ପାଣି ବୋତଲକୁ ନେଇ ମାର୍ପିଟ୍; ଠେଙ୍ଗା ମାଡ଼ରେ ଜଣେ ମୃତ
କୁଆଖିଆ : ଚଳିତମାସ୧୯ ତାରିଖ ଭୋର ସମୟରେ କୁଆଖିଆ ଥାନା ଗନ୍ଧଣ ଗ୍ରାମରେ ପାଣି ବୋତଲକୁ କେନ୍ଦ୍ର କରି ଦୁଇ ଜଣଙ୍କ ମଧ୍ୟରେ ମାର୍ପିଟ୍ ହୋଇଥିଲା । ଆଉ ଜଣକର ଠେଙ୍ଗା ମାଡରେ ଅନ୍ୟଜଣେ ଗୁରୁତର ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତୁ୍ୟ ଘଟିଛି । ସୂଚନା ମତେ ଏହି ଗ୍ରାମର ଧନେଶ୍ୱର ପଣ୍ଡା(୫୬) ଓ ଶ୍ରୀକାନ୍ତ ପଣ୍ଡା ଓରଫ୍ ନିଧିଆ ଗ୍ରାମର ଦଧିବାମନ ମନ୍ଦିରରେ ରାତିରେ ଶୁଅନ୍ତି । ଘଟଣାଦିନ ଧନେଶ୍ୱର ପିଇବା ପାଇଁ ରଖିଥିବା ପାଣିବୋତଲ ସକାଳୁ ଉଠିବା ବେଳକୁ ଢାଳି ହୋଇଯାଇଥିବାରୁ ସେ ପାଖରେ ସୋଇଥିବା ନିଧିଆକୁ ସନେ୍ଦହ କରିଥିଲା । ଏହି କଥାକୁ ନେଇ ଉଭୟଙ୍କ ମଧରେ ହାତାହାତି ହେବାପରେ ନିଧିଆ ରାଗିଯାଇ ମନ୍ଦିର ପାଖରେ ପଡିଥିବା ଏକ ବାଉଁଶ ଠେଙ୍ଗାରେ ଧନେଶ୍ୱର ମୁଣ୍ଡକୁ ପିଟି ଦେଇଥିଲା । ଫଳରେଧନେଶ୍ୱର ସେଠାରେ ଗୁରୁତର ହୋଇପଡିଥିଲା । ପାଟିଶୁଣି ଗ୍ରାମବାସୀ ଓ ଉଭୟଙ୍କ ପରିବାର ଲୋକ ଘଟଣା ସ୍ଥଳରେ ପହଁଚି ରକ୍ତାକ୍ତ ହୋଇ ପଡିଥିବା ଧନେଶ୍ୱରକୁ ମଧୁବନ ସିଏଚସି ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ । ଘଟଣା ସମ୍ପର୍କରେ ୨୦ ତାରିଖ ଧନେଶ୍ୱରଙ୍କ ପରିବାରର ଲୋକେ କୁଆଖିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଆକ୍ରମଣକାରୀ ନିଧିଆକୁ ପୁଲିସ ଗିରଫ କରି ତା ବିରୁଦ୍ଧରେ କେସ୍ ନଂ-୧୪୬/୨୫ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରିଥିଲା । ତେବେ ଆଜି ସକାଳେ ଚିକିତ୍ସାଧିନ ଅବସ୍ଥାରେ ଧନେଶ୍ୱରର ମୃତୁ୍ୟ ଘଟିଥିଲା । ଖବରପାଇ କୁଆଖିଆ ପୁଲିସ କଟକ ବଡ ମେଡିକାଲରେ ପହଁଚି ଶବ ବ୍ୟବଛେଦ କରାଇ ମୃତକର ପରିବାର ଲୋକଙ୍କୁ ହସ୍ତାନ୍ତରିତ କରିଛି । ତେବେ ପୀଡିତର ମୃତୁ୍ୟ ପରେ ଏହି ମାମଲା ହତ୍ୟା ମାମଲାକୁ ପରିବର୍ତିତ ହୋଇଯାଇଛି ବୋଲି ତଦନ୍ତ ଅଧିକାରୀ ଥାନା ଅଧିକାରିଣୀ ଚିନ୍ମୟୀ ସାହୁ ସୂଚନା ଦେଇଛନ୍ତି ।