ସକେଇ ହେବାଟା ସାର

ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର ‘ଅମୃତ ବିନ୍ଦୁ  ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ଜୀବନରେ ମଣିଷର ଦୁଇ ଅନ୍ତରଙ୍ଗ ବନ୍ଧୁ ଯଦି ଗର୍ବ ଓ ଅହଂକାର ହୁଅନ୍ତି, ତେବେ ଶେଷକୁ ସକେଇ ହେବାଟା କେମିତି ସାର ? ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା  ।
ମଣିଷର ଦୁଇ ଅନ୍ତରଙ୍ଗ ବନ୍ଧୁ ଯଦି ଗର୍ବ ଓ ଅହଂକାର ହୁଅନ୍ତି, ତେବେ ସେମାନେ ମଣିଷକୁ ପତନର ଗାତ ପର୍ଯ୍ୟନ୍ତ ନେଇ ପହଞ୍ଚାଇ ଦିଅନ୍ତି  । ବେଳ ବିପରୀତ ପଡିଲେ ଗର୍ବ ଓ ଅହଂକାରନାମକ ଦୁଇ ବନ୍ଧୁ ଖାଲି ପତନର ଗାତ ଯାଏଁ ନେଇଯାଆନ୍ତି ନାହିଁ, ଖାତ କରି ପୋତି ଦିଅନ୍ତି ମଧ୍ୟ  । ଗର୍ବ ଓ ଅହଂକାର ପ୍ରଥମେ ପ୍ରଥମେ ଏତେ ବ?ିଆ ସାଙ୍ଗ ହୁଅନ୍ତି ଯେ, ସେମାନେ ସେମାନଙ୍କ ସହ ସାଙ୍ଗ ହଉଥିବା ମଣିଷର ପାଖ ହେଲେ ଛାଡନ୍ତି  । କିନ୍ତୁ ଆସ୍ତେ ଆସ୍ତେ ପରିସ୍ଥିତି ବଦଳିଗଲେ ସେହି ଅହଂକାର ଓ ଗର୍ବ ମୃତୁ୍ୟର କାରଣ ପାଲଟିଯାଆନ୍ତି  । ଏମାନେ ଅତି ପ୍ରିୟ ବନ୍ଧୁ ସତ; ହେଲେ ପରିସ୍ଥିତି ଓଲଟିଗଲେ ଦୁର୍ଦ୍ଦାନ୍ତ ଶତ୍ରୁ ଠାରୁ ମଧ୍ୟ ଭୟଙ୍କର  ।
ନିଜ ଧନ ଗର୍ବ, ପଦପଦବୀର ଗର୍ବ, କ୍ଷମତାର ଗର୍ବ-ଏସବୁ କିଛି ପରିସ୍ଥିତି ବଦଳିଗଲେ ଗର୍ବ ଆଉ ଅହଂକାର, ଏ ଦୁଇ ବନ୍ଧୁ ଭୟଙ୍କର ରୂପ ଧାରଣ କରନ୍ତି  ।
ଗର୍ବୀ ଲୋକଙ୍କର ଅତିପ୍ରିୟ ଅନେକ ବନ୍ଧୁ ମଧ୍ୟ ମହାଗର୍ବୀ, ବଡ ଅହଂକାରୀ  । କାରଣ, ସେମାନେ ଭଲ ଭାବରେ ଜାଣନ୍ତି ଯେ ଅହଂକାରୀ ସହିତ ତର୍କ କରି କିଛି ଲାଭ ନାହିଁ  । ଗର୍ବୀ ଲୋକ ଯେଉଁମାନଙ୍କ ତୁଲେ ଯେଉଁମାନେ ସମ୍ପର୍କ ରଖନ୍ତି, ସେମାନେ ଭଲ ଭାବେ ଜାଣନ୍ତି କି ଅହଂକାରୀକୁ ଉପଦେଶ ଦେଲେ ସେହି ମୁହୂର୍ତ୍ତରେ ହିଁ ସେ ଶତ୍ରୁରେ ପରିଣତ ହେଇଯାଏ  । ଅହଂକାରୀକୁ କପଟପୂର୍ଣ୍ଣ ସମ୍ମାନ ମିଳିଲେ, ତାହା ତାକୁ ପ୍ରବଳ ଆନନ୍ଦ ଦିଏ  । କପଟର ବଳୟରେ ହିଁ ତାକୁ ଚନ୍ଦନ ବୋଳିଲା ଭଳି ଲାଗେ  । କିନ୍ତୁ ସମୟର କ୍ରୁର ଅଟ୍ଟହାସ୍ୟ ହେଉଛି ଅହଂକାରୀର ପତ୍ତନ ଆରମ୍ଭ ହେଇଗଲେ ତାରି ନିକଟରେ ଆଉ କେହି ନଥାନ୍ତି  । ବନ୍ଧୁବାନ୍ଧବ, ଜ୍ଞାତି, କୁଟୁମ୍ବ, ସାଙ୍ଗସାଥୀ କେହି ବି ଅହଂକାରୀର ପତନ ବେଳେ ସାହାଯ୍ୟ କରିବା ପାଇଁ ଆସନ୍ତି ନାହିଁ କିମ୍ବା ଆଡ ଆଖିରେ ସୁଦ୍ଧା ଅନାନ୍ତି ନାହିଁ  । କାରଣ ସମସ୍ତେ ଜାଣନ୍ତି ଯେ ଛନ୍ଦ, କପଟ ଏବଂ କୁଟିଳତାର ମୂର୍ତ୍ତିମନ୍ତ ପ୍ରତୀକ ଏବେ ପତନର ଦ୍ୱାର ଦେଶରେ  ।

ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ  । ଆସନ୍ତୁ ପ୍ରତ୍ୟେକ ଦିନ ଆମେ ‘ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା  । ନମସ୍କାର  ।