‘ଯୋଗୀ ସୁବାସ ମୁନିଙ୍କ ଲେଖନୀ କାଳଜୟୀ ହୋଇ ରହିବ’
ବେତନଟୀ: ଯୋଗୀ ସୁବାସ ମୁନିଙ୍କ ଲେଖନୀ କାଳଜୟୀ ହୋଇ ରହିବ । ସେ ଏକାଧାରରେ ଜଣେ ସମାଜ ସଂସ୍କାରକ, ଲେଖକ ତଥା ଅଧ୍ୟାତ୍ମିକତାର ଜଣେ ମୂର୍ତ୍ତିମନ୍ତ ପ୍ରତୀକ ବୋଲି ଓଡିଶା ପ୍ରାନ୍ତ ମୁନିସମାଜର ଭୂତପୂର୍ବ ଅଧ୍ୟକ୍ଷ ତଥା ବେତନଟୀରୁ ଦୀର୍ଘ ୪୩ ବର୍ଷ ଧରି ପ୍ରକାଶ ପାଉଥିବା ଅଧ୍ୟାତ୍ମିକ ପତ୍ରିକା ‘ଜ୍ଞାନଦୀପ’ର ସଂସ୍ଥାପକ ସଂପାଦକ ମୁନିଶିରୋମଣି ସୁବାସ ମୁନିଙ୍କ ୬ଷ୍ଠ ବାର୍ଷିକ ଶ୍ରଦ୍ଧାଞ୍ଜଳି ଦିବସରେ ମତ ପ୍ରକାଶ ପାଇଛି । ବେତନଟୀ ନିକଟସ୍ଥ ପଣ୍ଡୁଗଡିଆ ଶିବମୁନି ଯୋଗାଶ୍ରମରେ ଯୋଗୀ ସୁବାସ ମୁନି ସ୍ମୃତି କମିଟି ଦ୍ୱାରା ଆୟୋଜିତ ସ୍ମୃତିଚାରଣ ସଭାରେ କମିଟିର ସଭାପତି ମୁନିମତୀ ତୂଳାମଣି ଭୂୟାଁ ସତ୍ୟ ପତାକା ଉତ୍ତୋଳନ କରିଥିଲେ ଓ ଯୋଗୀ ନରୋତ୍ତମ ମୁନି ପତାକା ସଙ୍ଗୀତ ଗାନ କରିଥିଲେ । ପରେ ଏକ ସୁସଜ୍ଜିତ ମଞ୍ଚରେ ସଭାକାର୍ଯ୍ୟ ସ୍ମୃତି କମିଟିର ସଭାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସର୍ବପ୍ରଥମେ ଆଶ୍ରମ ପରିସରରେ ଥିବା ଯୋଗୀ ସୁବାସ ମୁନି ଓ ଶିବମୁନିଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ଅତିଥିବୃନ୍ଦ ପୁଷ୍ପମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଉଦ୍ଘାଟକ ଭାବେ ମୟୂରଭଞ୍ଜର ବରିଷ୍ଠ ସାମ୍ବାଦିକଡଃ ବିଜୟ କୁମାର ଅଗ୍ରୱାଲା ଯୋଗଦାନ କରି ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସୁବାସ ମୁନିଙ୍କ ସ୍ମୃତିଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅଖିଳ ଭୂମଣ୍ଡଳୀୟ ସର୍ବଶିରୋମଣି ମୁନିସମାଜର କେନ୍ଦ୍ରୀୟ ଅଧ୍ୟକ୍ଷ ମୁନୀଶ୍ୱର ପଣ୍ଡିତ ନିିରଞ୍ଜନ ମୁନି, ସ୍ୱତନ୍ତ୍ର ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଶିକ୍ଷାବିତ୍ ହରିଶ ଚନ୍ଦ୍ର ନନ୍ଦଗୋସ୍ୱାମୀ, ମୁଖ୍ୟବକ୍ତା ଭାବେ ସେବାନିବୃତ୍ତ ଅଧ୍ୟାପକ ସୁଧାଂଶୁଶେଖର ପ୍ରଧାନ, ସମ୍ମାନିତ ବକ୍ତା ଭାବେ ଓଡିଶା ପ୍ରାନ୍ତୀୟ ମୁନିସମାଜର ଅଧ୍ୟକ୍ଷ ଯୋଗୀ ବସନ୍ତ ମୁନି ଏବଂ ସମ୍ମାନିତ ଅତିଥି ଭାବେ ପ୍ରାନ୍ତୀୟ ସହସଂପାଦକ ଯୋଗୀ ଅଭୟ ମୁନି, ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ମୁନିରନô ଯୋଗୀ ଗୌରାଙ୍ଗ ମୁନି, ଯୋଗାଚାର୍ଯ୍ୟ ଦାମୋଦର ମୁନି ପ୍ରମୁଖ ଯୋଗଦାନ କରିଥିଲେ । ସଭାରେ ଯୋଗୀ ସୁବାସ ମୁନିଙ୍କର ଶ୍ରେଷ୍ଠ ଛାତ୍ର ତଥା ଅନେକ ପ୍ରତିଭାର ଅଧିକାରୀ ବିଶିଷ୍ଟ ଫଟୋଗ୍ରାଫର ନଗେନ ଦାସଙ୍କୁ ଉପଢୌକନ, ମାନପତ୍ର ଓ ପୁଷ୍ପଗୁଚ୍ଛ ସହ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ମାନପତ୍ର ପାଠ କରିଥିଲେ ସୁବାସ ମୁନିଙ୍କ ପୁତ୍ରବଧୂ ମୁନିମତୀ ଗୀତାଞ୍ଜଳି ଭୂୟାଁ । ମଞ୍ଚ ପରିଚାଳନା କରିଥିଲେ ମୁନିସୈନିକ ଯୋଗୀ ନରୋତ୍ତମ ମୁନି । ସୁବାସ ମୁନିଙ୍କ ସୁପୁତ୍ରୀ ବି.ବି କଲେଜର ପ୍ରାକ୍ତନ ଅଧ୍ୟକ୍ଷା ମୁନିମତୀ ଡଃ ଅଳକାମଞ୍ଜରୀ ଭୂୟାଁ ପ୍ରାରମ୍ଭିକ ଓ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବାବେଳେ କାର୍ଯ୍ୟକାରୀ ସଭାପତି ତଥା ଜ୍ଞାନଦୀପର ସହସଂପାଦକ ଯୋଗୀ ଭାଗବତ ମୁନି କମିଟି ସମ୍ପର୍କରେ ଓ ସଭାର ଆଭିମୁଖ୍ୟ ପ୍ରଦାନ କରିଥିଲେ । ସ୍ମୃତି କମିଟିର ସଂପାଦକ ତଥା ଜ୍ଞାନଦୀପ ସଂପାଦକ ଯୋଗୀ ସଞ୍ଜୟ ମୁନି ସଂପାଦକୀୟ ବିବରଣୀ ପାଠ କରିଥିଲେ । ପ୍ରାନ୍ତୀୟ ପ୍ରଚାର ସଂଗଠନ ମନ୍ତ୍ରୀ ଯୋଗୀ ମହିମ ମୁନି ମୁନି ସଂଗୀତ ଗାନ କରିଥିଲେ । ସଭାରେ ସୁବାସ ମୁନିଙ୍କ ସମ୍ପର୍କରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଜେତାଙ୍କୁ ସଙ୍ଗେ ସଙ୍ଗେ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା । ସ୍ମୃତି କମିଟିର ଉପ ସଭାପତି ଯୋଗୀ ହରେକୃଷ୍ଣ ମୁନି ଧନ୍ୟବାଦ ଅର୍ପଣ କରିଥିଲେ ।