ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରରେ ଝୁଲୁଛି ତାଲା ‘ସ୍ୱଚ୍ଛ ଓଡ଼ିଶା-ସୁସ୍ଥ ଓଡ଼ିଶା’ ନାଁରେ କୋଟି କୋଟି ବରବାଦ
ାା ପ୍ରଭାନୁ୍ୟଜ ।ା ଯାଜପୁର : ପଞ୍ଚାୟତକୁ ସ୍ୱଚ୍ଛ ରଖିବା ନିମିତ ପଞ୍ଚାୟତରାଜ ଓ ପାନୀୟଜଳ ଯୋଗାଣ ବିଭାଗ ପକ୍ଷରୁ ପଞ୍ଚାୟତରେ ବର୍ଜ୍ୟ ପରିଚାଳନା କେନ୍ଦ୍ରମାନ ନିର୍ମାଣ ପାଇଁ ଯୋଗାଇ ଦିଆଯାଇଛି ଲକ୍ଷଲକ୍ଷ ଟଙ୍କା ।
‘ଏକ ପାଦ ସ୍ୱଚ୍ଛତା ଆଡ଼କୁ’ ଶ୍ଲୋଗାନ ଦେଇ ବିଜେଡ଼ି ସରକାର ସମୟରେ ପଞ୍ଚାୟତରୁ ପଞ୍ଚାୟତରେ ବର୍ଯ୍ୟପରିଚାଳନା କେନ୍ଦ୍ରମାନ ପାଇଁ କୋଟି କୋଟି ଟଙ୍କା ଯୋଗାଇ ଦିଆଯାଇଛି । ହେଲେ ‘ସ୍ୱଚ୍ଛ ଓଡ଼ିଶା-ସୁସ୍ଥ ଓଡ଼ିଶା’ ନାଁରେ କୋଟି କୋଟି ବରବାଦ କରାଯାଇଛି । ବର୍ଜ୍ୟପରିଚାଳନା କେନ୍ଦ୍ରମାନ ବିଭିନ୍ନ ପଞ୍ଚାୟତରେ ନିର୍ମାଣ ହୋଇଛି ସ’ତ ହେଲେ କେନ୍ଦ୍ର ଗୁଡ଼ିକର ଉଦେ୍ଦଶ୍ୟ ସାଧିତ ହେଉନି । ଲକ୍ଷଲକ୍ଷ ଟଙ୍କାରେ ନିର୍ମିତ କେନ୍ଦ୍ର କେଉଁଠି ତାଲା ପଡ଼ିରହିଛି, ତ କେଉଁଠି କାହାର ଗୋଦାମ ଘର ହୋଇଛି । ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ପଞ୍ଚାୟତକୁ ସ୍ୱଚ୍ଛ ରଖିବାକୁ କେନ୍ଦ୍ର ସରକାର ଲକ୍ଷାଧିକ ଟଙ୍କାର ଅନୁଦାନ ଯୋଗାଇ ଦେଉଥିବା ବେଳେ ଏହାକୁ ଏକ ପ୍ରହସନରେ ପରିଣତ କରାଯାଇଛି । ଅନୁଦାନ ଅର୍ଥର ସଦବିନିଯୋଗ କିଭଳି ହେବ, ତାହାକୁ ଗୁରୁତ୍ୱ ଦିଆଯିବା ବଦଳରେ ଠିକାଦାରଙ୍କ ଠାରୁ ଆରମ୍ଭ କରି ସରକାରୀ ବାବୁଙ୍କ ପର୍ଯ୍ୟନ୍ତ ମିଳିମିଶି ଅନୁଦାନ ଅର୍ଥ ଭାଗବଣ୍ଟା କରି ନେଉଛନ୍ତି । ୨୦୨୨-୨୩, ୨୩-୨୪ ବର୍ଷରେ ବିଭିନ୍ନ ପଞ୍ଚାୟତରେ ବର୍ଜ୍ୟପରିଚାଳନା କେନ୍ଦ୍ର ନିର୍ମାଣ ନିମିତ ଅନୁଦାନ ଯୋଗାଇ ଦିଆଗଲା । ସ୍ୱଚ୍ଛ ଭାରତ ମିଶନରୁ ୩ଲକ୍ଷରୁ ଅଧିକ ଏବଂ ପଞ୍ଚଦଶ କେନ୍ଦ୍ର ଅର୍ଥ କମିଶନରୁ ୧ଲକ୍ଷରୁ ଅଧିକ ଟଙ୍କା କରି ମୋଟ ୪ଲକ୍ଷରୁ ଅଧିକ ଟଙ୍କା ବର୍ଜ୍ୟପରିଚାଳନା କେନ୍ଦ୍ର ନିର୍ମାଣ ସହ କମ୍ପୋଷ୍ଟ ପିଇଟି ନିର୍ମାଣ ପାଇଁ ଯୋଗାଇ ଦିଆଗଲା । ନିର୍ଦ୍ଧାରିତ ସ୍ଥାନରେ କମ୍ପୋଷ୍ଟ ପିଇଟି ଏବଂ ବର୍ଜ୍ୟପରିଚାଳନା କେନ୍ଦ୍ର ନିର୍ମାଣ କରାଗଲା ସତ କିନ୍ତୁ ତାହାକୁ କାର୍ଯ୍ୟକାରୀ କରାଯାଉନି । କମ୍ପୋଷ୍ଟ ପିଇଟି କୌଣସି କାର୍ଯ୍ୟରେ ଆସୁନଥିବା ବେଳେ ଅନେକ ସ୍ଥାନରେ ବର୍ଜ୍ୟପରିଚାଳନା କେନ୍ଦ୍ରରେ ତାଲା ଝୁଲୁଛି । ପଞ୍ଚାୟତର ଗାଁକୁ ସ୍ୱଚ୍ଛତା ଆଣିବାକୁ ଅଳିଆ କୁଣ୍ଡଟିଏ କୋଉଠି ଦେଖିବାକୁ ମିଳିନି । ବର୍ଜ୍ୟପରିଚାଳନା କେନ୍ଦ୍ର ସ୍ଥାପନର ଉଦ୍ୟେଶ ପ୍ରତିଗ୍ରାମରୁ ଏବଂ ବଜାରରୁ ଆବର୍ଜନା ଗୁଡିକ ସଂଗ୍ରହ କରି ବର୍ଜ୍ୟ ବସ୍ତୁ ପରିଚାଳନା କେନ୍ଦ୍ରରେ ପହଞ୍ଚିବା ପରେ ସେଠାରେ ଦ୍ରବ୍ୟ ଗୁଡିକ ଅଲଗା କରିବା ସହ ସେଗୁଡିକୁ ନିର୍ଦ୍ଧାରିତ ସ୍ଥାନକୁ ପଠାଯିବା କଥା । ଯାହାର ଦାୟିତ୍ୱ ପଞ୍ଚାୟତକୁ ହସ୍ତାନ୍ତର ହୋଇଥାଏ । କିନ୍ତୁ କେଉଁ ଗ୍ରାମ କି ବଜାର ଛକର ଅଳିଆ ଆବର୍ଜନା କମ୍ପୋଷ୍ଟ ପିଇଟି ଯାଏ ଅଣାଯାଉନି କି ବର୍ଜ୍ୟପରିଚାଳନାରୁ ତାଲା ଖୋଲୁନି । ପଞ୍ଚାୟତର ରାସ୍ତାଘାଟ ଆବର୍ଜନାରେ ପରିିପୂର୍ଣ୍ଣ ହୋଇପଡ଼ିଥିବା ବେଳେ ସ୍ୱଚ୍ଛ ପରିବେଶ-ସୁସ୍ଥ ସମାଜ ସ୍ଲୋଗାନ କାନ୍ଥରେ ରହିଯାଇଛି । ପଞ୍ଚାୟତ କର୍ତ୍ତୃପକ୍ଷ ସ୍ୱଚ୍ଛ ପରିବେଶ-ସୁସ୍ଥ ସମାଜ ଲିଖିତ ବାର୍ତାକୁ କାନ୍ଥରେ ମାରି କାର୍ଯ୍ୟ ସାରିଦେଇଛନ୍ତି । କାନ୍ଥରେ ମରାଯାଇଥିବା ସ୍ଲୋଗାନ ତଳେ ସର୍ବସାଧାରଣଙ୍କ ନିମନ୍ତେ ଜରୁରୀ ସୂଚନା ଦିିଆଯାଇଛି । ସୂଚନାରେ ଅଳିଆ ପକାଇଲେ ଶହେଟଙ୍କାରୁ ୫୦ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ ବୋଲି ଘୋଷଣା କରି ଚୂପ ବସିଛି । ରାସ୍ତାରେ ଡଷ୍ଟବିନ୍ଟିଏ ନଥିବାରୁ ଲୋକେ ରାସ୍ତା କଡ଼କୁ ଡଷ୍ଟବିନ ଭାବେ ବ୍ୟବହାର କରୁଛନ୍ତି । ଯାହା ପରିବେଶକୁ ପ୍ରଦୂଷିତ ହେଉଛି । ମାତ୍ର ଏଥିପ୍ରତି ପଞ୍ଚାୟତ କର୍ତ୍ତୃପକ୍ଷ ଉତ୍ତରଦାୟୀ ହେଉ ନାହାନ୍ତି । ପ୍ରାୟ ଅଧିକାଂଶ ପଞ୍ଚାୟତରେ ଏଭଳି ଅବସ୍ଥା ପରିଲକ୍ଷିତ ହେଉଛି । ସରକାର ଲକ୍ଷଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଇ କୋଟି କୋଟି ଟଙ୍କା ବରବାଦ କରିବାକୁ ପଛାଇ ନାହାନ୍ତି । ଯାହାତ ଅନୁଧ୍ୟାନ କରାଯାଇ ବିହିତ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି ।