ଖୋଲା ହେବ ବିକଟାଳ ସାଇଲେନ୍ସର୍

ବର୍ତ୍ତମାନ ସମୟରେ ଯୁବଗୋଷ୍ଠୀ ଷ୍ଟାଇଲିସ୍ ଜୀବନଯାପନ କରିବା ପାଇଁ ନୂଆ ନୂଆ ବାଇକ୍  କିଣିବାରେ ଆଗ୍ରହ ଦେଖାଉଛନ୍ତି । ଏହି ବାଇକ୍ ଗୁଡ଼ିକ ମଧ୍ୟରୁ କିଛି ବାଇକ୍ର ସାଇଲେନ୍ସର୍ ବିକଟାଳ ଶବ୍ଦ ସୃଷ୍ଟି କରୁଛି । ଏହି ବାଇକ୍ ଗୁଡ଼ିକ ଜାତୀୟ ରାଜପଥରେ ଯିବା ବେଳେ ୨/୩ କିଲୋମିଟର ଦୂର ପର୍ଯ୍ୟନ୍ତ ଶବ୍ଦ ଶୁଭୁଛି । ପୁଣି ବାଇକ୍ ଯେତେ ଅଧିକ ବେଗରେ ଯିବ ସେହି ସାଇଲେନ୍ସରରୁ ବିକଟାଳ ଶବ୍ଦ ସେତେ ଜୋର୍ ଶୁଭିବ । ଏହି ବିକଟାଳ ଶବ୍ଦ ଯୋଗୁଁ ରାସ୍ତାରେ ଯାଉଥିବା ଲୋକେ ଭୟଭୀତ ହୋଇ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି ଏବଂ ଉଚ୍ଚ ଶବ୍ଦ ଯୋଗୁଁ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେଉଛି । ଏହି କାରଣରୁ ଉଚ୍ଚ ଶବ୍ଦ ସୃଷ୍ଟିକାରୀ ଯାନବାହାନର ଚଳାଚଳ ଉପରେ ସବୁବେଳେ ଟ୍ରାଫିକ୍ ପୁଲିସ୍ ଏବଂ ପରିବହନ ବିଭାଗ ତୀକ୍ଷ୍ଣ ନଜର ରଖିଛି । 
ଅଳ୍ପ କେତେବର୍ଷ ହେଲା ବିଶେଷ କରି କରୋନା ପରବର୍ତ୍ତୀ ସମୟରେ ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ସାଇଲେନ୍ସର ଯୁକ୍ତ ବାଇକ୍ର ଚାହିଦା ବଢୁଥିବା ଲକ୍ଷ୍ୟ କରାଯାଇଛି । ସାଧାରଣ ଜନସ୍ୱାସ୍ଥ୍ୟ, ରାସ୍ତାରେ ଯାତାୟତ କରୁଥିବା ଯାତ୍ରୀ ଆଦିଙ୍କର ସମସ୍ୟାକୁ ଦୃଷ୍ଟିରେ ରଖି ଏହି ବିକଟାଳ ସାଇଲେନ୍ସର ଲାଗିଥିବା ଗାଡ଼ି ଗୁଡ଼ିକରୁ ଏସବୁକୁ ଖୋଲିବା ପାଇଁ ପୁଲିସ୍ ବର୍ତ୍ତମାନ ରାଜଧାନୀରେ ତତ୍ପର ହୋଇଉଠିଛି । 
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବ୍ୟକ୍ତିଗତ ଭାବରେ ବିକଟାଳ ଶବ୍ଦ ସୃଷ୍ଟିକାରୀ ସାଇଲେନ୍ସର ବ୍ୟବହାର ନେଇ କ୍ଷୁବ୍ଧ । ତେଣୁ ଏଭଳି ସାଇଲେନ୍ସର ସବୁକୁ ଗାଡ଼ିରୁ ଖୋଲି ଦେବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି । ବର୍ତ୍ତମାନ ଏହି ନିଦେ୍ର୍ଦଶକୁ କେବଳ ରାଜଧାନୀରେ କାର୍ଯ୍ୟକାରୀ କରାଯାଇଛି । ଏହି ନିଦେ୍ର୍ଦଶ ହୁଏତ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ ହେବ ଏବଂ ହେବା ଆବଶ୍ୟକ ମଧ୍ୟ । 
ବର୍ତ୍ତମାନ ସମୟରେ ଉଗ୍ର ଆଧୁନିକତାର ଏକ ସନ୍ତକ ଭାବରେ ବିକଟାଳ ଶବ୍ଦ ସୃଷ୍ଟିକାରୀ ହର୍ଣ୍ଣ୍ର ବ୍ୟବହାର ଏବଂ ସାଇଲେନ୍ସର୍ର ବ୍ୟବହାର ପ୍ରତି ଯୁବଗୋଷ୍ଠୀ ଆକୃଷ୍ଟ ହେଉଥିବା ବେଳେ ସାଧାରଣ ଲୋକେ ଏଥିରେ ଅତିଷ୍ଠ ହୋଇ ପଡ଼ିଲେଣି । କିଛିମାସ ପୂର୍ବରୁ ବିକଟାଳ ଶବ୍ଦ ସୃଷ୍ଟି କରି ସାଇଲେନ୍ସର ବା ମୋଡ଼ିଫାଏଡ୍ ସାଇଲେନ୍ସର୍ ବ୍ୟବହାରକୁ ପୁଲିସ୍ ପକ୍ଷରୁ ନିଷିଦ୍ଧ କରାଯାଇଥିଲା । ସେତେବେଳେ ମଧ୍ୟ ହଜାର ହଜାର ବାଇକ୍ରୁ ଏ ପ୍ରକାରର ସାଇଲେନ୍ସରକୁ ଖୋଲି ଦିଆଯାଇଥିଲା । ଗଲା ଜାନୁଆରୀ ୨୧ ତାରିଖ ଦିନ ଗୋଟିଏ ଦିନରେ ହଜାରେରୁ ଅଧିକ ମୋଡିଫାଏଡ୍ ସାଇଲେନ୍ସର ବାଇକ୍ରୁ ଖୋଲି ଜବତ୍ କରାଯାଇଛି । 
ଏ ପ୍ରସଙ୍ଗରେ ଗୋଟିଏ ବଡ଼ କଥା ଲୋକଙ୍କ ମନରେ ଉଠୁଛି ଯେ ବାଇକ୍ ନିର୍ମାତା କମ୍ପାନୀମାନେ ଏ ପ୍ରକାରର ସାଇଲେନ୍ସର ବାଇକ୍ ବିକ୍ରି ସମୟରେ ବାଇକ୍ ସହିତ ଲଗାଇ ବିକୁଛନ୍ତି କି? ଯଦି ନୁହେଁ ଏ ପ୍ରକାରର ସାଇଲେନ୍ସର କିଏ ପ୍ରସ୍ତୁତ କରୁଛି? ଯଦି ସାଇଲେନ୍ସରର ପ୍ରସ୍ତୁତକର୍ତ୍ତାକୁ ଧରାଯିବ, ତେବେ ନିଶ୍ଚିତ ରୂପେ ଏହାର ବ୍ୟବହାରକୁ ମଧ୍ୟ ବନ୍ଦ କରାଯାଇପାରିବ । ଏହାର ଉତ୍ପାଦନ ଉପରେ ଦୃଷ୍ଟି ନଦେଇ ବ୍ୟବହାର ଉପରେ ଦୃଷ୍ଟି ଦେଲେ ହୁଏତ କିଛିଦିନ ପାଇଁ ଏହା ବନ୍ଦ ହୋଇଯିବ ସତ; ମାତ୍ର କିଛି ଦିନର ବ୍ୟବହାର ପରେ ପୁଣିଥରେ ଏସବୁର ହୁଏତ ବ୍ୟବହାର ହେବ । 
ମୋଟର ଯାନ ଆଇନ୍ ୧୯୮୮ର ଧାରା-୫୨ ଓ ୧୮୨ ଅନୁଯାୟୀ ଦ୍ରୁତ ଗତିରେ ଚାଳନା, ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ଯାନବାହାନର ଧରପଗଡ଼, ରଙ୍ଗ୍ ରୁଟ୍ରେ ଗାଡ଼ି ଚଳାଇବା, ତିନି ଜଣ ବସି ଦୁଇଚକିଆ ଯାନରେ ଯିବା, ପ୍ରଦୂଷଣର ନିୟମ ମାନିବା ଆଦି ବିଭିନ୍ନ ପ୍ରକାରର ବ୍ୟବସ୍ଥା ଉପରେ ଆଇନ୍ ଅନୁଯାୟୀ ପଦକ୍ଷେପ ନେବା ପାଇଁ ନିଦେ୍ର୍ଦଶ ରହିଛି । ଯେକୌଣସି ଯାନ ଯଦି ୮୦ ଡ଼େସିବେଲ୍ରୁ ଅଧିକ ଶବ୍ଦ ସୃଷ୍ଟି କରୁଛି ଏହାକୁ ଜବତ୍ କରାଯାଇପାରିବ । ବର୍ତ୍ତମାନ ଏହି କାର୍ଯ୍ୟକ୍ରମକୁ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ କରାଯିବାର ଆବଶ୍ୟକତା ରହିଛି ।