶ୍ୱବ୍ୟାଙ୍କ, ଜାତିସଂଘ ଅବସ୍ଥା ଖରାପଆଡକୁ ଯାଉଛି । ଆମେରିକା ସମଗ୍ରବିଶ୍ୱକୁ ନିଜ ଅକ୍ତିଆରରେ ରଖିବାକୁ କାର୍ଯ୍ୟ କରୁଥିଲା । ତା’ର ମନ୍ଦବୁଦ୍ଧି ଯୋଗୁ ଚୀନ୍, ରୁଷ୍ ଲାଭବାନ୍ ହେବାରେ ଲାଗିଛନ୍ତି । ଏଣେ ବିଶ୍ୱର ଦୁଇନମ୍ବର ବଳଶାଳୀ ଚୀନ୍ ଟାକି ରହିଛି - କେତେବେଳେ ଏକନମ୍ବର ଆମେରିକା ଧରାଶାୟୀ ହେବ । 
ଷୋଡଶ ଶତାବ୍ଦୀ ଠାରୁ ପ୍ରଥମ ବିଶ୍ୱଯୁଦ୍ଧ ପର୍ଯ୍ୟନ୍ତ ପାଲେଷ୍ଟାନୀୟମାନେ ଓଟୋମ୍ୟାନ୍ ସାମ୍ରାଜ୍ୟରେ ବାସ କରୁଥିଲେ । ପାଲେଷ୍ଟାଇନୀୟ ଓ ଜିଉଜ୍ମାନଙ୍କ ମଧ୍ୟରେ ଅନେକ ଯୁଦ୍ଧ ହୋଇଛି - ହେଲେ କେହି ଜିତିପାରିନାହାଁନ୍ତି । ବ୍ରିଟିଶ୍ମାନେ ପଶିଯାଇଛନ୍ତି । ୧୭୯୯ରେ ନେପୋଲିଅନ୍ ବୋନାପାର୍ଟ ପାଲେଷ୍ଟାଇନୀୟ ଜିଉଜ୍ମାନଙ୍କ ମାତୃଭୂମି ଘୋଷଣା କଲେ । ପାଲେଷ୍ଟାଇନ୍କୁ ୧୯୨୩ରୁ ୧୯୪୮ ପର୍ଯ୍ୟନ୍ତ ବ୍ରିଟିଶ୍ବାଲା ମାଡିବସିଥିଲେ । ପାଲେଷ୍ଟାଇନୀୟମାନଙ୍କୁ ତଡି ଇସ୍ରାଏଲ ଦେଶ ଜନ୍ମ ନେଲା । ପ୍ରାୟ ଛ’କୋଟି ପାଲେଷ୍ଟାଇନୀୟ ପୃଥିବୀର ବିଭିନ୍ନ ଦେଶରେ ଶରଣାର୍ଥୀ ହୋଇ ଚାଲିଯାଇଥିଲେ । ସେମାନେ ନିଜ ମାତୃଭୂମିକୁ ଫେରିଆସିବାକୁ ବହୁବାର ଉଦ୍ୟମକରି ବିଫଳ ହୋଇଛନ୍ତି । ଇତିମଧ୍ୟରେ ଆମେରିକା ବଳରେ ବଳୀୟାନ୍ ଇସ୍ରାଏଲ ପାଲେଷ୍ଟାଇନ୍, ଗାଜା, ଜେରୁଜୁଲମ୍କୁ ବିସ୍ତାରବାଦୀ ନୀତିରେ ନିଜ ଅକ୍ତିଆରକୁ ନେବାକୁ ଉଦ୍ୟମ କରୁଥିବାବେଳେ ଯୁଦ୍ଧ ଲାଗିଯାଇଛି । ଯୁଦ୍ଧ ବନ୍ଦକରି ଶାନ୍ତି ସ୍ଥାପନ ପାଇଁ ବିଶ୍ୱରେ କ’ଣ କୌଣସି ନେତା ନାହାଁନ୍ତି ? ବତ୍ତର୍୍ମାନ କେହି କାହା କଥା ମାନୁନାହାଁନ୍ତି । ଯୁଦ୍ଧରେ ବିଶ୍ୱର ଅଧାଲୋକ, ଧନସଂପତ୍ତି, ଯୁଦ୍ଧାସ୍ତ୍ର ପୋଡି ପାଉଁଶ ହୋଇଗଲେ ସେତେବେଳକୁ ନେଡିଗୁଡ କହୁଣୀକୁ ବୋହିଯାଇଥିବ । ଯେଉଁମାନେ ଦରମରା ହୋଇ ବଂଚିରହିଥିବେ - ସେମାନଙ୍କୁ ବଂଚାଇବା କଷ୍ଟକର ହୋଇପଡିବ । ସାମାନ୍ୟ ସୁସ୍ଥଥିବା ମଣିଷମାନେ ବିଶ୍ୱଯୁଦ୍ଧ ବଦଳରେ ବିଶ୍ୱଶାନ୍ତି, ମୈତ୍ରୀ, ସାମ୍ୟର ଜୟଗାନ କରିବେ ।
ଯାଜପୁର ରୋଡ, ଯାଜପୁର 
ମୋ : ୯୮୬୧୦୩୪୧୬୩