କପିଳାସ ଦର୍ଶନ
ଓଡ଼ିଶାର ମଧ୍ୟାଞ୍ଚଳରେ ତଥା ଢେଙ୍କାନାଳ ଜିଲାରେ କପିଳାସ ପର୍ବତ ଅବସ୍ଥିତ । ଏହା ଗୋଟିଏ ପୁରାଣ ପ୍ରସିଦ୍ଧ ପର୍ବତ । କପିଳାସ ପର୍ବତଟି ସାତଗୋଟି ପର୍ବତର ସମଷ୍ଟି । ତନ୍ମଧ୍ୟରୁ ପୂର୍ବଦିଗସ୍ଥ ବଡ଼ ପର୍ବତର ଉଚ୍ଚତା ୨୨୩୯ ଫୁଟ । ଏହି ପର୍ବତର ମଧ୍ୟପ୍ରଦେଶରେ ୧୫୦୦ ଫୁଟ ଉଚ୍ଚତାରେ ଗୋଟିଏ ଖୋଲରେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କ ସ୍ୱୟଂଭୂ ଲିଙ୍ଗ ବିରାଜିତ । ଶ୍ରୀ ଚନ୍ଦ୍ରଶେଖରଙ୍କ ଲିଙ୍ଗ ପର୍ବତରୁ ଫୁଟି ସ୍ୱୟଂ ଆବିର୍ଭୂତ ଓ ସଂପୂର୍ଣ୍ଣ ଧଳା ରଙ୍ଗ । ବିଶ୍ୱାସ ରହିଛି, ମହା ଶିବରାତ୍ରିର ମହାନିଶାରେ ମହାଦେବ ପ୍ରଥମେ କପିଳାସରେ ଲିଙ୍ଗ ରୂପରେ ଆବିର୍ଭାବ ହୋଇଥିଲେ । କପିଳାସ ଗିରିତୀର୍ଥର ମହାତ୍ମ୍ୟ ‘ଶିବପୁରାଣ’ ଓ ‘କପିଳସଂହିତା’ ପ୍ରଭୃତି ଶାସ୍ତ୍ରରେ ବିଶଦ ଭାବରେ ବର୍ଣ୍ଣିତ । ଢେଙ୍କାନାଳର ଜାତୀୟ ସଙ୍ଗୀତ ସ୍ୱାଧୀନତା ପୂର୍ବରୁ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ବୋଲାଯାଉଥିଲା । ସେହି ଜାତୀୟ ସଙ୍ଗୀତରେ କପିଳାସ ଓ ସପ୍ତଶଯ୍ୟାର ପ୍ରଶଂସା କରାଯାଇଛି ।
ହରଜଟା ଭେଦ ତହିଁ ସୁରନଦୀ ନିତି ବିହି
ସେ କପିଳାସ କୋଳୁଁ ସେ ଧୀରେ ଓହ୍ଲାଇ,
ସପ୍ତଶଯ୍ୟା ଅନ୍ୟ ପଶେ ଝରାଇ ଦୀୟୂଷ କିସେ
ଧୁଅନ୍ତି ଯା ଫୁଲ ମକରନ୍ଦ ମିଶାଇ
ମୋ ଜନ୍ମଭୂମି ଢେଙ୍କାନାଳ
ଶ୍ରୀଚରଣ ତଳେ କୋଟି କୋଟି ଜୁହାର ।
ପ୍ରାକୃତିକ ଶୋଭାବିମଣ୍ଡିତ ଏହି ପବିତ୍ର ପୀଠର ମହିମା ଅବର୍ଣ୍ଣନୀୟ । କପିଳାସ ପୀଠ ବକୁଳ, ଚମକ, ଅଶୋକ, ତମାଳ, କଦମ୍ବ, ନାଗକେଶର ପ୍ରଭୃତି ପୁଷ୍ପବୃକ୍ଷ ଓ ଲତା ରାଜିରେ ସଦା ବିଭୂଷିତ ଓ ସୋ÷ରଭମୟ । ଶୁଭ୍ର ସ୍ୱଚ୍ଛ ନିର୍ଝରିଣୀର କଳନାଦରେ ଏହାର ବନସ୍ଥଳୀ ସଦା ମୁଖରିତ । ବସନ୍ତ ଓ ଗ୍ରୀଷ୍ମ ଋତୁରେ କପିଳାସର ରମଣୀୟ ପ୍ରାକୃତିକ ବୈଭବ ପ୍ରାଣରେ ଅପୂର୍ବ ଶାନ୍ତି ସଞ୍ଚାର କରେ । ଅନେକ ଦୂର ଦେଶୀଗତ ଓ ସ୍ଥାନୀୟ ଯାତ୍ରୀ ଏହି ସମୟରେ ଏଠାରେ ସାମୟିକ ନିବାସ କରନ୍ତି । ବର୍ଷାଋତୁରେ ବନଲତା ଗୁଡିକ ନବୀନ ପଲ୍ଲବ ଧାରଣ କରି ଘନ ସବୁଜ ବନାନୀ ସୃଷ୍ଟି କରିଥାନ୍ତି । ପର୍ବତର ସ୍ଥାନେ ସ୍ଥାନେ ଶୁଭ୍ର କାଶତଣ୍ଡୀ ଫୁଲ ଏହି ପର୍ବତର ଶୋଭାକୁ ସମୁଜ୍ଜଳ କରିଥାଏ । ପ୍ରକୃତିପ୍ରେମୀ କବିବର ରାଧାନାଥ ରାୟଙ୍କ ପ୍ରାଣରେ କପିଳାସର ରମଣୀୟ ପ୍ରାକୃତିକ ଶୋଭା ମାଧୁରୀ ଅପୂର୍ବ ଭାବାବେଗ ସୃଷ୍ଟି କରିଥିଲା । ପୁଣ୍ୟତୋୟା ବନ୍ୟ ନିର୍ଝରଣୀ ଗୁଡିକ ତାଙ୍କୁ ସ୍ପଟିକ ପାବଚ୍ଛ ସଦୃଶ ପ୍ରତୀୟମାନ ହୋଇଥିଲା । ତାଙ୍କ କବିମାନସରେ ହିମାଳୟସ୍ଥିତ କୈଳାସର ରୂପଲାବଣ୍ୟ ପ୍ରତିହତ ହେଲା ତଥା ଦେବଗାୟିକାଗଣ ସ୍ୱର୍ଗରୁ ଓହ୍ଲାଇ ମହିମ୍ନ ସ୍ତବ ଗାନ କରୁଥିବାର ସ୍ୱର ତାଙ୍କ କର୍ଣ୍ଣ ଗହ୍ୱରରେ ପ୍ରତିଧ୍ୱନିତ ହୋଇଥିଲା ।
ସ୍ଫଟିକ ପାବଚ୍ଛ ପରାୟେ ଯେ ଶୈଳେ
ଶୋଭେ କଳନାଦୀ ଝର,
ରକ୍ତାଶୋକ କୁଞ୍ଜେ ବିରାଜନ୍ତି ଯାଇ
ମେଖଳେ ଚନ୍ଦ୍ରଶେଖର ।
ନିଶୀଷେ ଓହ୍ଲାଇ କିନ୍ନରିଏ ତହିଁ
ଗାଆନ୍ତି ମହିମ୍ନ ସ୍ତବ,
ଉକ୍ରର୍ଣ୍ଣେ ଶୁଣନ୍ତି ହରିଣୀଏ ମୁୂଗ୍ଧ
ହୋଇ ସେ ସଙ୍ଗୀତ ରବି ।
ତହିଁ ବହ୍ନି ଜାଳିଥିବେ
ବିଜୟ ସଙ୍କେତ ପାଇଁ,
ତା ଦେଖି ହରିଶେ ଦାବାନଳ ଭ୍ରମେ
ଚୋ÷ଦିଗେ ଯିବେ ପଳାଇ ।
ତଳେ ମହାରଣେ କୃଷିକ୍ଷେତ୍ରେ ମଞ୍ଚେ
କୃଷିରକ୍ଷୀ କୃଷିବଳ
ନେତ୍ରେ ଜନ୍ମାଇ ଚମକ ଚପଳା
ସନ୍ନିଭ ଜ୍ୟୋତି ଚଞ୍ଚଳ ।
କବିବର କଟକରେ ଥାଇ କପିଳାସ ପର୍ବତ ଶିଖରରେ ସୂର୍ଯ୍ୟସ୍ତର ଯେଉଁ ମନ ମୁଗ୍ଧକର ଦୃଶ୍ୟ ଅବଲୋକନ କରିଥିଲେ ତାହା ବ୍ୟକ୍ତ କରି ଲେଖିଥିଲେ ।
ଅସ୍ତ ଯାଉଥିଲେ କପିଳାସ ଶୃଙ୍ଗେ
ଏକାଳେ ଦେବ ତପନି,
ଅଧ୍ୟାପକ ଜୟକୃଷ୍ଣ ମିଶ୍ର ସ୍ୱରଚିତ “ମଞ୍ଜୁଳା ମଣି ମାଳିନୀ’ କାବ୍ୟରେ କପିଳାସ ସଂପର୍କରେ ସୂଚନା ଦେବାକୁ ଯାଇ ବର୍ଣ୍ଣନା କରିଛନ୍ତି :-
ଜାଗରେ ଯେ ଲାଗେ ଲୀଳା କପିଳାସ ପରେ
ଶେଷ ମୁଖେ ଶେଷ ନୁହେଁ କାହିଁ ଛାର ନର ।
ଦୂରପଥୁଁ ଯାତ୍ରୀ ଦଳ ଆସି ଆନନ୍ଦନରେ,
ଉଜାଗର ଜାଳି ସାରା ରଜନୀ ଜାଗର ।
ପୁତ୍ରକନ୍ୟା ମାନସରେ କେବା ପତି ପାଇଁ,
କାମନାର ସିଦ୍ଧି ପାଇଁ ସକଳେ ଧାବିତ ।
ନିଷ୍କାମ ପ୍ରେମିକ ପାଇଁ କିଛି ଲୋଡ଼ା ନାହିଁ ।
ପ୍ରେମାକୁଳ ଗାଏ ମହା ମହିମା ସଂଗୀତ ।
କର୍ମବୀର କହେ ଆହେ ପୁରୁଷ ପରମ
ନିଯୋଜକ ନାହିଁ ସେ ମୋ ଧମର କରମ ।
ଶୋଭାମୟୀ ଉକ୍ରଳର ଅତୁଳ ସମନେ,
କପିଳାସ ! ତୁମେ ସିନା ଅମୂଲ୍ୟ ସଂପଦ ।
ଭକତ ଲଭଇ ଯାହା ସତ୍ୟପୂତ ମନେ,
ସାକ୍ଷାତରେ ତୁମଠି ସେ ପରମେଣ ପଦ ।
ପ୍ରେମିକକୁ ସହଜେ ତ ସବୁ ପ୍ରେମମୟ,
ପାଷାଣ୍ଡ ଦେଖିଲେ ଚବ ଅନୁପମ ଛବି ।
ଜଗତ ଚରାଳ ଯିବ ଭୁଲି ସେ ନିଶ୍ଚୟ,
ଶାଶ୍ୱତ ପ୍ରେମରେ ଥରେ ପ୍ରାଣ ଯିବ ଦ୍ରବି ।
ଫେରିବାକୁ ତଳକୁ ତା ନବଳବ ମନ,
ବିଷ ପରି ମଣିଷ ସେ ପ୍ରିୟା ପୁତ୍ର ଧନ ।
କପିଳାସ ଗୋଟିଏ ସ୍ୱାସ୍ଥ୍ୟକର ଶୈଳନିବାସ । ଆଧୁନିକ ଚିକିତ୍ସକ ବୃନ୍ଦ ଏହାର ସ୍ୱଚ୍ଛ ନିର୍ଝର ଜଳର ଭୂୟଂସୀ ପ୍ରଶଂସା କରିଅଛନ୍ତି । ଶାରୀରିକ ଓ ମାନସିକ ଉଭୟ ରୋଗ ପ୍ରଶମନ ନିମିତ୍ତ ଏହା ପ୍ରକୃଷ୍ଟ କ୍ଷେତ୍ର । ଏହାର ବନାଞ୍ଚଳରେ ଅନେକ ଦୁର୍ଲଭ ଔଷଧୀୟ ବୃକ୍ଷ ପରିଦୃଷ୍ଟ ହୁଏ । ଏଠାରେ ନାନା ପ୍ରକାର ବନ୍ୟଜନ୍ତୁ ତଥା ଅନେକ ପ୍ରଜାତିର ବିଷଧର ସର୍ପ ନିବାସ କରୁଥିଲେ ମଧ୍ୟ କେବେ କାହାର ଅନିଷ୍ଟ କରିନାହାନ୍ତି । ପ୍ରବାଦ ଅଛି, ଦେବତା ଏହି ପବିତ୍ର କ୍ଷେତ୍ରରେ ବନ୍ୟଜନ୍ତୁ ଓ ସର୍ପ ରୂପରେ ନିବାସ କରନ୍ତି । ଅନେକ ଏମାନଙ୍କୁ ଶିବଙ୍କର ଅନୁଚର ରୂପେ ବିବେଚନା କରନ୍ତି । କପିଳାସ ପର୍ବତରେ ଅନେକ ଗିରିକନ୍ଦର ରହିଛି । ସେହି ଗିରିକନ୍ଦରରେ ଅନେକ ସାଧୁ ତପସ୍ୟାରତ । ବିଭିନ୍ନ ପ୍ରାନ୍ତରରୁ ଅନେକ ସିଦ୍ଧ ମହାତ୍ମା ସାମୟିକ ଜପ, ଧ୍ୟାନ,ଯୋଗସିଦ୍ଧି, ହଠଯୋଗ ବା ଚତୁର୍ମାସ୍ୟାବ୍ରତ ପାଳନ ନିମିତ୍ତ କପିଳାସର ଗିରିକନ୍ଦରରେ ସାମୟିକ ନିବାସ କରିଥାନ୍ତି । ଏହି ପବିତ୍ର କ୍ଷେତ୍ରରେ ସକଳ ପ୍ରକାର ସାଧନା ଶୀଘ୍ର ଫଳବତୀ ହୁଏ ବୋଲି ବିଶ୍ୱାସ ରହିଛି । ଏହାର ଗର୍ଭରେ ଅଭ୍ର ଥିବାର ଭୂତତ୍ତ୍ୱବିତଙ୍କର ମତ । ହିମାଳୟ ତୁଲ୍ୟ କପିଳାସ ପର୍ବତର ସ୍ୱାତନ୍ତ୍ର୍ୟ ରହିଛି ।
ଆମ ଗାଁଠାରୁ କପିଳାସ ପାଦ ଦେଶ ସ୍ଥିତ ଦେଓଗାଁ ୧୫ କି.ମି. । ଦେଓଗାଁ ଠାରୁ କପିଳାସ ପୀଠ ଯିବା ନିମିତ୍ତ ଦୁଇଟି ରାସ୍ତା ଅଛି । ଗୋଟିଏ କାର ଓ ମୋଟର ସାଇକେଲ ଯିବା ନିମିତ୍ତ ବାରବାଙ୍କ ରାସ୍ତା, ଯାହାର ଲମ୍ବ ୫ କି.ମି. । ଅନ୍ୟଟି ୧୩୫୦ ପାବଚ୍ଛ ବିଶିଷ୍ଟ ପାଦଚଲା ରାସ୍ତା । ଆମ ଗାଁ ଲୋକମାନେ ଚାଲି ଚାଲି କପିଳାସ ଯାଆନ୍ତି । ବିଶେଷତଃ ଶିବରାତ୍ରିରେ ଆମ ଗାଁରୁ ପ୍ରାୟ ଦୁଇଶହ ଲୋକ କପିଳାସ ଯାଆନ୍ତି । ଆମେ ଚାରି ପାଞ୍ଚଜଣ ସାଥୀ ସାଙ୍ଗ ହୋଇ କପିଳାସ ଯାଉ । ଗାଁରୁ ପ୍ରତୁ୍ୟଷରୁ ବାହାରି ବ୍ରାହ୍ମଣୀ ନଦୀ, ବାଇଁଶିଆ ନାଳ ଓ ଭଉଁରୀ ପାର ହୋଇ ଯୋରନ୍ଦାରେ ପହଞ୍ଚୁ । ଯୋରନ୍ଦା ଠାରୁ ତିରୁଳେଇ ଯାଉ । ଚିରୁଳେଇରେ ପହଞ୍ଚôବା ବେଳକୁ ପ୍ରାୟ ସକାଳ ୮ଟା ହୋଇଥାଏ । ସାଥୀରେ ଚୁଡା, ଲଙ୍କା, ଲୁଣ ଓ ଖଟା ନେଇଥାଉ । ଚିରୁଳେଇ ଠାରେ ଚୁଡା ଖାଇ ଦେଓଗାଁ ଦେଇ ପାବଚ୍ଛ ରାସ୍ତାରେ କପିଳାସରେ ପହଞ୍ଚôଯାଉ । କପିଳାସରେ ପହଞ୍ଚôବା ବେଳକୁ ସକାଳ ୯ ।୩୦ ବା ୧୦ଟା ହୋଇଯାଏ । ସେତେବେଳକୁ ମନ୍ଦିରରେ ଖେଚେଡି ଭୋଗ ହୋଇଥାଏ । ଆମେ ଜମ୍ବକୁଣ୍ଡ ବା ଜୀଉଛିକୁଣ୍ଡରେ ସ୍ନାନ ସାରି ଠାକୁରଙ୍କ ଦର୍ଶନ କରୁ । ଦର୍ଶନ ପରେ ଖେଚେଡି ଖାଉ । ଖେଚେଡ଼ିରେ ନଡିଆ ଓ ମୁଗଜାଇ ପଡିଥାଏ ତଥା ଦେଶୀ ଘିଅରେ ଖେଚେଡ଼ି ପ୍ରସ୍ତୁତ ହୋଇଥାଏ । ଭାରି ସ୍ୱାଦିଷ୍ଟ ଲାଗେ । ଖେଚେଡି ଖାଇ ସାରି ନାରଣ ମନ୍ଦିର, ବିଶ୍ୱନାଥ ମନ୍ଦିର, ବ୍ରହ୍ମଚାରୀ ମଠ, ହରିହର ମଠ ଓ ଦେବସଭା ବୁଲିବାକୁ ଯାଉ । ଦେବସଭା କପିଳାସର ସର୍ବୋଚ୍ଚ ଶୃଙ୍ଗ । ସେଠାରୁ କଟକର ମହାନଦୀତଟସ୍ଥ ଗଡ଼ଗଡ଼ିଆ ଘାଟ ଦେଖାଯାଏ । ଦେବସଭାରୁ ଫେରିଲା ବେଳକୁ ଅପରାହ୍ନ ୨ଟା ବାଜିଯାଇଥାଏ । ସେତେବେଳକୁ ମନ୍ଦିରରେ ଅନ୍ନଭୋଗ ହୋଇଥାଏ । ଅନ୍ନଭୋଗରେ ଡାଲି, ତରକାରୀ, ଚକାପିଠା ଓ ପାୟସ ଭୋଗ ଲାଗି । ଭୋଗ ଖାଇଲା ପରେ ଆମେ ଗାଁକୁ ପ୍ରତ୍ୟାବର୍ତ୍ତନ କରୁ । ପ୍ରାୟ ସନ୍ଧ୍ୟା ୭ଟାରେ ଗାଁରେ ପହଞ୍ଚୁ । ଇଛା ହେଲେ ମଧ୍ୟ କପିଳାସରେ ଦୁଇ ତିନିଦିନ ରହୁ । ସେତେବେଳେ କପିଳାସ ପୀଠକୁ ବିଦୁ୍ୟତ୍ ସଂଯୋଗ ହୋଇନଥାଏ । ସନ୍ଧ୍ୟା ପରେ ଶିଶୁକାଠ ହୁଳା ଜଳାଯାଇ ଠାକୁରଙ୍କ ନୀତି ନିଯୋଗ ସଂପାଦିତ ହୁଏ ।
ଶ୍ରୀ ଚନ୍ଦ୍ରଶେଖରଙ୍କ ଶ୍ରୀଅଙ୍ଗ ସେବକ ହେଉଛନ୍ତି ଚିନ୍ତା ପତ୍ରୀ । ସେମାନଙ୍କ ନିବାସ ଦେଓଗାଁ । ସେମାନେ ଶବର ଜାତି ସେମାନଙ୍କ ସଂଜ୍ଞା ଚିନ୍ତା ଓ ପତ୍ରୀ । ବର୍ତ୍ତମାନ ସେମାନେ ସଂଜ୍ଞା ବଦଳାଇ ମହାପାତ୍ର ଓ ପତି କଲେଣି ତଥା ନିଜକୁ ବ୍ରାହ୍ମଣ ବୋଲି କହୁଛନ୍ତି । ଚିନ୍ତାପତ୍ରୀମାନେ ଠାକୁରଙ୍କର କେବଳ ସ୍ନାନ ଓ ମାଜଣା କରନ୍ତି । ଅନ୍ନଭୋଗ ପ୍ରଭୃତି ବ୍ରାହ୍ମଣ ସୁଆରଙ୍କ ଦ୍ୱାରା ରୋଷଘରେ ପ୍ରସ୍ତୁତ ହୁଏ ତଥା ବ୍ରାହ୍ମଣ ପୂଜାପଣ୍ଡା ଏହିସବୁ ଭୋଗ ଠାକୁରଙ୍କୁ ମନ୍ତ୍ର ପାଠ ପୂର୍ବକ ଉତ୍ସର୍ଗ କରିଥାନ୍ତି । ଢେଙ୍କାନାଳ ଦେବୋତ୍ତର ବିଭାଗ ତରଫରୁ ମନ୍ଦିରର ସେବା ପୂଜା ନୀତି କାନ୍ତି ପରିଚାଳନା ନିମିତ୍ତ ଜଣେ ଜମାଦାର କପିଳାସରେ ନିଯୁକ୍ତି ହୋଇଥାନ୍ତି । ଏହାକୁ ଖରସୋଧା କୁହାଯାଏ । ଦେଓଗାଁରେ ଠାକୁରଙ୍କ ସରଘର ଓ ଶ୍ରୀବଳଦେବଜୀଉ ମନ୍ଦିର ରହିଛି । ସେଠାରେ ମଧ୍ୟ ଜଣେ ଜମାଦାର ଅଛନ୍ତି । ସେ ପ୍ରତିଦିନ ଠାକୁରଙ୍କ ଯୋଗ ନିମିତ୍ତ ଚାଉଳ, ଡାଲି, ପରିବା, ଘିଅ, କ୍ଷୀର, ଦହି, ଲହୁଣୀ ଓ ଫୁଲ ପ୍ରଭୃତି ଭାରୁଆଙ୍କ ହାତରେ ପୀଠକୁ ପଠାନ୍ତି । ଦୁର୍ଗା ପ୍ରସାଦ, ମହୁଲିଖଳି, ବାଇଁସିଆ ଓ ସାଳାପଶି ଗାଁରେ ଠାକୁରଙ୍କ ଜମିବାଡି, ଗାଈ ଓ ମହିଁଷି ଅଛନ୍ତି । ସେହିସବୁ ଗ୍ରାମରୁ ଚାଉଳ, ବିରି, ମୁଗ, ପରିବା, କ୍ଷୀର ଓ ଦହି ପ୍ରଭୃତି ଦେଓଗାଁ ସରଘରକୁ ଆସେ । ମୋର କପିଳାସ ଠାକୁରଙ୍କ ପ୍ରତି ଅତୁଟ ଭକ୍ତି । ମୋ ଜେଜମା କହନ୍ତି ଯେ ସେ ଚନ୍ଦ୍ରଶେଖରଙ୍କୁ ଡାକି ମୋତେ ପାଇଛନ୍ତି । କପିଳାସର ଚିନ୍ତାପତ୍ରୀ ଗୋଲେଖ, ପ୍ରାଣବନ୍ଧୁ, ଚୈତନ୍ୟ ପ୍ରଭୃତି ସବୁବେଳେ ପାଦୁକା ଓ ଭୋଗ ପ୍ରଭୃତି ଧରି ଆମ ଘରକୁ ଆସନ୍ତି । ମୋ ନିମିତ୍ତ ପ୍ରତିଦିନ ପାଣି ବେଲପତ୍ରୀ କରିବାକୁ ଜେଜେମା ସେମାନଙ୍କୁ କହିଥାଏ । ମୁଁ ମଧ୍ୟ କପିଳାସ ଆସିଲେ ଏମାନେ ମୋର ତତ୍ତ୍ୱ ନିଅନ୍ତି । ଯଦି ମୁଁ ରାତି କପିଳାସରେ ରହେ ମୋତେ ଏମାନେ ଜଗି କରି ମୋ ନିକଟରେ ଶୁଅନ୍ତି । କପିଳାସର ପ୍ରଭୁ ଶ୍ରୀ ଚନ୍ଦ୍ରଶେଖର ଆମ ପରିବାରର ଈଷ୍ଟ ।
ଆନନ୍ଦନଗର, କାଠଗଡା, ଢେଙ୍କାନାଳ
ମୋ-୮୮୯୫୨୩୦୭୨୨