ଲିଥିୟମ୍କୁ ନେଇ ବଢ଼ିବ ଚୀନର ଶକ୍ତି
ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରକାରର ବୈଷୟିକ କୌଶଳ କ୍ଷେତ୍ରରେ ଚୀନ୍ ସବା ଆଗରେ ରହିଛି । ଖେଳଣା ଠାରୁ ଆରମ୍ଭ କରି ଯୁଦ୍ଧ ସରଞ୍ଜାମ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଚୀନ୍ର ପ୍ରସ୍ତୁତ ପଦାର୍ଥ ସମଗ୍ର ବିଶ୍ୱର ସବୁ ରାଷ୍ଟ୍ରରେ ଉପଲବ୍ଧ । ସମସ୍ତ ପ୍ରକାରର ବୈଷୟିକ କୌଶଳ କ୍ଷେତ୍ରରେ ବ୍ୟାଟେରୀ ଏବଂ ବିଦୁ୍ୟତ୍ ଶକ୍ତିର ଆବଶ୍ୟକତା ରହିଛି । ମହାକାଶ ଗବେଷଣା ଠାରୁ ଆରମ୍ଭ କରି କୃତି୍ରମ ଉପଗ୍ରହ, ଏପରିକି ଖେଳଣା ପ୍ରସ୍ତୁତି କ୍ଷେତ୍ରରେ ବିଭିନ୍ନ ପ୍ରକାରର ଆକାର ଆଦିର ବ୍ୟାଟେରୀ ବ୍ୟବହାର କରାଯାଉଛି । ଶକ୍ତିର ଉତ୍ସ ଭାବରେ ସମଗ୍ର ବିଶ୍ୱରେ ବର୍ତ୍ତମାନ ବ୍ୟାଟେରୀର ଚାହିଦା ବଢ଼ି ବଢ଼ି ଚାଲିଥିବା ବେଳେ ଶକ୍ତିଶାଳୀ ବ୍ୟାଟେରୀ ନିର୍ମାଣ କରିବା ପାଇଁ ଲିଥିୟମ୍ ନାମକ ଏକ ଧାତୁର ଆବଶ୍ୟକତା ପଡୁଛି । ଲିଥିୟମ୍ ବ୍ୟାଟେରୀ ବିଶେଷ କରି ଇଲେକ୍ଟ୍ରିକ୍ ଭେଇକିଲ୍ ନିର୍ମାଣ କ୍ଷେତ୍ରରେ ଏକ ଜରୁରୀ ଉପାଦାନରେ ପରିଗଣିତ ହେଉଛି । ଏଇ ଅଳ୍ପ ଦିନ ତଳେ ଚୀନ୍ ଅଧିନରେ ଥିବା ତିଽତ୍ରେ ଲିଥିୟମ୍ର ବିଶାଳ ଭଣ୍ଡାର ରହିଥିବା ଜଣାପଡ଼ିଛି । ଏହି ଖଣି ଆବିଷ୍କାର ହେବା ପରେ ଲିଥିୟମ ଭଣ୍ଡାର କ୍ଷେତ୍ରରେ ବିଶ୍ୱରେ ଦ୍ୱିତୀୟ ବୃହତ୍ ଦେଶ । ପୂର୍ବରୁ ଦକ୍ଷିଣ ଆମେରିକାର ଚିଲ୍ଲୀରେ ଲିଥିୟମ୍ର ସର୍ବବୃହତ ଭଣ୍ଡାର ଥିବା ଜଣାପଡ଼ିଥିଲା । ବର୍ତ୍ତମାନ ତିଽତ୍ରେ ମିଳିଥିବା ଖଣିରେ ପାଖାପାଖି ୩୦ ନିୟୁତ ଟନ୍ର ଲିଥିୟମ୍ ରହିଥିବା ଆକଳନ କରାଯାଉଛି । ପ୍ରାୟ ୨୮ ହଜାର କିଲୋମିଟର ବିସ୍ତାରିତ ଖଣି ଅଞ୍ଚଳରେ ଲିଥିୟମ ରହିଛି । ଏହି ଲିଥିୟମ ଅତ୍ୟନ୍ତ ଉଚ୍ଚମାନର ସ୍ପୋଡୁମିନ୍ ପ୍ରକାରର ଲିଥିୟମ୍ । ବର୍ତ୍ତମାନ ଏହି ସ୍ପୋଡୁମିନ୍ ଖଣିଜ ପଦାର୍ଥରୁ ଲିଥିୟମ୍ ନିଷ୍କାସନ କରି ଉଚ୍ଚମାନର ବ୍ୟାଟେରୀ ପ୍ରସ୍ତୁତ କରିବାରେ ଚୀନ୍ ସମଗ୍ର ବିଶ୍ୱକୁ ପଛରେ ପକାଇ ଦେବ । ବ୍ୟାଟେରୀର ଆକାର ଏବଂ ପ୍ରକାର ଭେଦକୁ ନେଇ ଅତି ଉଚ୍ଚମାନର ବୈଦୁ୍ୟତିକ ସରଞ୍ଜାମ ସବୁ ନିର୍ମାଣ କରାଯାଇପାରୁଛି । ବୈଷୟିକ କୌଶଳ କ୍ଷେତ୍ରରେ ଚୀନ୍ ଏକ ଅଗ୍ରଣୀ ଦେଶ ହୋଇଥିବାରୁ ବର୍ତ୍ତମାନର ପରିସ୍ଥିତିରେ ଲିଥିୟମ୍ ଖଣିର ଆବିଷ୍କାର ଚୀନ୍ ପାଇଁ ଏକ ବରଦାନ ସଦୃଶ ହୋଇଛି । ଆସନ୍ତା ସମୟରେ ଏହି ଲିଥିୟମ୍ ଖଣିକୁ ନେଇ ଚୀନ୍ ଯେଉଁ ବ୍ୟାଟେରୀ ଉତ୍ପାଦନ କରିବ ତାହାର ଚାହିଦା ବ୍ୟାଟେରୀ କ୍ଷେତ୍ରରେ ଏକ ନୂଆ ବଜାର ସୃଷ୍ଟି କରିବ । ପ୍ରତିରକ୍ଷା ଠାରୁ ଆରମ୍ଭ କରି ମହାକାଶ ଗବେଷଣା, ଉପଗ୍ରହ ପ୍ରସ୍ତୁତି ଆଦି ବିଭିନ୍ନ କ୍ଷେତ୍ରରେ ଚୀନ୍ ବ୍ୟାଟେରୀ ଯୋଗାଇବାର ଚାହିଦା ସବୁଠାରୁ ଆଗରେ ରହିବ ।
ପ୍ରକୃତି ବର୍ତ୍ତମାନ ଚୀନ୍କୁ ଯେଉଁ ସମ୍ବଳ ଦେଇଛି, ତାହାର ବୈଷୟିକ କୌଶଳ କ୍ଷେତ୍ରକୁ ଯେଭଳି ଭାବରେ ସମୃଦ୍ଧ କରିବ ତାହା ହୁଏତ ସମଗ୍ର ବିଶ୍ୱ ପାଇଁ ଏକ ଚିନ୍ତାର କାରଣ ହୋଇପାରେ । ବର୍ତ୍ତମାନର ସମୟରେ ସମଗ୍ର ବିଶ୍ୱରେ ବିଦୁ୍ୟତ୍ର ଚାହିଦା ଯେଭଳି ବଢ଼ି ବଢ଼ି ଚାଲିଛି ଏବଂ ଚାର୍ଜେବୁଲ୍ ବ୍ୟାଟେରୀ ଉପରେ ଅଧିକରୁ ଅଧିକ ନିର୍ଭର କରାଯାଉଛି ତାହା ହିଁ ଚୀନ୍ର କ୍ଷମତାକୁ ବଢ଼େଇବା ପାଇଁ ସହାୟକ ହେବ । ଏହି ଧାତୁର ବିଶାଳ ଭଣ୍ଡାରର ଅଧିକାରୀ ଚୀନ୍ ହେଉ, କିନ୍ତୁ ଏହାକୁ ନେଇ ଜୀବଜଗତ, ପ୍ରାଣୀଜଗତ, ମନୁଷ୍ୟ ସମେତ ପରିବେଶକୁ ନଷ୍ଟ ନକରୁ ।
ତେବେ ଏବେ ଆଶଙ୍କା ଯେ, ଏଭଳି ଏକ ଖଣିର ଆବିଷ୍କାର ଭବିଷ୍ୟତରେ ବିଶ୍ୱର ରାଜନୀତିକ ଚିତ୍ରକୁ ବଦଳାଇ ଦେବ କି? ବର୍ତ୍ତମାନ ସମୟ ହେଉଛି ଆଣବିକ ଯୁଦ୍ଧର ସମୟ । ତେଜସ୍କ୍ରିୟ ଧାତୁ ଗୁଡ଼ିକର ବ୍ୟବହାରକୁ ନେଇ ଯୁଦ୍ଧାସ୍ତ୍ର ନିର୍ମାଣ ଠାରୁ ଆରମ୍ଭ କରି ବିଦୁ୍ୟତ୍ ଉତ୍ପାଦନ ଏବଂ ଚିକିତ୍ସା କ୍ଷେତ୍ରରେ ପ୍ରୟୋଗ ପର୍ଯ୍ୟନ୍ତ ଅନେକ ପ୍ରକାରର ଉପଯୋଗ ରହିଛି । ପ୍ରକାର ଭେଦ ନେଇ ଲିଥିୟମ୍ ୬ ପ୍ରକାରର ଏବଂ ଏହା ତେଜସ୍କ୍ରିୟ ଧାତୁ ହୋଇନଥିଲେ ମଧ୍ୟ ଏହାର ଅଳ୍ପ କିଛି ଆଇସୋଟପ୍ର ତେଜସ୍କ୍ରିୟ ଗୁଣ ଅଛି । ତେବେ ଚୀନ୍ ଏହି ଧାତୁକୁ ମାନବ ସମାଜର କଲ୍ୟାଣ ଉଦେ୍ଦଶ୍ୟରେ ବ୍ୟବହାର କରୁ ବୋଲି ଆମେ ଆଶା କରିବା ।