ମଙ୍ଗଳରେ ହେବ ବସତି ସ୍ଥାପନ!


ପ୍ରାଚୀନ କାଳରୁ ମଙ୍ଗଳ ଗ୍ରହକୁ ସନାତନ ସଂସ୍କୃତିକୁ ବିଶ୍ୱାସ କରୁଥିବା ଲୋକେ ପୂଜା କରି ଆସୁଛନ୍ତି ଓ ମଙ୍ଗଳ ଗ୍ରହ ମାନବୀୟ ପ୍ରେରଣା ଏବଂ ଆକର୍ଷଣର କେନ୍ଦ୍ର ରହି ଆସିଛି । ମହାକାଶ ବିଜ୍ଞାନୀମାନଙ୍କ ପାଇଁ ମଙ୍ଗଳ ଗ୍ରହ ମଧ୍ୟ ଗବେଷଣାର ବିଷୟ ରହିଛି ଏବଂ ଏ ବାବଦରେ ଅଧିକ ଜାଣିବା ପାଇଁ ଗବେଷକମାନଙ୍କର ଜିଜ୍ଞାସା ବଢ଼ିବାରେ ଲାଗିଛି । ମହାକାଶ ବିଷୟରେ ଗବେଷଣା କରୁଥିବା ମହାକାଶ ବିଜ୍ଞାନୀମାନେ ମଙ୍ଗଳ ଗ୍ରହରେ ଏବେ ଜୀବନ ଅଛି କି ନାହିଁ ସେ ବାବଦରେ ଅଧିକ ଅନୁସନ୍ଧାନ ଚଳାଇଛନ୍ତି । ୧୯୬୦ ମସିହାରେ ପ୍ରଥମେ ମଙ୍ଗଳ ମିଶନ ଆରମ୍ଭ ହୋଇଥିଲା ଓ ସେବେଠାରୁ ମଙ୍ଗଳ ଗ୍ରହକୁ ଯିବାପାଇଁ ଅଭିଯାନ ଜାରି ରହିଛି । ଏବେ କିନ୍ତୁ ନାସା ଘରୋଇ କମ୍ପାନୀମାନଙ୍କୁ ବାଣିଜି୍ୟକ ମଙ୍ଗଳ ମିଶନ ପାଇଁ ଆମନ୍ତ୍ରିତ କରିଛି । ଏହି ମିଶନରେ ମଙ୍ଗଳ ଗ୍ରହକୁ ଓଜନିଆ ଯନ୍ତ୍ରପାତି ନେବା ଏପରିକି ସେଠାରେ ସଞ୍ଚାର ସେବା ପ୍ରଦାନ କରାଯିବା ସମ୍ପର୍କରେ ଯୋଜନା କରୁଛି ନାସା । କିନ୍ତୁ ମଙ୍ଗଳ ଗ୍ରହକୁ ଯାତ୍ରୀ ପଠାଇବା ପାଇଁ ଏବେ ବି କୌଣସି ଯୋଜନା ନାସା ତରଫରୁ କରାଯାଇନାହିଁ । ପ୍ରଶ୍ନ ଉଠୁଛି କ’ଣ ପ୍ରକୃତପକ୍ଷେ ମଙ୍ଗଳ ଗ୍ରହକୁ ନେବାପାଇଁ ସବୁଠାରୁ ଭଲ ଉପାୟ କ’ଣ? ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଯେ କ’ଣ ଏହା କରାଯିବା ଉଚିତ୍? ସତରେ କ’ଣ ମଙ୍ଗଳ ଗ୍ରହରେ ବସତି ସ୍ଥାପନ ହେବ?
୧୯୬୦ ମସିହା ପରଠାରୁ ଏଯାବତ୍ ମଙ୍ଗଳ ଗ୍ରହକୁ ୫୦ ଥରରୁ ଅଧିକ ଥର ମହାକାଶ ଯାନ ପ୍ରେରଣ କରାଯାଇ ସାରିଲାଣି । ଏହି ମିଶନ ମଧ୍ୟରୁ ୩୧ଟି ମିଶନ ସଫଳ ହୋଇଛି ବୋଲି ଜଣାପଡ଼ିଛି । ୨୦୧୬ରେ ଶିଆରପେଲି ଲେଣ୍ଡରର ଦୁର୍ଘଟଣା ଭଳି  ବିଫଳତା ମଧ୍ୟ ମିଳିଥିଲା । କିନ୍ତୁ ଏକଥା ମଧ୍ୟ ସତ୍ୟ ଯେ ଏହି ମିଶନ ଯୋଗୁଁ ମଙ୍ଗଳ ଗ୍ରହ ବାବଦରେ ଅନେକ ତଥ୍ୟ/ସୂଚନା ମହାକାଶ ବିଜ୍ଞାନୀମାନଙ୍କୁ ମିଳିଛି । ମଙ୍ଗଳ ଗ୍ରହରେ ବାୟୁମଣ୍ଡଳ, କକ୍ଷ ଏବଂ ଭୂବିଜ୍ଞାନ ବ୍ୟତୀତ ସେଠାରେ ଦରଜା (କବାଟ) ଏବଂ ଚେହେରା ଭଳି ଅଦ୍ଭୁତ ଛବି ବାବଦରେ ମହାକାଶ ବିଜ୍ଞାନୀମାନେ  ଜାଣିପାରିଛନ୍ତି । ବୈଜ୍ଞାନିକମାନେ ମଙ୍ଗଳରେ ଚେହେରାଭଳି ଦେଖାଯାଉଥିବା ଛବି/ଚିତ୍ରକୁ ଗ୍ରହପୃଷ୍ଠରେ ଚଟାଣ ବୋଲି ଆକଳନ କରୁଛନ୍ତି । ଏବେ ମଙ୍ଗଳ ଗ୍ରହକୁ ନେଇ ଲୋକଙ୍କ ମନରେ ଜିଜ୍ଞାସା ବଢ଼ିବାରେ ଲାଗିଛି । ନବଗ୍ରହଙ୍କ ମଧ୍ୟରୁ ଅନ୍ୟତମ ଗ୍ରହ ତଥା ଜ୍ୟୋତିଷ ବିଜ୍ଞାନ ଅନୁସାରେ ୩ୟ ଗ୍ରହ ମଙ୍ଗଳ ବାବଦରେ ଲୋକଙ୍କ ମନରେ ଅନେକ କଳ୍ପନା ଜଳ୍ପନା ଉଙ୍କି ମାରୁଛି । ଏକ ସାଧାରଣ ମହାକାଶ ମିଶନ (କୌଣସି ଏକ ଗ୍ରହକୁ ମହାକାଶ ଯାନ ପ୍ରେରଣ) ପାଇଁ ପାଖାପାଖି ଏକ ଅରବ ଆମେରିକୀୟ ଡଲାର ବ୍ୟୟ ହୋଇଥାଏ ଅର୍ଥାତ୍ ବିଗତ କିଛିବର୍ଷ ମଧ୍ୟରେ ବିଭିନ୍ନ ମହାକାଶ ଗବେଷଣା ସଂସ୍ଥାମାନେ ମଙ୍ଗଳ ମିଶନ ପାଇଁ ୫୦ ଅରବ ଆମେରିକୀୟ ଡଲାର ବ୍ୟୟ କରିସାରିଲେଣି ଏବଂ ଏହା କେବଳ କ୍ୟାମେରା, ରୋବର୍ସ ଏବଂ ଲ୍ୟାଣ୍ଡର୍ସ ପ୍ରେରଣ ପାଇଁ ବ୍ୟୟ ହୋଇଛି । ଲୋକଙ୍କୁ ମଙ୍ଗଳ ଗ୍ରହକୁ ପଠାଇବା ପାଇଁ ନିଶ୍ଚୟ ଏହାଠାରୁ ଅଧିକ ଖର୍ଚ୍ଚ ହେବ ।
ନାସା ଏବଂ ଅନ୍ୟ ମହାକାଶ ଗବେଷଣା ସଂସ୍ଥାମାନେ ମହାକାଶ ମିଶନ ପାଇଁ ବ୍ୟାପକ ଅର୍ଥ ବ୍ୟୟ କରିସାରିଲେଣି । କିନ୍ତୁ ୨୦୨୦ ପରଠାରୁ ମହାକାଶ କ୍ଷେତ୍ରରେ ଅନ୍ୱେଷଣକୁ ଅଧିକ ସମୃଦ୍ଧି କରିବାର ବୈଷୟିକ ଜ୍ଞାନ କୌଶଳକୁ ବ୍ୟବସାୟୀଜଗତ ଦ୍ରୁତଗତିରେ ବିକଶିତ କରିବାରେ ଲାଗିଛନ୍ତି । ବିଶ୍ୱର ଯେଉଁସବୁ ନାମୀଦାମୀ ବ୍ୟାପାର ଜଗତର ହସ୍ତୀମାନେ ଏ ବାବଦରେ ବ୍ୟାପକ ଯୋଜନା କରୁଛନ୍ତି ସେମାନଙ୍କ ମଧ୍ୟରେ ରହିଛି ଏଲନ୍ ମସ୍କଙ୍କ ସ୍ପେସ୍ଏକ୍ସ । ଏଲନ୍ ମସ୍କଙ୍କ ସ୍ପେସଏକ୍ସ ମହାକାଶ ବାବଦରେ ଗବେଷଣା କରୁଛି ଓ ଏହି ସଂସ୍ଥାର ଯାହାସବୁ ଉଦେ୍ଦଶ୍ୟ ରହିଛି ସେଥି ମଧ୍ୟରୁ ପ୍ରମୁଖ ଉଦେ୍ଦଶ୍ୟ ବା ଲକ୍ଷ୍ୟ ହେଉଛି ମଙ୍ଗଳ ଗ୍ରହକୁ ମଣିଷ ପଠାଇବା । ନାସାର ମହାକାଶ ପରିଯୋଜନା ଠାରୁ ବହୁତ ଆଗରେ ରହିଛି ସ୍ପେସ୍ଏକ୍ସ । ସ୍ପେସ୍ଏକ୍ସ ମଙ୍ଗଳ ଗ୍ରହକୁ ମାନବ ପ୍ରେରଣ କରିବା ପାଇଁ ଉଦ୍ୟମ କରୁଥିବା ଏକମାତ୍ର ସଂସ୍ଥା ନୁହେଁ । ଆମେରିକାରେ ଲୋକଙ୍କୁ ମହାକାଶକୁ ପଠାଇବା ପାଇଁ ଅନେକ ସଂସ୍ଥା ଏବେ ତତ୍ପର ହୋଇଉଠିଛନ୍ତି । ଅନ୍ୟପକ୍ଷରେ ନାସା ମଧ୍ୟ ତା’ର ପରିଯୋଜନାକୁ ବନ୍ଦ କରିଦେଇ ନାହିଁ । ନାସା ଏବେ କେବଳ ବ୍ୟବସାୟିକ ସଂସ୍ଥାକୁ ପ୍ରୋତ୍ସାହନ ଯୋଗାଉଛି ଓ ସେମାନଙ୍କୁ ନାସା ସହ ମିଶି କାର୍ଯ୍ୟ କରିବା ପାଇଁ ଯୋଡ଼ିବାରେ ଲାଗିଛି ।
୨୦ ବର୍ଷ ପୂର୍ବର ସମୟ ଓ ବର୍ତ୍ତମାନର ସମୟ ମଧ୍ୟରେ ଅନେକ ପରିବର୍ତ୍ତନ ଘଟିଛି । ଏଣୁ ଏବେ ଯେଉଁ ଉଦ୍ୟମ ଚାଲିଛି ତାହା ଅପରିହାର୍ଯ୍ୟ ବୋଲି କୁହାଯାଇପାରେ । ମହାକାଶ ଯାତ୍ରାକୁ ମହଙ୍ଗା ପରିବର୍ତ୍ତେ ଶସ୍ତା କରାଯିବା ଏବଂ ଅଧିକ କୁଶଳକ୍ଷମ କରାଇବା ଦିଗରେ ଏହି ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ନାସା ପକ୍ଷରୁ କୁହାଯାଇଛି । ନାସାର ପ୍ରୋତ୍ସାହନ ଅନେକ ବ୍ୟବସାୟିକ ସଂସ୍ଥା ଯେଉଁମାନେ ମହାକାଶ (ମଙ୍ଗଳ ଗ୍ରହ)କୁ ମାନବ ପ୍ରେରଣ କରିବେ ସେମାନଙ୍କୁ ପ୍ରୋତ୍ସାହିତ କରୁଛି ଏବଂ ସେମାନେ ଏ ଦିଗରେ ପ୍ରଚେଷ୍ଟା ଆରମ୍ଭ କରିଦେଇଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ସେମାନଙ୍କ ଦୃଷ୍ଟିକୋଣକୁ ଲୋକଙ୍କ ନିକଟରେ ପହଞ୍ଚାଇବାର  ଉଦ୍ୟମ ମଧ୍ୟ ଚାଲୁଛି । ପାଖାପାଖି ୧୦୦ ବର୍ଷ ତଳେ ଏଚ୍ ଜି ୱେଲ୍ସ ତାଙ୍କ ଲିଖିତ ଉପନ୍ୟାସ “ଦି ୱାର ଅଫ୍ ୱାର୍ଲ୍ଡସ”ରେ ଲେଖିଥିଲେ ଯେ, ମଙ୍ଗଳ ଗ୍ରହ ଆଧୁନିକ ମଣିଷଙ୍କ ମନରେ ଏକ ରହସ୍ୟପୂର୍ଣ୍ଣ ଏବଂ ବିପଦଜନକ ସ୍ଥାନ ଭାବେ ପରିବର୍ତ୍ତିତ ହେବ । ବିଦେଶରେ ମଙ୍ଗଳ ଗ୍ରହକୁ ନେଇ ଅନେକ ଫିଲ୍ମ ଓ ଟିଭି ସୋ ମଧ୍ୟ ହୋଇଛି । ଅନେକ ସ୍ତମ୍ଭକାର ମଧ୍ୟ ମଙ୍ଗଳ ଗ୍ରହ ବାବଦରେ ଅନେକ କଥା ସବୁ ଲେଖିଛନ୍ତି । ତଥାପି ବି ପ୍ରଶ୍ନ ଉଠେ ଯେ, ମଣିଷ କ’ଣ ମଙ୍ଗଳ ଗ୍ରହକୁ ଯାତ୍ରା କରିବା ଉଚିତ୍? ଏଲନ୍ ମସ୍କଙ୍କ ମତ ହେଉଛି ମଣିଷ ମଙ୍ଗଳ ଗ୍ରହକୁ ଯାତ୍ରା କରିବା ଉଚିତ୍ । ୨୦୧୦ରେ ନେଦରଲ୍ୟାଣ୍ଡର ଏକ ଷ୍ଟାର୍ଟ ଅଫ୍ ମାର୍ସୱାନ୍ ଏ ବାବଦରେ ଉଦ୍ୟମ ଆରମ୍ଭ କରିଥିଲା । ଏହି ଷ୍ଟାର୍ଟ ଅଫ୍ ମଙ୍ଗଳ ଗ୍ରହକୁ ଯାତ୍ରା କରିବାକୁ ଇଚ୍ଛୁକ ୧୦୦ ଜଣଙ୍କୁ ଚୟନ କରିଥିଲା କିନ୍ତୁ ଏମାନଙ୍କୁ ମଙ୍ଗଳ ଗ୍ରହକୁ ନେଇପାରି ନଥିଲା । ପରେ ସଂସ୍ଥାଟି ଦେବାଳିଆ ହୋଇଯାଇଥିଲା ।  କିଛି ଲୋକଙ୍କ ଯୁକ୍ତି ହେଉଛି ଅନ୍ୟ ଗ୍ରହମାନଙ୍କ ସ୍ଥିତିକୁ ବିଗାଡ଼ିବା ପରିବର୍ତ୍ତେ ନିଜ ଗ୍ରହ (ପୃଥିବୀ)ର ସ୍ଥିତିକୁ ସୁଧାରିବାର ଆବଶ୍ୟକତା ରହିଛି । ବର୍ତ୍ତମାନ ସମୟରେ ଲୋକଙ୍କର ମାନସିକତାରେ ଯେଭଳି ପରିବର୍ତ୍ତନ ଘଟିଛି ସେଭଳି ସମୟରେ ମଣିଷ ଯଦିି ବି ମଙ୍ଗଳ ଗ୍ରହରେ ବସବାସ କରେ ତେବେ କିଛିବର୍ଷ ମଧ୍ୟରେ ତାକୁ ପୃଥିବୀ ଭଳି କରିବାରେ କୌଣସି ଅସୁବିଧା ହେବ ନାହିଁ କି ବିଳମ୍ବ ମଧ୍ୟ ହେବ ନାହିଁ ।
ରାମଚନ୍ଦ୍ରପୁର, ରଣପୁର
ମୋ-୯୪୩୮୪୮୫୦୯୪